ବିଶ୍ୱର ଦୀର୍ଘତମ ମାଟିବନ୍ଧ ଏବଂ ଏସିଆର ସର୍ବବୃହତ କୃତ୍ରିମ ହ୍ରଦ କୁହାଯାଉଥିବା ହିରାକୁଦ ନଦୀବନ୍ଧକୁ ଷାଠିଏ ବର୍ଷ ପୁରିଛି । ଚଳିତ ଜାନୁୟାରୀ ୧୩ ତାରିଖ ଦିନ ହିରାକୁଦର ୬୬ ତମ ପ୍ରତିଷ୍ଠା ଦିବସ ଯାଇଛି ।
ହିରାକୁଦ ନଦୀବନ୍ଧ
ସ୍ୱାଧିନତା ପରେ ହୀରାକୁଦ ନଦୀବନ୍ଧ ଥିଲା ଦେଶର ସର୍ବବୃହତ ବହୁମୁଖି ପ୍ରକଳ୍ପ । ୧୯୪୫ ମସିହାରେ ମହାନଦୀର ଜଳର ଉପଯୋଗିତାକୁ ନେଇ ହୀରାକୁଦ ବନ୍ଧ ନିର୍ମାଣ ର ମୋହର ପଡ଼ିଥିଲା । ଡ଼. ବି. ଆର. ଆମ୍ବେଦକର ଏଥିରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶାର ତତ୍କାଳୀନ ଗଭର୍ଣ୍ଣର ସାର୍ ହଥର୍ଣ୍ଣ ଲୁଇସ୍ ବନ୍ଧ ନିର୍ମାଣ ପାଇଁ ୧୫ ମାର୍ଚ୍ଚ ୧୯୪୬ ମିହାରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହାର ୧୧ ବର୍ଷ ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୩ ଜାନୁୟାରୀ ୧୯୫୭ ମସିହାରେ ହୀରାକୁଦ ନଦୀବନ୍ଧର ଉଦଘାଟନ କରିଥିଲେ । ଏକବର୍ଷ ପୂର୍ବରୁ ଏହି ବନ୍ଧରୁ ବିଦ୍ୟୁତ ଉତ୍ପାଦନ ଓ ଚାଷ ଜମିକୁ ଜଳ ସେଚନ ଆରମ୍ଭ ହୋଇଥିଲେ ମଧ୍ୟ ୧୯୬୬ ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା । ଏହି ଜଳଭଣ୍ଡାର ଟି ୭୪୩ ବର୍ଗ କିଐମି. ବ୍ୟାପି ରହିଛି । ଏହି ନଦୀବନ୍ଧ ପ୍ରକଳ୍ପଟି ଶହେକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ।
ଏଥିରେ ୩୬୦ ଟି ଗାଁ ପୂର୍ଣ୍ଣ ଓ ଆଂଶିକ ଭାବରେ ଜଳସମାଧି ନେଇଥିଲେ । ଏକ ଲକ୍ଷ ୨୩ ହଜାର ଏକର ଚାଷ ଓ ଜଙ୍ଗଲ ଜମି ସଂପୂର୍ଣ୍ଣ ଜଳ ମଗ୍ନ ହେଲା । ୨୬ ହଜାର ୫୬୧ ପରିବାର ର ଏକ ଲକ୍ଷରୁ ଅଧିକ ଲୋକ ଉଦବାସ୍ତୁ ହେଲେ । ସେତେବେଳେ କ୍ଷତିଗ୍ରସ୍ତ ପରିବାରକୁ ଜମି ବଦଳରେ ଜମି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ମାତ୍ର ଘୋଷଣା କେବଳ ଘୋଷଣାରେ ହିଁ ରହିଗଲା । ସରକାର ଲୋକଙ୍କୁ ଯେଉଁ କ୍ଷତିପୂରଣ ରାଶି ଦେଲେ ସେଥିରେ ଚାଷ ଜମି କିମ୍ବା ଘର କିଣିବା ସମ୍ଭବ ହେଲାନାହିଁ । ହଜାର ହଜାର ଲୋକ ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟକୁ ଦେଶାନ୍ତର ହେଲେ । କିଏ ସେଠାରେ ରିକ୍ସା ଟାଣିଲା ତ କିଏ କୁଲି ମଜୁରୀ କାମ କଲା । ବିଡ଼ମ୍ବନା ର ବିଷୟ ଯେ ଦୀର୍ଘ ବର୍ଷ ଯାଏ ହରାକୁଦ ବିସ୍ଥାପିତ ଲୋକଙ୍କୁ ସାମାଜିକ ସ୍ୱୀକୃତି ମିଳିନଥିଲା । “ଉଡ଼ି ଆଏଲା ଚରେଇ ( ଉଡ଼ି ଆସିଥିବା ଚଢେଇ)’ ଭାବରେ ସେମାନଙ୍କୁ ଗଣା ଯାଉଥିଲା । ଏପରିକି ବିସ୍ଥାପିତ ଲୋକଙ୍କ ପାଇଁ ସେତେବେଳେ ବାହାଘରର ମଧ୍ୟ ସମସ୍ୟା ଦେଖା ଦେଇଥିଲା । ହିରାକୁଦ ବୁଡ଼ି ଅଂଚଳର ଲୋକଙ୍କୁ ବାହା ହେବା ପାଇଁ ଝିଅ ଦେଉନଥିଲେ । ନିଜ ଗାଁରେ ଏକଦା ସାମାଜିକ ମର୍ଯ୍ୟାଦାର ସହିତ ବଂଚୁଥିବା ଅନେକ ଲୋକ ଅନ୍ୟ ଗାଁରେ ଆସି ରହିବା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ଏକଲା ଓ ଅସହାୟ ଜୀବନ ବିତାଉଥିଲେ । ନିଜର ଭିଟାମାଟି, ଚାଷ ଜମି, ଖେତ ଖଳା, ଗୁଡ଼ି ଭାଡ଼ି, ଗୁର୍ଡ଼ା ଧର୍ସା ଆଦିକୁ ଝୁରି ହୋଇ ହଜାର ହଜାର ଲୋକ ଜୀବନ ହାରିଲେ ।
୨୦୧୪ ମସିହାରେ ହୋଇଥିବା ଏକ ଆକଳନ ଅନୁସାରେ ସରକାର ମାତ୍ର ୨୨୪୩ ଟି ପରିବାରକୁ ୧୮ ଟି ଥଇଥାନ କେନ୍ଦ୍ରରେ ଥଇଥାନ କରିଥିଲେ । ଯାହାକି ମୋଟ ବିସ୍ଥାପିତଙ୍କ ମାତ୍ର ୮.୪୬ ପ୍ରତିଶତ ହେବ । ବାକି କିଏ କୁଆଡ଼େ ଗଲେ ତାହାର ହିସାବ ବି କାହା ପାଖରେ ନାହିଁ । ଦଶ ହଜାରରୁ ଅଧିକ ପରିବାର କ୍ଷତିପୂରଣ ରାଶି ମଧ୍ୟ ଗ୍ରହଣ କରିନଥିବା ଆଳନରୁ ଜଣାପଡ଼ିଛି । ବିଜୁଳୀ ଉତ୍ପାଦନ ଏବଂ ଜଳସେଚନ ପାଇଁ ତିଆରି ହୋଇଥିବା ଏହି ବନ୍ଧ ତାର ମୂଳ ଉଦ୍ଦେଶ୍ୟରୁ ଲକ୍ଷ୍ୟଚ୍ୟୁତ ହୋଇଛି । ବନ୍ଧ ପାଇଁ ବାସସ୍ଥାନ ହରାଇଥିବା ହଜାର ହଜାର ଲୋକଙ୍କ ଆଖିର ଲୁହ ଏଯାଏ ଶୁଖିନାହିଁ । କୌାଣସି ସରକାର ଏମାନଙ୍କ ଦୁଃଖ ଶୁଣି ନାହାନ୍ତି । ଜଳଭଣ୍ଡାରରେ ଜଳସମାଧି ନେଇଥିବା ଶହଶହ ଗାଁ ମାନଙ୍କ ମଧ୍ୟରୁ ଏବେବି ଏପରି ଗାଁ ଅଛି ଯେଉଁଠାରେ ସର୍ବନିମ୍ନ ମୌଳିକ ଆବଶ୍ୟକତା ପୁରଣ ହୋଇନାହିଁ । ସେହିପରି ଏକ ଗାଁ ହେଉଛି କୁରୁମକେଲ ।
କୁରୁମକେଲ ଗାଁର ଦୁଃଖ କାହାଣୀ
ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅଧିନରେ ରହିଛି କୁରୁମକେଲ ଗାଁ । ଲୋକସଂଖ୍ୟା ହଜାରେ ଭିତରେ ହେବ । ଜିଲ୍ଳା ସଦର ମହକୁମାରୁ ଏହି ଗାଁର ଦୂରତା ୭୦ କିଲୋମିଟର ହେବ । ଏହି ଗାଁକୁ ଯିବାକୁ ହେଲେ ଡ଼େବ୍ରୀଗଡ଼ ଅଭୟାରଣ୍ୟ ଦେଇ ଯିବାକୁ ପଡ଼େ । ଗାଁର ଲୋକସଂଖ୍ୟା ଏକ ହଜାରରୁ ଅଧିକ ହେବ । ସମସ୍ତେ ମତ୍ସ୍ୟଜୀବୀ । ମାଛ ମାରି ଚଳନ୍ତି । ୬୧ ବର୍ଷ ତଳେ ହୀରାକୁଦ ନଦୀବନ୍ଧ ତିଆରି ବେଳେ ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଲୋକ ଏବେ ବି ଗାଁରେ ଜୀବିତ ଅବସ୍ଥାରେ ଅଛନ୍ତି । ଅନେକ ଲୋକ ବିସ୍ଥାପନର କଥା ଓ ବ୍ୟଥା କୁ ଏଯାଏ ଭୁଲି ପାରି ନାହାନ୍ତି । କୁରୁମକେଲ ଗାଁ ଟି ସେତେବେଳ ବହୁତ ବଡ଼ ଥିଲା । ସବୁ ଜାତିର ଲୋକେ ସେହି ଗାଁରେ ରହୁଥିଲେ । ଜଳବୁଡ଼ି ହେବା ପରେ ଅନେକ ଲୋକ କିଏ କୁଆଡ଼େ ଚାଲିଗଲେ । ବାକି ସମସ୍ତେ ରହିଗଲେ । ସରକାର ତାଙ୍କୁ ଜଳଭଣ୍ଡାର କଡ଼ରେ ରହିବା ପାଇଁ ଜାଗା ଦେଲେ । ସବୁ ସୁବିଧା କରିବା ପାଇଁ ସେମାନଙ୍କୁ ପ୍ରତିଶୃତିବି ମିଳିଥିଲା । ହେଲେ ପ୍ରତିଶୃତି ଖାଲି ପ୍ରତିଶୃତି ହୋଇ ରହିଗଲା । ଗାଁ କୁ ରାସ୍ତା ନାହିଁ ।
୨୦୧୦ ମସିହାରେ ଏହି ଗାଁକୁ ରାସ୍ତା ପାଇଁ ୩୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କିଛି କାମ ହେବା ପରେ ଜଙ୍ଗଲ ବିଭାଗ ରାସ୍ତା ତିଆରି ପାଇଁ ଅନୁମତି ଦେଲେ ନାହିଁ । ଫଳରେ ରାସ୍ତା କାମ ଅଧାରେ ରହିଗଲା । ଗାଁର ଭୌଗଳିକ ସ୍ଥିତି ମଧ୍ୟ ବଡ଼ ବିଚିତ୍ର । ଗୋଟିଏ ଡ଼େବ୍ରୀଗଡ଼ ଜଙ୍ଗଲ ତ ଆଉ ଗୋଟିଏ ପଟେ ହୀରାକୁଦ ଜଳ ଭଣ୍ଡାରର ଅଗାଧ ଜଳରାଶି । ସନ୍ଧ୍ୟା ପୂର୍ବରୁ ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଏ । ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ଭୟ ସବୁବେଳେ ରହିଥାଏ । ପୁଣି ବର୍ଷା ଦିନେ ପାହାଡ଼ ଉପରୁ ପାଣି ବହି ବାଟ ବନ୍ଦ ହୋଇଯାଏ । ଚାରିମାସ ଧରି ଗୋଟିଏ ପ୍ରକାର ଜଳବନ୍ଦୀ ହୋଇ ରହନ୍ତି ଗ୍ରାମବାସୀ । ଡ଼ଙ୍ଗା ହିଁ ସେମାନଙ୍କ ଘର ଓ ଭରସା । ଡ଼ଙ୍ଗାରେ ପାରି ହୋଇ ଝାରସୁଗୁଡ଼ା ଅଂଚଳକୁ ଯାଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିଥାନ୍ତି । କାହାର ଦେହ ଖରାପ ହେଲେ ଜଳଭଣ୍ଡାର ଆର ପଟେ ଥିବା ଝାରସୁଗୁଡ଼ାକୁ ଡ଼ଙ୍ଗାରେ ନେଇ ଡ଼ାକ୍ତରଙ୍କୁ ଦେଖାଇଥାନ୍ତି । ତେବେ ଗାଁ ଲୋକଙ୍କ ହର୍ତାକର୍ତା ହେଉଛନ୍ତି । ରେଙ୍ଗାଲି ଗାଁରେ ଥିବା ଜଣେ କ୍ୱାକ୍ । ଗାଁ ଲୋକଙ୍କର ତାଙ୍କ ଉପରେ ଖୁବ୍ ଭରସା । କାରଣ ଟିକିଏ ଦେହ ଖରାପ ହେଲେ ତାଙ୍କୁ ଖବର ଦେଲେ ସେ ଘରକୁ ଆସି ଚିକିତ୍ସା କରନ୍ତି । ରକ୍ତ ପରୀକ୍ଷା କରନ୍ତି । ଇଞ୍ଜେକସନ୍ ଓ ମେଡ଼ିସିନ୍ ଦିଅନ୍ତି । ତାଙ୍କ ଓøଷଧ ଭଲ କାମ ଦିଏ ଏବଂ ଅନେକ ଲୋକଙ୍କୁ ସେ ମରୁ ମରୁ ବଂଚାଇଛନ୍ତି ବୋଲି ଗାଁ ଲୋକେ କହନ୍ତି ।
ଗାଁର ସମସ୍ତେ ମତ୍ସ୍ୟଜୀବୀ । ବିସ୍ଥାପନ ସେମାନଙ୍କୁ ବଂଚିବାର ରାହା ଦେଖାଇଛି । ଛୋଟ ଛୁଆଠୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ଡ଼ଙ୍ଗାରେ ମାଛ ମାରିବା ଶିଖିଛନ୍ତି । ରାତି ୨ ଟାରୁ ଉଠି ଡ଼ଙ୍ଗାରେ ମାଛ ମାରିବା ପାଇଁ ଚାଲିଯାଆନ୍ତି । ଭୋର ୪ ଟା ବେଳକୁ ମାଛ ମାରି ଫେରିବା ସମୟରେ ବେପାରୀମାନେ ମାଛ ନେବାକୁ ଆସିଯାଇଥାନ୍ତି । ତେବେ ରାସ୍ତାର ଅସୁବିଧା ଥିବାରୁ ଖବ୍ କମ୍ ଦରରେ ମାଛ ବିକ୍ରୀ ହୋଇଥାଏ । ଛୋଟ ମାଛ କିଲୋ ୧୪/୧୫ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ବଡ଼ ମାଛ କିଲୋ ଶହେରୁ ବି କମ୍ ଦାମ୍ରେ ବିକ୍ରୀ ହୁଏ । ବର୍ଷା ଦିନେ ଏହି ଦର ଆହୁରି ତଳକୁ ଖସିଯାଏ । ଗାଁର ମହିଳାମାନେ ମଧ୍ୟ ମାଛ ମାରିବାରେ ସହଯୋଗ କରନ୍ତି । ମାଛକୁ ପ୍ରଥମେ ଖରାରେ ଓ ପରେ ଚୁଲିରେ ଶୁଖାଇଥାନ୍ତି । ତେବେ ଆଗ ଅପେକ୍ଷଶ ମାଛ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ବୋଲି ଗାଁ ଲୋକେ କହନ୍ତି । ପ୍ରତିବର୍ଷ ଉପରମୁଣ୍ଡରୁ ହିରାକୁଦ ଜଳଭଣ୍ଡାରକୁ ମାଟି ଓ ବାଲି ଆସୁଛି । ଜଳ ଭଣ୍ଡାରର ମଝି ଅଂଚଳ ମାଟିରେ ପୋତି ହୋଇଗଲାଣି । ଉଭୟ ପଟେ ଥିବା ଖାଲରେ ଯାହା କିଛି ମାଛ ମିଳୁଛି । କିଛିବର୍ଷ ପରେ ଆଉ ମୋଟେ ମାଛ ମିଳିବେନି ବୋଲି କହନ୍ତି ଗ୍ରାମବାସୀ । ସେହିପରି ଉପରେ ଥିବା କଳକାରଖାନା ର ପାଣି ଜଳଭଣ୍ଡାର କୁ ଛାଡ଼ି ଦେଉଥିବାରୁ ମାଛ ବଂଶ ଧିରେ ଧିରେ ଲୋପ ପାଇଯାଉଛନ୍ତି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ।
ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁଲୋକେ ବିଜୁଳୀ ଦେଖିନାହାନ୍ତି । କୌଣସି ଜନ ପ୍ରତିନିଧି କିମ୍ବା ସରକାର ଗାଁ ଲୋକଙ୍କ ନିକଟକୁ ବିଜୁଳୀ ପହଂଚାଇବା ପାଇଁ ଉଦ୍ୟମ ସୁଦ୍ଧା କରିନାହାନ୍ତି । ତେବେ ଯୁବ ସାମ୍ବାଦିକ ତଥା ସାମାଜିକ କର୍ମୀ ଅମିତାଭ ପାତ୍ର ଙ୍କ ଉଦ୍ୟମରେ ଗାଁରେ ସୋଲାର ଲାଇଟ ଲାଗିଛି । ଗତ ଦିପାବଳୀ ସନ୍ଧ୍ୟାରେ ସେ ନିଜେ ଗାଁରେ ପହଂଚି ଗାଁର ବିଭିନ୍ନ ସ୍ଥାନରେ ସୋଲାର ଲାଇଟ ଲଗାଇଥିଲେ । ଏହାପରେ ସେ ତାଙ୍କର କିଛି ବନ୍ଧୁ ମାନଙ୍କ ସହିତ ସେଠାକୁ ଯାଇ ଡ଼ଙ୍ଗାଘାଟ ଏବଂ ଅନ୍ୟ ପଡ଼ା ମାନଙ୍କରେ ସୋଲାର ଲାଇଟ ଲଗାଇବା ସହ ଗାଁ ଲୋକଙ୍କ ଦେଖିବା ପାଇଁ ଗୋଟିଏ ଟିଭିର ବ୍ୟବସ୍ଥା କରିଛନ୍ତି । ଷାଠିଏ ବର୍ଷ ଆଗରୁ ନିଜର ସବୁ କିଛି ହରାଇଥିବା କୁରୁମକେଲ ବାସୀ ଆଜି ଟିଭିରେ ତାଙ୍କ ନିଜ ଗାଁର ଅବସ୍ଥା ଟିଭିରେ ଦେଖିପାରୁଛନ୍ତି ।
କୁରୁମକେଲ ପରି ପାଖରେ ଥିବା ଭୁତୁଲି ଓ ରେଙ୍ଗାଲି ଗାଁ ମଧ୍ୟ ମୌାଳିକ ସୁବିଧାରୁ ବଂଚିତ । ଏଠାରେ ରାସ୍ତା ନାହିଁ ଆଲୁଅ ବି ନାହିଁ । କେବେ ସେମାନଙ୍କ ପାଖକୁ ତଥାକଥିତ ସଭ୍ୟତାର ଆଲୁଅ ଏମାନେ ତାହାରି ଅପେକ୍ଷାରେ ।
Comments
0 comments