ବସି ଖାଇଲେ, ନଈ ବାଲି ବି ସରେ!

ଏହି ନଦୀମାନେ ହିଁ ଓଡ଼ିଶାର ଇତିହାସ, ସମାଜ ଓ ସଂସ୍କୃତିର କର୍ଣ୍ଣଧାର

ଏଇ କେତେଦିନ ପୂର୍ବେ, ଡିସେମ୍ବର ୨୦୨୨ ମସିହାରେ ଓଡ଼ିଶା ସରକାର ତାଙ୍କର ବର୍ଷର ଶେଷ କ୍ୟାବିନେଟ ମିଟିଂରେ ସ୍ଥିର କରିଛନ୍ତି ଯେ, ବାଲି, ପଥର, ମୋରମ୍, ମାଟି ଇତ୍ୟାଦି ଲଘୁ ଖଣିଜ ପଦାର୍ଥଗୁଡ଼ିକ ଯାହାକି ଏବେ ରାଜସ୍ୱ ବିଭାଗ ତତ୍ତ୍ୱାବଧାନରେ ଅଛି, ସେଥିରୁ ନଈବାଲିକୁ ନେଇ ଖଣିବିଭାଗ ଅଧୀନରେ ରଖିବେ । ଉଦ୍ଦେଶ୍ୟ ହେଲା ଏବେ ନଦୀବାଲିରୁ ଓଡ଼ିଶା ସରକାର ଯାହା ରାଜସ୍ୱ ପାଉଛନ୍ତି, (ପ୍ରାୟ ଏକ ହଜାର କୋଟି ଟଙ୍କା) ତାହାକୁ ଆହୁରି କେତେ ଗୁଣା ଅଧିକ କରିପାରିବେ । ଓଡ଼ିଶାର ମୁଖ୍ୟ ଖଣିଜପଦାର୍ଥ ଯଥା- କୋଇଲା, ଲୁହା, ବକ୍ସସାଇଟ୍, ମାଙ୍ଗାନିଜ୍ ଇତ୍ୟାଦି ଖଣି ବିଭାଗଦ୍ୱାରା ପରିଚାଳିତ ହେଉଛି । ଆମେ ଏହି ମୁଖ୍ୟ ଖଣିଜ ପଦାର୍ଥଗୁଡ଼ିକ ଯେଉଁ ଅଞ୍ଚଳରେ ଉତ୍ପାଦନ ହେଉଛି, ଯଥା- ତାଳଚେର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର ଇତ୍ୟାଦିରେ ଖଣି ଖନନ ଏବଂ ଏତଦ୍ୱାରା ଭୂମି, ଜଳ, ଜଙ୍ଗଲ, ବାୟୁରେ ମଣିଷ ଓ ମେସିନମାନଙ୍କ ଦ୍ୱାରା ଅହରହ ଘଟୁଥିବା ନିର୍ଘାତ ଦାରୁଣ ପ୍ରହାରମାନ ଦେଖୁଛି । ଏହି ଅଞ୍ଚଳରେ ମଣିଷ, ପଶୁ, ଜୀବଜନ୍ତୁ, ବୃକ୍ଷର ପକ୍ଷୀ, ଲତାର ପୁଷ୍ପ, ଜଳର ମୀନମାନଙ୍କ ଜୀବନ ଯେ ଦୁର୍ବିସହ; ଏଥିରେ କୌଣସି ତର୍କର ଆବଶ୍ୟକତା ନାହିଁ । ଭୂମି ଉପର ସୁଶୋଭିତ କଳାମୁଗୁନି ପଥରକୁ କାଟି କାଟି ଯାଜପୁରର ଧର୍ମଶାଳା, ମାହାଙ୍ଗା ଇତ୍ୟାଦିରେ କିପରି ଗଡ଼ଖାଇ ପରି ଗଭୀର ଡ୍ରାଗନ ସଦୃଶ ପାଣି ଜମି ରହୁଥିବା ଗର୍ତ୍ତମାନ କରି ବାତାବରଣକୁ ଖଣିେଚରମାନେ ଅତ୍ୟନ୍ତ ବିକର୍ଷଣ କରିଛନ୍ତି, ଆପଣମାନେ ଜାଣନ୍ତି ।

ଲଘୁ ଖଣିଜ ପଦାର୍ଥ ମଧ୍ୟରେ ନଈର ବାଲି ବର୍ତ୍ତମାନ ଅତ୍ୟନ୍ତ ମୂଲ୍ୟବାନ । ଏହା ଓଡ଼ିଶାରେ ଯେତିକି ମୂଲ୍ୟବାନ, ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ତା’ ଠାରୁ ଦଶଗୁଣ ମୂଲ୍ୟବାନ ଏବଂ ଦୂର ପ୍ରଦେଶର ଓଡ଼ିଶାର ବାଲି ପଚାଶଗୁଣ ମୂଲ୍ୟବାନ । ଏହା କହିବାକୁ ଦ୍ୱିଧାନାହିଁ ଯେ, ଆମରାଜ୍ୟ ଓଡ଼ିଶାରେ ଯେତେ ନଦୀ ଓ ଯେତେ ବାଲି ଅଛି, ଭାରତର ଅନ୍ୟ କୌଣସି ରାଜ୍ୟରେ ନାହିଁ । ବିଷୟଟିର ଗୁରୁତ୍ୱ ଦେଖି ଲେଖକ ଏଠାରେ ଓଡ଼ିଶାର ନଦୀମାନଙ୍କର ନାମ ଓ ଓଡ଼ିଶାର ଭୌଗଳିକ ମ୍ୟାପରେ ଏମାନଙ୍କର ପ୍ରବାହିତ ଧାରାଗୁଡ଼ିକ ଦର୍ଶାଇଛି । ନଦୀମାନେ ଓଡ଼ିଶାର ଉତ୍ତରରୁ ଦକ୍ଷିଣକୁ ହେଲେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ସାଳନ୍ଦୀ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଓଙ୍ଗ, ତେଲ, ସୁକତେଲ, ଇନ୍ଦ୍ର, ଋଷିକୁଲ୍ୟା, ବାହୁଦା, ବଂଶଧାରା, ନାଗାବଳୀ, ଭାସ୍କେଲ, ହାଥୀ, ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ସିଲେରୁ, ସାବେରୀ ଇତ୍ୟାଦି । ଏ ସମସ୍ତ ନଦୀ ଇନ୍ଦ୍ରାବତୀ ଓ କୋଲାବ ବ୍ୟତୀତ, ଓଡ଼ିଶାର ପଶ୍ଚିମର ପୂର୍ବଘାଟ ପାର୍ବତ୍ୟ ଅଞ୍ଚଳରୁ ନିର୍ଗତ ହୋଇ, ପୂର୍ବରେ ବଙ୍ଗୋପସାଗରରେ ଲୀନ ହୋଇଛନ୍ତି । କୋଲାବ ଓ ଇନ୍ଦ୍ରାବତୀ ପୂର୍ବରୁ ପଶ୍ଚିମକୁ ଯାଇ ଛତିଶଗଡ଼, ତେଲେଙ୍ଗାନା ରାଜ୍ୟର ଗୋଦାବରୀ ନଦୀରେ ମିଳନ ଘଟିଛି । ଓଡ଼ିଶା ପରି ନଦୀମାତୃକା ଦେଶ ଭାରତରେ ବିରଳ ।

ଏହି ନଦୀମାନେ ହିଁ ଓଡ଼ିଶାର ଇତିହାସ, ସମାଜ ଓ ସଂସ୍କୃତିର କର୍ଣ୍ଣଧାର । ତେଣୁ ସେମାନେ ଆମର ନମସ୍ୟ । ଆପଣମାନଙ୍କର ମନେଥିବ ଯେ ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗାନଈକୁ ମଣିଷଭଳି ଜୀବରୂପେ ବିବେଚନା କରି, ନ୍ୟାୟିକା ମାମଲାରେ ପକ୍ଷଭୁକ୍ତ କରିଥିଲେ ଏବଂ ଯେ କେହି ନଦୀକୁ ନିଜକାର୍ଯ୍ୟ ଦ୍ୱାରା କଳୁଷିତ କଲେ, ନଦୀର କ୍ଷତି ଘଟାଇଲେ, ତେବେ ସେହିଭଳି ବ୍ୟକ୍ତି ବା ସଂସ୍ଥା ଅଥବା ପ୍ରଭୃତ୍ୱକୁ ମଣିଷ କ୍ଷତି କଲେ ଯେଉଁ ଦଣ୍ଡ ପାଇଥାନ୍ତେ, ସେପରି ଦଣ୍ଡ ପାଇବେ ।

ଓଡ଼ିଶାର ଏହି ସମସ୍ତ ନଦୀମାନେ ଏକଦା ଚିରସ୍ରୋତା ଥିଲେ, ଏମାନଙ୍କର ଦୁଇକୂଳରେ ବାଲୁକା ଓ ମାଟି ମିଶ୍ରିତ ଦୋରସାଭୂମିରେ ଅନେକ ପୁଷ୍ପ ଓ ଫଳଶୋଭିତ ବୃକ୍ଷରାଜୀ ଶୋଭା ପାଉଥିଲେ । ଗ୍ରୀଷ୍ମରେ ଜଳଧାରା କ୍ଷୀଣ ହେଇଥିଲେ ମଧ୍ୟ ଶରତ, ହେମନ୍ତ, ଶୀତ, ବସନ୍ତରେ କୂଳବାସୀ-ବୃକ୍ଷମାନଙ୍କରୁ ପ୍ରସ୍ଫୁଟିତ ଫୁଲର ପାଖୁଡ଼ାମାନେ କୂଳକୁ ଲାଗିଥିବା ନଦୀଜଳଧାରକୁ ଉତ୍ତରଣ ହୋଇ, ମୃଦୁସ୍ରୋତରେ ତଳକୁ ବହି ଆସୁଥିଲେ । ଏଠାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ସେହି ଅମର ରମଣୀୟ ପଂକ୍ତିଗୁଡ଼ିକ ମନକୁ ଆସନ୍ତି –

‘ବନେ ବନେ ଭ୍ରମିଭ୍ରମି ଗଣ୍ଡ-କୁହୁକେ ନ ଭ୍ରମିି

ବହୁବାଧା ଅତିକ୍ରମି ସ୍ୱଚ୍ଛ ଜବନେ,

ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି

ଚାଲିଛି ଦୂର ସରଣୀ ନ ତ ବଦନେ;

ଜନମ କରୁଛି ସଫଳ

ତୋୟ-ଦାନେ ତୋଷି ତୀରବାସୀ-ସକଳ ।”

ଏବେ ଓଡ଼ିଶାର ଏହି ଲଳିତ ଲବଙ୍ଗଲତା ସଦୃଶ ନଦୀମାନଙ୍କ ଛବି, କ୍ଷୁଦ୍ରପୃଷ୍ଠାରେ ଦୃଶ୍ୟ ହେଲେ ମଧ୍ୟ, ବାସ୍ତବରେ ଅନେକ ବର୍ଷା ଋତୁ ବ୍ୟତୀତ ଅନ୍ୟଦିନେ ଶୁଷ୍କ, କେବଳ ରାଶିରାଶି ବାଲୁକାମୟ-ଯେମିତିକି ମହାନଦୀ ଶଯ୍ୟା କିଆକଟା, ଲୁଣହାଣ୍ଡି, ଆଠମଲ୍ଲିକ ଓ ବାଉଁଶୁଣି, ବୌଦ୍ଧଘାଟର ଦୁଇପାଶ୍ୱର୍ରୁ ପ୍ରତୀୟମାନ ହୁଏ । ଯେମିତିକି ଆଭିଜାତ୍ୟସମ୍ପନ୍ନ ସୁନ୍ଦରୀ ତରୁଣୀମାନଙ୍କର ଦୁର୍ଦ୍ଦିନରେ ଅପାଂକ୍ତେୟ ଲୋଲୁପ ଦୃଷ୍ଟି ପକାନ୍ତି, ସେହିପରି ଏକଦା ଜଳ ଓ ଫଳ, ପୁଷ୍ପଶୋଭିତ କୂଳ ଭିତରେ ଶାୟିତ ଥିବା ନଦୀମାନଙ୍କର ଶଯ୍ୟା, ଯେହେତୁ ଏବେ ଶୁଷ୍କ ଏବଂ ପ୍ରଚୁର ସୁବର୍ଣ୍ଣରେଣୁ ବାଲିରେ ପରିପୂର୍ଣ୍ଣ; ଖଣି ବିକି ଧନୀ ହୋଇଥିବା ସରକାରଙ୍କର (ଦେଖନ୍ତୁ ଓଡ଼ିଶା ସରକାରଙ୍କ ବାର୍ଷିକ ବଜେଟ୍ରେ ଆୟର ଫର୍ଦ୍ଦ, ସିଂହଭାଗ ଖଣି ରୟାଲଟି ଦୃଷ୍ଟିଗୋଚର ହେବ) ଲୋଲୁପ ଦୃଷ୍ଟି ପଡ଼ିଛି । ମନେ ରଖିବା ଉଚିତ୍ ଯେ, କୌଣସି ଦେଶ ବା ରାଜ୍ୟ ପ୍ରାକୃତିକ ସମ୍ପଦ ବିକି, ବାହାର ରାଜ୍ୟ ଓ ବିଦେଶକୁ ରତ୍ପାନୀ କରି ସମୃଦ୍ଧିଶାଳୀ ହୋଇପାରିବ ନାହିଁ । ପ୍ରାକୃତିକ ସମ୍ପଦକୁ ବିବେକପୂର୍ଣ୍ଣ ଅର୍ଥନୀତିରେ, ମୂଲ୍ୟ-ଯୁକ୍ତ କରି ବିନିଯୋଗ କରିପାରିଲେ, ରାଜ୍ୟର ଯୁବକ ଯୁବତୀ କର୍ମସଂସ୍ଥାନରେ ନିୟୋଜିତ ହେବେ, ସେମାନଙ୍କର ଆୟ ବଢ଼ିବ, ରାଜ୍ୟର ସମ୍ପଦ ବଢ଼ିବ, ବଜାର ବଢ଼ିବ, ରାଜ୍ୟ ଐଶ୍ୱର୍ଯ୍ୟଶାଳୀ ହେବ । ଓଡ଼ିଶାର ସତୁରୀ ଭାଗ ଜନସଂଖ୍ୟା ଗ୍ରାମାଞ୍ଚଳରେ ନଦୀଗୁଡ଼ିକର ଅବବାହିକାରେ ଅବସ୍ଥାନ କରନ୍ତି । ଏବେ ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଉଛି ଯେ, ଏମାନଙ୍କର ମୁଣ୍ଡପିଛା ଆୟ ବଢୀଛି । କିନ୍ତୁ ଆପଣ ଅନୁଧ୍ୟାନ କଲେ ଜାଣିପାରିବେ ଯେ, ଏହି ଆୟ କୌଣସି ସୃଜନାତ୍ମକ କାର୍ଯ୍ୟଦ୍ୱାରା ହେଉନାହିଁ । ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କାଳିଆ ଓ କୃଷକ ସମ୍ମାନନିଧି ପରି ଦାନ-ବିତରଣ ଯୋଜନାରୁ ହେଉଛି ।

ଓଡ଼ିଶାରେ ବାଲିସଇରାତ ବା ନଈ, ନାଳର ବାଲି ଏ ପର୍ଯ୍ୟନ୍ତ ରାଜସ୍ୱ ବିଭାଗ ଅଧୀନରେ ଥିଲା । ରାଜସ୍ୱ ବିଭାଗର ଅଧିକାରୀମାନେ ଯଥା ଜିଲ୍ଳାପାଳ, ଉପଜିଲ୍ଲାପାଳ, ତହସିଲଦାର ଇତ୍ୟାଦି ଲୋକମାନଙ୍କର ଦୈନନ୍ଦିନ ସମସ୍ୟା ସହିତ ଜଡ଼ିତ ଥାଆନ୍ତି, ସବୁ ସମସ୍ୟା ଓ ଅଭିଯୋଗର ସମାଧାନ କରିବା ତାଙ୍କର ଦାୟିତ୍ୱ, ଏହା ସଙ୍ଗେସଙ୍ଗେ ଦେଶ ତଥା ରାଜ୍ୟର ଆଇନଗୁଡ଼ିକର କାର୍ଯ୍ୟକାରିତା ମଧ୍ୟ ତାଙ୍କର କର୍ତ୍ତବ୍ୟ । ଉନ୍ନୟନ ଓ ଜନହିତକର କାର୍ଯ୍ୟକ୍ରମ ନିରନ୍ତର ·ଲିଥାଏ । ତେଣୁ ଯେତେବେଳେ ରାଜସ୍ୱ ବୃଦ୍ଧି ପାଇଁ ଓ ସାମାଜିକ ତଥା ଘରୋଇ ସରକାରୀ ନିର୍ମାଣ ପାଇଁ, କୌଣସି ନଈରୁ ବାଲି ଉତ୍ତୋଳନ ଆବଶ୍ୟକ ପଡ଼େ, ସେମାନେ ପ୍ରଥମେ ସେହି ସ୍ଥାନରେ ନଦୀକୂଳରେ ଥିବା ଗ୍ରାମବାସୀମାନଙ୍କର ମତାମତ ଶୁଣନ୍ତି, ଲିଜ ବା ନିଲାମ ଦେବା ପୂର୍ବରୁ ସଂପୃକ୍ତ ଜାଗା, ବାଲିଘାଟ, ଶଯ୍ୟାର ଏରିଆ କେତେ ପରିମାଣ ବାଲି ଅଛି, କେତେ ପରିମାଣ ଉତ୍ତୋଳନ କଲେ ନଦୀର କୂଳ ତଥା ଶଯ୍ୟା ସ୍ଥିର ଓ ଦୃଢ଼ ରହିବ, ନଦୀର ସନ୍ତୁଳନ ଓ ପ୍ରାକୃତିକ ପରବେଶ ରକ୍ଷା ହୋଇପାରିବ, ଟ୍ରକ ତଥା ହାଇୱା ଭଳି ଭାରିଯାନ ଦ୍ୱାରା ବାଲି ପରିବହନ ହେଲେ ପରିବେଶ କିପରି କ୍ଷତିଗ୍ରସ୍ତ ହେବ, ନିକଟସ୍ଥ ଗ୍ରାମ ନିବାସୀ, ରାଜ୍ୟ ସଡ଼କ ତଥା ଜାତୀୟ ରାଜପଥରେ ଶହ ଶହ ବାଲି ବୋଝେଇ ଭାରିଯାନ ଦିନରାତି ଚଳପ୍ରଚଳ ଦ୍ୱାରା ସୁଦୂରପ୍ରସାରୀ ଜନଜୀବନ ପ୍ରଦୂଷଣଗ୍ରସ୍ତ କେତେ ମାତ୍ରାରେ ହେବେ, ଇତ୍ୟାଦି ଇତ୍ୟାଦି – ଆକଳନ କରନ୍ତି । ଗ୍ରାମବାସୀ ତଥା ଜନସାଧାରଣଙ୍କ ଦ୍ୱାରା ଯେତିକି ଗ୍ରହଣଯୋଗ୍ୟ , ସେତିକି କରନ୍ତି । ଆପଣମାନଙ୍କର ମନେଥିବ ଯେ, କେନ୍ଦୁଝର ଜିଲ୍ଲାରେ ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ଏତେ ପରିମାଣରେ ଲୌହ ଖଣିଜ ପଦାର୍ଥ ହଜାର ହଜାର ହାଇୱା ଟ୍ରକରେ ପ୍ରତିଦିନ ବୁହାହେଲା, ପରିବେଶ ଏପରି ଧୂମାୟିତ ହେଲା, ଅଞ୍ଚଳବାସୀଙ୍କର ନିଃଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୃଦ୍ଧି ପାଇଲା ଯେ, ସେଠାକାର ଜିଲ୍ଳାପାଳ ଦିନବେଳେ ଖଣିଜପଦାର୍ଥ ବହନକାରୀ ସମସ୍ତ ଯାନଗୁଡ଼ିକର ଚଳାଚଳ ବନ୍ଦ କରିଦେଇଥିଲେ । ଯଦି ଓଡ଼ିଶାର ନଦୀଗୁଡ଼ିକରୁ ବାଲିକୁ ସରକାର ବାଣିଜ୍ୟକ ଭିତ୍ତିରେ ନିଲାମ କରି ରାଜସ୍ୱ ବଢ଼ାଇବା ପାଇଁ ଚାହିଁ ଥାଆନ୍ତି; ଏବଂ ସେଥିପାଇଁ ବାଲି ସଇରାତର ପ୍ରଶାସନ ରାଜସ୍ୱ ବିଭାଗରୁ କାଢ଼ିନେଇ ଖଣି ବିଭାଗକୁ ଦେବେ, ଯେଉଁ ବିଭାଗରେ କ୍ଷେତ୍ର କର୍ମଚାରୀ ନଗଣ୍ୟ ଏବଂ ଯେଉଁମାନେ ସ୍ଥାନୀୟ ଗ୍ରାମବାସୀ, ଜନସାଧାରଣଙ୍କର ସମସ୍ୟା ଜାଣନ୍ତି ନାହିଁ, ଏବଂ ଅଧିକ ରାଜସ୍ୱ ପାଇଁ ସରକାର ଯଦି ନଈଗୁଡ଼ିକର ବାଲିକୁ ପୁଞ୍ଜିପତିମାନଙ୍କୁ ଟେକି ଦେବେ, ତେବେ ସେମାନେ ଟଙ୍କାବଳରେ ବାଲିଘାଟ ତିଆରି ହେଉ ବା ନଦୀକୁ ରାସ୍ତା ହେଉ ଅନାୟାସରେ କରିବେ, ନଈରୁ ବାଲିଉଠାଣକୁ ଯାନ୍ତ୍ରିକୀ-କରଣ କରିବେ, ଏତଦ୍ୱାରା ମାତୃତୁଲ୍ୟ ନଦୀଗୁଡ଼ିକୁ ଯେଉଁମାନେ କି ଜଳ, ପରିବେଶକୁ ସନ୍ତୁଳନ କରି ନଦୀକୂଳରେ ସମୃଦ୍ଧ ସଭ୍ୟତାମାନ ରଚନା କରିଥିଲେ; ଅଚିନ୍ତାରେ ଖୋଳିବେ, ବାଲୁକାମୟ ଶଯ୍ୟାକୁ ବିଦୀର୍ଣ୍ଣ କରିବେ । ଯଦି ପୁଞ୍ଜିପତିମାନେ ଓଡ଼ିଶାର ଏକୋଇଶ ଗୋଟି ନଦୀର ବାଲିଶଯ୍ୟାକୁ ଲିଜ୍ ବା ନିଲାମରେ ନେଇ ହଜାର ହଜାର ଟ୍ରକ୍, ଟ୍ରାକ୍ଟର, ବିଶାଳ ବାରଚକିଆ ହାଇୱା ଟ୍ରାନସପୋର୍ଟ ଯାନ ଏବଂ ରେଳ, ଜାହାଜରେ ଦେଶ ତଥା ବିଦେଶକୁ ମହାର୍ଘ୍ୟ ଉଜ୍ଜ୍ୱଳ ନିର୍ମଳ ଓଡ଼ିଶା ବାଲି ପଠାଇ ବିପୁଳ ଅର୍ଥ ପାଉଥିବା ବାଲି ରାଜସ୍ୱ ଅପେକ୍ଷା ଅନେକ ଗୁଣ ଅଧିକ ପାଇବେ, ତତ୍ ସଙ୍ଗେ ସଙ୍ଗେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ମଧ୍ୟ ହେବ । ଏପରି ବସି ଖାଇବା ଅଭ୍ୟାସ ଦ୍ୱାରା ନଦୀ ବାଲି ସରିଯିବ । ସମଗ୍ର ଓଡ଼ିଶା ଦଶ ବର୍ଷ ମଧ୍ୟରେ ମରୁଭୂମିରେ ପରିଣତ ହେବ, ପାଞ୍ଚକୋଟି ଜନବସତି ନଦୀମାତୃକା ଓଡ଼ିଶା ଭୂମିରେ ହାହାକାର ଶୁଭିବ । ଗୋଟିଏ ସଭ୍ୟତାର ବିଲୀନ ଘଟିବ । ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖନୀୟ ଯେ, ଗୋଟିଏ ଦେଶର ବା ରାଜ୍ୟର ପ୍ରାକୃତିକ ସମ୍ପଦ କୌଣସି ନିର୍ଦ୍ଦିଷ୍ଟ ସରକାରର ନ ହୋଇପାରେ । ଏ ସମ୍ପଦ ମହାର୍ଘ, ଯାହାକି ସେହି ସମାଜର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ପାଇଁ ସବୁବେଳେ ସଞ୍ଚିତ ହୋଇରହିବ ।

ଡ. ପ୍ରଫୁଲ୍ଲ କୁମାର ଚାଉଳିଆ

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.