ମୋ ପିଲାଦିନେ ଆମ ଗାଁ’ର ଜାଈଅପା ଉଭୟ ପୌଷ ଓ ଆଷାଢ଼ ଆସିଲେ ଭୂଇଁଚଣା (ଚିନାବାଦାମ) ଛଡ଼ାଇବା ପାଇଁ ବାରଦୁଆର ହୁଏ । ଦୁଇତିନି ଓଳିରେ ବସ୍ତାବସ୍ତା ଭୂଇଁଚଣା ଛଡ଼ାଇବା ପାଇଁ ସାହିପିଲାଙ୍କ ହାତଓଠ ଧରେ । ଖାଲି ଜାଈଅପା କି ଭୂଇଁଚଣାରେ ସରିଯାଏନି ଆମ ଗାଁ ଗହଳିର ମହିଳା କୃଷକମାନଙ୍କ କଥା । ଜମିର ମାଲିକାନା ହାତରେ ନଥାଉ କି ଫସଲ ବିକ୍ରୀ ପଇସା ସେମାନଙ୍କ ସିନ୍ଦୁକକୁ ନଆସୁ, ଜାଈବୁଢ଼ୀ ଭଳି କୋଟି କୋଟି ଗ୍ରାମୀଣ ଭାରତୀୟ ମହିଳା ସମୁଦାୟ କୃଷିକର୍ମରେ ଏତେ ଓତଃପ୍ରୋତ ଭାବେ ଜଡ଼ିତ ଯେ ସେମାନଙ୍କୁ ବାଦ୍ଦେଇ ଚାଷକଥା ଚିନ୍ତା କରାଯାଇ ନପାରେ । ଭାରତ ବାହାରେ ଦକ୍ଷିଣ ଏସିଆ ସମେତ ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ କୃଷିକର୍ମରେ ନିୟୋଜିତ ମହିଳାଙ୍କ ସଂଖ୍ୟା ପୁରୁଷମାନଙ୍କଠାରୁ ଯଥେଷ୍ଟ ଅଧିକ ।
ମହିଳାଙ୍କ ହାରାହାରି କାମ
ଭାରତୀୟ ହିମାଳୟ ଅଞ୍ଚଳରେ ଏକ ହେକ୍ଟର ଜମିରେ ବର୍ଷକୁ ବଳଦହଳେ ୧୦୬୪ଘଣ୍ଟା କାମ କରୁଥିବାବେଳେ ଜଣେ ପୁରୁଷ ୧୨୧୨ଘଣ୍ଟା ଆଉ ଜଣେ ମହିଳା ହାରାହାରି ୩୪୮୫ଘଣ୍ଟା କାମ କରିଥାଏ । ଖାଦ୍ୟ ଓ କୃଷି ସଙ୍ଗଠନର ହିସାବରେ ଭାରତ ଗ୍ରାମାଞ୍ଚଳର ମାତ୍ର ନଅ ପ୍ରତିଶତ ମହିଳାଙ୍କ ନାଆଁରେ ଜମିର ମାଲିକାନା ଥିଲେ ବି ୭୯ପ୍ରତିଶତ ମହିଳା କୃଷିକ୍ଷେତ୍ରରେ ନିୟୋଜିତ ଅଛନ୍ତି । ସେମାନେ ହଳରୁ ଫିଟିକି ମୋଇରେ ଆଉ ମୋଇରୁ ଫିଟି ହଳରେ (ଅବିଶ୍ରାନ୍ତ ଭାବରେ) କାମ କରନ୍ତି ବୋଲି ଆମେ ମନଇଚ୍ଛା ଭୁରିଭୋଜନ କରୁ । ଦେହରୁ ଫାଳେ ଚାଲିଗଲେ ବି ପାହାନ୍ତିଆରୁ ବିଲମୁଣ୍ଡରେ ଛିଡ଼ା ହୋଇଯାଇଥିବା ମହିଳାଙ୍କ ଯୋଗୁଁ ଖାଦ୍ୟ ସୁରକ୍ଷାର ନାରାବାଜି ପାଇଁ ଆମକୁ ବଳ ମିଳେ । କୃଷିକର୍ମରେ କେତେ ହାଡ଼ଭଙ୍ଗା ପରିଶ୍ରମ ଯେ ପାଖରୁ ନଦେଖିଛି କି ନିଜେ ନକରିଛି, କେତେ ପୋଥିପୁରାଣ ପଢ଼ିଲେ ବି ତାର ସେ ଅନୁଭବ ଆସିବ ନାହିଁ ।
ମହିଳାମାନଙ୍କୁ ଜୀବନବ୍ୟାପୀ ସମସ୍ୟାର ସାମ୍ନା କରିବାକୁ ହୁଏ
କେବଳ କୃଷି ନୁହେଁ କୃଷିସମ୍ପର୍କିତ ସମସ୍ତ କାମରେ ନିଜର ଗୁରୁ ଦାୟିତ୍ୱ ତୁଲାଉ ତୁଲାଉ ମହିଳାମାନଙ୍କୁ ଜୀବନବ୍ୟାପୀ ସମସ୍ୟାର ସାମ୍ନା କରିବାକୁ ହୁଏ । ଯେମିତିକି ମକା କୁଟାହେବା ସମୟରେ ଢିଙ୍କି ମୁହଁକୁ ଶସ୍ୟ ପେଲୁଥିବା କେତେ ସ୍ତ୍ରୀଲୋକଙ୍କର ହାତ ଯେ ଢିଙ୍କି ପାହାରରେ ଅକାମୀ ହୋଇଛି ତା’ର ହିସାବ ନାହିଁ । ଧାନଫୁଲ ଆଖିରେ ପଡ଼ି ଆଖି ନଷ୍ଟ ହୋଇଛି । ଭେଣ୍ଡି ତୋଳିବାବେଳେ ଖୁଞ୍ଚଲାଗି ହାତଖାଇଛି । ଆଣ୍ଠୁଏ କି ଅଣ୍ଟେ କାଦୁଅରେ ଧାନରୁଆ କି ଘାସବଛା ସମୟରେ ଗୋଡ଼ରେ କୋହିଆ ବୁଡ଼ିଛି ଅଥବା କଅଁଳଚମକୁ ଗେଣ୍ଡାକାଟିଛି । ଭଙ୍ଗାହିଡ଼ ଓ ଖାଲଢ଼ିପ ଜମିରେ ଧାନଗୋଛା ବୋହି ଯାଉଥିବା ମହିଳା ସାମାନ୍ୟ ଅସାବଧାନ ହେଲେ ଗୋଡ଼ ଭାଙ୍ଗି ଚିରକାଳ ଅକର୍ମଣ୍ୟ ହୋଇଛନ୍ତି । ଚଣା, ମୁଗ ଗଜା ଖାଇବାକୁ ବିଲରେ ରୁଣ୍ଡ ହୋଇଥିବା କାଉପଲକୁ ଘଉଡ଼େଇବାକୁ ଯାଇ କାଉ ଆକ୍ରମଣର ଶିକାର ହୋଇଛନ୍ତି ଅନେକ ମାଆ-ମାଉସୀ । ଧାନ କାଟୁ କାଟୁ ବହୁ ମହିଳାଙ୍କର ହାତ କଟିଛି । ତେବେ କେତେକ ସ୍ଥାନରେ ଗ୍ରାମୀଣ କୃଷିପରମ୍ପରାର ଗୋଟେ କଉତୁକିଆ କଥା ହେଲା, ଧାନ କି ଘାସ ସବୁବେଳେ କାଟି କାଟି ଯେଉଁମାନଙ୍କର ଡେଣା କି ହାତରେ ଅସହ୍ୟ ଯନ୍ତ୍ରଣା ହୁଏ ସେମାନେ ପୀଡ଼ା ଲାଘବ ପର୍ଯ୍ୟନ୍ତ ଦାଆଟିକୁ କୌଣସି ଏକ ଦୋକାନରେ ବନ୍ଧା ପକାଇଦିଅନ୍ତି । ଏହାକୁ କିଛି ଟଙ୍କା ଦେଇ ମୁକୁଳାଇବା ପରେ ଯାଇ ଦାଆଟି ପୁନର୍ବାର କାମରେ ଲାଗେ ।
ଗାଈଗୋରୁଙ୍କୁ କୁଣ୍ଡାତୋରାଣି ଦେବା, ସକାଳୁ ଗୁହାଳ ସଫାକରିବା, ଗୋବର ଟୋକେଇ ନେଇ ଖତଗଦାରେ ପକାଇବା, ଖରାହେବା ପୂର୍ବରୁ ଚହ୍ଲାବୁଲାଇ ଲହୁଣି ବାହାର କରିବା, ଧାନକଟା ପରେ କଳେଇ ଖଳାକୁ ଆଣିବା, ବେଙ୍ଗଳା ବୁଲାଇବା, ଧାନ ଉଡ଼ାଇବା ଆଦି ଶ୍ରମସାପେକ୍ଷ କାମ ବି ମହିଳାମାନେ କରନ୍ତି । ସେତିକିରେ କଥା ସରିଯାଏନି । ଧାନ ଶୁଖାଇବା ପରେ ଛେଦାଚଲା, ଗୋଡ଼ିବଛା ଆଦି କାମ ସ୍ତ୍ରୀଲୋକମାନେ ନକଲେ ନଚଳେ । ସେହିପରି ମୁଗକାନ୍ଦୁଲ ଭଜାଚୁରା ଦାୟିତ୍ୱ ବି ସମ୍ପୂର୍ଣ୍ଣ ସେମାନଙ୍କର ।
ଜରୁରୀକାଳିନ ପରିସ୍ଥିତିରେ ଅନ୍ୟକୁ ହାତ ପତାଇବା କାମ ବି ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କର (ଖାସ୍ କରି ଗ୍ରାମାଞ୍ଚଳରେ) । ଧାନ ଉପରକୁ, କୋବି ଉପରକୁ ଏପରି କହି ସେମାନେ କରଜ କରନ୍ତି । ଅର୍ଥାତ ସେହି ଫସଲ ଅମଳ ପରେ ସେମାନେ ଋଣ ପରିଶୋଧ କରିବାକୁ ସକ୍ଷମ ହେବେ ବୋଲି ପ୍ରତିଶୃତି ଦେଇଥାନ୍ତି ।
ଆଜିକାଲି ଅଧିକ ଅମଳକ୍ଷମ ଧାନ ଏବଂ ସରକାରଙ୍କ ଟଙ୍କିକିଆ ଚାଉଳ ଆଦି ଯୋଜନା ଯୋଗୁଁ ଉପାସରେ ରହିବା ଲୋକଙ୍କ ସଂଖ୍ୟା କମିଛି । କିନ୍ତୁ କିଛିବର୍ଷ ପୂର୍ବେ ମହିଳାମାନେ ସାହିପଡ଼ୋଶୀ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଧାନ, ଚାଉଳ, ମୁଗ, କାନ୍ଦୁଲ ଧାର କରିବା ଏପରିକି ଋଣଆଣିବା ଗ୍ରାମ୍ୟଜୀବନରେ ନିହାତି ସ୍ୱାଭାବିକ ଥିଲା ।
ବହୁ ମହିଳା ଅକାଳରେ ବିଧବା ହେବା ପରେ ବି ପୁରୁଷଙ୍କ ସହ କାନ୍ଧରେ କାନ୍ଧମିଶାଇ କଠିନ କୃଷିକର୍ମକୁ ଆପଣାଇଥିବା ଯୋଗୁଁ ସେମାନଙ୍କର ପୁଅଝିଅ ପାଠପଢ଼ି ସ୍ୱାବଲମ୍ବୀ ହୋଇପାରିଥିବାର ଶହ ଶହ ପ୍ରେରଣାପ୍ରଦ କାହାଣୀ ଗାଁଗଣ୍ଡାରୁ ମିଳିବ । ଏପରିକି ହଜାର ହଜାର ପରିବାର ଅଛନ୍ତି ଯେଉଁଠି ଭୂମିହୀନ ମହିଳା କୃଷିଶ୍ରମିକମାନେ ମୂଲ ପଡ଼ିବାକୁ ନ ଯାଇଥିଲେ ସେମାନଙ୍କ ଘରେ କସ୍ମିନକାଳେ ଚୁଲି ଜଳନ୍ତା ନାହିଁ । ପୁରୁଷଙ୍କ ଠାରୁ କମ୍ ମଜୁରୀ, ସ୍ୱାସ୍ଥ୍ୟବୀମା କି ସାମାଜିକ ନିରାପତ୍ତାର ଅଭାବ ତଥା ନିଯୁକ୍ତିର ଅନୌପଚାରିକ ଦିଗ ଯୋଗୁଁ ମହିଳାକୃଷକ ଓ କୃଷିଶ୍ରମିକମାନେ କ୍ଷତି ସହିଲେ ବି ଓହରି ଯାଇନାହାନ୍ତି । ତେଣୁ ଆମେ ସ୍ଥିର କରିଲୁ ସଫଳତାର ଶୀର୍ଷରେ ପହଞ୍ଚିଥିବା ମୁଷ୍ଟିମେୟ ବ୍ୟତିକ୍ରମ ନୁହେଁ, ବରଂ ସରକାର, ଗଣମାଧ୍ୟମ ଓ ବୁଦ୍ଧିଜୀବୀଙ୍କ ଦୃଷ୍ଟିର ଅନ୍ତରାଳରେ ରହିଯାଉଥିବା କୋଟି କୋଟି ମେହନତି ମହିଳା କୃଷକ ଓ କୃଷି-ଶ୍ରମିକଙ୍କ ଦୈନନ୍ଦିନ ଜୀବନର କାହାଣୀ କହିବୁ ।
ମେଘ ବତରମିଶା ବର୍ଷିଛି କି ନାହିଁ, ଭୂଇଁ ପାଗିଲା ନା ନାହିଁ ସେକଥା ଏହି ଅପାଠୋଇ, ଅଳ୍ପପାଠୋଇ ମହିଳାମାନେ ଅକ୍ଳେଶରେ କହିଦିଅନ୍ତି । ଅନ୍ଧାର ପକ୍ଷରେ ମୁଗ ଶୁଖାଇଲେ ପୋକ ଲାଗିବ ନାହିଁ ବା ବରଗୁଡ଼ିରେ ବେଗୁନିଆ ପତ୍ର ପକାଇ ରଖିଲେ ବହୁଦିନ ପର୍ଯ୍ୟନ୍ତ ରହିପାରିବ ବୋଲି ସେମାନେ ଜନ୍ମରୁ ଜାଣିଥାନ୍ତି ବୋଧହୁଏ । ଦୁର୍ଦ୍ଦିନରେ କାମରେ ଆସିବ ଭାବି ପୂର୍ବରୁ ମହିଳାମାନେ କାଉଁରିଆ ଫଳ ଓ ପାଚିଲା ବାଇଗଣକୁ ଟାଣଖରାରେ ଶୁଖାଇ ରଖୁଥିଲେ । ଏତେ ସବୁ ପାରମ୍ପରିକ ଜ୍ଞାନର ଅଧିକାରୀମାନେ କିନ୍ତୁ ଉତ୍ପାଦିତ ଫସଲ କି ପନିପରିବାରୁ କିଛି କିଛି ଲୁଚାଇ ବିକ୍ରି କରନ୍ତି, ଆଉ ଘରର ପୁରୁଷଙ୍କ ପାଖରେ ତାହାର ଖବର ନଥାଏ । ମୁଁ ପିଲାବେଳେ ସେହି ମହିଳାମାନଙ୍କୁ ଅସାଧୁ ଭାବୁଥିଲି ଅଥଚ ସେମାନଙ୍କ ଅସହାୟତା ବୁଝି ପାରୁନଥିଲି । ମହିଳାମାନେ ଯେତେ ପରିଶ୍ରମ କରିଲେ ବି ଅଧିକାଂଶ ପରିବାରରେ କୃଷିର ଆୟ ପୁରୁଷଙ୍କ ପକେଟକୁ ଯାଏ । ବ୍ୟକ୍ତି ସ୍ୱାଧୀନତା ଜାହିର କରି ପାରୁନଥିବା ସେହି ମହିଳାମାନେ ତେଣୁ ନିଜର ଆବଶ୍ୟକତା ପୂରଣ ପାଇଁ ଚୋରାରେ କିଛି ଫସଲ ବିକିବାକୁ ବାଧ୍ୟ ।
ଖାଲି ଭାରତ ନୁହେଁ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ବି ମହିଳା କୃଷକଙ୍କ ସେହି ଏକା ଅବସ୍ଥା
ଖାଲି ଭାରତ ନୁହେଁ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ବି ମହିଳା କୃଷକଙ୍କ ସେହି ଏକା ଅବସ୍ଥା । ମେକ୍ସିକୋରେ ଗ୍ରାମାଞ୍ଚଳର ମହିଳାମାନେ ସାପ୍ତାହିକ ୮୯ଘଣ୍ଟା ପରିଶ୍ରମ କରୁଥିବାବେଳେ ପୁରୁଷମାନେ ମାତ୍ର ୫୮ଘଣ୍ଟା କାମ କରିଥାନ୍ତି । ଏଥିରୁ ୪୦ପ୍ରତିଶତ ମହିଳାଙ୍କର ନିଜସ୍ୱ ଆୟ ବୋଲି କିଛି ନାହିଁ । ମହିଳାମାନଙ୍କର ଅଧିକାଂଶ ପରିଶ୍ରମ ପରିବାରରେ ଓ ସମାଜରେ ଅଦୃଶ୍ୟ ହୋଇ ରହିଯାଉଛି । ବ୍ରାଜିଲରେ ଶତକଡ଼ା ୧୧ଭାଗ ଗ୍ରାମୀଣ ମହିଳାଙ୍କ ନାଆଁରେ ଜମିର ମାଲିକାନା ଥିବାବେଳେ ମେକ୍ସିକୋରେ ଏହା ୨୨ପ୍ରତିଶତ ଓ ପେରୁରେ ୨୭ ପ୍ରତିଶତ । ଆଫ୍ରିକାରେ ସାହାରା ଆଖପାଖରେ କେବଳ ପୁରୁଷମାନେ ହିଁ ଅର୍ଥକାରୀ ଫସଲ ଚାଷକରନ୍ତି । ଖାଦ୍ୟଶସ୍ୟର ଦାୟିତ୍ୱ ମହିଳାଙ୍କର । ମାଲାୱିରେ ଅଧିକ ଅମଳକ୍ଷମ ବା ସଙ୍କରଜାତୀୟ ମକାଚାଷ ପୁରୁଷମାନେ କରୁଥିବାବେଳେ ମହିଳାମାନଙ୍କ ଭାଗରେ ଦେଶୀ ମକା ଚାଷପଡ଼େ । ମଞ୍ଜିବୁଣା, ଘାସବଛା ଓ ଅମଳ ପ୍ରତ୍ୟେକ କାମରେ ମହିଳାମାନେ ଭାଗ ନେଉଥିଲେ ବି କେବଳ ଅନୁର୍ବର ଜମିର ମାଲିକାନା ମହିଳାଙ୍କୁ ମିଳେ । ଅପରପକ୍ଷରେ ମହିଳାଙ୍କ କର୍ତ୍ତୃତ୍ୱରେ ଥିବା ଜମିରେ ଅପେକ୍ଷାକୃତ କମ୍ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହୁଏ ବୋଲି ଜାମ୍ବିଆର ଏକ ଅଧ୍ୟୟନରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ କେତେକ ସ୍ଥାନରେ ଲିଙ୍ଗବୈଷମ୍ୟ କମି କମି ଯାଉଛି । ଯେମିତିକି ବୁର୍କିନାଫାସୋରେ ପାରମ୍ପରିକ କୋଳିତୋଳା କାମ ଆଜିକାଲି ପୁରୁଷମାନେ କରୁଛନ୍ତି ।
ଆଫ୍ରିକାରେ ପୁରୁଷମାନେ କାମ ଅନ୍ୱେଷଣରେ ସହରାଭିମୁଖୀ ହେବାପରେ ଜମିବାଡ଼ିର ସମ୍ପୂର୍ଣ୍ଣ ଦାୟିତ୍ୱ ମହିଳାଙ୍କୁ ତୁଲାଇବାକୁ ପଡ଼ିଥାଏ । ରୁଆଣ୍ଡା, କୋନିଆ, ଇଥୋପିଆ, ଉଗାଣ୍ଡା ଭଳି ଦେଶମାନଙ୍କରେ ଥରେ ବନ୍ୟା କି ମରୁଡ଼ି ଆସିଲେ ପୁରୁଷମାନଙ୍କର ପଳାୟନ ଯୋଗୁଁ ମହିଳାଙ୍କ ଉପରେ ଚାଷକାମର ବୋଝ ବହୁଗୁଣରେ ବଢ଼ିଯାଏ । ସେହିପରି ଯୁବକଯୁବତୀ ପେଟପାଟଣା ପାଇଁ ବାହାରକୁ ଚାଲିଯିବା ଯୋଗୁଁ ଚାଷକାମର ଭାର ବୟସ୍କଙ୍କ ଉପରେ ପଡ଼ୁଛି । ଦକ୍ଷିଣପୂର୍ବ ଏସିଆର ଅଧିକାଂଶ ଦେଶରେ ସକ୍ରିୟ କୃଷକଙ୍କ ହାରାହାରି ବୟସ ୬୦ରୁ ଉପରେ । ଆଫ୍ରିକାରେ ବି ସେହି କଥା । ମୁଖ୍ୟତଃ ବାର୍ଦ୍ଧକ୍ୟଗ୍ରସ୍ତ ମହିଳା କୃଷକମାନଙ୍କ ହାତରେ କୌଣସି ବିକଳ୍ପ ନଥିବାରୁ ସେମାନେ ମାଟିକାମୁଡ଼ି ପଡ଼ି ରହିବାକୁ ବାଧ୍ୟ । ଆଫ୍ରିକା ମହାଦେଶରେ ଏଡ଼ସ୍ଜନିତ ମୃତୁ୍ୟ ଯୋଗୁଁ କାର୍ଯ୍ୟକ୍ଷମ ବୟସବର୍ଗର ହଜାର ହଜାର ଲୋକ ଆରପାରିରେ । ତେଣୁ ଆଈଜେଜେମା ମାନଙ୍କୁ ବାପ ମାଆଛେଉଣ୍ଡ ନାତିନାତୁଣୀଙ୍କ ସେବାଯତ୍ନ କରିବା ସହ ଚାଷକାମ କରିବାକୁ ପଡ଼ୁଛି । ଜୀବନର ସାୟାହ୍ନରେ ଟାଣକାମକୁ ପାରନ୍ତି ନାହିଁ ସେମାନେ । ଖାଦ୍ୟ ଉତ୍ପାଦନ କମିଯାଏ । ଫଳରେ ନାତିନାତୁଣୀଙ୍କ ତୁଣ୍ଡରେ ଦାନାଦେବାକୁ ଯାଇ ସେମାନେ ଅର୍ଦ୍ଧାହାର ଓ ଅନାହାରର ଶିକାର ହୁଅନ୍ତି ।
ବୁଦାମୂଳେ କ୍ଷୀରଖିଆ ପିଲାକୁ ଛାଡ଼ିଦେଇ ମୂଲ ଲାଗିବାକୁ ଯାଉଥିବା ପ୍ରସୂତି ଏବେ ବି ଅଛନ୍ତି
ଏ ତ ଗଲା ମହିଳା କୃଷକଙ୍କ କଥା । ଏବେ ଆସିବା କୃଷିଶ୍ରମିକଙ୍କ କଥାକୁ । ବୁଦାମୂଳେ କ୍ଷୀରଖିଆ ପିଲାକୁ ଛାଡ଼ିଦେଇ ମୂଲ ଲାଗିବାକୁ ଯାଉଥିବା ପ୍ରସୂତି ଏବେ ବି ଅଛନ୍ତି । ଏମିତି ଶହ ଶହ ଗାଉଁଲି ଝିଅଙ୍କୁ ମୁଁ ଦେଖିଛି ଯେଉଁମାନେ ଖରାତାତିରେ କାମକରି କରି ନିଜର ପ୍ରାକୃତିକ ରଙ୍ଗ ହରାଇଛନ୍ତି । ପ୍ରକାରାନ୍ତରେ ବରପାତ୍ରଟିଏ ଯୋଗାଡ଼ ପାଇଁ ବାପା ମାଆଙ୍କୁ ହୀନସ୍ତା ହେବାକୁ ପଡ଼ିଛି । ଅନୁଭବବିହୀନ ଲୋକ ପାଇଁ ଏହା ଅପ୍ରାସଙ୍ଗିକ ମନେ ହୋଇପାରେ । କିନ୍ତୁ ଅନେକ ଗାଁ ଝିଅ ମଜୁରୀ ସଞ୍ଚୟ କରି କରି ନିଜ ବାହାଘରର ସିଂହଭାଗ ଖର୍ଚ୍ଚ ତୁଲାଇ ଦିଅନ୍ତି । ଅନ୍ୟପକ୍ଷରେ ପାଠପଢ଼ା ସହ ଜମିବାଡ଼ିରେ ଖଟୁଥିବା ଅନେକ ଝିଅଙ୍କର ମାଟ୍ରିକ ପାସ୍ କରିବା ନେଇ ବି ଆତ୍ମବିଶ୍ୱାସ ନଥାଏ । ଆମର ନାରୀବିରୋଧୀ ସମାଜ ଓ ଅର୍ଥତତ୍ତ୍ୱ ହିଁ ଏଥିପାଇଁ ଦାୟୀ ।
ତେବେ ମହିଳା କୃଷିଶ୍ରମିକଙ୍କ ଦୟନୀୟ ସ୍ଥିତି ବୁଝିବାକୁ ହେଲେ କେବେ ଥରେ ଧାନକଟା ଋତୁରେ ବିଶାଖାପାଟଣା-ପାରାଦ୍ୱୀପ ଡିଏମ୍ୟୁରେ ଯାତ୍ରା କରନ୍ତୁ । ଗଞ୍ଜାମ, ହୁମ୍ମା, ରମ୍ଭା ଆଦି ଷ୍ଟେସନ୍ରେ ଶହ ଶହ ମହିଳା ଟ୍ରେନ୍ ଧରନ୍ତି । ରାତି ଚାରିଟାରୁ ଉଠି ରୋଷେଇ, ଘରକାମ ସବୁ ସାରି ଷ୍ଟେସନରେ ହାଜର । ଖଲ୍ଲିକୋଟ, ବାଲୁଗାଁ ଅଞ୍ଚଳରେ ଧାନ କାଟିବାକୁ ସେମାନେ ଯାଆନ୍ତି । ଦିନଯାକର ପରିଶ୍ରମ ପରେ ଘରବାହୁଡ଼ା ପାଇଁ ସେହି ଡିଏମ୍ୟୁ ଏକମାତ୍ର ଭରସା । ଗାଡ଼ିରେ କାହାର ଆଖି ଲାଗିଯାଉଥାଏ ତ କିଏ ଜାଗା ଖଣ୍ଡେ ପାଇଁ ଉଚ୍ଚବାଚ ହେଉଥାଏ ସହଯାତ୍ରୀ ସହ । ରାତିରେ ଘରେ ପହଞ୍ଚିଲାବେଳକୁ କେବେ ନଅ ତ କେବେ ଦଶ । ପୁଣି ଭୋର ଚାରିଟା ଅପେକ୍ଷା କରିଥାଏ ସେମାନଙ୍କୁ । ତାଙ୍କର ଶ୍ରମ ଓ ବିଶ୍ରାମର ଅନୁପାତ ହିସାବ କରିଲେ ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତି କଷ୍ଟପାଇବେ, ଆଶ୍ଚର୍ଯ୍ୟ ହେବେ ଏବଂ ଏହି କର୍ମଯୋଗୀ ମହିଳାମାନଙ୍କୁ ସଲାମ କରିବେ ନିଶ୍ଚୟ ।
ଆମେ ଏଠାରେ କୃଷିଶ୍ରମରେ ଲିଙ୍ଗବୈଷମ୍ୟର ଏକ ପ୍ରତ୍ୟକ୍ଷ ଉଦାହରଣ ଦେବୁ । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ଅଞ୍ଚଳରେ ଭୂଇଁଚଣା ତୋଳାର ମଜୁରୀ ହେଲା ତୋଳିଥିବା ଚଣାର ଆଠଭାଗରୁ ଭାଗେ, ମାନେ ଜଣେ ଗଉଣିଏ ତୋଳିଲେ ବୋଡ଼େ ପାଇବ । ନଉତିଏ ତୋଳିଲେ ଦିଅଡ଼ା । ଦଶନଉତି ତୋଳିଲେ ପାଞ୍ଚଗଉଣି (୧ନଉତି = ୪ଗଉଣି ୧୬ ଅଡ଼ା= ୩୨ବୋଡ଼ା= ହାରାହାରି ୧୨କିଲୋଗ୍ରାମ) ।
ଏପରିସ୍ଥଳେ ଆମସାହି ଦେବକୀ ଦିନରେ ଦଶ ଗଉଣି ପର୍ଯ୍ୟନ୍ତ ଚଣାମୂଲ ଆଣିପାରୁଥିଲା । ତା’ର କାର୍ଯ୍ୟଦକ୍ଷତା ଓ ଏକାଗ୍ରତା ଅନେକ ପୁରୁଷଙ୍କୁ ଈର୍ଷାନ୍ୱିତ କରୁଥିଲା । ସେ ଗୋଟିଏ ଋତୁରେ ଯେତେ ଚଣାଭାଗ ପାଉଥିଲା, ତାହା କେବେକେବେ ମୂଳଚାଷୀର ଅମଳକୁ ପଛରେ ପକାଇ ଦେଉଥିଲା । ତଥାପି ସେ ଧାନବୁହା କି ଧାନକଟାକୁ ଗଲେ ପୁରୁଷଙ୍କଠାରୁ ଯଥେଷ୍ଟ କମ୍ ମଜୁରୀ ପାଉଥିଲା । ନାରୀ-ପୁରୁଷଙ୍କ ସମାନ କାମପାଇଁ ସମାନ ମଜୁରୀ କଥା ଚର୍ଚ୍ଚାକୁ ଆସିବାବେଳେ ଦେବକୀ ଭଳି ନାରୀଶ୍ରମିକଙ୍କ ମଜୁରୀ ବରଂ ପୁରୁଷ ତୁଳନାରେ ବେଶୀ ହେବା ଉଚିତ ବୋଲି ମୁଁ ମନେକରେ । ଅନ୍ୟପକ୍ଷରେ ମିନତୀ ବୋଲି ଜଣେ ଝିଅ (ସେତେବେଳକୁ ତା’ର ବୟସ ୧୨କି ୧୩ହେବ) ଏକ ଦିଭରଣିଆ ମକା-ପଦରକୁ ମାତ୍ର ଗୋଟିଏ ଦିନରେ କୋଡ଼ି ପକାଇଥିଲା ଯାହା ତିନିଜଣ ପୁରୁଷ ମୂଲିଆ ବି କରିପାରିନଥାନ୍ତେ । ତଥାପି ଦେବକୀ, ମିନତୀ ଭଳି କୃଷିଶ୍ରମିକମାନେ ଆଜି ବି ନିଜର ପ୍ରାପ୍ୟରୁ ବଞ୍ଚିତ ।
ଖାଦ୍ୟ ଓ କୃଷି ସଙ୍ଗଠନର ୨୦୧୧ସର୍ବେକ୍ଷଣ ଅନୁସାରେ
ଖାଦ୍ୟ ଓ କୃଷି ସଙ୍ଗଠନର ୨୦୧୧ସର୍ବେକ୍ଷଣ ଅନୁସାରେ ପୃଥିବୀର ସମୁଦାୟ କୃଷିଶ୍ରମିକଙ୍କ ମଧ୍ୟରେ ୪୩ ପ୍ରତିଶତ ମହିଳା ଅଛନ୍ତି । ତେବେ କେତେକ ଦେଶରେ ସେମାନଙ୍କ ସଂଖ୍ୟା ୮୦ପ୍ରତିଶତ ଛୁଇଁବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଯଦି ପୁରୁଷଙ୍କ ଭଳି ମହିଳାଙ୍କୁ ସରକାରୀ ସୁବିଧାସୁଯୋଗ ମିଳନ୍ତା ତା’ହେଲେ ପୃଥିବୀର ଖାଦ୍ୟଉତ୍ପାଦନ ୨.୫ରୁ ୪ପ୍ରତିଶତ ବଢ଼ିବା ସହ କ୍ଷୁଧା ପ୍ରପୀଡ଼ିତ ଲୋକଙ୍କ ସଂଖ୍ୟା ୧୭ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରନ୍ତା ବୋଲି ଖାଦ୍ୟ ଓ କୃଷି ସଙ୍ଗଠନର ରିପୋର୍ଟରୁ ଜଣାପଡ଼ିଛି ।
ବିଶ୍ୱବାସୀଙ୍କ କ୍ଷୁଧା ନିବାରଣ ପାଇଁ ପ୍ରତିକୂଳତାକୁ ଅନୁକୂଳତା କରିବାର ସାମର୍ଥ୍ୟ ରଖନ୍ତି ମହିଳା କୃଷକ । ସେଥିପାଇଁ ତ କେଉଁଠି ଆଦିବାସୀ ମହିଳାଙ୍କ ଜଳଅମଳ ପ୍ରକଳ୍ପ ଏକଫସଲି ଓ ଅନାବାଦୀ ଜମିକୁ ବହୁଫସଲୀ ଜମିରେ ପରିଣତ କରିଛି ତ ଆଉ କେଉଁଠି ମହିଳା କୃଷକଙ୍କ ସ୍ୱୟଂସହାୟିକା ଗୋଷ୍ଠୀ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଲେଣି । ପାରମ୍ପରିକ ଜ୍ଞାନକୌଶଳ ଦ୍ୱାରା ମହିଳାମାନେ ବନ୍ୟା ଓ ଲୁଣାଜଳ ପ୍ରତିରୋଧୀ ବିହନ ବ୍ୟାଙ୍କ୍ ବି ସୃଷ୍ଟି କରିଛନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ, ଉଗ୍ର ପାଣିପାଗ, ଖରାବର୍ଷାରେ ଅନିଶ୍ଚିତତାଯୋଗୁଁ ମହିଳା କୃଷକମାନଙ୍କର ଜ୍ଞାନକୌଶଳ କ୍ରମଶଃ ଗୁରୁତ୍ୱ ହରାଇବାରେ ଲାଗିଛି । ଜୈବବିବିଧତା ନଷ୍ଟହେବା ସହ କୃଷକମାନଙ୍କର ଜୀବନଜୀବିକା ବିପନ୍ନ ହେଉଛି । କ୍ରମବର୍ଦ୍ଧିଷ୍ଣୁ କର୍ପୋରେଟ ଶକ୍ତିମାନଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟ ସାର୍ବଭୌମ ଏକାନ୍ତ ଅପରିହାର୍ଯ୍ୟ । ମହିଳା କୃଷକମାନଙ୍କ ସଶକ୍ତିକରଣ ଓ ସେମାନଙ୍କ କୌଶଳର ପ୍ରୟୋଗ ଦ୍ୱାରା ଏହି ସାର୍ବଭୌମ ପ୍ରାପ୍ତି ନିଶ୍ଚୟ ସମ୍ଭବ । ସେହି କୌଶଳର ଉପାଦେୟତାର ପ୍ରମାଣ ପାଇଁ କୌଣସି ସଂସ୍ଥା କି ବୈଜ୍ଞାନିକଙ୍କ ମୋହର ଲାଗିବା ଆବଶ୍ୟକ ନାହିଁ । କାରଣ ପୁରୁଷାନୁକ୍ରମେ ଏହା ପରିବାର ଓ ସମାଜର ଭୋକ ମେଣ୍ଟାଇଆସିଛି ।
ସଫଳ ମହିଳା କୃଷକମାନେ ପୁରସ୍କୃତ ହେବା ଖବର ଜାଣି ଖୁସିଲାଗେ
ସଫଳ ମହିଳା କୃଷକମାନେ ପୁରସ୍କୃତ ହେବା ଖବର ଜାଣି ଖୁସିଲାଗେ । ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବଡ଼ଚାଷୀ । କାହାର ଦୁଇଶହ ଏକର ଚାଷ ଜମି ଅଛି ତ କାହାର ପାଞ୍ଚଶହ ଏକର ଆମ୍ବତୋଟା, ପୁଣି ଆଉ କାହାର ବିରାଟ ମାଛପୋଖରୀ । ସେମାନଙ୍କ ସଫଳତାକୁ ଶ୍ରେୟ ଦେବାରେ ଆମର ଆପତ୍ତି ନାହିଁ । କିନ୍ତୁ ଯେଉଁ ମହିଳାମାନେ ଏକମାତ୍ର ଚାଷୀହେଲେ ବି ନିଜର ଛୋଟଖଣ୍ଡେ ଭୂମିରେ ପରିବାର ପ୍ରତିପୋଷଣ ଓ ସ୍ୱାଭିମାନର ତଳି ପକାନ୍ତି ସେମାନେ ଶ୍ରେୟ ପାଇବାକୁ ଯୋଗ୍ୟ ନିଶ୍ଚୟ । ନାହିଁ ନାହିଁର ସଂସାର ଭିତରେ କେବଳ ଶ୍ରମ ଓ ଇଚ୍ଛାଶକ୍ତି ବଳରେ ପୃଥିବୀକୁ ସୁଫଳା କରୁଥିବାରୁ ସେମାନେ ନିରନ୍ନଙ୍କ ପାଇଁ ଅନ୍ନପୂର୍ଣ୍ଣା ଓ ଶାକମ୍ବରୀ ଶକ୍ତି । ବୀଜ ବା ବିହନରେ ହିଁ ସମଗ୍ର ପୃଥିବୀବାସୀଙ୍କ କ୍ଷୁଧାର ଉତ୍ତର ରହିଛି । ତେଣୁ ସେମାନଙ୍କୁ ଉପଯୁକ୍ତ ବିହନ, ସାର, କୃଷିଋଣ ଓ ତାଲିମ ମିଳିଲେ କୃଷିପ୍ରଧାନ ଦେଶମାନଙ୍କର ଭାଗ୍ୟ ବଦଳିବା ଅବଶ୍ୟମ୍ଭାବୀ । ପୁଣି କୃଷିକ୍ଷେତ୍ରରେ ଏପରି ଯନ୍ତ୍ରପାତିର ବ୍ୟବହାର ଆବଶ୍ୟକ ଯାହା ମହିଳାମାନଙ୍କ କଠିନ ଶାରୀରିକ ଶ୍ରମକୁ ଲାଘବ କରିପାରିବ, ଅଥଚ ସେମାନଙ୍କ ଜୀବିକା ସଙ୍କଟରେ ରହିବ ନାହିଁ ।
ଯେଉଁ ନାରୀମାନେ ସକଳ ବାଧାବନ୍ଧ ଡେଇଁ ଅଣପାରମ୍ପରିକ କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିଛନ୍ତି ସେମାନେ ବିଜୟିନୀ ନିଶ୍ଚୟ । ସେମାନଙ୍କ ପାଇଁ ଚିରକାଳ ଆମର ଅଭିନନ୍ଦନ ରହିଛି । ହେଲେ ଯେଉଁମାନେ ବାଧାବନ୍ଧ ଭିତରେ ଥାଇ ବଞ୍ଚôବାର ବାଟ ଖୋଜିଛନ୍ତି, ସଂଘର୍ଷର ଚଉହଦୀ ଭିତରେ ପ୍ରଶ୍ୱାସ ନେବାର ସାହସ କରିଛନ୍ତି ସେମାନଙ୍କ ବିଜୟଗାଥା କି କମ୍ ରୋମାଞ୍ଚକର? ସେ ରୋମାଞ୍ଚର ଅନୁଭବ ପାଇଁ ଖାଲି ଯାହା ହୃଦୟଟିଏ ଲୋଡ଼ା
Comments
0 comments