ହିଣ୍ଡେନବର୍ଗ ରିପୋର୍ଟର ପରିଣତି

ସମଗ୍ର ଦେଶରେ ଗୋଟିଏ ସତ୍ୟକୁ ଟିଭି ଚ୍ୟାନେଲମାନେ ଲୁଚାଇ ରଖିବା ପାଇଁ ପ୍ରୟାସ କରୁଛନ୍ତି । ‘ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି’ ଭଳି କୌଣସି ପ୍ରକାରେ କିଛି ଦାୟିତ୍ୱବାନ ସାମାଜିକ ଗଣମାଧ୍ୟମ ଏବଂ ଛାପା ଗଣମାଧ୍ୟମ ସୌଜନ୍ୟରୁ ସେସବୁ ବାହାରକୁ ଆସିଯାଉଛି । କୀଚକ ବିନା ବିରାଟ ଯେମିତି, ଆଦାନୀଙ୍କ ବିନା ମୋଦୀ ବି ସେମିତି । ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଯେମିତି ସଙ୍କଟରେ ଏବଂ ପ୍ରାୟତଃ ମୋଦୀ ସରକାରଙ୍କର ସମସ୍ତ ସାହାଯ୍ୟ ସତ୍ତ୍ୱେ ବୁଡ଼ିବା ଉପରେ, ମୋଦୀଙ୍କ ମନ ଭିତରେ କ’ଣ ଚାଲିଥିବ ବୁଝିବା କଷ୍ଟକର ନୁହଁ ।

ହିଣ୍ଡେନବର୍ଗ ଗବେଷଣା ସଂସ୍ଥା ଯଦି ଭାରତରେ ନିଜ ଅଫିସ ଖୋଲିଥାନ୍ତେ ତେବେ ରିପୋର୍ଟ ପ୍ରକାଶିତ ହେବାପରେ ତାହାର ଅବସ୍ଥା କ’ଣ ହୋଇଥାନ୍ତା ସହଜରେ ଅନୁମେୟ ବି.ବି.ସି ଭଳି ଗୋଟିଏ ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମ, ଯାହା ଅନ୍ତତଃ ଭାରତୀୟ ଗଣମାଧ୍ୟମ ତୁଳନାରେ ସ୍ୱାଧିନ ଓ ସ୍ୱୟଂସମ୍ପୂର୍ଣ୍ଣ, ‘ଇଣ୍ଡିଆ:ଦି ମୋଦୀ କ୍ୱଶ୍ଚିନ୍’ ନାମରେ ଦୁଇଟି ଭାଗରେ ବୃତ୍ତ ଚିତ୍ରଟିଏ ପ୍ରକାଶ କରି ଯେଉଁଭଳି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ତାହା ଦେଶବାସୀ ଦେଖୁଛନ୍ତି । ଏହାର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ସର୍ଭେ ନାମରେ ଭାରତ ସରକାରଙ୍କର ଆୟକର ବିଭାଗ ଦୀର୍ଘ ୬୦ଘଣ୍ଟା ଧରି ଚଢ଼ାଉ କଲା । ଏମାନଙ୍କର ହିସାବ ଖାତାଟି କୁଆଡ଼େ ସନ୍ଦେହପୂର୍ଣ୍ଣ ବୋଲି ବି.ବି.ସି ମୋଦୀଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରିବା ପରେ ଆୟକର ବିଭାଗ ଜାଣିପାରିଲା ।

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ମୋଦୀ ଦେଲେ ନାହିଁ

ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଉପରେ ବିରୋଧି କଂଗ୍ରେସ ଦଳର ଜଣେ ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ସଂସଦର ଲୋକସଭାରେ ପଚରା ଯାଇଥିବା କୌଣସି ପ୍ରଶ୍ନର ଉତ୍ତର ମୋଦୀ ଦେଲେ ନାହିଁ । ବରଂ ରାହୁଲଙ୍କ ବକ୍ତବ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଲୋକସଭାର ବିବରଣୀରୁ ବାହାର କରି ଦିଆଗଲା । ଭବିଷ୍ୟତର ଗବେଷକମାନେ ରାହୁଲଙ୍କ ଲୋକସଭାର ଆଲୋଚନାଟିକୁ ସମ୍ପୂର୍ଣ୍ଣ ଭାବେ ଆଉ ପାଇପାରିବେ ନାହିଁ । ବରଂ ଓଲଟା ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅସମ୍ମାନ କରିଛନ୍ତି ବୋଲି ଭାଜପାର ଜଣେ ସାଂସଦ ଓ ଜଣେ ମନ୍ତ୍ରୀ ବାଚସ୍ପତିଙ୍କ ପାଖରେ ଅଭିଯୋଗ କଲେ । ମାନ୍ୟବର ବାଚସ୍ପତି ମଧ୍ୟ ଅଭିଯୋଗକୁ ଉଚିତ୍ ମନେକରି ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରାଇଲେ । ଏହି ଭିତରେ ରାହୁଲ୍ ମଧ୍ୟ ନିଜର ଜବାବ୍ ଦେଇ ସାରିଛନ୍ତି । ରାହୁଲଙ୍କ ନାଁ ପଛରେ ‘ନେହେରୁ’ ନରହି ‘ଗାନ୍ଧୀ’ କାହିଁକି ରହିଲା, ଭାରତକୁ ନେଇ ଗର୍ବ କରାଯାଉଥିବା ଏକ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରାହୁଲଙ୍କ ପ୍ରଶ୍ନର ଉତ୍ତରରେ ପାଲଟା ପ୍ରଶ୍ନ କଲେ । ଭାରତୀୟମାନଙ୍କୁ ମଧ୍ୟ ସେ ନିର୍ବୋଧ ମନେକଲାଭଳି ଲାଗିଲା ଯେତେବେଳେ ମୋଦୀ ଲୋକସଭାରେ ରାହୁଲଙ୍କ ଆଦାନୀ ପ୍ରଶ୍ନର ଉତ୍ତରଦେବା ପରିବର୍ତ୍ତେ ସେ କହିଲେ ଯେ ମାଗଣା ଚାଉଳ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସାଧାରଣ ଜନତାଙ୍କୁ ଦିଆଯାଉଥିବା ଯୋଗୁଁ ସେମାନେ ରାହୁଲଙ୍କୁ ବିଶ୍ୱାସ କରିବେ ନାହିଁ । ସତେ ଯେମିତି ଆଗରୁ କୌଣସି ସରକାର ଏ ଦେଶରେ ଜନକଲ୍ୟାଣ ରାଷ୍ଟ୍ରର କାମ କରିନାହାନ୍ତି ଏବଂ ଏଭଳି କାମ କରିବାରେ ମୋଦୀ ହିଁ ପ୍ରଥମ ବ୍ୟକ୍ତି । ସବୁ ଜନକଲ୍ୟାଣ କାମର ଶ୍ରେୟ କେବଳ ମୋଦୀଙ୍କର ଏବଂ ସେଥିପାଇଁ ତାଙ୍କ ବିରୋଧରେ କୌଣସି କଥା ଲୋକେ ଶୁଣିବେ ନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ଆଦାନୀ ବିରୋଧରେ କୌଣସି କଥା ଦେଶବାସୀ ଶୁଣିବେ ନାହିଁ । ଅର୍ଥାତ ହିଣ୍ଡେନବର୍ଗ ଗବେଷଣା ହେଉ ବା ବି.ବି.ସିର ବୃତ୍ତଚିତ୍ର, କାହାର ବି ଭୋଟ ଦେଉଥିବା ଭାରତୀୟମାନଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ! ଆଗ ଅପେକ୍ଷା ବିରୋଧି ଦଳମାନେ ଅଧିକ ସକ୍ରିୟ ହେଲେ ବି, ଯେହେତୁ ଦୃଶ୍ୟ ଗଣମାଧ୍ୟମଟି ଅନେକ ଦିନରୁ ମୋଦୀଙ୍କ ସମର୍ଥନ କରିଆସିଥିବା ବେପାରୀ ମାନଙ୍କ ହାତକୁ ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି, ବିରୋଧିଙ୍କର ବିରୋଧର ପ୍ରତିଧ୍ୱନି ଜନଗଣଙ୍କୁ ଶୁଣିବାକୁ ମିଳିବ ନାହିଁ । ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ ଯାତ୍ରା’ ଯେତେ ସଫଳ ଓ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ଏହି ଯାତ୍ରାକୁ ପ୍ରତ୍ୟକ୍ଷଭାବେ ନଦେଖି ପାରୁଥିବା ଲୋକମାନଙ୍କ ପାଇଁ ଜାଣିବାର ସୁଯୋଗ ନଥିଲା ।

ମୋଦୀଙ୍କୁ ଅଧିକ ଅସହଜ ଲାଗୁଥିବ ନିଜ ଦଳଭିତରେ ଅଘୋଷିତ ବିଦ୍ରୋହ । ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ପ୍ରକାଶନ (୨୪ଜାନୁୟାରୀ ୨୦୨୩) ପରେ ପରେ, ଆଦିତ୍ୟନାଥ ସରକାର ପ୍ରଥମ ରାଜ୍ୟ ସରକାର ଯେକି ଆଦାନୀଙ୍କୁ ଦିଆଯାଇଥିବା ୫ହଜାର ୪ଶହ କୋଟି ଟଙ୍କାର ଏକ ବଡ଼ଧରଣର ଠିକା (ଇଲେକ୍ଟ୍ରିକ୍ ମିଟର ଲଗାଇବା ପାଇଁ) ବାତିଲ୍ କରିଦେଇଛନ୍ତି । କୌତୁହଳର କଥା ଯେ ଏହି ଠିକାଚୁକ୍ତିଟି ବାତିଲ୍ କରିବା ପୂର୍ବରୁ ସେ ମୋଦୀ ସରକାରଙ୍କର ପରାମର୍ଶ ନେଇନାହାନ୍ତି । ପରେପରେ ଜଣାପଡ଼ିଲା ଯେ ଗୋଟିଏ ଇଲେକ୍ଟ୍ରିକ୍ ମିଟରର ବଜାର ଦାମ୍ ୬ହଜାର ଟଙ୍କା ଥିଲାବେଳେ ଆଦାନୀ ୧୦ହଜାର ଟଙ୍କା ଦାବୀ ରଖିଥିଲେ । ଅନ୍ୟପଟେ ଓଡ଼ିଶା ସରକାରଙ୍କ ଉପରେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟର କୌଣସି ପ୍ରଭାବ ନାହିଁ । ଏହି ରିପୋର୍ଟ ପ୍ରକାଶିତ ହେବା ପରେପରେ ଦକ୍ଷିଣ ଓଡ଼ିଶାର ପ୍ରାକୃତିକ ସମ୍ପଦରେ ଭରପୁର ଦୁଇଟି ବକ୍ସାଇଟ ଗଚ୍ଛିତ ପାହଡ଼ କୁଟ୍ରୁମାଳି (୩୦୩ ନିୟୁତ ଟନ୍ ବକ୍ସାଇଟ ଗଚ୍ଛିତ) ଆଦାନୀଙ୍କୁ ଉପହାରସ୍ୱରୂପ ପ୍ରଦାନ କରାଯାଇଛି । ଏଥିପାଇଁ ମଧ୍ୟ ଏକ ନିଲାମ୍ ଡାକରା ନାଟକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର କେଉଁ କେଉଁ ଆଦାନୀ ପ୍ରକଳ୍ପରେ ଅମିତ ଶାହାଙ୍କ ପୁଅ ଏବଂ ପରିବାର ସମ୍ପୃକ୍ତ ଅଛନ୍ତି, ଓଡ଼ିଶା ସରକାର ଜାଣିଥିବେ ନିଶ୍ଚୟ । ସାମ୍ବାଦିକ ମହଲରେ ଗୁଞ୍ଜରଣ ଶୁଭୁଛି ଯେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟର ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ ଏବଂ ସମଗ୍ର ରଜ୍ୟଟା ଯେମିତି ଆଦାନୀ ନିୟନ୍ତ୍ରଣକୁ ଚାଲିଯାଉଛି।

ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଏବେ ଅଧିକ ଅସ୍ପଷ୍ଟ ହୋଇଯାଇଛି । ହିଣ୍ଡେନ୍ବର୍ଗ ଗବେଷଣା ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ମୋଦୀ, ତାଙ୍କ ଦଳ ଏବଂ ସଂଘ ପରିବାର ଯେମିତି ବ୍ୟସ୍ତ ଓ ଉଗ୍ର ହୋଇପଡ଼ିଛନ୍ତି, ଜଣାପଡ଼ୁଛି ଯେ ଦେଶ ଏକ ଭୟାନକ ସ୍ଥିତି ଦେଇ ଗତି କରିପାରେ । ଦେଶର କେତେକ ଅଞ୍ଚଳରେ ବାମପନ୍ଥୀମାନଙ୍କର କର୍ମୀ ଆଧାରିତ ସଙ୍ଗଠନ ଏବେ ବି ସକ୍ରିୟ ଅଛି ଯଦିଓ ସେମାନଙ୍କର ଗଡ଼ କୁହାଯାଉଥିବା ଅନେକ ସ୍ଥାନରେ ସେମାନଙ୍କ ସଙ୍ଗଠନର ସ୍ଥିତି ବୋଲି କିଛି ନାହିଁ । ବାମପନ୍ଥୀଙ୍କୁ ଛାଡ଼ିଦେଲେ ଦେଶଭିତରେ କେବଳ ଭାରତୀୟ ଜନତା ପାର୍ଟି ବା ଭାଜପା ଏକମାତ୍ର ଦଳ ଯାହାର କି ଏକ ମୂଳ ସଙ୍ଗଠନ ଅଛି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାମରେ ପରିଚିତ ଏହି ସଙ୍ଗଠନର ଏକ ବିଶାଳ ସେନା ରାଷ୍ଟ୍ରବ୍ୟାପୀ ମହଜୁଦ ଅଛନ୍ତି । ଏମାନେ ହିଁ ଜନଗଣଙ୍କ ପାଖରେ କେଉଁ ତଥ୍ୟ ଏବଂ କେଉଁ ବିଭ୍ରାନ୍ତି ପହଞ୍ଚିବ ପ୍ରାୟତଃ ନିର୍ଦ୍ଧାରଣ କରିଥାନ୍ତି । ଏତେବଡ଼ ଏକ ବିଶାଳ ସେନା ଥିବାସତ୍ତ୍ୱେ ଏବଂ ଉପରେ ପ୍ରାୟ ସମସ୍ତ ଦୃଶ୍ୟ ଗଣମାଧ୍ୟମ (ଟିଭି ଚ୍ୟାନେଲ୍ସ୍) ମୋଦୀ ସରକାରଙ୍କ ସହ ଥିବାସତ୍ତ୍ୱେ ଆଜି ମୋଦୀ ଏବଂ ତାଙ୍କ ଦଳ କାହିଁକି ଏତେ ବ୍ୟସ୍ତ ଏବଂ ବିବ୍ରତ ତାହା ଅନୁଧ୍ୟାନ କରିବା ଜରୁରୀ । ଗୋଟିଏ ଆଶଙ୍କା ଆସୁଛି ଯେ ୨୦୨୪ ନିର୍ବାଚନ ପୂର୍ବରୁ ମୋଦୀ ଆଭ୍ୟନ୍ତରୀଣ ବିଦ୍ରୋହର ସାମ୍ନା କରିପାରନ୍ତି ଯଦିଓ ଆର.ଏସ୍.ଏସ୍ର ସମର୍ଥନ ତାଙ୍କ ପଛରେ ଅଛି । ଏକ ଅସଂଗଠିତ ବିରୋଧିଦଳ ଏଥର ବି ତାଙ୍କର ନିର୍ବାଚନୀ ବିଜୟକୁ ସୁନିଶ୍ଚିତ କରାଇଦେବେ, ହୁଏତ ମୋଦୀଙ୍କର ସେଭଳି ଆଶା ଓ ଭରସା ରହୁନାହିଁ । ଯଦି ଉତ୍ତରପ୍ରଦେଶରେ ବିଦ୍ରୋହ ହୁଏ ତେବେ ମୋଦୀଙ୍କ କାମଟି ଅଧିକ ଜଟିଳ ହୋଇଯିବ । କିନ୍ତୁ ସଂଘ ପରିବାର ଏବଂ ଏହାର ପ୍ରକାଶନଗୁଡ଼ିକ ତଥା ସାମାଜିକ ଗଣମାଧ୍ୟମରେ ତିଆରି ହୋଇଥିବା ବିରାଟ ‘ଟ୍ରୋଲ୍ ସେନା’ର କାର୍ଯ୍ୟକଳାପରୁ ଜଣାପଡ଼ିଗଲାଣି ଯେ ସେମାନେ ମୋଦୀଙ୍କର ଗୁଜୁରାଟ ଓ ଭାରତ ଶାସନ ସମୟରେ ଯେଉଁଭଳି ଉପକୃତ ହୋଇଆସିଛନ୍ତି, ତାକୁ ସହଜରେ ହାତଛଡ଼ା ହେବା ପାଇଁ ଦେବେ ନାହିଁ । ମୁଖ୍ୟସ୍ରୋତର ବିରୋଧିଦଳ ମାନେ ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ଛାଡ଼ିବା ସହଜ ନୁହଁ । ବାମଦଳମାନେ ନିଜର ରଣନୀତି କିଭଳି ତିଆରି କରୁଛନ୍ତି ସ୍ପଷ୍ଟ ଜଣାପଡ଼ୁ ନାହିଁ, ଯଦିଓ ତ୍ରିପୁରାରେ କଂଗ୍ରେସ ସହ ମିଶି ସେମାନେ ୬୦ଟି ଆସନ ଥିବା ବିଧାନସଭା ନିର୍ବାଚନରେ ଲଢ଼ୁଛନ୍ତି । ରାହୁଲଙ୍କ ‘ଭାରତ ଯୋଡ଼ ଯାତ୍ରା’ରେ ବାମପନ୍ଥୀ ନେତୃତ୍ୱର ଔପଚାରିକ ଉପସ୍ଥିତି ମଧ୍ୟ ନଥିଲା । ଅଧିକାଂଶ ରାଜ୍ୟରେ ଏକଛତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କର ଶାସନ ଚାଲିଛି । ସେମାନେ କେବେ କେଉଁ ପଟକୁ ଢ଼ଳିବେ, ତାହା ଆଗରୁ କହିବା ସମ୍ଭବପର ନୁହଁ । ଯଦି ବିରୋଧି ଦଳମାନେ ଜନଗଣଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିପାରିବେ ନାହିଁ ତେବେ ଏଭଳି ଏକ ପରିସ୍ଥିତିର ଭରପୂର ଲାଭନେବେ ସଂଘ ପରିବାରର ତୃଣମୂଳଠାରୁ ଆରମ୍ଭ କରି ଜାତୀୟ ସ୍ତରଯାଏଁ ବ୍ୟାପି ଯାଇଥିବା ବିଶାଳସେନା । ଅନ୍ୟପଟେ ଆଦାନୀ ଓ ଅମ୍ବାନୀଙ୍କ ଅକ୍ତିଆରରେ ଥିବା ଦୃଶ୍ୟ ଗଣମାଧ୍ୟମ ସେମାନଙ୍କ ପାଇଁ ସବୁ ପ୍ରକାରର ପ୍ରଚାର ମାଧ୍ୟମ ଯୋଗାଇଦେବେ; ଯେମିତି ୨୦୧୪ ଓ ୨୦୧୯ ନିର୍ବାଚନବେଳେ ଯୋଗାଇ ଦେଇଥିଲେ । ସେତେବେଳେ ବଞ୍ଚିଯାଇଥିବା ଏକ ମାତ୍ର ଏନ୍.ଡି . ଟିଭି ଏବେ ଆଦାନୀ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହୋଇଯାଇଛି । ଆମର ଭୟ ରହିବ ଗୋଟିଏ କଥାରେ । ପୁଣି ଯେମିତି ଏ ଦେଶରେ ଆଉଏକ ପୁଲବାମା ନହେଉ ଅବା ପୁଣି ଏ ଦେଶରେ ଗୁଜୁରାଟ, କନ୍ଧମାଳ ଏବଂ ଉତ୍ତରପୂର୍ବ ଦିଲ୍ଲୀ ଭଳି ସାମ୍ପ୍ରଦାୟିକ ହିଂସା ନହେଉ । ଭାରତରେ ମିଛ ଜାତୀୟତାବାଦୀ ଏବଂ ମିଛ ଦେଶପ୍ରେମୀଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ାଇ ଦିଆଯାଇଛି, ଏହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଯେ କେମିତି ସଠିକ୍ ତଥ୍ୟ ଓ ଏହାର ସଠିକ୍ ବିଶ୍ଳେଷଣ ଜନଗଣଙ୍କ ପାଖରେ ଅବାଧରେ ପହଞ୍ଚା ଯାଇପାରିବ । ଏହି କଥାଟି କହିବାରେ ଆମର ଦ୍ୱିଧା ରହିବା ଉଚିତ୍ ନୁହଁ ଯେ ଆମେ ଏ ଯାଏଁ ସଂଖ୍ୟାଗରିଷ୍ଠବାଦୀ ଗଣତନ୍ତ୍ରର ନକାରାତ୍ମକ ଦିଗଟି ହିଁ ଦେଖିଛେ, ସକାରାତ୍ମକ ଦିଗଟି କେମିତି ଦେଖିବା ତାହା ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ । ଆଶା କରିବା ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଏ ବାବଦରେ ଆମକୁ କିଛି ବାଟ ଦେଖାଇବ ।

ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କରେ ବୌଦ୍ଧିକ ପରିସର ସଂକୁଚିତ!

ଗତ ୧୨ ଫେବୃଆରୀ ୨୦୨୩ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି କାଉନସିଲ ଭବନରେ ‘ଭାରତର ସମ୍ବିଧାନ ଓ ନୂତନ ଶିକ୍ଷାନୀତି’ ଶୀର୍ଷକ ଏକ ଆଲୋଚନା ‘ସିଟିଜେନ୍ସ ଫୋରମ’ ବା ନାଗରିକ ମଞ୍ଚ ତରଫରୁ ଆୟୋଜନ କରାଯାଇଥିଲା ।ଏଥିରେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଡ଼ଃ ସୁରଜିତ୍ ମଜୁମଦାର ବକ୍ତା ହିସାବରେ ଯୋଗ ଦେଇଥିଲେ । ସୁରଜିତ୍ କେବଳ ଭାରତର ସମ୍ବିଧାନ ଏବଂ ସରକାର ଆଣିଥିବା ନୂତନ ଶିକ୍ଷାନୀତି ସମ୍ପର୍କରେ ଆଲୋଚନାଟି ଆରମ୍ଭ କରିଥିଲେ ମାତ୍ର । ଠିକ୍ ସେତିକିବେଳେ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦର କିଛି ଅଣଛାତ୍ର ଆଲୋଚନାରେ ବିଭ୍ରାଟ ସୃଷ୍ଟି କରିଥିଲେ । ଅଭିଯୋଗ ଆସିଛି ଯେ ସେମାନେ ଆଲୋଚନାଟି ଭଂଡୁର କରିବାପାଇଁ ପୂର୍ବରୁ ଯୋଜନାଟିଏ ପ୍ରସ୍ତୁତ କରି ସେଠାକୁ ଆସିଥିଲେ । ଅଚାନକ ସେମାନେ ସୁରଜିତ୍ ଙ୍କ ବକ୍ତବ୍ୟଟିକୁ ବନ୍ଦ କରିବା ପାଇଁ ଦାବି କରିଥିଲେ ଏବଂ ବାହାରେ ପ୍ରସ୍ତୁତ ହୋଇ ରହିଥିବା ଆଉକିଛି ଅଣଛାତ୍ରଙ୍କୁ ଡ଼କାଇ ଦେଇଥିଲେ । ଏହାପରେ ଉଦ୍ୟୋକ୍ତା ଏବଂ ଉପସ୍ଥିତ ବରିଷ୍ଠ ଅଧ୍ୟାପକମାନଙ୍କ ଉପରେ ସେମାନଙ୍କର ଆକ୍ରମଣ ଆରମ୍ଭ ହୋଇଯାଇଥିଲା । ଆଲୋଚନାରେ ଭାଗ ନେଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏବଂ ନିଜେ ପ୍ରଫେସର ସୁରଜିତ୍ ମଜୁମଦାରଙ୍କର ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେଠି ଦେଶବିରୋଧି ବା ସମ୍ବିଧାନ -ବିରୋଧି କୌଣସି ବକ୍ତବ୍ୟ ରଖାଯାଇନଥିଲା । ବରଂ ସମ୍ବିଧାନର ମୂଳ ଢାଞ୍ଚାର ସୁରକ୍ଷା କେମିତି କରାଯାଇପାରିବ, ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା କଲାବେଳେ ଉଦବେଗ ପ୍ରକାଶ ପାଇଥିଲା ।

ଏହିଭଳି ଏକ ଗଣ୍ଡଗୋଳ ଭିଆଇବାର କାରଣ କ’ଣ ଏହା କିପରି ସମ୍ଭବହେଲା, ସେଠାକୁ ପରେ ଯାଇ ରିପୋର୍ଟ କରୁଥିବା କୌଣସି ଓଡ଼ିଆଟିଭି ଚ୍ୟାନେଲ୍ ଜାଣିବା ପାଇଁ ଉଦ୍ୟମ କରିନଥିଲେ । ବରଂ ସେମାନେ ଆକ୍ରମଣକାରୀ ଯୁବକମାନଙ୍କର ମିଛ ମନ୍ତବ୍ୟଗୁଡ଼ିକୁ ତୁହାକୁ ତୁହା ପ୍ରଚାର କରି ଜନମାନସରେ ଏକ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଜାଣିକି ହେଉ ବା ନିଜ ଅଜାଣତରେ ଉଦ୍ୟମଟିଏ କରିଥିଲେ, ଯାହା ଆକ୍ରମଣଟିକୁ ଯଥାର୍ଥ ପ୍ରମାଣିତ କରୁଥିଲା । ପରେ ଅବଶ୍ୟ ସେମାନଙ୍କ ଭିତରୁ କିଛି ପ୍ରସାରଣରେ ସୁଧାର ଆଣିଥିଲେ । ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପରିଚୟଟି ସାମ୍ନାକୁ ଆସିଲେ ବିନା ଚିନ୍ତା ଏବଂ ବିଚାରରେ ପ୍ରଥମେ ଏକ ଦେଶବିରୋଧି ରଙ୍ଗ ଦେବା ପାଇଁ ୨୦୧୬ ମସିହାରୁ ଯେଉଁ ଉଦ୍ୟମଟି ମୋଦୀ ସରକାରଙ୍କ ସୌଜନ୍ୟରୁ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା, ତାହା ଯେମିତି ଓଡ଼ିଶାଯାଏଁ ଏବେ ବି ବଳବତ୍ତର ରହିଛି ।

ସବୁଠାରୁ ବିଡ଼ମ୍ବନାର କଥାଯେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବୌଦ୍ଧିକ ପରିସର ବୋଲି ଆଉ କିଛି ନାହିଁ । ମୁକ୍ତଭାବେ କୌଣସି ପ୍ରସଙ୍ଗରେ ଚର୍ଚ୍ଚା ବା ବିତର୍କ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । ପ୍ରଗତିଶୀଳ ଛାତ୍ର ସଂଗଠନମାନଙ୍କର ବିଲୟ ଏବଂ ଏ.ବି.ଭି.ପି ଭଳି ସାମ୍ପ୍ରଦାୟିକ ଛାତ୍ର ସଙ୍ଗଠନମାନଙ୍କର ଅଭୂତପୂର୍ବ ଅଭୁ୍ୟଦୟ ବିଶ୍ୱବିଦ୍ୟାଳୟ ପରିସରଗୁଡ଼ିକରେ ବୌଦ୍ଧିକ ପରିସରକୁ ଯେ ବିପନ୍ନ କରିଦେଇଛି ତାହା ନୁହଁ, ବରଂ ଏକ ନକାରାତ୍ମକ ପରିବେଶ ସୃଷ୍ଟିକରିଛି । ଏହାର ମଧ୍ୟ ଏକ ଐତିହାସିକ ପୃଷ୍ଠଭୂମି ଅଛି । ୧୯୭୭ରେ ଦେଶରେ ପ୍ରଥମ ଥରପାଇଁ ଏକ ମିଳିତ ବିରୋଧି ଦଳର ମଞ୍ଚ ‘ଜନତା ଦଳ’ ନାମରେ ଦେଶରେ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାଚୁ୍ୟତ କରି ଶାସନକୁ ଆସିଲା । ଅନ୍ୟ ଦଳମାନେ ସାମୟିକ ଭାବେ ନିଜର ଅସ୍ଥିତ୍ୱକୁ ଜନତା ଦଳ ଭିତରେ ବିଲୀନ କରିଥିଲେ । ସେ ଭିତରେ ଥିଲେ ସଂଘ ପରିବାରର ରାଜନୈତିକ ସଂଗଠନ ‘ଜନସଂଘ’ । ଏହି ପୂର୍ବତନ ଜନସଂଘର ସଦସ୍ୟମାନେ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବିଭାଗ ହାତେଇ ପାରିଥିଲେ । ସେମାନଙ୍କ ଭିତରେ ଡଃ ମୁରଲୀ ମନୋହର ଯୋଶୀଙ୍କ ଭାଗରେ ପଡ଼ିଥିଲା ଶିକ୍ଷାବିଭାଗ । ସେତେବେଳେ ସଂଘ ପରିବାରର ଶିକ୍ଷାପ୍ରସାର ସଂଗଠନ ବିଦ୍ୟାଭାରତୀ ସରକାରୀ ପ୍ରୋତ୍ସାହନରେ ନିଜର ଅଭିଯାନ ଆରମ୍ଭ କରିଥିଲା । ଓଡ଼ିଶାରେ ମଧ୍ୟ ଜନତା ଦଳ ସରକାର ଶାସନରେ ଥିବା ଦୃଷ୍ଟିରୁ ବିଦ୍ୟାଭାରତୀର ଓଡ଼ିଶା ଶାଖା ‘ଶିକ୍ଷା ବିକାଶ ସମିତି’ ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ସେଥିପାଇଁ ଏକ ସରକାରୀ ବାସଗୃହରେ ଓଡ଼ିଶାରେ ପ୍ରଥମ ସରସ୍ୱତୀ ଶିଶୁମନ୍ଦିର ଆରମ୍ଭ ହୋଇଥିଲା । ସେତେବେଳେ ଯେଉଁ ସଂଖ୍ୟାଟି ଗୋଟିଏ ଥିଲା ଏବଂ କେବଳ ରାଜଧାନୀରେ ସୀମିତ ଥିଲା ତାହା ଆଜି ସମଗ୍ର ରାଜ୍ୟରେ ବ୍ୟାପି ସାରିଛି ଏବଂ ସେମାନଙ୍କର ସଂଖ୍ୟାଟି ପାଖାପାଖି ୧୪୦୦ ହୋଇଯାଇଛି ।

୭ ସେପ୍ଟେମ୍ବର ୨୦୦୭ରେ ଦୈନିକ ଇଂରାଜୀ ଖବର କାଗଜ ‘ଡ଼େକାନ୍ ହେରାଲ୍ଡ’ରେ ବରିଷ୍ଠ ସମ୍ବାଦିକ ପ୍ରଫୁଲ୍ଲ ଦାସ ଲେଖିଥିଲେ

୭ ସେପ୍ଟେମ୍ବର ୨୦୦୭ରେ ଦୈନିକ ଇଂରାଜୀ ଖବର କାଗଜ ‘ଡ଼େକାନ୍ ହେରାଲ୍ଡ’ରେ ଲେଖାଟିଏ ପ୍ରକାଶ କରି ବରିଷ୍ଠ ସମ୍ବାଦିକ ପ୍ରଫୁଲ୍ଲ ଦାସ ଏ ସମ୍ପର୍କରେ ବିଷଦଭାବେ ସୂଚନା ଦେଇଛନ୍ତି ଏବଂ ସଂଘ ପରିବାରର ବିଦ୍ୟାଳୟମାନଙ୍କର ଏଭଳି ଅଭିବୃଦ୍ଧି କିଭଳି ନବୀନ ବାବୁଙ୍କର ନିଦ୍ରାଭଙ୍ଗ କରିଛି ଏହି କଥା ମଧ୍ୟ କହିଛନ୍ତି । ସରସ୍ୱତୀ ଶିଶୁମନ୍ଦିର ଏବଂ ବିଦ୍ୟା ମନ୍ଦିରର ଆଶାତୀତ ବୃଦ୍ଧିଯୋଗୁଁ ସରକାରୀ ସ୍କୁଲ୍ ମାନଙ୍କରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବାବେଳେ ଏମାନଙ୍କର ଛାତ୍ରଛାତ୍ରୀ ସଂଖ୍ୟା ୧୪ରୁ ୧୫ଲକ୍ଷ ଭିତରେ ପହଞ୍ଚିଗଲାଣି । ସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ସ୍ଥାନ ଖାଲିପଡ଼ିଥିବା ବେଳେ ସଂଘ ପରିବାର ପୃଷ୍ଠପୋଷକତାରେ ଚାଲିଥିବା ଏହି ବିଦ୍ୟାଳୟମାନଙ୍କରେ ଏବେ ୧୭ହଜାରରୁ ଅଧିକ ଶିକ୍ଷକ କାମ କରୁଛନ୍ତି । ପିଲାମାନଙ୍କର ଅଭିଭାବକ ମାନଙ୍କ ସଂଖ୍ୟା ଯଦି ହିସାବକୁ ନିଆଯିବ, ତାହା ୨୯ରୁ ୩୦ଲକ୍ଷ ହେବ । ନବୀନବାବୁଙ୍କ ୨୨ବର୍ଷ ଶାସନରେ (ପ୍ରଥମ ୮ବର୍ଷ ଭାଜପା ସହ) ଅନ୍ତତଃ ସଂଘ ପରିବାରର ଏଭଳି ବୌଦ୍ଧିକ ଅଭୁ୍ୟଦୟ ଅଭୁତପୂର୍ବ । ଏହି ପିଲାମାନେ ଯେତେବେଳେ ବିଶ୍ୱବିଦ୍ୟାଳୟରେ ପାଦଦେବେ, ସେମାନେ ଅନ୍ତତଃ ପ୍ରଗତିଶୀଳ ବା ମୁକ୍ତ ବୌଦ୍ଧିକ ଆଲୋଚନାପାଇଁ ପ୍ରସ୍ତୁତ ରହିବା କଷ୍ଟକର ହେବ । ଅନ୍ୟପଟେ ନୀତିଆୟୋଗ ଦ୍ୱାରା ନିଯୁକ୍ତ ‘ବୋଷ୍ଟନ୍ କନ୍ସଲଟାନ୍ସି ଗୃପ’ ନାମକ ଏକ ବ୍ୟବସାୟିକ ସଂସ୍ଥାର ପରାମର୍ଶରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ମାନଙ୍କୁ ଯେଉଁଭଳି ଭାବେ ବନ୍ଦ କରିଦିଆଯାଉଛି (ସଂଖ୍ୟାଟି ପ୍ରାୟ ୧୦ହଜାର ହେବ), ଶିକ୍ଷକମାନଙ୍କ ସ୍ଥାନ ପୂରଣ କରାଯାଉ ନାହିଁ, ଅଭିଭାବକମାନଙ୍କ ହାତରେ ବିକଳ୍ପ ହେଉଛି ଯେ ସେମାନେ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ ବିଦ୍ୟାମନ୍ଦିର ମାନଙ୍କରେ ପିଲାକୁ ପଢ଼ାଇବେ ବା ବ୍ୟବସାୟିକ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ ବ୍ୟୟବହୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ପଢ଼ାଇବେ । ଯେଉଁଠି ବି ପିଲାଟିଏ ପଢ଼ୁ , ଆଜିର ବଜାରୀକରଣ ଯୁଗରେ ବୌଦ୍ଧିକ ଚର୍ଚ୍ଚା ଅପେକ୍ଷା ବଜାରରେ ନିଜର ମୂଲ୍ୟବୃଦ୍ଧି କରିବା ପାଇଁ ଉପଯୁକ୍ତ ପେଷା ବା ବୃତ୍ତି ପାଇଁ ସେମାନେ ପ୍ରତିଯୋଗିତାରେ ଲାଗିପଡ଼ିବେ । ଅଲୋଡ଼ା ହୋଇ ରହିବେ ଗରିବ ଓ ବଞ୍ଚିତ ଶ୍ରେଣୀର ପିଲାମାନେ । ଦେଶରେ ବିଶ୍ୱବିଦ୍ୟାଳୟରୁ ସଚେତନଶୀଳ ଓ ଦାୟିତ୍ୱବାନ ଭବିଷ୍ୟତର ନାଗରିକ ବାହାରିବା ସବୁବେଳେ ଏକ ପ୍ରଶ୍ନବାଚୀ ଭିତରେ ରହିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.