ସବୁଜ ବିପ୍ଳବର ସେହି ସଦ୍ୟ ବିଧବାମାନେ

ସବୁଜ ବିପ୍ଳବର ପ୍ରଭାବରେ ସଦ୍ୟ ବିଧବା ମାନଙ୍କ ପାଇଁ ଆଜି ରାମବାଈ ଆଶାର ଆଲୋକବର୍ତିକା ସାଜିଛନ୍ତିି । ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି

22 Min Read

ନାରୀ ଓ ଲଜ୍ୟା ଉଭୟର ସଂପର୍କ ରକ୍ଷଣଶୀଳ ଭାରତୀୟ ସମାଜରେ କ୍ଷୀର ଓ ନୀର ପରି । ଧର୍ମଗ୍ରନ୍ଥ କହେ , ଲଜ୍ୟା ନାରୀକୁ ରମଣୀୟ କରେ । ଅଥଚ, ବାସ୍ତବତା ହେଲା, ଲଜ୍ୟା ନାରୀକୁ ଅସହାୟ କରିଦିଏ । ଜୀବନରେ କିଛି ବି ପଦକ୍ଷେପ ନେବା ଆଗରୁ ଭାରତୀୟ ନାରୀ ପ୍ରଥମେ ଚିନ୍ତା କରେ, ସମାଜ ତାକୁ ଅନୁମୋଦନ କରିବ ତ? ଶତକଡ଼ା ୮୦ ରୁ ୯୦ ଭାଗ ଭାରତୀୟ ନାରୀ ଏହି ଚିନ୍ତାଧାରାର ବଶବର୍ତୀ ହୋଇ କାମ କରନ୍ତି ।

ଅନ୍ୟ ପକ୍ଷରେ , ନିଜ କ୍ଷମତା, ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାଜକୁ ପରବାୟ ନକରି ନାରୀଟେ ଯେତେବେଳ ଆଗକୁ ଆସେ, ଫଳାଫଳ ଚମତ୍କାର ହିଁ ହୋଇଥାଏ । ଏହିଭଳି ମୂହୂର୍ତ ଆସିଥିଲା ରାମ୍‌ବାଇଙ୍କ କ୍ଷେତ୍ରରେ । ଜୀବନର ପ୍ରତିଟି ପରିସ୍ଥିତିକୁ ସାହସର ସହିତ ସାମ୍‌ନା କରି ସମାଜରେ ଜଣେ ପ୍ରତିଷ୍ଠିତ ମହିଳା ହେବାର ଗୌରବ ଲାଭ କରିଛନ୍ତି ମହିଳା ଚାଷୀ ରାମବାଇ ଦାସ ଯାହାଙ୍କ ଜୀବନ କାହାଣୀ ଅତ୍ୟନ୍ତ ରୋମାଂଚକର ।

ରାମବାଇ ଦାସ

ରାମବାଇ ଦାସ । ବୟସ ପ୍ରାୟ ଚାଳିଶ ବର୍ଷ ହେବ । ସବୁଜବିପ୍ଳବର ପ୍ରୟୋଗ କ୍ଷେତ୍ର କୁହାଯାଉଥିବା ଓଡ଼ିଶା ବରଗଡ଼ ଜିଲ୍ଳା ଜମୁର୍ଡ଼ା ଗାଁରେ ତାଙ୍କର ଘର । ରାମବାଇ ଛୋଟ ଥିବାବେଳେ ତାଙ୍କ ମାଆ ଅନ୍ୟ ଜଣେ ପର ପୁରୁଷ ସହିତ ଛତିଶଗଡ଼ ଅଂଚଳରୁ ବରଗଡ଼ ଜିଲ୍ଳାକୁ ଚାଲି ଆସିଥିଲେ । ଜମୁର୍ଡ଼ା ଗାଁରେ ସେମାନେ ଗୌାନ୍ତିଆଙ୍କ ବାରଣ୍ଡାରେ ଆଶ୍ରୟ ନେଇ ତାଙ୍କ କ୍ଷେତରେ କୃଷି ଶ୍ରମିକ ଭାବରେ କାମ କଲେ । ରାମବାଇ ପାଠ ପଢିବାକୁ ଚାହୁଁଥିଲେ ବି ପରିସ୍ଥିତି ଯୋଗୁଁ ପାଠ ପଢାରେ ଡ଼ୋରି ବନ୍ଧାହେଲା । ୧୬ ବର୍ଷ ନ ପୁରୁଣୁ ରାମବାଇକୁ ବାହା କରିଦେଲେ । ଅଳ୍ପ ବୟସରୁ ରାମବାଇ ମାଆ ହେଲେ । କନ୍ୟା ସନ୍ତାନଟିଏ ଜନ୍ମ କରିଥିବାରୁ ଶାଶୁ ଘର ଲୋକଙ୍କ ନିର୍ଯାତନା ଆରମ୍ଭ ହେଲା । ଏହା ସତ୍ୱେ ଝିଅର ମୁହଁକୁ ଚାହିଁ ସେଠାରେ ରହିଲେ । ତେବେ ନିର୍ଯ୍ୟାତନା ଅଧିକ ହେବାରୁ ଝିଅକୁ ଧରିି ମାଁ ଘରକୁ ଚାଲି ଆସିଲେ ଅନ୍ତଃସତ୍ୱା ରାମବାଇ । ଘରକୁ ଆସିବା ବେଳେ ଘରେ କେବଳ ରୋଗୀଣା ମା’ ଥିଲେ ।

ତାଙ୍କ ବାପା ଘରେ ଝଗଡ଼ା ହୋଇ ଅନେକ ଦିନ ଆଗରୁ କୁଆଡ଼େ ଚାଲିଯାଇଥିଲେ । ତାଙ୍କ ଗର୍ଭରୁ ପୁଣି ଝିଅଟିଏ ଜନ୍ମ ହେଲା । ଶିଶୁକନ୍ୟାକୁ ୪ ବର୍ଷ ହେଲା ବେଳକୁ ବଡ଼ଝିଅର ମସ୍ତିସ୍କ ଜ୍ୱରରେ ଅକାଳ ମୃତ୍ୟୁ । ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ଖବର ରାମବାଇଙ୍କୁ ବେଶ୍ ମାନସିକ ଧକ୍କା ଦେଇଥିଲା । ନିଜ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ, ମାତ୍ର ଜନ୍ମଦାତ୍ରୀ ମାଆ ଏବଂ ନିଜ ଝିଅର ମୁହଁ ଦେଖି ସେଥିରୁ ନିବୃତ ହେଲେ । ଜିଇଁବାର ବଜ୍ର ଶପଥ ନେଲେ । ଅନେକ ଲୋକ ଅନେକ କଥା କହିଲେ । ମାତ୍ର ସେଥିକୁ ଖାତିର ନକରି ଘରୁ ଗୋଡ଼ କାଢିଲେ । ହାତରେ କୋଡ଼ି ଧରି ଚାଷ କାମ ଆରମ୍ଭ କଲେ ।

ନିଜର ବିଲକୁଲ ଜମି ନଥିଲେ ବି ଅନ୍ୟର ଜମିରେ ପରିଶ୍ରମ କରି ଭଳିକିଭଳି ପନିପରିବା ଚାଷ କଲେ । ଜମିରେ ହଳଲଙ୍ଗଳ ଚଲାଇବାଠାରୁ ଆରମ୍ଭ କରି ମୋଟର ପମ୍ପ ଚଲାଇ ଜମିକୁ ପାଣି ମଡ଼ାଇବା, ୱିଡ଼ର ଚଲାଇବା, ଭାରବୋହିବା ଏବଂ ପନିପରିବା ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କାମ ସେ ନିଜେ କରୁଛନ୍ତି । କୌଣସି ପୁରୁଷ ତୁଳନାରେ ସେ କମ୍ ନୁହନ୍ତି ବୋଲି ସେ କହନ୍ତି । ଅନ୍ୟର ଗୋଦାମ ଘରେ ଆଶ୍ରୟ ନେଇଥିବା ରାମବାଇ ନିଜ ପରିଶ୍ରମ ବଳରେ ଗୋଟିଏ ଘର କରି ପାରିଛନ୍ତି । ତାଙ୍କ ଝିଅ ଏବେ କଲେଜରେ ପଢୁଛି । ସବୁଠାରୁ ଗରୁରୁତ୍ୱପୂର୍ଣ୍ଣ ହେଲାଯେ ସେ ଚାଷପାଇଁ ଆଦୌ ଋଣ କରି ନାହାନ୍ତି । ଆରମ୍ଭରୁ ପନିପରିବାରେ ରାସାୟନିକ ସାର ଓ କୀଟନାଶକ ଦେଉଥିବା ବେଳେ ଏବେ ସପୂର୍ଣ୍ଣ ଭାବରେ ପ୍ରାକୃତିକ ପଦ୍ଧତିରେ ଚାଷ କରୁଛନ୍ତି । ତାଙ୍କ ଗୁହାଳରେ ଗାଈଗୋରୁ ରଖିଛନ୍ତି । ଗୋବରଖତ ଚାଷ ଜମିରେ ଦେଇ ସେଥିରେ ପରିବା ଚାଷ କରୁଛନ୍ତି । ଗାଁର ଅନ୍ୟଚାଷୀମାନେ ଏବେ ରାମବାଈଙ୍କ କୃଷି ପଦ୍ଧତିକୁ ଆପଣାଇବା ଆରମ୍ଭ କରୁଛନ୍ତି ।

ଜଣେ ସଫଳ ମହିଳା ଚାଷୀ ଭାବରେ ବିଭିନ୍ନ ଅନୁଷ୍ଠାନରୁ ସେ ସମ୍ମାନିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ଼ ଆସିଥିବାବେଳେ ମହିଳାଚାଷୀ ରାମବାଈ ତାଙ୍କୁ ନିଜ ଉତ୍ପାଦିତ ପନିପରିବା ଉପହାର ଦେଇଛନ୍ତି ।

ସବୁଜ ବିପ୍ଳବର ପ୍ରଭାବରେ ସଦ୍ୟ ବିଧବା ମାନଙ୍କ ପାଇଁ ଆଜି ରାମବାଈ ଆଶାର ଆଲୋକବର୍ତିକା ସାଜିଛନ୍ତିି । ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ।
ରାଜ୍ୟ ସରକାରଙ୍କ ସଦ୍ୟ ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ଓଡ଼ିଶାରେ ୨୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଅନେକ ମହିଳା ତାଙ୍କର ରୋଜଗାରକ୍ଷମ ସ୍ୱାମୀଙ୍କୁ ହରାଇ ବିପର୍ଯ୍ୟୟର ସାମ୍ନା କରୁଛନ୍ତି । ଏହିଭଳି କିଛି ମହିଳାଙ୍କୁ ଆମେ ଭେଟିଥିଲୁ ।

ବନବାସୀ ମର୍ହି ଘର ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଅନ୍ତର୍ଗତ ବିଜାଡ଼ିହୀ ଗାଁରେ । ତାଙ୍କ ସ୍ୱାମୀ ବିଷ୍ଣୁ ମର୍ହିଙ୍କ ଆତ୍ମହତ୍ୟା ପରେ ସେ ପରିବାରର ଏକମାତ୍ର ସଦସ୍ୟ ଭାବରେ ନିସଙ୍ଗ ଜୀବନ ବିତାଉଛନ୍ତି । ହାରାହାରି ୩୫ ବର୍ଷର ମହିଳାଟିଏ ଦିଶୁଥିଲେ ୬୫ ବର୍ଷର ବୃଦ୍ଧା ପରି । ଦୁଃଖ, ଦୁର୍ବିପାକ, ଲଜ୍ଜା, ନିଃସଙ୍ଗତା ଏ ସମସ୍ତଙ୍କ ସାମୁହିକ ଉପଦ୍ରବରେ ବନବାସୀ ଦିଶୁଥିଲେ ଏକ ପଥର ମୂର୍ତିର ଭଗ୍ନାବଶେଷ ପରି । ବନବାସୀ ବି ଭାରତୀୟ ଗଣତନ୍ତ୍ରର ଜଣେ ନାଗରିକ । ଏକ ସମ୍ମାନ ଜନକ ଜୀବନ ଜିଇଁବାର ଅଧିକାର ତାଙ୍କର ବି ରହିଛି । ସରକାରଙ୍କ ରିପୋର୍ଟ କିନ୍ତୁ ବନବାସୀଙ୍କୁ ଆହୁରି ଅପମାନିତ କରିଛି । ପ୍ରଶାସନର ମତ ହେଲା ଏକମାତ୍ର ଝିଅର ବିବାହ ସ୍ଥିର ହୋଇଥିଲା ଅଥଚ ବିବାହ ପୂର୍ବରୁ ଅନ୍ୟ କୌଣସି ଯୁବକ ସହ ଝିଅ ପଳାୟନ କରିବାରୁ ଅପମାନ ସହିନପାରି ବିଷ୍ଣୁ ଆତ୍ମହତ୍ୟା କରିଛନ୍ତି । ଫସଲହାନୀ ଆତ୍ମହତ୍ୟାର କାରଣ ନୁହେଁ । ବିଧବା ବନବାସୀ ପ୍ରଶାସନର ଅଭିଯୋଗ ସହ ଆଦୌ ସହମତ ନୁହେଁ । ବିଷ୍ଣୁ ୨୦୧୫ ନଭେମ୍ବର ୪ ତାରିଖରେ ଆତ୍ମହତ୍ୟା କରିଥିବା ବେଳେ ଝିଅର ବିବାହ ସରିଥିଲା ୨୦୧୨ ମସିହାରେ ।

ବିବାହର କିଛିମାସ ପରେ ଝିଅ ଅନ୍ୟତ୍ର ପଳାୟନ କଲା ବୋଲି ସେ ଶୁଣିଛନ୍ତି, କିନ୍ତୁ ବାସ୍ତବତା ବିଷୟରେ ସେ ଅନଭିଜ୍ଞ, କାରଣ ଝିଅର ଖୋଜ ଖବର ମିଳିନାହିଁ । ଅଥଚ ପୂର୍ବାପର ସଙ୍ଗତି ବିନା ଦୁଇଟି ଘଟଣାକୁ ଜବରଦସ୍ତ ଯୋଡ଼ି ପ୍ରଶାସନ ନିଜର ଉତର ଦାୟିତ୍ୱରୁ ଖସିଯିବାର ପ୍ରୟାସ ନିଶ୍ଚିତ ଭାବରେ ନିନ୍ଦନୀୟ । ବନବାସୀ କହନ୍ତି ଝିଅ ପାଇଁ ଆତ୍ମହତ୍ୟା କରିଥିଲେ ତାଙ୍କର ସ୍ୱାମୀ ତିନିବର୍ଷ ତଳୁ ଜୀବନ ହାରି ଦେଇଥାନ୍ତେ । ଲୋକଲଜ୍ଜା ସହିସହି ଏତେ ଦିନ ବଂଚି ଆସିଥିଲେ । ଝିଅର ବାହାଘରରେ ମଧ୍ୟ ବିଶେଷ ଖର୍ଚ୍ଚ କରିନ ଥିଲେ କି ଋଣ ଗ୍ରସ୍ତ ହୋଇ ନଥିଲେ । ବନବାସୀ କହନ୍ତି ‘ ଆମେ ବିଂଝାଲ ମାନେ ବିହା ବରପନ୍ ଥିଁ ଆମର ଜାତି ଭିତରେଁ ମାଗିଯାଚି କରି ଖର୍ଚ୍ଚା କରସୁଁ ।

ଓଡ଼ିଆ ମାନକର ବାଗିର ବଢିଚଢି କରି ଖର୍ଚ୍ଚା ନାଇଁକରୁଁ ’ । ତେବେ ଏ ବର୍ଷ ଅନାବୃଷ୍ଟି ଯୋଗୁଁ ସଂପୂର୍ଣ୍ଣ ଫସଲ ବରବାଦ ହୋଇ ଯାଇଥିଲା, ଅନ୍ୟପକ୍ଷରେ ସେହି ଚାଷ ପାଇଁ ବିଷ୍ଣୁ ତିନୋଟି ଜାଗାରେ ଟଙ୍କା ଧାର କରିଥିଲେ । ଷ୍ଟେଟ ବ୍ୟାଙ୍କରୁ ସେ ଋଣ କରିଥିଲେ ୧୫ ହଜାର ଟଙ୍କା, ଗାଁର ନାଏକ ପଡ଼ାରୁ ୨୦ ହଜାର ଓ ଅନ୍ୟ ଜଣକଠାରୁ ୩୦ ହଜାର ଟଙ୍କା ଚାଷ ପାଇଁ ଆଣିଥିଲେ । ବନବାସୀ କହନ୍ତି ତାଙ୍କର ସ୍ୱାମୀ ସବୁବେଳେ ଋଣ ପାଇଁ ଚିନ୍ତିତ ରହୁଥିଲେ । ସକାଳେ ଓ ସନ୍ଧ୍ୟାରେ ଦୁଇଥର ଖେତକୁ ଯାଉଥିଲେ । ଖେତରୁ ଫେରି କେବଳ ଫସଲ ନଷ୍ଟ କଥାହିଁ ସ୍ତ୍ରୀ ଙ୍କ ଆଗରେ କହୁଥିଲେ । ‘କେନ୍ତା କରମା, ଏତେ ଏତେ ଲାଗ୍ ହେଇ ଗଲା । ଧାନ ସବୁ ମରିଗଲା କେନ୍ତଇ ସୁଝ୍‌ମା , ମୁଡ଼୍ କାମ ନାଇଁ ଦେବାର୍ ବୋଲି ସ୍ତ୍ରୀ ବନବାସୀକୁ କହୁଥିଲେ । ସେଦିନ ଥିଲା ୨୦୧୫ ମସିହା ନଭେମ୍ବର ଚ ତାରିଖ । ସବୁଦିନ ପରି ସକାଳେ ବିଷ୍ଣୁ ଖେତକୁ ଗଲେ । ଚାହା କରିବା ପାଇଁ ଘରେ ପାଣି ନଥିବାରୁ ବନବାସୀ ଘରଠୁ କିଛି ଦୂରରେ ଥିବା ନଳକୂଅକୁ ପାଣି ଆଣିବାକୁ ଗଲେ । ଘରକୁ ଫେରି ବନବାସୀ ଦେଖିଲେ ତାଙ୍କ ସ୍ୱାମୀ ବେକରେ ରଶି ଲଗାଇ ଘର ଭିତରେ ଝୁଲୁଛନ୍ତି ।

ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ସମସ୍ତ ଦାୟିତ୍ୱ ନିଜେ ମୁଣ୍ଡାଇଛନ୍ତି ବନବାସୀ । ସ୍ୱାମୀ କରିଥିବା ଋଣ ବଢିବାରେ ଚାଲିଛି । କେମିତି ଋଣ ପରିଶୋଧ କରିବେ ଏହା ତାଙ୍କ ପାଇଁ ବଡ଼ ଚିନ୍ତା ।

ପାଇକମାଳ ବ୍ଳକ ବାଦିକଟା ସାପଲହର ଗାଁ ଶ୍ରୀକାନ୍ତ ମହାନନ୍ଦଙ୍କ ପତ୍ନୀ ଚନ୍ଦ୍ରକାନ୍ତି ଙ୍କ ମଧ୍ୟ ସମାନ ଅବସ୍ଥା । ୨୦୧୫ ମସିହା ଅଗଷ୍ଟ ୨୮ ତାରିଖ ଦିନ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା । ଶ୍ରୀକାନ୍ତ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାରଲୋକେ ଅଭିଯୋଗ କରିଥିଲେ । ଶ୍ରୀକାନ୍ତଙ୍କୁ ମିଶାଇ ତାଙ୍କ ପରିବାରରେ ଚାରି ଭାଇ । ଆଗରୁ ତାଙ୍କର ବଡ଼ଭାଇ ଇଟା ଗଢିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ସେ ବେମାରପଡ଼ିଲେ । ଖବର ପାଇ ଶ୍ରୀକାନ୍ତ ତାଙ୍କ ବଡ଼ଭାଇଙ୍କୁ ସେଠାକୁ ନେବାକୁ ଯାଇଥିଲେ । ମାତ୍ର ଭାଟି ମାଲିକ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ ନକଲେ ଛାଡ଼ିବି ନାହିଁ ବୋଲି କହିଲା । ଅଗ୍ରୀମ ନେଇଥିବା ୧୪ ହଜାର ଟଙ୍କା ଦେଇ ତାଙ୍କ ଭାଇକୁ ନେବା ପାଇଁ ଭାଟିମାଲିକ କହିଲେ । ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ଶ୍ରୀକାନ୍ତ ନିଜ ବଡ଼ଭାଇକୁ ସେଠାରୁ ମୁକୁଳାଇ ଆଣିଲେ । ମାତ୍ର ପଦ୍ମପୁର ଡ଼ାକ୍ତରଖାନାରେ ତାଙ୍କର ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା । ବଡ଼ଭାଇଙ୍କ ପରିବାରର ବୋଝ ଶ୍ରୀକାନ୍ତଙ୍କ ଉପରେ ପଡ଼ିଥିଲା । ଦୁଇ ବର୍ଷ ଆଗରୁ ତାଙ୍କର ଝିଅର ବାହାଘର ହୋଇଥିଲା ।

ଏକମାତ୍ର ଝିଅ ବୋଲି ଝିଅକୁ ୫୦ ହଜାର ଟଙ୍କାରେ ଗୋଟିଏ ମୋଟର ସାଇକେଲ ଯୌତୁକ ଆକାରରେ ଦେଇଥିଲେ । ବାହାଘର ପାଇଁ ବିଭିନ୍ନ ଲୋକଙ୍କଠାରୁ ଧାର ଉଧାର କରିଥିଲେ । ୧୦ ଏକର ଜମିରେ ଧାନ ଚାଷ କରିବା ପାଇଁ ପହ୍ଳା ପକାଇଥିଲେ । ମାତ୍ର ପାଣି ଅଭାବରୁ ଧାନ ରୁଆ ରହିଗଲା । ପହ୍ଲାଘାରିରେ ଧାନପହ୍ଳା ମରିଗଲା । ସେହିପରି କୋବି ପହ୍ଳା ମଧ୍ୟ ପାଣି ଅଭାବରୁ ନଷ୍ଟ ହୋଇଗଲା । ପୂର୍ବ ବର୍ଷ ସେ ୪୫ ହଜାର ଟଙ୍କାର କୋବି ବିକିଥିଲେ । ୧୦ ଏକର ଜମି ମଧ୍ୟରୁ ୩ ଏକର ଜମି ସେ ଭାଗରେ ନେଇଥିଲେ । ବଡ଼ଭାଇ ଓ ସାନଭାଇର ଜମି ମଧ୍ୟ ସେ ଚାଷ କରୁଥିଲେ । ଚାଷ ପାଇଁ ସେ ସୋସାଇଟିରୁ ୧୪ ହଜାର ଟଙ୍କା ଋଣ କରିଥିଲେ । ଏଥି ସହିତ ବିଭିନ୍ନ ସୂତ୍ରରୁ ୮୦ ହଜାର ଟଙ୍କା ଋଣ କରିଥିବା ତାଙ୍କ ପରିବାର ଲୋକଙ୍କଠାରୁ ଜଣା ପଡ଼ିଥିଲା । କିପରି ଋଣ ଶୁଝିବେ ସେନେଇ ସେ ଚିନ୍ତିତ ଥିଲେ । ମୃତ୍ୟୁର ଦୁଇଦିନ ଆଗରୁ ସେ ସଂପର୍କରେ ତାଙ୍କର ସଂପର୍କୀୟ ଭାଇ ଗୋବର୍ଦ୍ଧନକୁ କହିଥିଲେ । ଘଟଣା ଦିନ ସେ କୀଟନାଶକ ଦେବା ପାଇଁ ଖେତକୁ ଯାଇଥିଲେ । ମାତ୍ର ସେଠାରେ ସେ କୀଟନାଶକ ପିଇ ଦେଇଥିଲେ । ମୃତ ଶ୍ରୀକାନ୍ତଙ୍କ ପୁଅ କିଛିବର୍ଷ ହେବ ତାମିଲନାଡ଼ୁର ଗୋଟିଏ କାରଖାନାରେ ଶ୍ରମିକ ଭାବରେ କାମ କରୁଛି । ବାପାଙ୍କ ମୃତ୍ୟୁ ଖବର ପାଇ ସେ ଆସିଥିଲା । ଶୁଦ୍ଧି କ୍ରୀୟା ସରିବା ପରେ ସେ ପୁଣି ତାମିଲନାଡ଼ୁ ଯାଇଛି ।

ହିରାଲଲଙ୍କ ବିଧବା ପତ୍ନୀ ବେଦମତୀ

ପାଇକମାଳ ବ୍ଳକ, କାଂସଡ଼ା ପଂଚାୟତ ଢେଙ୍କିମୁଣ୍ଡା ନୂଆଁପରା ବସ୍ତିର ହିରାଲାଲ ସାହୁ । ବୟସ ୫୫ ବର୍ଷ । ୨୦୧୫ ମସିହା ଅକ୍ଟୋବର ୯ ତାରିଖରେ ହିରାଲାଲ ବିଷ ଖାଇ ଆତ୍ମହତ୍ୟା କରିଥିଲେ । ଜିଲ୍ଳା ପ୍ରଶାସନ ତାଙ୍କ ରିପୋର୍ଟରେ ଫସଲହାନୀ କିମ୍ବା ଋଣ ବୋଝ ଯୋଗୁଁ ନୁହେଁ ବ୍ୟକ୍ତିଗତ କାରଣରୁ ଏହି ଘଟଣା ଘଟିଥିବା ଦର୍ଶାଇଛନ୍ତି । ଗାଁ ମଝିରେ ହିରାଲାଲଙ୍କ ଘର । ଇଟା ସିମେଂଟର ଘର । ପଲସ୍ତରା ହୋଇନାହିଁ । ହିରାଲଲଙ୍କ ବିଧବା ପତ୍ନୀ ବେଦମତୀ । ସାଙ୍ଗରେ ଥିଲା ୧୯ ବର୍ଷର ଭିନ୍ନକ୍ଷମ ଝିଅ ତିଲତମା । କଥା କହିପାରେ ନାହିଁ କି ଶୁଣିପାରେ ନାହିଁ । ବେଦମତୀଙ୍କ ଗୋଟିଏ ପୁଅ ଦୁଇଟି ଝିଅ । ଗତବର୍ଷ ବଡ଼ଝିଅର ବାହାଘର ହୋଇଛି । ପୁଅ ୪ା୫ ବର୍ଷ ହେବ ଗୁଜୁରାଟର ଏକ କପଡ଼ା ଫେକ୍ଟ୍ରୀରେ ଶ୍ରମିକ ଭାବରେ କାମ କରୁଛି । ବାପାଙ୍କ ମୃତ୍ୟୁ ପରେ ସେ କ’ଣ କରିବ ଚିନ୍ତା କରିପାରୁନାହିଁ । ଭିନ୍ନକ୍ଷମ ଝିଅଟି ବାପାଙ୍କୁ ହରାଇ ଶୁଖି ଗଲାଣି । ଅହରହ କାନ୍ଦୁଛି । ଯେତେ ବୁଝାଇଲେ ବୁଝୁନାହିଁ ବୋଲି କହିଲେ ବେଦମତୀ । ସ୍ୱାମୀଙ୍କ ମୃତ୍ୟୁ ପରେ ସିଏ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ହିରାଲାଲଙ୍କ ୨୦ ଏକର ଜମି ଅଛି । ସେଥି ମଧ୍ୟରୁ ଅଧିକାଂଶ ଟିକ୍ରା ଟାଲ୍ । ବର୍ଷା ଉପରେ ଚାଷ ନିର୍ଭରଶୀଳ । ଗତ ବର୍ଷ ୧୫୦ ପେକେଟ ଧାନ ହୋଇଥିଲା । ଏଥର ବର୍ଷା ନହେବାରୁ ସବୁ ଜମିରେ ଚାଷ ହୋଇ ପାରିଲା ନାହିଁ । ୬ା୭ ଏକର ଜମିରେ ଧାନ ଚାଷ ହୋଇଥିଲା । ବିରି ୫ ତାମ୍ବି ବୁଣି ଥିଲେ । ବର୍ଷା ନହେବାରୁ ସବୁ ମରିଗଲା । ଗୋଟିଏ ଏକର ଜମିରେ କପା ଚାଷ କରିଥିଲେ ।

ପଥରେଲର ଜଣେ ମହାଜନଠାରୁ କପା ଚାଷ ପାଇଁ ସାର ବିହନ ଆଦି ଉଧାରୀ ଆଣିଥିଲେ । କପା ଅମଳ ହୋଇଥିଲେ ସୁଝିଥାନ୍ତେ । ମାତ୍ର ପାଣି ଅଭାବରୁ କପା ଫୁଲ ସବୁ ଝଡ଼ିଗଲା । ଜଳସେଚନ ପ୍ରକଳ୍ପରେ ପାଣି ଆସିବା ଅସୁବିଧା ହେବାରୁ ଚାଷୀମାନେ ମାସେ ଧରି ଇରିଗେସନ ଅଫିସରେ ତାଲା ପକାଇ ଦେଇଥିଲେ । ନୂଆପଡ଼ା ଜିଲ୍ଳାରେ ମୁଖ୍ୟ କାର୍ଯ୍ୟାଳୟ । ସେଠାରେ କେତେ ପାଣି ଛଡ଼ାଯିବ ନିୟନ୍ତ୍ରଣ ହୁଏ । ବର୍ଷା ଅଭାବ ଯୋଗୁଁ ଚାଷ ଜମି ସୁଖିଲା ପଡ଼ିଲା । ଯାହା କିଛି ବି ବଂଚିଥିଲା ସେଥିରେ ରୋଗ ପୋକ ଦାଉ ସାଧିଲା । । ସ୍ୱାମୀଙ୍କୁ ବାହୁନି ହେଉଥିଲେ ବେଦମତୀ । ହିରାଲାଲଙ୍କ ମୁଣ୍ଡ ଉପରେ ଦେଢ ଲକ୍ଷ ଟଙ୍କାର ଋଣ ବୋଝ । ମାଣ୍ଡୋସିଲ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୬୩ ହଜାର ଟଙ୍କା, ଏନଏଫ୍‌ବିଆଇ ଏସ୍‌କେଏସ୍‌ରୁ ୧୫ ହଜାର ଟଙ୍କା, ସ୍ୱୟଂସହାୟକ ଗୋଷ୍ଠୀରୁ ୧୮ ହଜାର ୨୦୦ ଟଙ୍କା ଋଣ କରିଥିଲେ । ଗତ ବର୍ଷ ଝିଅର ବାହାଘର ବେଳେ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିପାଇଁ ଜମି ବନ୍ଧା ପଡ଼ିଛି । ସେଥିରୁ ଗୋଟିଏ ଜମି ମୁକୁଳାଇ ପାରିଛନ୍ତି । ଗତବର୍ଷ ଶାଶୁଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର କ୍ରିୟା କର୍ମ ପାଇଁ ଘରେ ଥିବା ୪ଟି ଗାଈ ଓ ୩ଟି ଛେଳି ୧୦ ହଜାର ଟଙ୍କାରେ ବିକିଦେଲେ । ଦୁଇବର୍ଷ ଆଗରୁ ହିରାଲାଲ ତାଙ୍କର ଜଣେ ଭାଇଙ୍କ ସହ ମଶି ଗୋଟିଏ ପୁରୁଣା ପାୱାରଟିଲର କିଣିଥିଲେ । ଏବେ ତାହା ଅଚଳ ହୋଇଯାଇଛି । ସେ ବାବଦରେ ୩୦ ହଜାର ଟଙ୍କା ମଧ୍ୟ ସୁଝିବାର ଅଛି । ବେଦମତୀଙ୍କ କହିବା ଅନୁସାରେ ଆଗେ ସେମାନେ ଭଲ ଭାବରେ ଚଳୁଥିଲେ । ମାତ୍ର ପରିବାରରେ ରୋଗବ୍ୟାଧି ସମସ୍ୟା ଯୋଗୁଁ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଲା ।

ଗତବର୍ଷ ହିରାଲାଲ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଡ଼ାକ୍ତରଖାନାରେ ୧୫ ଦିନ ରହିଲେ । ଏଥିରେ ଅନେକ ଟଙ୍କା ଖର୍ଚ୍ଚ ହେଲା । ୬ା୭ ବର୍ଷ ତଳେ ଚିକିତ୍ସା ଅଭାବରୁ ତାଙ୍କର ୧୫ ବର୍ଷର ପୁଅର ମୃତ୍ୟୁ ଘଟିଥିଲା । ତାଙ୍କର ଦେହ ଭଲ ରହୁନାହିଁ ବୋଲି ବେଦମତୀ କହୁଥିଲେ । ସେହି ଅଂଚଳରେ ମହାଜନୀ କାରବାର ଜୋରସୋରରେ ଚାଲିଛି । ଶହେ ଟଙ୍କାରେ ମାସିକ ଦଶ ଟଙ୍କା ସୁଧ କାରବାର ଚାଲିଛି ବୋଲି କେତେକ ଗ୍ରାମବାସୀ ଆମକୁ କହିଲେ । ଏକଜମାଲି ପଟ୍ଟା ଥିବାରୁ ବ୍ୟାଙ୍କ କିମ୍ବା ସୋସାଇଟିରେ ଋଣ ମିଳୁନାହିଁ । ଚାଷ ପାଇଁ ଗାଁ ସାହୁକାର କିମ୍ବା ବ୍ୟବସାୟୀ ମାନଙ୍କଠାରୁ ଋଣ ଆଣିବାକୁ ପଡ଼ୁଛି । ଫଳରେ ଚାଷୀମାନେ ଶୋଷଣର ଶୀକାର ହେଉଛନ୍ତି । କିଛି ଜମି ବିକ୍ରି କରି ଋଣ ମୁକ୍ତ ହେବାକୁ ଚାହୁଁଥିଲେ ମଧ୍ୟ ଏକଜମାଲି ପଟ୍ଟା ଥିବାରୁ କେହି ଜମି କିଣିବାକୁ ରାଜି ହେଉନାହାନ୍ତି । ପୁଅ ଅଶ୍ୱିନୀ ଗୁଜୁରାଟର ଗାନ୍ଧୀଧାମରେ ଥିବା ଗୋଟିଏ କପଡ଼ା ଫେକ୍ଟ୍ରୀରେ ଲେବର କାମ କରିବା ପାଇଁ ଯାଇଥିଲେ । ୧୨ ଘଂଟା କାମ କଲେ ସେଠାରେ ଦିନକୁ ୨୫୦ ଟଙ୍କା ମିଳେ । ଯଦି କୌଣସି ଦିନ ଦେହ ଖରାପ ହେଲେ ସେଦିନର ପଇସା ମିଳେ ନାହିଁ । ଆଖପାଖ ଗାଁର ବହୁତ ପିଲା ସେଠାରେ କାମ କରୁଛନ୍ତି । ସମସ୍ତେ ଚାଷୀ ପରିବାରର । ଏଠାରେ ଚାଷର ଠିକଠିକଣା ନାହିଁ ସେଥିପାଇଁ ପିଲାମାନେ ଗୁଜୁରାଟକୁ କାମ ପାଇଁ ଚାଲିଯାଉଛନ୍ତି ବୋଲି ଅଶ୍ୱିନୀ କହନ୍ତି । ଘଟଣା ଦିନ ସକାଳେ ସେ ବାପାଙ୍କ ସହିତ କଥାବାର୍ତା କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଘରକୁ ଆସିଲା ବେଳକୁ ବାପାଙ୍କ ମଲା ମୁହଁ ମଧ୍ୟ ସେ ଦେଖି ପାରିଲେ ନାହିଁ । ବାପାଙ୍କ ମୃତ୍ୟୁ ପରେ ସେ ମାଆ ଓ ଭଉଣୀକୁ ଛାଡ଼ି ଗୁଜୁରାଟ ଯିବେ ନାହିଁ ବୋଲି କହୁଛନ୍ତି । ତେବେ ଋଣ ପରିଶୋଧ କିପରି କରିବେ ଏହି ପ୍ରଶ୍ନର ଉତର ତାଙ୍କ ପାଖରେ ନାହିଁ ।

ମକରଧ୍‌ବଜ ବାଗଙ୍କ ବିଧବା ପତ୍ନୀ

ବରଗଡ଼ ଜିଲ୍ଳା ଭଟଲି ବ୍ଳକ ଟେମରେନ ଗାଁର ମକରଧ୍‌ବଜ ବାଗ । ପରିବା ଚାଷ ପାଇଁ ଭଟଲି ବ୍ଳକ ଟେମରେନ ଗାଁର ଭଲ ନାଁ ଅଛି । ଗାଁର ଅଧିକାଂଶ ଲୋକ ପରିବା ଚାଷ କରନ୍ତି । ପ୍ରତିଦିନ ବେପାରୀ ମାନେ ଆସି ଚାଷୀ ମାନଙ୍କଠାରୁ ପରିବା କିଣି ନିଅନ୍ତି । ବର୍ଷା ନହେବାରୁ ଧାନ ଫସଲ ନଷ୍ଟ ହୋଇଗଲା । ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ସୋହେଲାରେ ଚାଷୀ ସମାବେଶ କରି ଚାଷୀମାନଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ଼ି ଦିଆ ଚାଲିଛି ବୋଲି ସମାବେଶରେ କହିଲେ । ଟେମରେନ ଗାଁରେ କ୍ରପ କଟିଙ୍ଗ ହୋଇଥିଲା । ଚାଷୀମାନଙ୍କୁ ଇନପୁଟ ସବସିଡ଼ି ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ସିଧାସଳଖ ଚାଷୀର ବ୍ୟାଙ୍କ ଖାତାରେ ଇନପୁଟ ସବସିଡ଼ି ଜମା ହେବ ବୋଲି କୁହାଗଲା । ଏହି ଗାଁର ମକରଧ୍ୱଜ ବାଗ(୫୯) ୨୦୧୫ ଡ଼ିସେମ୍ବର ୮ ତାରିଖ ଦିନ ଆନ୍ଧ୍ର ବ୍ୟାଙ୍କରେ ୫୦୦ ଟଙ୍କା ଜମା କରି ନିଜ ନାମରେ ଖାତା ଖୋଲିଲେ । ବହୁତ ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମରୁଡ଼ି ବର୍ଷରେ ତାଙ୍କର ଦୁଃଖ ଦୂର ହେବ । ମାତ୍ର ତାଙ୍କ ବ୍ୟାଙ୍କ ଖାତାରେ ଇନପୁଟ ସବସିଡ଼ି ବାବଦରେ ୩୦୦ ଟଙ୍କା ଜମା ହେଲା ।

ମକରଧ୍ୱଜଙ୍କ ପରିବାରର ସଦସ୍ୟ ସଂଖ୍ୟା ୫ । ତାଙ୍କର ଦୁଇ ପୁଅ ଗୋଟିଏ ଝିଅ । ଝିଅର ବୟସ ୧୫ ବର୍ଷ । ଦୁଇ ପୁଅର ବୟସ ଯଥାକ୍ରମେ ୧୩ ଓ ୧୧ । ମକରଧ୍ୱଜ ତାଙ୍କର ମୋଟ ପୌତୃକ ଜମି ୭ ଏକରରୁ ଭାଇଭାଗ ପାଇଥିଲେ ୨ ଏକର । ଦେଢ ଏକର ଜମିରେ ଧାନ ଓ ଅଧ ଏକର ଜମିରେ ବିନ ଚାଷ କରିଥିଲେ । ଠିକ ଭାବରେ ବର୍ଷା ନହେବାରୁ ଧାନ ଫସଲ ଉଜୁଡ଼ି ଗଲା । ବିନରେ ଫୁଲ କଷି ଧରିବା ଆରମ୍ଭ ହେଉଥିଲା । ଚାଷ ପାଇଁ ସୋସାଇଟିରୁ ୭୪୬୧ ଟଙ୍କା ଉଠାଇଥିଲେ । ତାଙ୍କ ପାଇଁ ସବୁଠାରୁ ବଡ଼ ବିପର୍ଯ୍ୟୟର କାରଣ ଥିଲା ମାଇକ୍ରୋଫାଇନାନ୍ସ । ଏକାଧିକ ମାଇକ୍ରୋ ଫାଇନାନ୍ସ କଂପାନୀରୁ ତାଙ୍କ ସ୍ତ୍ରୀ ପଇସା ଉଠାଇଥିଲେ । ସୋସାଇଟି ଓ ମାଇକ୍ରୋଫାଇନାନ୍ସ ମିଶାଇ ତାଙ୍କ ମୁଣ୍ଡ ଉପରେ ୭୫ ହଜାର ଟଙ୍କାର କରଜ ଥିଲା । ଏସକେଏସରୁ ୨୦ ହଜାର ଟଙ୍କା । ସପ୍ତାହକ କିସ୍ତି ୩୩୫ ଟଙ୍କା, ମାସିକ ୧୩୫୦ ଟଙ୍କା । ସ୍ୱନ୍ଦନା ମାଇକ୍ରୋଫାଇନାନ୍ସରୁ ୨୦ ହଜାର ଟଙ୍କା । ମାସିକ କିସ୍ତି ୨୧୧୨ ଟଙ୍କା । ୟେସ ବ୍ୟାଙ୍କରୁ ୨୨ହଜାର ୩୨୮ ଟଙ୍କା ସାପ୍ତାହିକ କିସ୍ତି ୩୫୨ ଟଙ୍କା ମାସିକ ୧୩୫୦ ଟଙ୍କା । ଅଧିକାର ବ୍ୟାଙ୍କରୁ କୋଡ଼ିଏ ହଜାର ଟଙ୍କା ମାସିକ କିସ୍ତି ୧୪୩୩ ଟଙ୍କା । ସବୁ ମାଇକ୍ରୋଫାଇନାନ୍ସର ମାସିକ କିସ୍ତି ମୋଟ ୬୩୦୦ ଟଙ୍କା ଦେବାକୁ ପଡ଼୍‌ୁଥିଲା । ଗୋଟିଏ କଂପାନୀର କିସ୍ତି ବୁଝାଇବା ପାଇଁ ଆଉ ଗୋଟିଏ କଂପାନୀରୁ ଟଙ୍କା ଉଠାଉଥିଲେ । ଘରେ ଥିବା ସୁନା, ରୂପା , ବାସନ କୁସନ କିସ୍ତି ବୁଝାଇବା ପାଇଁ ବନ୍ଧା ପଡ଼ିଥିଲା । ଫାଇନାନ୍ସର ଚକ୍ରବ୍ୟୁହରେ ପଡ଼ି ଯାଇଥିଲେ ମକରଧ୍ୱଜଙ୍କ ପରିବାର । ମୁକୁଳିବାର ଚେଷ୍ଟା କରି ମଧ୍ୟ ମୁକୁଳି ପାରୁନଥିଲେ ।

୨୦୧୫ ମସିହା ଡ଼ିସେମ୍ବର ୧୦ ତାରିଖ । ସକାଳୁ କାହାକୁ କିଛି ନକହି ମକରଧ୍ୱଜ ଘରୁ ବାହାରି ଯାଇଥିଲେ । ଦିନ ଗୋଟାଏ ବେଳେ ସେ ତାଙ୍କ ଖେତରେ ପଡ଼ିଥିବା ଜଣେ ଛେଳି ଚରାଳି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି ବରଗଡ଼ ଓ ସେଠାରୁ ବୁର୍ଲା ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁପରେ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ଦୁଇହଜାର ଟଙ୍କା ମିଳିଥିଲା । ମକରଧ୍ୱଜଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ ଙ୍କ ଉପରେ ପରିବାରର ସଂପୂର୍ଣ୍ଣ ବୋଝ । ଝିଅର ବିବାହ ଏବହ ଦୁଇ ପୁଅଙ୍କ ପାଠପଢା ଚିନ୍ତା ତାଙ୍କୁ ଘାରିଛି । ନିଜେ ବଂଚିବା ସହିତ ତାଙ୍କ ଉପରେ ନିର୍ଭର କରୁଥିବା ଆହୁରି ତିନି ଜଣଙ୍କୁ ବଂଚାଇବା ପାଇଁ ତାଙ୍କର ସଂଘର୍ଷ ଜାରି ରହିଛି ।

କୃତିବାସ ଗହିରଙ୍କ ବିଧବା ପତ୍ନୀ

ବଲାଙ୍ଗିର ଜିଲ୍ଳା ଅନ୍ତର୍ଗତ କଂଟାବାଞ୍ଜି ସହର । ଦାଦନଶ୍ରମିକଙ୍କ ରାଜଧାନି ଭାବରେ କଂଟାବାଞ୍ଜି ପରିଚିତ । ପ୍ରତିବର୍ଷ ଏହି ଅଂଚଳରୁ ଲକ୍ଷାଧିକ ଲୋକ କାମ ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବରେ ଯାଇଥାନ୍ତି । କଂଟାବାଞ୍ଜିରୁ ୧୬ କିଲୋମିଟର ଦୂରରେ ଥିବା ଏକ ଛୋଟିଆ ଗାଁ ରାମୋଡ଼ । ଗାଁରେ କାଁ ଭାଁ ସିମେଂଟ ଘର ଛାଡ଼ିଦେଲେ ବାକି ସବୁ ଚାଳ ଛପର ଘର । ଶେଷ ମୁଣ୍ଡରେ ଅମରି ଗଛରେ ମାଟି ଲିପା ହୋଇଥିବା ଘରଟି କୃତିବାସ ଗହିରଙ୍କର । ସମୁଦାୟ ଚାଷ ଜମି ୬ ଏକର । ସେଥିରୁ ୩ ଏକର ଜମିରେ ଧାନ ଓ ବାକି ତିନି ଏକର ଜମିରେ କପା ଚାଷ କରିଥିଲେ । କୃତିବାସଙ୍କ ବଡ଼ ପରିବାର । ସ୍ୱାମୀ, ସ୍ତ୍ରୀ , ୩ ପୁଅ ଓ ୩ ଝିଅଙ୍କୁ ମିଶାଇ ମୋଟ ସଦସ୍ୟ ଆଠ । ଚାଷ ଜମିକୁ ଜଳସେଚନର ସୁବିଧା ନଥିବାରୁ ଚାଷ ଉପରେ ଭରସା କରିହୁଏ ନାହିଁ । ଚାଷ କାମ ସହିତ ମାଛ ବିକ୍ରୀ କରି ଚଳନ୍ତି । ପରିବାର ଚଳାଇବା ପାଇଁ ତାହା ନିଅଂଟ । କୁଟୁମ ବସିଆ ଦାଦନ ହୋଇ ଯିବାକୁ ପଡ଼େ । ଏଥର ମଧ୍ୟ ଯାଇଥାନ୍ତେ । ବଡ଼ ଝିଅର ବାହାଘର ରେ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା । ବାହାଘର ଖର୍ଚ୍ଚ ତୁଳାଇବା ପାଇଁ ସର୍ଦ୍ଦାରଠାରୁ କିଛି ଟଙ୍କା ଆଣିଥିଲେ । ବଡ଼ପୁଅ ର ବିବାହ ବୟସ ହୋଇଥିଲା । ତା’ ପାଇଁ ଅଲଗା ବଖରେ ଘର ତିଆର କରିବାକୁ ହେବ । ସର୍ଦ୍ଦାର ଠାରୁ ୬୦ ହଜାର ଟଙ୍କା ବଇନା ଧରିଥିଲେ । ସ୍ୱାମୀ ସ୍ତ୍ରୀ ଘରେ ରହିଲେ । ବାକି ଚାରି ଭଉଣୀଙ୍କୁ ହାଇଦ୍ରାବାଦ ଇଟା ଗଢିବାପାଇଁ ପଠାଇଲେ । ଟ୍ରେନରେ ଯାଉଥିବା ବେଳେ ନାଗପୁର ନିକଟରେ ଫୋନ ଆସିଲା । ବାପାଙ୍କ ଦେହ ସିରିଅସ ଅଛି । ସର୍ଦ୍ଦାରକୁ ଜୁହାର ବିନ୍‌ତି କରି ଘରକୁ ଆସିଲା ବେଳକୁ ବାପା ଆଉ ଦୁନିଆଁରେ ନଥିଲେ ।

୨୦୧୫ ମସିହା ଅକ୍ଟୋବର ୨୭ ତାରିଖ । ଘରେ ସାନ ପୁଅକୁ ମିଶାଇ ତିନି ପରାଣୀ । ଚାରି ପୁଅ ଝିଅଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମନ ଭଲ ନଥିଲା । ଚାଷବାସ, ପୁଅର ବାହାଘର, ଘର ତିଆରି, ଝିଅ ବାହାଘର ବେଳେ କରିଥିବା ଋଣ କିପରି ସୁଝିବେ ଆଦି ଢେର କଥାବାର୍ତା ହୋଇଥିଲେ । ‘ଧାନ ଚାଉଲ ନାଇଁ ହେଲା କେନ୍ତା କରମା…., ଏସୁର ନାଇଁ ହେଲେଁ ପରକେ ତ ହେବା…. ବହୁତ କିଛି । ହଠାତ ଖେତରୁ ଆସୁଛି ବୋଲି କହି କୃତିବାସ ଚାଲିଗଲେ । ତାଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ । ଦିନ ୧୧ଟା ବେଳେ କେହି ଜଣେ ଘରକୁ ଆସି କହିଲେ ତାଙ୍କ ସ୍ୱାମୀ କପା ଆଟରେ ପଡ଼ିଛନ୍ତି । ମୁହଁରୁ ଫେଣ ବାହାରୁଛି । ଧାଇଁ ଧାଇଁ ଖେତକୁ ଗଲେ । ସ୍ତ୍ରୀଙ୍କୁ ଦେଖି ବିଷ ଖାଇ ଦେଇଛିବୋଲି କହିଲେ କୃତିବାସ । ଲୋକବାକ ଡ଼ାକି କଂଟାବାଞ୍ଜି ଡ଼ାକ୍ତରଖାନାକୁ ନିଆଗଲା । ଡ଼ାକ୍ତର କହିଲେ ପାଟଣାଗଡ଼ ନିଅ । ପାଟଣାଗଡ଼ରେ କୃତିବାସ ଆଖି ବୁଜିଲେ ।

ଚାଷ ପାଇଁ କେତେ ଋଣ ଆଣିଥିଲେ ତାଙ୍କ ସ୍ତ୍ରୀ କିମ୍ବା ପୁଅ କହି ପାରିଲେ ନାହିଁ । ତେବେ କିଛି ଦିନ ଆଗରୁ ବେଲପଡ଼ାରୁ କାହାଠାରୁ ୬୦ ହଜାର ଟଙ୍କା ଲାଗ ଆଣିଥିଲେ ବୋଲି କୃତିବାସଙ୍କ ସ୍ତ୍ରୀ କହିଲେ । କିଛି ବର୍ଷ ଆଗରୁ ୧୫ ହଜାର ଓ ୩୦ ହଜାର ଟଙ୍କାର ଗ୍ରୁପ ଋଣ ଉଠାଇଥିଲେ । ତେବେ ତାହା ସୁଝି ସାରିଛନ୍ତି ବୋଲି କହିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ବଇନା ଦେଇଥିବା ସର୍ଦ୍ଦାର ଘରକୁ ଆସୁଛି । ଟଙ୍କା ଫେରସ୍ତ ନକଲେ ସେମାନଙ୍କୁ ହାଇଦ୍ରାବାଦ ଯିବାକୁ ପଡ଼ିବ ବୋଲି କହୁଛି । ଅସହାୟ ଅବସ୍ଥାରେ ଥିବା ପରିବାର ପାଇଁ ଏହା ଚିନ୍ତାର ବିଷୟ ହୋଇଛି ।

ଗାଁରେ ଆଦିବାସୀ, ଚାଷୀ ଓ ଭୂମିହୀନଙ୍କ ସଂଖ୍ୟା ବେଶୀ । ୧୯୭୨ ମସିହାରୁ ଏହି ଗାଁଟି ବାରମ୍ବାର ମରୁଡ଼ିର ଶୀକାର ହେଉଛି । ବିଗତ ୨୦ ବର୍ଷ ହେବ ଏହି ଗାଁର ଲୋକେ ହାଇଦ୍ରାବାଦ ଭରସାରେ ଅଛନ୍ତି । ଚାରିମାସ ଗାଁରେ ରହିଲେ ବାକି ଆଠମାସ ହାଇଦ୍ରାବାଦରେ । ଦଶରା ମାସରୁ ବଇନା ଦେବା ଆରମ୍ଭ ହୁଏ । କାହାକୁ ୨ ହଜାର କାହାକୁ ୩ ହଜାର ଏଡ଼ଭାନ୍ସ ଦେଇ ଯାଆନ୍ତି । ତାପରେ ସେମାନଙ୍କ ଭାଷାରେ ‘ବଡ଼ ପଏସା’ ଆସେ । ଅଗ୍ରୀମ ନେଇ ରାତାରାତି ପରିବାର ସହ ତାଟିକବାଟ ଦେଇ ଚାଲି ଯାଆନ୍ତି । ସକାଳ ହେଲେ ଯାଇ ଗାଁ ଲୋକେ ଜାଣି ପାରନ୍ତି ଅମୁକ ଘରୁ ଗଲେ ବୋଲି ।ସେଠାରେ ନିର୍ଯ୍ୟାତିତ ହେଲେ ମଧ୍ୟ ପ୍ରତିବର୍ଷ ଏହି ପ୍ରକ୍ରିୟା ଚାଲେ । ୮୦୦୦/୯୦୦୦ ଇଟା ଗଢିଲେ ସପ୍ତାହକୁ ୩୦୦/୪୦୦ ଟଙ୍କା ମାଲିକ ଦିଏ । ସେହି ଟଙ୍କାରେ ଡ଼ାଲି ଚାଉଳ ପରିବା କିଣି ପରିବାର ଚଳାନ୍ତି । ତେବେ ଫେରିବା ବେଳେ ପିନ୍ଧା ଲୁଗା ଛାଡ଼ିଦେଲେ ଟଙ୍କାଟିଏ ମଧ୍ୟ ଘରକୁ ଆଣିନଥାନ୍ତି ବୋଲି ଜଣେ ଗ୍ରାମବାସୀ କହନ୍ତି ।

ପାଖାପାଖି ପନ୍ଦର ବର୍ଷ ହେବ ଏହି ଅଂଚଳରେ କପା ଚାଷ ହେଉଛି । ପ୍ରଥମେ କପା ଚାଷ ପାଇଁ କମ ପାଣି ଦରକାର ହେଉଥିଲା । ମାଟିର ଉର୍ବରତା ଅଧିକ ଥିଲା । କମ୍ ଖର୍ଚ୍ଚରେ ଭଲ ଆୟ ହେଉଥିଲା । ତେବେ ୫ା୬ ବର୍ଷ ହେବ ଆଉ ଲାଭ ହେଉନାହିଁ । ଲୋକେ ବାଧ୍ୟ ହୋଇ କପା ଚାଷ କରୁଛନ୍ତି ବୋଲି ଚାଷୀମାନେ ଆମକୁ କହିଲେ । ସେତେବେଳ ୫ ଫୁଟ ରେ କପା ଗଛ ଲଗାଇଲେ ହେଉଥିଲା , ଏବେ ୨ ଫୁଟରେ ବି ହେଉନାହିଁ । ଖର୍ଚ୍ଚ ବଢି ଚାଲିଛି, ଚାଷୀ ମାନଙ୍କୁ କପାର ଠିକ ଦର ମଧ୍ୟ ମିଳୁନାହିଁ । ସିଧା ସଳଖ ଚାଷୀ ମଣ୍ଡିରେ କପା ବିକି ପାରୁନାହିଁ ।

Comments

0 comments

Share This Article