ଓଡ଼ିଶା ସାରା ଦେଶରେ ଶାନ୍ତି ଓ ଭକ୍ତିର ରାଜ୍ୟଭାବରେ ପରିଚିତ । ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଜନହାନୀ ଓ କ୍ଷୟକ୍ଷତିକୁ ସଫଳ ଭାବରେ ନିୟନ୍ତ୍ରଣ କରିଥିବାରୁ ଓଡ଼ିଶା ସରକାରଙ୍କର ପ୍ରଶାସନିକ ଦକ୍ଷତା ଦେଶ ବିଦେଶରେ ମଧ୍ୟ ଖ୍ୟାତି ଲାଭ କରିଛି । କିନ୍ତୁ ଗତ କେତେ ବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଓ ଅପରାଧରେ ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି । ପ୍ରାୟ ପ୍ରତିଦିନ ମହିଳାମାନଙ୍କ ବିରୁଦ୍ଧରେ ହୋଇଥିବା ହିଂସାର ସମ୍ବାଦ ଖବରକାଗଜ ପୃଷ୍ଠାରେ ଦେଖିବାକୁ ମିଳୁଛି । ଏହା ସାମାଜିକ, ପାରିବାରିକ ଓ ବ୍ୟକ୍ତିଗତ-ଯେକୌଣସି ବି କାରଣରୁ ହେଉଥାଉ ନା କାହିଁକି, ପରିବାର ଭିତରେ ଓ ବାହାରେ ମହିଳାଙ୍କୁ ଏଭଳି ହିଂସାର ସାମ୍ନା କରିବାକୁ ପଡୁଛି ।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଦ୍ୱାରା ୨୦୨୧ ବର୍ଷ ପାଇଁ ମହିଳାମାନଙ୍କ ଉପରେ ହେଇଥିବା ଅପରାଧର ପରିସଂଖ୍ୟାନ
ନିକଟ ଅତୀତରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଦ୍ୱାରା ୨୦୨୧ ବର୍ଷ ପାଇଁ ମହିଳାମାନଙ୍କ ଉପରେ ହେଇଥିବା ଅପରାଧର ପରିସଂଖ୍ୟାନ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧର ହାର କ୍ରମାଗତ ଭାବରେ ବୃଦ୍ଧି ପାଇଛି । ୨୦୧୫ ମସିହାରେ ପ୍ରତିଲକ୍ଷ ମହିଳାଙ୍କ ଉପରେ ୮୧.୯ ଟି ଅପରାଧ ହୋଇଥିବାବେଳେ ଏହା ବୃଦ୍ଧିପାଇ ୨୦୨୧ ମସିହାରେ ୧୩୭.୮ ହୋଇଛି । ୨୦୧୯ ଓ ୨୦୨୧ ମଝିରେ ଜାତୀୟ ସ୍ତରରେ ଆଇପିସି ଅପରାଧ ହାର ୫୨.୮ରୁ ୫୩.୮କୁ ବଢ଼ିଥିବା ଥିବାବେଳେ ଏହି ସମୟରେ ଓଡ଼ିଶାରେ ଏହାର ବୃଦ୍ଧି ୧୦୩.୫ ରୁ ୧୨୨.୨ ହୋଇଛି । ତେଣୁ ମହିଳାମାନଙ୍କ ପ୍ରତି ଅପରାଧ ମାମଲାରେ ୨୦୨୧ ମସିହାରେ ଜାତୀୟସ୍ତରରେ, ଆସାମ ଓ ଦିଲ୍ଲୀ ପରେ ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ପହଂଚିଛି ।
ସାଧାରଣତଃ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ- ବଳାକ୍ରାର, ଯୌନଗତ ହିଂସା, ନାରୀ ମର୍ଯ୍ୟାଦା ପ୍ରତି ଆକ୍ରମଣ (insult to modest), ଅପହରଣ ଓ ଟ୍ରାଫିକିଂ ଇତ୍ୟାଦିକୁ ଭାରତୀୟ ଦଣ୍ଡ ସଂହିତା (ଆଇ ପି ସି)ର ଅନ୍ତର୍ଭୁକ୍ତ କରାଯାଇଥାଏ । ଓଡ଼ିଶାରେ ୨୦୨୧ ମସିହାରେ ହୋଇଥିବା ସମୁଦାୟ ଆଇ ପି ସି ଅପରାଧର ୨୨.୨ ପ୍ରତିଶତ ଅପରାଧ ମହିଳାଙ୍କ ବିରୋଧରେ ଘଟିଛି । ୨୦୨୦ ମସିହାରେ ଏହା ୨୦.୭ ପ୍ରତିଶତ ଥିଲା । ମହିଳାଙ୍କ ଉପରେ ହୋଇଥିବା ଆଇପିସି ଅପରାଧକୁ ପୃଥକ କରି ଦେଖିଲେ ଜଣାଯାଏ ଯେ ଏହା ଭିତରେ ଯୌନଗତ ଦୁର୍ବ୍ୟବହାର (molestation) ୫୪ ପ୍ରତିଶତ, ଅପହରଣ ୧୯ ପ୍ରତିଶତ, ସ୍ୱାମୀ ଓ ସମ୍ପର୍କୀୟଙ୍କ ଦ୍ୱାରା କୃରରତା ୧୮, ବଳାତ୍କାର ୫ ଓ ଯୌନ ନିର୍ଯାତନା ୩ ପ୍ରତିଶତ । ଏହି ରିପୋର୍ଟରେ ଓଡ଼ିଶାର ମହିଳାମାନେ କ୍ରୟ ବିକ୍ରୟର (trafficking) ଶିକାର ହେଉଥିବାର ମଧ୍ୟ ଜଣାଯାଉଛି, ଯାହା କେବେ କେମିତି ମିଡ଼ିଆର ଦୃଷ୍ଟି ଆକର୍ଷଣ କରିଥାଏ ।
ସର୍ବମୋଟ ଅପରାଧର ୨ପ୍ରତିଶତ ସାଇବର ଅପରାଧ ଯାହା ଯୌନ ସମ୍ୱନ୍ଧୀୟ ପ୍ରକାଶନ ଓ ମହିଳା ସମ୍ପର୍କିତ ଉତ୍ପୀଡ଼ନ ସହିତ ଜଡିତ
ମହିଳାମାନଙ୍କ ଉପରେ ସାଇବର କ୍ରାଇମରେ ବୃଦ୍ଧି ଅପରାଧର ଅନ୍ୟ ଏକ ନୂତନ ଦିଗ । ମହିଳାମାନଙ୍କ ବିରୁଦ୍ଧରେ ହୋଇଥିବା ସର୍ବମୋଟ ଅପରାଧର ୨ପ୍ରତିଶତ ସାଇବର ଅପରାଧ ଯାହା ଯୌନ ସମ୍ୱନ୍ଧୀୟ ପ୍ରକାଶନ ଓ ମହିଳା ସମ୍ପର୍କିତ ଉତ୍ପୀଡ଼ନ ସହିତ ଜଡିତ (ଉଦାହରଣସ୍ୱରୂପ: ବ୍ଲାକ ମେଲିଙ୍ଗ, ବଦନାମ, ମର୍ଫିଙ୍ଗ, ନକଲି ପ୍ରୋଫାଇଲ ଇତ୍ୟାଦି) । ଏଥିରୁ ଡିଜିଟାଲ ଦୁନିଆରେ ମହିଳାମାନଙ୍କ ପ୍ରତି ରହିଥିବା ବିପଦ, ଭେଦଭାବ ଓ ଅସହିଷ୍ଣୁତାର ପରିଚୟ ମିଳେ ।
ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଅପରାଧର ଏହା କେବଳ ପଂଜିକୃତ ହୋଇଥିବା ଘଟଣା । ପ୍ରକୃତରେ ଅପରାଧର ସଂଖ୍ୟା ଏହାଠାରୁ ବହୁତ ଅଧିକ । ମହିଳାମାନେ ପ୍ରତିଦିନ ବ୍ୟକ୍ତିଗତ ଏବଂ ସାର୍ବଜନୀନ କ୍ଷେତ୍ରରେ ହିଂସା ଓ ଅପରାଧର ସମ୍ମୁଖୀନ ହୁଅନ୍ତି । ବିଭିନ୍ନ ଶାରୀରିକ, ଯୌନଗତ ଓ ମାନସିକ ହିଂସାକୁ ସାମ୍ନା କରୁଥିବା ଅନେକ ମହିଳାଙ୍କ ପାଖରେ ଏହାର ମୁକାବିଲା କରିବାକୁ ଯଥେଷ୍ଟ ସାମର୍ଥ୍ୟ ନଥାଏ । ବହୁ ସମୟରେ ମହିଳାମାନେ ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଅନ୍ୟ ଅନେକ କାରଣ ହେତୁ ନିଜ ଉପରେ ହେଉଥିବା ହିଂସା ଓ ଅପରାଧକୁ ସର୍ବସମ୍ମୁଖରେ ପ୍ରକାଶ କରନ୍ତି ନାହିଁ, ସହିବାକୁ ବାଧ୍ୟ ହୁଅନ୍ତି । ଯଦିବା କେତେବେଳେ ସେମାନେ ଅପରାଧକୁ ପଂଜିକୃତ କରିବାକୁ ଚାହାନ୍ତି, ଅନେକ ସମୟରେ ସେମାନଙ୍କୁ ପରିବାର, ବନ୍ଧୁ, ପଡ଼ୋଶୀ ଓ ସମାଜ ହତୋତ୍ସାହିତ କରନ୍ତି । ପୋଲିସ ଓ ନ୍ୟାୟ ପ୍ରଶାସନର ପ୍ରକ୍ରିୟାରେ ମଧ୍ୟ ଆନୁଷ୍ଠାନିକ ସ୍ତରରେ ମହିଳାଙ୍କ ପ୍ରତି ବାଛବିଚାର ଥାଏ । ପୁଣି ପୋଲିସ ଅନେକ ସମୟରେ ପୀଡ଼ିତାଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଏ ନାହିଁ । ଆର୍ଥିକ ବୋଝ, ଲମ୍ବା ସମୟ ଯାଏଁ କୋର୍ଟ କଚେରୀ ଦୌଡ଼ିବାଯୋଗୁଁ ମାନସିକ ହଇରାଣ ଅନେକଙ୍କୁ ହତୋତ୍ସାହିତ କରେ । ତେଣୁ ମହିଳାଙ୍କ ଉପରେ ହେଉଥିବା ହିଂସାର ପଂଜିକୃତ ନ ହେଉଥିବା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍) -୫ (୨୦୧୯-୨୧) ଅନୁଯାୟୀ ଓଡ଼ିଶାରେ ହିଂସାର ଶିକାର ହେଇଥିବା ମହିଳାମାନଙ୍କ ମଧ୍ୟରୁ ୮୧.୫ ପ୍ରତିଶତ ମହିଳା କାହାକୁ ନ କହି ଥିଲେ ଅଥବା କାହାର ସାହାର୍ଯ୍ୟ ଲୋଡ଼ି ନଥିଲେ । ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାଙ୍କ ଲାଗି ଏତଲା କରିବାରେ ଆହୁରି ଅଧିକ ପ୍ରତିବନ୍ଧକ ରହିଥାଏ । ସେ ସବୁ ହିଂସା ଓ ଅପରାଧ ଗଣମାଧ୍ୟମର ଧ୍ୟାନ ମଧ୍ୟ ଆକର୍ଷଣ କରେ ନାହିଁ । ଓଲଟି ଅପରାଧର ପୀଡ଼ିତା ମହିଳାଙ୍କୁ ସାମାଜିକ ସ୍ତରରେ ଦୋଷ ଦିଆଯାଏ, ବାଛନ୍ଦ ଓ ଅପମାନିତ କରାଯାଏ ।
ଓଡ଼ିଶାରେ ମହିଳାମାନେ ପିତୃସତ୍ତାତ୍ମକ ପରିବାରରେ ବସବାସ କରନ୍ତି
ଓଡ଼ିଶାରେ ମହିଳାମାନେ ପିତୃସତ୍ତାତ୍ମକ ପରିବାରରେ ବସବାସ କରନ୍ତି । ସାଧାରଣତଃ ପୁରୁଷମାନେ ଘରର ମୁରବି ଭାବରେ ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଏହି ନିଷ୍ପତ୍ତି ଭିତରେ ମହିଳାମାନଙ୍କର ଜୀବନ ଓ ଜୀବିକା ସମ୍ପର୍କରେ ନିଷ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ । କେଉଁ ଜାଗାକୁ ଯିବା ବା ନ ଯିବା, ବେଶଭୁଷା, ପୋଷାକ, ଶିକ୍ଷା, ବିବାହ ଓ ଚାକିରୀ ଇତ୍ୟାଦି ସମସ୍ତ ବିଷୟରେ ପିତୃସତ୍ତାତ୍ମକ ପରିବାର ଓ ସମାଜ ମହିଳାଙ୍କ ତରଫରୁ ନିଷ୍ପତ୍ତି ନିଏ । ତେଣୁ ମହିଳାମାନେ ବହୁ ସମୟରେ ଏହି ପରୁଷତାନ୍ତ୍ରିକ ଚିନ୍ତାଧାରା ସହିତ ମେଳ ଖାଇ ଚାଲିବାକୁ ଚେଷ୍ଟାକରନ୍ତି । ଏଥିରେ ବିଚ୍ୟୁତି ଘଟିଲେ ଅନେକ ସମୟରେ ସେମାନଙ୍କୁ ଘର ଭିତରେ ଓ ବାହାରେ ହିଂସାର ଶିକାର ହେବାକୁ ପଡ଼େ । ପିତୃସତ୍ତାତ୍ମକ ଚିନ୍ତାଧାରା ଏକ ବିଭେଦପୂର୍ଣ୍ଣ ମାନସିକତା । ଏଭଳି ଚିନ୍ତାଧାରା ମହିଳାମାନଙ୍କ ସ୍ୱତନ୍ତ୍ର ନିଷ୍ପତ୍ତି ନେବାର ଅଧିକାରକୁ ହିଁ ନାକଚ କରେ । ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ, ଏଭଳି ଚିନ୍ତାଧାରା ମହିଳାଙ୍କୁ ଦୁର୍ବଳ ଓ ପରାଶ୍ରିତ କରି ରଖେ । ଏଭଳି ସାମାଜିକ ମାନସିକତାର ପୃଷ୍ଠଭୂମିରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ବଢ଼େ । ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସଂବେକ୍ଷଣ (୨୦୧୯-୨୧)ରୁ ଜଣାପଡ଼ିଛି ଯେ ଓଡ଼ିଶାରେ ୩୨.୩ ପ୍ରତିଶତ ପୁରୁଷ (୧୫-୪୯ବର୍ଷ ବୟସ୍କ) ଅନ୍ତତଃ କୌଣସି ଗୋଟିଏ କାରଣରୁ ସ୍ୱାମୀ ସ୍ତ୍ରୀକୁ ମାରିବା ଯଥାର୍ଥ ବୋଲି ମତ ଦେଇଛନ୍ତି । ଅନୁମତି ନ ନେଇ ପଦାକୁ ଯିବା, ଘର ଓ ପିଲାଙ୍କୁ ଅବହେଳା କରିବା, ମହିଳାଟି ଯୁକ୍ତି କରିବା, ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା, ଭଲ ଖାଦ୍ୟ ପ୍ରସ୍ତୁତି ନ କରିବା ଓ ମହିଳାମାନେ ଅବିଶ୍ୱସନୀୟ ହେବା, ଶାଶୁ-ଘର ଲୋକଙ୍କୁ ଅସମ୍ମାନ କରିବା ଆଦି କାରଣରୁ ମହିଳାଙ୍କୁ ମାଡ଼ ମାରିବା ଯଥାର୍ଥ ବୋଲି ଏମାନେ ଭାବନ୍ତି । ଦୁର୍ଭାଗ୍ୟବଶତଃ, ୪୯ ପ୍ରତିଶତ ମହିଳା ମଧ୍ୟ ଏଥିରେ ଏକମତ ହୁଅନ୍ତି । ତାହାର କାରଣ ହେଲା ମହିଳାମାନେ ପିଢ଼ି ପରେ ପିଢ଼ି ଏସବୁକୁ ନିଜର କର୍ତ୍ତବ୍ୟ, ଦାୟିତ୍ୱ ଓ ସମ୍ମାନ ବୋଲି ମାନି ନେଇଛନ୍ତି । ତେଣୁ ପିତୃସତ୍ତାତ୍ମକ ପରିବାରର କଠୋର କଟକଣା ମହିଳାମାନଙ୍କ ମାନସିକତାକୁ ସଂକୁଚିତ କରିଦେଇଛି, ସେମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଯଥେଷ୍ଟ ସୁଯୋଗ ତିଆରି କରି ନାହିଁ । ପିଲାଟି ଦିନରୁ ଝିଅମାନଙ୍କୁ ପ୍ରଚଳିତ କୁପ୍ରଥା, ପକ୍ଷପାତପୂର୍ଣ୍ଣ ବ୍ୟବହାର ଓ ଭେଦଭାବକୁ ପ୍ରଶ୍ନ ନ କରି, ଆଜ୍ଞାଧୀନା ହୋଇ ମାନି ନେବାକୁ ହିଁ ପରିବାର ଓ ସମାଜର ମଙ୍ଗଳ ପାଇଁ ଦରକାର ବୋଲି ଶିକ୍ଷା ଦିଆଯାଏ ।
ଦୁର୍ବଳଶ୍ରେଣୀ ଉପରେ ହିଂସା ଅଧିକ ହୁଏ । ତେଣୁ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା କମାଇବାକୁ ତାଙ୍କର ଆର୍ଥିକ ସ୍ୱାବଲମ୍ବନତାକୁ ପ୍ରାୟତଃ ଗୁରୁତ୍ୱ ଦିଆଯାଇଥାଏ । ମହିଳାମାନେ ଆତ୍ମନିର୍ଭରଶୀଳ ହେଲେ ଘରୋଇ ହିଂସାର ପ୍ରତିବାଦ କରିପାରିବେ । ଘର ବାହାର ହିଂସାର ସାମ୍ନା କରିପାରିବେ ।ଦୁଃଖର ବିଷୟ ଏହି ଯେ ବେରୋଜଗାର ବା ବେକାର ମହିଳାଙ୍କ ଅପେକ୍ଷା ବେଶିଭାଗ କାର୍ଯ୍ୟରତ ମହିଳା ପୁରୁଷଙ୍କ ମାଡ଼ ମାରିବାକୁ ଯଥାର୍ଥ ବୋଲି ମାନିଛନ୍ତି । ଶିକ୍ଷା ସଚେତନତା ପାଇଁ ଜରୁରୀ । କିନ୍ତୁ ଶିକ୍ଷା ସବୁବେଳେ ସଚେତନତା ସୃଷ୍ଟି କରେ ନାହିଁ । ଶିକ୍ଷିତା ମହିଳାମାନେ ପିତୃସତ୍ତାର ସପକ୍ଷରେ, ନାରୀବିରୋଧୀ ମତ ରଖିବା ଆମ ସମାଜର ଏକ ବିଡ଼ମ୍ବନା ।
ଏହା ବ୍ୟତୀତ ମହିଳାମାନେ ପୁରୁଷଙ୍କର ବେରୋଜଗାର, ଦାରିଦ୍ର୍ୟ ଓ ନୈରାଶ୍ୟଜନିତ ଦୁର୍ବ୍ୟବହାର ଓ ହିଂସାକୁ ମଧ୍ୟ ଦୈନଦିନ ଜୀବନରେ ସହ୍ୟ କରିଥାନ୍ତି । ମହିଳାମାନଙ୍କ ଉପରେ ହେଉଥିବା ହିଂସାରେ ମଧ୍ୟ ପୁରୁଷମାନଙ୍କର ମଦ୍ୟପାନର ଭୂମିକା ରହିଛି । ଉଦାହରଣସ୍ୱରୂପ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ସୂଚାଏ ଯେ ଓଡ଼ିଶାରେ ଯେଉଁମାନଙ୍କର ସ୍ୱାମୀମାନେ ଅଧିକାଂଶ ସମୟରେ ମଦ୍ୟପାନ କରନ୍ତି, ସେଭଳି ମହିଳା ହିଂସାର ଶିକାର ବେଶୀ ହୁଅନ୍ତି । ଏହା ବ୍ୟତୀତ ପାରିବାରିକ ହିଂସା ଓ ମହିଳାମାନଙ୍କ ପ୍ରତି ଅସମ୍ମାନ ମଧ୍ୟ ଆଗାମୀ ପିଢ଼ିର ପିଲାମାନଙ୍କୁ ପ୍ରଭାବିତ କରିଥାଏ । ପରବର୍ତ୍ତୀ ସମୟରେ (ଯୁବକାବସ୍ଥାରେ) ସେମାନେ ମହିଳାଙ୍କ ପ୍ରତି ଅପରାଧ ବା ଅଶ୍ଳୀଳ ଆଚରଣକୁ ଯଥାର୍ଥ ଓ ନିଜର ଅଧିକାର ବୋଲି ଭାବି ନିଅନ୍ତି ।
ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତିକରଣ
ଗତ କିଛିବର୍ଷ ହେଲା ଓଡ଼ିଶା ସରକାର ରାଜ୍ୟରେ ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତିକରଣ ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅନେକ ଗବେଷକ ନାରୀମାନଙ୍କର ଶିକ୍ଷା, ରୋଜଗାର, ରାଜନୀତିରେ ଭାଗିଦାରୀ ଇତ୍ୟାଦି ତାଙ୍କ ପ୍ରତି ହେଉଥିବା ହିଂସା ହାରରେ ହ୍ରାସ କରିବାରେ ସାହାଯ୍ୟ କରୁଛି କି ନାହିଁ ତାକୁ ପରଖିବାକୁ ଚେଷ୍ଟା କରିଛନ୍ତି । ଏହା ଦେଖାଯାଇଛି ଯେ ମହିଳାଙ୍କ ପ୍ରତି ହିଂସା ସହିତ ଏହିସବୁ ଶିକ୍ଷା, ରୋଜଗାର ବା ସଶକ୍ତିକରଣର ସମ୍ପର୍କଟି ଜଟିଳ । କେରଳ ଯେଉଁଠି ମହିଳାମାନେ ଶିକ୍ଷା ଓ ସଶକ୍ତିକରଣରେ ବହୁତ ଆଗରେ, ସେଠାରେ ମଧ୍ୟ ମହିଳାମାନଙ୍କ ବିରୋଧରେ ଅପରାଧ ହାର ଅପେକ୍ଷାକୃତ ଅଧିକ । କିନ୍ତୁ ଏହା ଜଣାଯାଏ ଯେ ମହିଳାମାନଙ୍କ ଶିକ୍ଷାର ଉନ୍ନତି ଯୋଗୁଁ ଅପରାଧ ମାମଲାଗୁଡିକ ପଂଜିକୃତ ଓ ସର୍ବସମ୍ମୁଖକୁ ଆସିବାର ସମ୍ଭାବନା ଅଧିକ ହୁଏ ।
ଓଡ଼ିଶା ବିକାଶର କେତୋଟି ମାପକାଠିରେ ଆଗେଇ ଚାଲୁଛି ସତ, ହେଲେ ରାଜ୍ୟରେ ମହିଳାମାନଙ୍କ ବିରୋଧରେ ଅପରାଧ ଓ ହିଂସା ମଧ୍ୟ ବଢ଼ି ଚାଲିଛି । ଅବଶ୍ୟ ଏହା ସତ ଯେ କ୍ରମଶଃ ବଢୁଥିବା ସାମାଜିକ ସଚେତନତା, ମହିଳାଙ୍କ ଗୋଷ୍ଠିଗତ ଉଦ୍ୟମ ଆଦି ସହିତ ଲିଙ୍ଗଗତ ଭେଦଭାବ ପ୍ରତି ସମ୍ବେଦନଶୀଳ ଆଇନ ପ୍ରଣୟନ ଆଦି ଯୋଗୁଁ ହିଂସାର ରିପୋର୍ଟିଂ ବା ପଞ୍ଜିକରଣ ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ମହିଳାମାନଙ୍କର ଶିକ୍ଷା, ଚାକିରୀ, ବଜାର ଆଦି ସାର୍ବଜନୀନ ସ୍ଥାନରେ ଉପସ୍ଥିତି ରକ୍ଷଣଶୀଳ ପିତୃସତ୍ତାତ୍ମକ ସମାଜରେ ଏକ ପ୍ରତିକ୍ରିୟା ମଧ୍ୟ ସୃଷ୍ଟିକରେ । ତେଣୁ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଲାଗି ସରକାର ଓ ସମାଜ କଠୋର ପଦକ୍ଷେପ ନେବା ଦରକାର । ଆଇନ ପ୍ରଣୟନ ଓ ତାର ପ୍ରୟୋଗରେ ଏକ ଲିଙ୍ଗଗତ ସମାନତା-କୈନ୍ଦ୍ରିକ ଦୃଷ୍ଟିକୋଣ ରହିବା ଦରକାର । ଆଇନ କାନୁନ ବ୍ୟବସ୍ଥା ଓ ପୋଲିସର ସଜାଗତା, ସାମୂହିକ ସଚେତନତା, ବିଭିନ୍ନ ସ୍ତରରେ ଲିଙ୍ଗ-ଭିତ୍ତିକ ସମ୍ବେଦନଶୀଳତା ଓ ଚେତନା ସୃଷ୍ଟି, ମହିଳାମାନେ ଅଭିଯୋଗ ଦାଖଲ ଲାଗି ସୁଯୋଗ ସୃଷ୍ଟି କରେଇବା, ସୁରକ୍ଷିତ ପରିବହନ ବ୍ୟବସ୍ଥା ଇତ୍ୟାଦି ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ସମାନୁରୂପ ଭାବରେ ପିତୃସତ୍ତାତ୍ମକ ସାମାଜିକ ଆଦର୍ଶର ପକ୍ଷପାତିତା ଓ ବୈଷମ୍ୟମୂଳକ ଆଦର୍ଶକୁ ମଧ୍ୟ ପ୍ରଶ୍ନ କରାଯିବା ଦରକାର ।
ହିଂସା ଓ ପୀଡ଼ିତାର ଦୋଷ
ହିଂସାର ଖବରଟିଏ ଆସିବାମାତ୍ରେ ଆଗ ପୀଡ଼ିତାକୁ ଦୋଷ ଦେବା, ତାର ଚରିତ୍ର ହନନ ପାଇଁ ଉଦ୍ୟମ କରାଯିବା ଆମ ସମାଜର ଅଭ୍ୟାସ ହେଇଗଲାଣି । ଏହାଦ୍ୱାରା ଅପରାଧୀଙ୍କୁ ପ୍ରୋତ୍ସାହନ ମିଳୁଛି, ହିଂସାର ଶିକାର ହେଇଥିବା ମହିଳାଙ୍କୁ ଚୁପ ରହିବାକୁ ବାଧ୍ୟ କରାଯାଉଛି । ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ଲୋକଲୋଚନକୁ ଆଣିବା ଯେତିକି ଜରୁରୀ, ସଠିକ ଢଙ୍ଗରେ ସେ ସମ୍ବାଦ ପରିବେଷଣ କରିବା ମଧ୍ୟ ସେତିକି ଜରୁରୀ । ଯେଭଳି ଅଶାଳୀନ, ଦାୟିତ୍ୱହୀନ ଢଙ୍ଗରେ ମହିଳାଙ୍କ ଉପରେ ହିଂସାକୁ ଚାଞ୍ଚଲ୍ୟ ସୃଷ୍ଟିକାରୀ, ଉଦ୍ଦୀପକ ଘଟଣା ଭାବରେ ଗଣମାଧ୍ୟମ ଦ୍ୱାରା ଲୋକଙ୍କ ସାମ୍ନାରେ ରଖାଯାଉଛି, ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଓଡ଼ିଶାର ଗଣମାଧ୍ୟମ ସବୁ, ବିଶେଷ କରି ଟେଲିଭିଜନ ଚ୍ୟାନେଲଗୁଡିକ ନିଜ ଭୂମିକାକୁ ପ୍ରଶ୍ନ କରିବା ଉଚିତ । ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ କିପରି ପରିବେଷଣ କରାଯିବ, ସେଥିପାଇଁ ଗଣମାଧ୍ୟମ ସ୍ୱୟଂ ନିଜପାଇଁ ଏକ ଆଚାର ସଂହିତା ତିଆରି କରି ତାର ପାଳନ କରିବା ଉଚିତ ।
ନିରାକରଣ
ମହିଳାଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ ଏକ ଗୁରୁତର ଓ ଜଟିଳ ସାମାଜିକ ସମସ୍ୟା । ଏହାର ନିରାକରଣ ସହଜ ଓ ସରଳ ନୁହେଁ । ଅପରାଧର ପଞ୍ଜିକରଣ ଯଥେଷ୍ଟ ନୁହେଁ, ସମସ୍ୟାର ସମାଧାନ ପାଇଁ ଆଇନସମ୍ମତ ଉପାୟରେ ଦୋଷ ସାବ୍ୟସ୍ତ ମଧ୍ୟ ହେବା ଦରକାର । ‘ମିଛ ଏନକାଉଣ୍ଟର’ ଭଳି ତତକ୍ଷଣାତ୍ ନ୍ୟାୟ ନୁହେଁ, ଆନୁଷ୍ଠାନିକ ଓ ଆଇନଗତ ଉପାୟରେ ମହିଳାଙ୍କ ବିରୋଧରେ ହିଂସାରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ହେଲେ ହିଁ ଅପରାଧକୁ ରୋକାଯାଇ ପାରି । ପୁଣି ଅପରାଧ ନିବାରଣ ପାଇଁ ଉପଯୁକ୍ତ ସାମାଜିକ ପରିସ୍ଥିତି ସୃଷ୍ଟି କରାଯିବା ଉଚିତ । ସମସ୍ୟାଟିର ବହୁ ଭିନ୍ନ ଭିନ୍ନ ଦିଗ ରହିଛି, ତେଣୁ ସମାଧାନ ପାଇଁ ଉଦ୍ୟମ ମଧ୍ୟ ବିଭିନ୍ନ ସ୍ତରରେ ହେବା ଆବଶ୍ୟକ ।
Photo Credit- https://bit.ly/3xZ3x85
Comments
0 comments