ପ୍ରଫେସର ଭଗବତ ପ୍ରସାଦ ଥିଲେ ଜଣେ ଗାନ୍ଧିବାଦୀ ଓ ସର୍ବୋଦୟ କର୍ମୀ । ଫସିବାଦୀ ବୁଦ୍ଧିଜୀବୀ ଓ ରାଜନେତା ମାନଙ୍କର ମଣିଷ ବିରୋଧୀ ମାନସିକତାକୁ ସେ ଅନେକ ଲେଖାରେ ସମାଲୋଚନା କରିଛନ୍ତି । ଫସିବାଦ ଓ ସାମ୍ରାଜ୍ୟବାଦର ଛାୟାରେ ବିଶ୍ଵ ଶୀର୍ଷକରେ ସମଦୃଷ୍ଟିରେ 2006 ମସିହାରେ ପ୍ରକାଶିତ ତାଙ୍କର ଏକ ଆଲେଖ୍ୟରୁ ସଂଗ୍ରହ କରି ଉକ୍ତ ଲେଖାଟିକୁ ଏଠାରେ ଉପସ୍ଥାପନ କରାଯାଇଛି।
ଗୋଷ୍ଠୀ ସଚେତନତା ବିଂଶ ଶତାବ୍ଦୀ ଶେଷାର୍ଦ୍ଧର ଏକ ସୁପରିଚିତ ପ୍ରବୃତ୍ତି । ଯେବେ ଗୋଷ୍ଠୀ ସଚେତନତା ପାରାନୋଇଆର ରୂପ ନିଏ, ମଣିଷ ହୋଇଯାଏ ଆଂଶିକ ପାଗଳ । ଏ ଆଂଶିକ ପାଗଳ ମାନେ ସଇତାନଠୁ ମଧ୍ୟ ଭୟଙ୍କର । ଗୁଜୁରାଟର ମହିଳାମାନଙ୍କ ଗଣଧର୍ଷଣ ଏଭଳି ଆଂଶିକ ପାଗଳମାନଙ୍କର କାମ । ଏଭଳି ଆଂଶିକ ପାଗଳାମି ଯୁବକମାନଙ୍କୁ କରେ ଆତଙ୍କବାଦୀ । ଜଣେ ବୁଦ୍ଧିଜୀବୀର ଏଭଳି ପାଗଳାମୀ ଥିଲେ ସେ ଗବେଷଣା କରେ ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ୍ୟର ରୂପ ଦେବାକୁ । ଜଣେ ସାଧାରଣ ଲୋକ ଏ ମିଥ୍ୟାକୁ ଉଜାଗର କରିବା ସହଜ ନୁହେଁ ।
ଜଣେ ପାରାନୋଇଆ ରୋଗଗ୍ରସ୍ତ ବୁଦ୍ଧିଜୀବୀ ଯେଉଁ ଅପରାଧ କରେ, ତାକୁ ବୁଦ୍ଧିର ଅପରାଧ (Crime of Intellect) କୁହାଯାଇପାରେ। ବୁଦ୍ଧିର ଅପରାଧ ସୃଷ୍ଟି କରେ ଅସଂଖ୍ୟ ଘୃଣାର ସୌଦାଗରମାନଙ୍କୁ । ଗୁଜୁରାଟରେ ଏଭଳି ଘୃଣାର ସୌଦାଗରମାନେ ପଥଭ୍ରଷ୍ଟ କଲେ ଅସଂଖ୍ୟ ହିନ୍ଦୁ ସମାଜର ଲୋକଙ୍କୁ । ଏହି ଧରଣର ପଥଭ୍ରଷ୍ଟ ଅପରାଧୀମାନଙ୍କୁ କୁହାଯାଇପାରେ ‘ଆବେଗିକ ଅପରାଧୀ’(Criminal of Passion)।
ଘୃଣାର ସୌଦାଗରମାନଙ୍କ ସର୍ଦ୍ଦାର ଥିଲେ ହିଟ୍ଲର୍ । ହିଟ୍ଲର୍ଙ୍କ ସମର୍ଥକ ବୁଦ୍ଧିଜୀବୀମାନେ ହିଟ୍ଲର୍ ପ୍ରଚାରିତ ନାଜୀବାଦକୁ ଯୁକ୍ତିସଙ୍ଗତ ରୂପ ଦେଇଥିଲେ । ଭାରତବର୍ଷରେ ହିଟ୍ଲର୍ ପ୍ରେମୀ ବୁଦ୍ଧିଜୀବୀଙ୍କ ଶରବ୍ୟ ଗାନ୍ଧୀ, କାରଣ ଗାନ୍ଧୀଙ୍କର ହିନ୍ଦୁ ଜନତାଉପରେ ପ୍ରଭାବକୁ ପ୍ରତିହିତ କରିପାରିଲେ ହିଁ ତଥାକଥିତ ହିନ୍ଦୁତ୍ୱବାଦ ବିଜୟପଥରେ ମାଡ଼ି ଚାଲିବ । ହିନ୍ଦୁ ଘୃଣାକୁ ଅଧିକ ବଢ଼ାଇଦେଲା ଜେହାଦୀ ମୁସଲମାନ ଯୁବକଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ଯଦିଓ ଏ ମୁସଲମାନି ହିଂସାର ମୁଖ୍ୟ ଉତ୍ପାଦକ କାରଣ ଥିଲା ଆର୍.ଏସ୍.ଏସ୍. ପକ୍ଷପାତିଙ୍କ ପ୍ରଚାର ଓ କାର୍ଯ୍ୟକଳାପ ।
ଆମେରିକା ରାଷ୍ଟ୍ରର ଓ ଇସ୍ରାଏଲ୍ ଇହୁଦୀଙ୍କ ଅତ୍ୟାଚାରୀ କାର୍ଯ୍ୟକଳାପ ବିଶ୍ୱସାରା ମୁସଲମାନୀ ପାରାନୋଇଆ ସୃଷ୍ଟି କରିଛି । ଯୁକ୍ତରାଷ୍ଟ୍ରର ଏକ ବୃହତ୍ ଗୋଷ୍ଠୀ ଘୃଣାର ପ୍ରଚାର ଓ ପ୍ରସାର ଭିତରେ ଅଛନ୍ତି । ଏମାନଙ୍କର ଏଇ ମନୋଭାବକୁ ‘ଖ୍ରୀଷ୍ଟିୟାନଙ୍କ ଗୋଷ୍ଠୀ ବିଦ୍ୱେଷ’(ଖ୍ରୀଷ୍ଟିୟାନ ମୌଳବାଦ) ଆଖ୍ୟା ଦିଆଯାଇ ପାରେ । ପୃଥିବୀର ସବୁ ଗୋଷ୍ଠୀ ମଧ୍ୟରେ ପାରାନୋଇଆ ରୋଗୀ ରହିଛନ୍ତି, ମନେହେଉଛି ଭାରତୀୟଙ୍କ ପୂର୍ବ ପୁରୁଷମାନେ ଏ ଧରଣର ଗୋଷ୍ଠୀ ବିଦ୍ୱେଷକୁ ଏଡ଼ାଇବା ପାଇଁ ଗୀତାରେ ଭକ୍ତର ପ୍ରଧାନ ଲକ୍ଷ୍ୟକୁ ଚିହ୍ନିତ କରିଥିଲେ ‘ଅଦ୍ୱେଷ୍ଟା ସର୍ବଭୂତାନାଂ’ (ଯାହାର କୌଣସି ଜୀବନଧାରା ପ୍ରତି ଦ୍ୱେଷ ବା ଘୃଣା ନାହିଁ) ଶ୍ଳୋକାଂଶ ରଚନା କରି ।
ପାରାନୋଇଆ ରୋଗଗ୍ରସ୍ତ ବୁଦ୍ଧିଜୀବୀଙ୍କୁ ଲକ୍ଷ୍ୟକରି ଆଲ୍ବର୍ଟ କାମ୍ୟୁ ତାଙ୍କର ପ୍ରସିଦ୍ଧ ପୁସ୍ତକ (The REBEL) ରେ ‘…as soon as he makes his crime reasonable, it multiplies like reason herself. It was unique like a cry; now it is reasonable like science’.
ଅପରାଧକୁ ଯେତେବେଳେ ଜଣେ ବୁଦ୍ଧିଜୀବୀ ଯୁକ୍ତିସମ୍ମତ ରୂପ ଦିଏ, ଯୁକ୍ତିଭଳି ଅପରାଧ ମଧ୍ୟ ବ୍ୟାପି ଯାଏ ମାନବ ସମାଜରେ । ….ଦିନେ ଏହା ଥିଲା ଏକ ନିଃସଙ୍ଗ ଚିତ୍କାର । ଆଜି ଏହା ବିଜ୍ଞାନ ଭଳି ଯୁକ୍ତି ସମ୍ମତ ।
ପୁଣି କାମ୍ୟୁ ଲେଖିଲେ, ‘The day crime puts on the apparel of innocence, through a curious reversal peculiar to our age, it is innocence that is called to justify itself.
ଆମ ଯୁଗରେ ବିଦ୍ୟମାନ ଏକ ଅଦ୍ଭୁତ ଓଲଟ ପ୍ରବୃତ୍ତି ଯୋଗୁଁ ଯେଉଁଦିନ ଅପରାଧୀ ବୁଦ୍ଧିଜୀବୀ ପିନ୍ଧାଏ ଏକ ନିରପରାଧୀକୁ ଅପରାଧୀର ପୋଷାକ, ସେତେବେଳେ ନିଷ୍ପାପୀକୁ ବାଧ୍ୟହୋଇ ଆତ୍ମରକ୍ଷା କରିବାକୁ ମୁକ୍ତିର ଆଶ୍ରୟ ନେବାକୁ ପଡ଼ିଥାଏ ।
ଯାହା ଜୀବନର ପ୍ରତ୍ୟେକ ପୃଷ୍ଠା ଖୋଲା, ଯାହାର ଉଦ୍ଘୋଷିତ ନୀତି ‘ସତ୍ୟ ଓ ଅହିଂସା’, ଯାହାର ଜୀବନରେ ସତତ ସାଧନା ବ୍ରହ୍ମଚର୍ଯ୍ୟର ପୂର୍ଣ୍ଣତାପାଇଁ, ସେହି ସହସ୍ରାବ୍ଦୀର ଶ୍ରେଷ୍ଠ ମଣିଷକୁ ଠିକ୍ ବୋଲି ବୁଝାଇବାକୁ ଚେଷ୍ଟା କଲାବେଳେ ମୁଁ ମନେ ପକାଉଛି କାମ୍ୟୁଙ୍କୁ ।
ଆଜି ସୟତାନ୍ ନୁହେଁ, ଭଗବାନ୍ କାଠଗଡ଼ାରେ ।
କେବଳ ଧର୍ମନୁହେଁ, ଜାତି, ଭାଷା, ମତାଦର୍ଶ, ଦଳସଭ୍ୟତ୍ୱ, ଜନଜାତିତ୍ୱ (Ethnicity)କୁ ନେଇ ବି ସୃଷ୍ଟି ହୁଅନ୍ତି ପାରାନୋଇଆ ରୋଗୀ । ଏମାନଙ୍କ ଭିତରୁ କେତେକ ହୁଅନ୍ତି ଆତଙ୍କବାଦୀ, ରାଷ୍ଟ୍ରନେତା ବି ବାଦ୍ ପଡ଼େନି ଏ ପାରାନୋଇଆ କବଳରୁ । ଅନେକ ବିଦ୍ୱାନ୍ଙ୍କ ମତ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ କେତେକ ବ୍ୟକ୍ତି ପାରାନୋଇଆ ରୋଗୀ ।
ଏଲିସ୍ ଲାକ୍ୱେନା ନାମକ ଜଣେ ମହିଳା ଉଗାଣ୍ଡାରେ ଗଢ଼ିଲେ ସଙ୍ଗଠନଟିଏ ଯାହାର ନାମ ଥିଲା ‘ଭଗବାନଙ୍କ ସେନାବାହିନୀ’ । ଏ ସଙ୍ଗଠନର କର୍ମୀମାନେ ପ୍ରଚାର କଲେ ଯେ ଏ ସଙ୍ଗଠନର ପ୍ରତ୍ୟେକ ସଭ୍ୟ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ । ତେଣୁ ବନ୍ଧୁକ ଗୁଳି ସେମାନଙ୍କ ଦେହରେ ପଶିପାରିବନି । ଯଦି କେହି ଗୁଳି ବାଜି ମରେ, ତେବେ ସେ ନିଶ୍ଚୟ ଅବିଶ୍ୱାସୀ ହୋଇଥିବ, ଜଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ମଧ୍ୟ ଏ ସଙ୍ଗଠନର ସଭ୍ୟ ବହୁବର୍ଷଧରି ଥିଲେ, ଏଲିସ୍ଙ୍କୁ କୌଣସି ଅପରାଧଯୋଗୁ ତାଞ୍ଜାନିଆରେ ବନ୍ଦୀକଲାପରେ ଏ ଅନୁଷ୍ଠାନର ଯବନିକା ପତନ ସମ୍ଭବ ହେଲା ।
Comments
0 comments