ଆମେ ଉଡ଼ିଗଲା ପତର

ମୋର ଜମିକେ ବାର ହଜାର, ତାପରେ ୮୦,୦୦୦ କି ୮୦ଟଙ୍କା ଦେଲା, ମୁଁ ଜାଣିନାଇଁ ପାରିଲି ।ବିସ୍ଥାପିତ ହେଇକି ଅନ୍ୟ ଗୋଟେ ଗାଁ’କୁ ରହିବାକୁ ଗଲି, ସେଠିବି ରହି ନାଇଁ ପାରିଲି । ‘ଲୋକ ଆମକୁ ଘୃଣା କଲେ । ତୁମେ କେନୁ ଉଡ଼ି ଆଇଲା ପତର, ତମକେ ଇନୁ ଜାଗା ନାଇଁଦୂ’

390 Views
25 Min Read

Lowerindra6

ଲୋୟରଇନ୍ଦ୍ର ଯୋଜନାର ବିସ୍ଥାପିତ କଳାକାର ଧନୁ ହଁସ

ନଦୀର ପାଏନ ଯେତେ,ମୋର ଗୀତ ସେତେ

ସରସର ଧରଧର ଝରି ପଡୁଛି … ଦୁଇ ଆଖିର ଧାରା ହୋ ସରକାର .. ନାଇଁ ପାରୁନ ଏ ଧାରକେ ରୋକି

ଡେମ ବାନ୍ଧିକରି ନଦୀର ପାଏନକୁ… ପାରବ ସିନା ଛେକିହୋ ସରକାର .. ନାଇଁ ପାରିଲ ଏ ଧାରକେ ଛେକି

ପୁରଖା ଦିନର… ମାଏଟକୁ ଛାଡି ଚାଲିଜିମୁ ହୋ କେନକେ .. ଦରଗାଁ ବନ୍ଧା ଜୀବନ କନ୍ଦା ନୂଆଗାଁ ନୂଆ ଠାନକେ

କରମ ଫଟା ଉରୁଦ ଫଟା ଭାଙ୍ଗି ଗଲାଣି ଗହକି ହୋ ସରକାର .. ନାଇଁ ପାରୁନ ଏଧାରକେ ଛେକି ..

ଦରଗାଁଖୁଳି ଡେମବାନ୍ଧୁଛି, ସୁନ୍ଦରୀ ତୋର ନଦୀ.. କେନ୍ତା କରମା ବାବୁର ମା,ନାଇଁ ଦିଶୁଛେ ବୁଦ୍ଧି ।

ବିହା ବନ୍ଧନ ହସ୍ତ ଲଗନ, ସବୁ ରହିଗଲା ବାକି ହୋ ସରକାର .. ନାଇଁ ପାରିଲ ଏ ଧାରକେ ରୋକି ।

ମୁଁ ଧନୁ ହଁସ … ଗାଁ ରଘୁପାଲି … ମୁଁ ଗୁଟେ କଲାକାର

ନଦୀର ପାଏନ ଯେତେ,ମୋର ଗୀତ ସେତେ । ଇନ୍ଦର ନଦୀର ଗୀତ ଗାଇଲେ ମୋତେ ସାତ ଦିନ ଲାଗିବା,ସରିବନି । ମୁଁ ଧନୁ ହଁସ । ଗାଁ ରଘୁପାଲି । ମୁଁ ଗୁଟେ କଲାକାର । ନାଟ କୀର୍ତ୍ତନ କରିକରି ଯାହା କମାଣି କରେ, ସେଥିରେ ମୋ ପରିବାର ପୁଷେ । ନୂଆପଡ଼ାନୁ ଅଲ ଓଡ଼ିଶାର ସବୁ ଆଡେ ମୁଁ ମୋର କଲା ପରିବେଷଣ କରୁଛେଁ । ସେଥିପାଇଁ ମୋତେ କେତେ ସାର୍ଟିଫିକେଟ ଓ ମେଡାଲ ମିଳିଛି, ହେଲେ ଏକୁୟାଲରେ ମୋର ଜମି ପଟ୍ଟା ଖଣ୍ଡେ ନାହିଁ । ମୋର ବାପା ନାଁ’ରେ ଅଛି, ମୋତେ ମିଳିନି । ସରକାର ଡେମ ବାନ୍ଧିଲା । ଗାଁ’କେ ବୁଡ଼ିଅଞ୍ଚଳ କରିଦେଲା । ଆମକୁ ବିସ୍ଥାପିତ କଲା ।

ମୋର ଜମିକେ ବାର ହଜାର, ତାପରେ ୮୦,୦୦୦ କି ୮୦ଟଙ୍କା ଦେଲା, ମୁଁ ଜାଣିନାଇଁ ପାରିଲି ।ବିସ୍ଥାପିତ ହେଇକି ଅନ୍ୟ ଗୋଟେ ଗାଁ’କୁ ରହିବାକୁ ଗଲି, ସେଠିବି ରହି ନାଇଁ ପାରିଲି । ‘ଲୋକ ଆମକୁ ଘୃଣା କଲେ । ତୁମେ କେନୁ ଉଡ଼ି ଆଇଲା ପତର, ତମକେ ଇନୁ ଜାଗା ନାଇଁଦୂ’ ।

ଆଗରୁ ସେ ଗାଁ’କେ ଅନେକଥର ମୁଁ ନାଟ କୀର୍ତ୍ତନ କରି ଯାଇଛି, ହେଲେ ମୋତେ ବସାଟେ କରେଇ ନାଇଁଦେଲେ । ଏବେ ଜେନ୍ ଜାଗାକେ ଉଡ଼ି ଯାଇଥିଲୁ, ଆଉଥରେ ଜୁହ୍ନା ଘରକେ ପଲେଇ ଆସିଲୁ । ମୁଁ ଚାଷ କରିକରି କିଛି ନହେଲେ ଥରକେ ୨୦ପକେଟ ଧାନ କମାସିଁ । ଆଉ ୬ମାସ, ଜଙ୍ଗଲ ଉପରେ ଚଲିଯାଉ । ଏବେ ହାତରୁ ସବୁ ଗଲା । ଆମର ଜୀବନ କାନ୍ଦୁଛି । ଆମର ମନର କଥା କାହା ଆଗରେ କହିମୁ । ବୁଡ଼ି ଅଞ୍ଚଳ ଡହଳ ବିକଳ, ଚାନ୍ଦ ସୁରୁଜ ସାକ୍ଷୀ । ମୁଁ ସରକାରକେ ନେହୁରା ହେଉଛି । ମୋତେ ଯେତେ ସାର୍ଟିଫିକେଟ ଆଉ ମେଡାଲ ଦେଇଛନ୍ତି,ସବୁ ନେଇଯାନ୍ତୁ । ମୋତେ ଜମି ପଟ୍ଟା ଖଣ୍ଡେ ଦେଉ । ପଟ୍ଟା ପାଇଲେ ଘର ଡିହଟେ ବନାମି । ରାମ ଭଗବାନ ଝୁପୁଡି ବନାଲା ଭଳିଆ । ଭୁତି କରିଯିବି । ମାଏଟ ବୁହିମି ଆରୁ ପରିବାର ପୁସମି । ଉପାୟ କିଛି ନାହିଁ । ଏଇଟା ୩୧ଖଣ୍ଡ ଗାଁ’ର କଥା । ଆମେ ବିସ୍ଥାପିତ ଲୋକ ବିରୋଧ କଲୁ । ସେତେବେଳେ ମୁଁ ଅନେକ ଗୀତ ବାନ୍ଧି କରି ଗାଇଛି । ଲୋକଙ୍କୁ ଏକାଠି କରିଛି । ଲୋକ ଟିକେ ମୋ ଗୀତକେ ପସନ୍ଦ କରନ୍ତି, ମନୋରଂଜନଟା ଆନ୍ଦୋଳନରେ ବଦଳି ଗଲା । ହଜାର ହଜାର ଲୋକ ଏକାଠି ହେଲେ ।

ଜଣେ ସାଧାରଣ ଲୋକ ଆଉ କଲାକାର ଭିତରେ ଫରକ

ଜଣେ ସାଧାରଣ ଲୋକ ଆଉ କଲାକାର ଭିତରେ ଏତିକି ହିଁ ଫରକ । ସଙ୍ଗୀତରେ ଏମିତି ଗୁଟେ ଶକ୍ତି ଅଛି ଯାହା ପ୍ରତିରୋଧ କରୁଥିବା ବ୍ୟକ୍ତିର ଆଚରଣ ସହ ଜଡ଼ିତ ହୋଇଥାଏ : ଯେଉଁଠି ଜଣେ ବ୍ୟକ୍ତି ତାଙ୍କ ବିଶ୍ୱାସ କିମ୍ବା ବୁଝାମଣା ଅନୁଯାୟୀ ତାଙ୍କ ସ୍ୱାର୍ଥ ବିରୁଦ୍ଧରେ ଘଟୁଥିବା କାର୍ଯ୍ୟକୁ ବିରୋଧ କରେ,ସେତେବେଳେ ତାକୁ ନକାରାତ୍ମକ, ସକାରାତ୍ମକ କିମ୍ବା ସୃଜନଶୀଳ ବୋଲି କହିବା ପାଇଁ, ତାଙ୍କ ପ୍ରତିରୋଧକୁ ଦେଖୁଥିବା ଲୋକଙ୍କ ଧାରଣା ଉପରେ ନିର୍ଭର କରେ । ପ୍ରତିରୋଧର ଅଭିବ୍ୟକ୍ତି ବା ମାଧ୍ୟମ କେବେ ଗୋଟିଏ ବା ସମାନ ହୋଇପାରିବ ନାହିଁ । ଯେତେବେଳେ ଜଣେ ସୃଜନଶୀଳ ବ୍ୟକ୍ତି ପ୍ରତିରୋଧ କରେ, ତାର ଅଭିବ୍ୟକ୍ତିର ରୂପ ସାଧାରଣ ବ୍ୟକ୍ତିଠୁ ଭିନ୍ନ ହୋଇଥାଏ । ଯଥା, ଜଣେ ଗାୟକ,ଚିତ୍ର ଶିଳ୍ପୀ,କବି,ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ତାଙ୍କ ପ୍ରତିରୋଧ ତାଙ୍କ ନିଜସ୍ୱ ଶୈଳୀରେ କରିଥାନ୍ତି । ଆମେ ଦୈନନ୍ଦିନ ଜୀବନରେ ଏହିପରି ଅନେକ ଉଦାହରଣ ପାଇଥାଉ । ସେଇ ଭିତରୁ ଧନୁ ହଁସ ଜଣେ ।

ଯେତେବେଳେ ଲୋୟର ଇନ୍ଦ୍ର ନଦୀବନ୍ଧ ଯୋଜନାରେ ତାଙ୍କୁ ବିସ୍ଥାପିତ ହେବାକୁ ପଡିଲା, ଲୋକ ଅନେକ ସଂଘର୍ଷ କଲେ । ସେମାନଙ୍କର ସଂସ୍କୃତି, ପରମ୍ପରା ସବୁ ଉଜୁଡ଼ି ଗଲା, ଲୋକ ପ୍ରତିବାଦ କଲେ । ଜଣେ ସୃଜନଶୀଳ ମଣିଷ ଭାବେ ଧନୁ ହଁସଙ୍କର ପ୍ରତିବାଦର ଶୈଳୀ ଭିନ୍ନ ଓ ନିଆରା ଥିଲା । ସେ ତାଙ୍କ ଦୁଃଖଯନ୍ତ୍ରଣାକୁ ସ୍ୱର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଉ ଥିଲେ । ଆନ୍ଦୋଳନ ସମୟରେ ରାମକୃଷ୍ଣ ନିଆଲଙ୍କ ସହ ମିଶି ଅନେକ ଗୀତ ସେ ରଚନା କରିଛନ୍ତି । ତାଙ୍କ ଗୀତରେ ବୁଡ଼ି ଅଞ୍ଚଳର ଦୁଃଖ, ଯନ୍ତ୍ରଣା, ସ୍ୱାଧୀନତା, ସାମାଜିକ ଅନ୍ୟାୟ ସବୁ କିଛି ବୁଝି ହେଉଥିଲା । ଏହା ୩୧ ଖଣ୍ଡ ଗାଁ’ର ଲୋକଙ୍କୁ ପ୍ରଭାବିତ କରିଥିଲା ଓ ବିସ୍ଥାପନର ଯନ୍ତ୍ରଣାରେ ମୂକ ପାଲଟି ଯାଇଥିବା ଲୋକଙ୍କୁ ନିଜର ମନର କଥା ପ୍ରକାଶ କରିବାର ଦିଗରେ ଏହା ସହାୟକ ହେଲା । କୁହାଯାଏ, ସଂଘର୍ଷରୁ ସୃଜନଶୀଳତା ଜନ୍ମ ନିଏ ଓ ତାର ବିକାଶ ମଧ୍ୟ ହୋଇଥାଏ ତଥା ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ଜନ ଆନ୍ଦୋଳନଗୁଡିକ ତିଷ୍ଠିରହିବା କଷ୍ଟକର ହୋଇପଡ଼େ । ସେତେବେଳେ ସେ’ତାର ସମସ୍ତ ଶକ୍ତି, ତା’ର ଗୀତ, ସଙ୍ଗୀତ ଓ କବିତାରୁ ପାଇଥାଏ । ଇତିହାସ ପୃଷ୍ଠାକୁ ଗଲେ ଏହାର ଅନେକ ଉଦାହରଣ ଆମେ ପାଇପାରିବା ।

ଦକ୍ଷିଣ ଆଫ୍ରିକାରେ ଆପାରଥାଇଡ୍ (ବର୍ଣ୍ଣବୈଷମ୍ୟ)ଶାସନ ୧୯୪୮ ମସିହାରେ ଆରମ୍ଭ ହୋଇଥିଲା ଏବଂ ୧୯୯୪ ପଯ୍ୟନ୍ତ ଚାଲିଲା । ଏଥିରେ ଧଳା ସର୍ବୋଚ୍ଚତା ଏବଂ ସମସ୍ତ ରାଜନୈତିକ ଶକ୍ତି ଧଳା ସଂଖ୍ୟାଲଘୁଙ୍କ ହାତରେ ଥିଲା । ଦକ୍ଷିଣ ଆଫ୍ରିକା ମଧ୍ୟରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଆନ୍ଦୋଳନରେ ଏବଂ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ବିରୋଧ କରିବାରେ ସଙ୍ଗୀତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ବର୍ଣ୍ଣବୈଷମ୍ୟକୁ ବିରୋଧ କରୁଥିବା ଗୀତଗୁଡିକରେ ସଚେତନତା, ଆନ୍ଦୋଳନ ପାଇଁ ସମର୍ଥନ,ଏକତା ଗଠନ ଓ ଭବିଷ୍ୟତରେ ଦକ୍ଷିଣ ଆଫ୍ରିକା ସଂସ୍କୃତିର ଏକ ବିକଳ୍ପ ଦୃଷ୍ଟିକୋଣକୁ ଉପସ୍ଥାପନା କରୁଥିଲା । ଏହି ସଂଗୀତର ଗୀତିକାର, ବିଷୟବସ୍ତୁ ଏବଂ ସ୍ୱର ଆନ୍ଦୋଳନରେ ସୃଷ୍ଟି ହୋଇଥିବା ପରିବେଶକୁ ପ୍ରତିଫଳିତ କରିଥିଲା । ଆପାରଥାଇଡ୍ ଆରମ୍ଭ ହେବାପରେ, ଯେଉଁ ନୂଆ ଆଇନ ତିଆରି ହେଲା ଏବଂ ବଳପୂର୍ବକ ସ୍ଥାନାନ୍ତର ଭଳି ସମସ୍ୟାକୁ ୧୯୫୦ଦଶକର ବିରୋଧୀ ସଂଗୀତରେ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା । ୧୯୬୦ରେ ଶାରପେଭିଲ୍ ହତ୍ୟାକାଣ୍ଡ ଏବଂ ଅନେକ ନେତାଙ୍କୁ ଗିରଫ ଓ ନିର୍ବାସିତ କରିବା ପରେ ଏହି ଗୀତଗୁଡ଼ିକ ଧୀରେ ଧୀରେ ହ୍ରାସ ପାଇଲା । ଆନ୍ଦୋଳନର ବ୍ୟାପକତା ଏତେ ତୀବ୍ର ଥିଲାଯେ, ସଂଘର୍ଷରୁ ସୃଷ୍ଟି ହୋଇଥିବା ଗୀତ ଗୁଡିକର ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଗଲା ।

“ସୋଏଟୋ ବ୍ଲୁଜ୍’ ଭଳି ଗୀତଗୁଡ଼ିକ ଆପାରଥାଇଡ୍ ସରକାରଙ୍କୁ ଅଧିକ ଅଡୁଆରେ ପକାଇଲା । ଦକ୍ଷିଣ ଆଫ୍ରିକା ମଧ୍ୟରେ ଆପାରଥାଇଡ୍ ବିରୋଧୀ ସଂଗୀତକୁ ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍, ସେନ୍ସରସିପରେ ମଧ୍ୟ ପ୍ରତିବନ୍ଧକ ଲଗାଇଲେ । ସରକାରଙ୍କୁ ବିରୋଧ କରୁଥିବା ସଂଗୀତଜ୍ଞମାନେ ଧମକ, ନିର୍ଯାତନା ଏବଂ ଗିରଫଦାରୀର ଶିକାର ହେଲେ । ଅନ୍ୟ ଦେଶର ପ୍ରତିଷ୍ଠିତ ସଂଗୀତଜ୍ଞମାନେ ମଧ୍ୟ ଆପାରଥାଇଡ୍ ପ୍ରତିରୋଧରେ ଅଂଶଗ୍ରହଣ କଲେ । ମରିୟମ୍ ମାକେବା ଏବଂ ହଗ୍ ମାସେକେଲାଙ୍କ ପରି ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ସଂଗୀତଜ୍ଞମାନେ ମଧ୍ୟ ଆପାରଥାଇଡ୍ ସମାଲୋଚନା କରି ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଏହି ସଂଗୀତ ପାଶ୍ଚାତ୍ୟ ଲୋକପ୍ରିୟ ସଂସ୍କୃତି ଉପରେ ବିଶେଷ ପ୍ରଭାବ ପକାଇଥିଲା । ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ, ଦକ୍ଷିଣ ଆଫ୍ରିକା ମଧ୍ୟରେ ଆପାରଥାଇଡ୍ ବିରୋଧୀ ସଂଗୀତ ଯଦିଓ ଏହା ବିଶ୍ୱସ୍ତରରେ କମ୍ ଧ୍ୟାନ ଆକର୍ଷଣ କରିଥିଲା,କିନ୍ତୁ ଦକ୍ଷିଣ ଆଫ୍ରିକା ସରକାରଙ୍କ ଉପରେ ଚାପ ପକାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସେହିପରି ଫେଲା କୁଟି (ଫେଲା ଆନିକୁଲାପୁ କୁଟି) ନାଇଜେରିଆର ଜଣେ ପ୍ରସିଦ୍ଧ ସଂଗୀତଜ୍ଞ, ବ୍ୟାଣ୍ଡଲିଡ,ର୍ ସଙ୍ଗୀତ ସଂଯୋଜକ, ସାମାଜିକ କର୍ମୀ ଏବଂ ପାନ୍-ଆଫ୍ରିକୀୟ ଥିଲେ । ତାଙ୍କୁ ଆଫ୍ରୋବିଟ୍ (ତାଙ୍କ ସଙ୍ଗୀତର ଶୈଳୀ)ର ଅଗ୍ରଦୂତ ଭାବରେ ବିବେଚନା କରାଯାଏ । ଏହା ନାଇଜେରିଆର ଏକ ସଂଗୀତ ଧାରା ଯାହା ପଶ୍ଚିମ ଆଫ୍ରିକୀୟ ସଙ୍ଗୀତକୁ ଆମେରିକୀୟ ଫଙ୍କ୍ ଏବଂ ଜାଜ୍ ସହିତ ତୁଳନା କରାଯାଏ । ସେ ଆଫ୍ରିକାର ଅନ୍ୟତମ “ଚ୍ୟାଲେଞ୍ଜିଂ ସଂଗୀତ ଅଭିନେତା’ ଭାବରେ ପରିଚିତ । ତାଙ୍କ ସଙ୍ଗୀତକୁ ସାମାଜିକ-ରାଜନୈତିକ ସ୍ୱର ଭାବରେ ବିବେଚନା କରାଯାଏ । କୁଟି ୧୯୭୦ଦଶକରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆଫ୍ରିକାରେ ସକ୍ରିୟ ରାଜନୈତିକ ଦଳସହ ଜଡ଼ିତ ଥିଲେ । ସେ ନାଇଜେରିଆ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ନାଇଜେରିଆ ନାଗରିକଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ତାଙ୍କ ସଙ୍ଗୀତ ମାଧ୍ୟମରେ ସମାଲୋଚନା କରୁଥିଲେ । ତାଙ୍କୁ ୨୦୦ରୁ ଅଧିକ ବିଭିନ୍ନ ସମୟରେ ଗିରଫ କରାଯାଇ ଥିଲା । ସେ ଜେଲରେ ଥିବା ସମୟରେ ଦୁର୍ନୀତିଗ୍ରସ୍ତ ସରକାର କୁଟି, ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ପୋଲିସଦ୍ୱାରା ମାଡ଼ ମରାଇଲେ । ତାଙ୍କ ରେକର୍ଡିଂ, ବାଦ୍ୟଯନ୍ତ୍ର ସବୁ ନଷ୍ଟ କରିଦେଲେ । ଏଥିରେ ଅନୁମାନ କରାଯାଇ ପାରେ ଯେ ଦକ୍ଷିଣଆଫ୍ରିକା ବାହାରେ ସାମାଜିକ-ରାଜନୈତିକ ଅତ୍ୟାଚାର ବିରୋଧରେ ପ୍ରତ୍ୟେକ ସଂଗ୍ରାମରେ ସଙ୍ଗୀତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ନାଗରିକ ଅଧିକାର ଆନ୍ଦୋଳନର ଗୀତ ‘we shall overcome’ ଠାରୁ ଆରମ୍ଭ କରି ଜାମାଇକର ‘ରକର୍ସ’ ସଂଗୀତ ପର୍ଯ୍ୟନ୍ତ, ଓ ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ରବୀନ୍ଦ୍ରନାଥ ଟାଗୋରଙ୍କର ‘ଏକଲା ଚଲୋରେ’ଠାରୁ ମନମୋହନ ମିଶ୍ରଙ୍କର ‘ଏହା ଆସୁଛି ଆଉ ଆସିବ’ କବିତାପର୍ଯ୍ୟନ୍ତ । ନାରାୟଣପାଟଣା ଜମି ଆନ୍ଦୋଳନର ଗୀତ ‘ଜୁହାରିଲୁ ଓ ଲାଲା ଲାଲ ସଲାମ’ଠୁ ନିୟମଗିରି ବେଦାନ୍ତ ବିରୋଧୀ ଆନ୍ଦୋଳନ ‘ସପୁରି ସପୁରି ଷାଣା’ଯାଏ ଓ କାଶିପୁରର ଉକ୍ରଳ ଆଲୁମିନା ବିରୋଧୀ ଆନେ୍ଦାଳନର ଭଗବାନ ମାଝିଙ୍କ ଗୀତ ‘ଗାଁ ଛାଡିବା ନାହିଁ’ ପର୍ଯ୍ୟନ୍ତ ଏମିତି କୌଣସି ପ୍ରତିରୋଧ ଆନ୍ଦୋଳନ ନାହିଁ, ଯେଉଁଥିରେ ସଙ୍ଗୀତର ଶକ୍ତିକୁ କୌଣସି ରୂପରେ ବ୍ୟବହାର କରାଯାଇ ନାହିଁ । ସଂଗୀତ ଉଭୟ ଅଭିବ୍ୟକ୍ତି ଏବଂ ସଂସ୍କୃତିର ସମାଲୋଚକ ଭାବରେ କାର୍ଯ୍ୟ କରିପାରିବ ।

ପାଏନ ତଳର ଜୁଏ ଓ ପଶ୍ଚିମ ଓଡ଼ିଶାରେ ହୀରାକୁଦ ଆନ୍ଦୋଳନ

ପରିବର୍ତ୍ତନକୁ ସୂଚନା ଦେବା, ପ୍ରଭାବିତ କରିବା ଓ ପ୍ରବର୍ତ୍ତାଇବା ପାଇଁ ଏହାର ସାମର୍ଥ୍ୟ ଯଥେଷ୍ଟ, ଯାହା ସମାନ ଭାବେ ‘ପାଏନ ତଳର ଜୁଏ’ ଗୀତରୁ ମଧ୍ୟ ଜଣାଯାଏ । ପଶ୍ଚିମ ଓଡ଼ିଶାରେ, ହୀରାକୁଦର ପାଣିକୁ ଚାଷୀଙ୍କୁ ନଦେଇ କମ୍ପାନୀକୁ ଦିଆଯିବାକୁ ବିରୋଧ କରି ୨୬ ଅକ୍ଟୋବର ୨୦୦୬ରେ ୨୦,୦୦୦ରୁ ଅଧିକ କୃଷକ ଡ୍ୟାମ ଚାରିପଟେ ୨୦ କିମି. ଲମ୍ବର ଏକ ମାନବ ଶୃଙ୍ଖଳ ଗଠନ କରିଥିଲେ । ସେତେବେଳେ, ପଞ୍ଚାନନ ପଧାନଙ୍କ ଦ୍ୱାରା ଲିଖିତ ଗୀତ ‘ସରକାର ହୋ ସରକାର’ ଓ ପାଏନ ତଳର ଜୁଏର ସବୁ ଗୀତ, ଲକ୍ଷଲକ୍ଷ ଚାଷୀଙ୍କୁ ପ୍ରଭାବିତ କରିଥିଲା । ଏବେ ଲୋୟର ଇନ୍ଦ୍ର ଆନେ୍ଦାଳନରେ ଧନୁ ହଁସଙ୍କ ଗୀତରେ ସେଇ ସମାନ ପ୍ରଭାବ ଦେଖିବାକୁ ମିଳିଛି: ସେଦିନ ପ୍ରକଳ୍ପ ନିର୍ଦେଶକଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିବା ଲୋକଙ୍କୁ ଦେଖିଲେ ଜଣାପଡ଼ୁଥିଲା । ଲୋକେ ଶୀତରାତିରେ ଖୋଲା ଆକାଶ ତଳେ ପଡ଼ି ରହିଥାନ୍ତି, ନିଜ ନୂଆ ଠିକଣା ଅନ୍ୱେଷଣରେ । ସେତେବେଳେ ମନେପଡି ଯାଉଥିଲା ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ହୀରାକୁଦ ନଦୀବନ୍ଧ ଶୁଭାରମ୍ଭ ସମୟରେ ଦେଇଥିବା ଅଭିଭାଷଣ “if you are to suffer, you should suffer in the interest of the country” ଯଦି ତୁମକୁ କଷ୍ଟ ସହିବାର ଅଛି ତେବେ ସେ ଯନ୍ତ୍ରଣା ତୁମେ ଦେଶ ହିତରେ ଭୋଗ । ଦୀର୍ଘ ୨୨ବର୍ଷ ହେଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଆଖିରୁ ଲୁହ ଶୁଖିନି ।

Lowerindra5

୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ଆସିଥିଲେ । ଦାଦନ,ଶିଶୁ ବିକ୍ରି ଓ ଅନାହାର ଭଳି ସମସ୍ୟାକୁ ଏଡାଇବା ଏବଂ ନୂଆପଡ଼ା ଜିଲ୍ଲାର ବିକାଶକୁ ଦୃଷ୍ଟିରେ ରଖି ସେଇ ସମୟରୁ ଏଠି ଡ୍ୟାମର ପରିକଳ୍ପନା କରାଯାଇଥିଲା । ବସନ୍ତ ବିଶ୍ୱାଳ ଥିଲେ ଜଳସମ୍ପଦ ମନ୍ତ୍ରୀ ଥିବାବେଳେ, ତାଙ୍କ ଦ୍ୱାରା LIIP (ଲୋୟର ଇନ୍ଦ୍ର ଇରିଗେସନ ପ୍ରୋଜେକ୍ଟ) ର ଉଦଘାଟନ ହୋଇଥାନ୍ତା । ଇଲେକସନ୍ କୋଡ୍ ଅଫ କଣ୍ଡକ୍ଟ ଲାଗୁ ହେଲା । ସରକାର ପରିବର୍ତ୍ତନ ହେଲା । ମେ ୫,୨୦୦୦ ମସିହାରେ, ବିଜେଡ଼ି ସରକାର ନେତୃତ୍ୱରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଓ ମେ ୭ରେ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଶିଳାନ୍ୟାସ କଲେ । ମହାନଦୀ ଅବବାହିକାର ତେଲନଦୀର ଏକ ପ୍ରମୁଖ ଉପନଦୀ ଇନ୍ଦ୍ରନଦୀ ଯାହା ଦରଗାଁ ନିକଟରେ ସୁନ୍ଦରୀ ନଦୀକୁ ସଂଯୋଗ କରିଛି । ସେଇଠାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା- ଯାହାର କ୍ଷେତ୍ର ପ୍ରାରମ୍ଭରେ ୧୦୯୩ ବର୍ଗ କିଲୋମିଟର ଥିଲା । ସ୍ଥାନୀୟ ଲୋକ ଏହି ପ୍ରକଳ୍ପକୁ ବିରୋଧ କଲେ । ସ୍ଥାନୀୟ ବିଧାୟକ ସେମାନଙ୍କ ସହ ଆଲୋଚନା କରି କହିଲେ,ପଶ୍ଚିମ ଓଡ଼ିଶାରେ ଗୋଟେ ବଡ଼ ବିକାଶ ହେବାକୁ ଯାଉଛି, ସେଥିରେ ତୁମକୁ ତୁମ ଜାଗା ଜମି ହରେଇବାକୁ ପଡ଼ିବ । ଜମି ବଦଳରେ ଜମି ଓ ଘର ବଦଳରେ ଘର ଦିଆଯିବ । କୌଣସି ଅସୁବିଧା ହେବନାହିଁ । ସେତେବେଳେ ସତ୍ୟବ୍ରତ ସାହୁ ନୂଆପଡ଼ା ଜିଲ୍ଲାପାଳ ଥିଲେ । ତାଙ୍କ ପ୍ରତିଶୃତି ହିସାବରେ, ମୁଣ୍ଡ ପିଛା (୧୮ବର୍ଷରୁ ଅଧିକ) ଜମି ୪ଏକର, ଘରଡିହ ୨୦ଡିସମିଲ, ଘର ତିଆରିରେ ସହାୟତା, ରହିବା ଲାଗି କଲୋନୀ, ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ବେକାର ଶିକ୍ଷିତ ଶିକ୍ଷତାଙ୍କୁ ନିଯୁକ୍ତି ଓ ପ୍ରତ୍ୟେକ ପରିବାରରୁ ଜଣେ ଲେଖା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି ଦିଆଯିବ ।

ସବୁ ଲୋକମାନଙ୍କୁ ଠିକ ଜାଗାରେ ଥଇଥାନ କରିବୁ । କ୍ଷତିପୂରଣ ଶହ ଗଛଖୁଣ୍ଟର ପଇସା ମଧ୍ୟ ଦେବୁ । ଲୋକ ଭାବିଲେ, ଆମେ ତ ସରକାର ସଙ୍ଗେ ଲଢ଼ି ପାରିବୁନି । ପଥର ସଙ୍ଗେ ଢେଲ ଭଳିଆ କଥା । ଲୋକ ରାଜିହେବା ଲାଗି ବାଧ୍ୟ ହେଲେ । ଜମି ଅଧିଗ୍ରହଣ ସରିଗଲା । ଜମି ବଦଳରେ ଜମି ଆଉ ମିଳିଲା ନାହିଁ । ପ୍ରତିବଦଳରେ ଟଙ୍କା ନେବାକୁ କୁହାଗଲା ।ଲୋକେ ଟଙ୍କା ପାଇଁ ଜମି ସହ ସୌଦା କଲେ ନାହିଁ । ସେମାନେ କହିବା ଅନୁସାରେ, ତାଙ୍କ ବାପ ଅଜାଙ୍କଠୁ ହୀରାକୁଦ ଓ ରେଙ୍ଗାଲି ବିସ୍ଥାପିତଙ୍କ କଥା ଶୁଣିଛନ୍ତି । ଆଜି ପର୍ଯ୍ୟନ୍ତ ସେମାନେ କ୍ଷତିପୂରଣ ଠିକ୍ରେ ପାଇପାରିଲେ ନାହିଁ । ସରକାର ତାଙ୍କ ଦୁଃଖସୁଖ କିଛିବି ବୁଝିଲେନି । ଏବେ ସେମାନେ ଯାଯାବର ଭଳି ଜୀବନ ବିତାଉଛନ୍ତି । ଆମର ମଧ୍ୟ ସେଇ ସମାନ ଅବସ୍ଥା ହେବ । ସେଥିପାଇଁ ଆମେ ଚାହୁଁଛୁ ଜମି ବଦଳରେ ଜମି ଓ ଘର ବଦଳରେ ଘର । ଜିଲ୍ଲା ପ୍ରଶାସନ କହିଲେ ଟଙ୍କା ନିଅ । ନହେଲେ ଆମେ ସେ ଟଙ୍କା କୋର୍ଟରେ ଜମା କରିଦେବୁ । ପରେ ତୁମର ବହୁତ ଅସୁବିଧା ହେବ । ଆପତ୍ତି ଅଭିଯୋଗ ଥାଇକି ଲୋକ ଟଙ୍କା ଗ୍ରହଣ କଲେ । ଜମିର କିସମ ହିସାବରେ ଲୋକଙ୍କୁ ଅର୍ଥ ମିଳିଲା । ଆଁଟକୁ ୧୨୦୦୦, ବେର୍ଣ୍ଣାକୁ ୧୬୦୦୦,ବାହାଲକୁ ୨୫୦୦୦ ଦେଲେ । ସେ ଅଞ୍ଚଳରେ ଜମି କିଣିବା ଲୋକ ବଢ଼ିଗଲେ । ବିକ୍ରି କରିବା ଲୋକ ମନମୁତାବକ ଜମିର ଦାମ ବଢ଼େଇ ଚାଲିଲେ । ଯୋଉ ଜମିର ଭାଲୁଏସନ ଏକର ପିଛା ୫୦,୦୦୦ରୁ ୬୦,୦୦୦ ହଜାର ଥିଲା, ତତ୍କ୍ଷଣାତ୍ ଦୁଇରୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ହୋଇଗଲା । ଲୋକ ନେବାକୁ ବାଧ୍ୟ ହେଲେ । ଯେଉଁମାନେ ଗୋଟିକିଆ ପରିବାର ଥିଲେ, ସେମାନେ ଜମି କିଣିପାରିଲେ ନାହିଁ । ଯେଉଁମାନଙ୍କର ଯୌଥ ପରିବାର ଥିଲା ସେମାନେ, ଏକରେ ଦୁଇ ଏକର କିଣି ପାରିଲେ, ଜମି ସିନା ନେଲେ କିନ୍ତୁ ଘର ତିଆରି କରିବା ପାଇଁ ପଇସା ଅଣ୍ଟିଲାନି ।

Lowerindra1 Lowerindra2 Lowerindra3 Lowerindra4

୧୨୦୦ କୋଟି ଟଙ୍କାର ପ୍ରୋଜେକ୍ଟ,୧୨ବର୍ଷ ଭିତରେ ଲୋକଙ୍କୁ ଅନେକ ଦୁଃଖଯନ୍ତ୍ରଣା ଦେଲା

ସରକାର ୩ଟି ପ୍ୟାକେଜରେ ଲୋକଙ୍କୁ ଟଙ୍କା ଦେଲେ । ଗୋଟେ ପରିବାରରେ ଜଣକୁ ୧୯୯୪ ପଲିସି ହିସାବରେ ୮୧୦୦୦ ଟଙ୍କାଦେଲେ, ତା’ ପୁଅକୁ ୨୦୦୬ ପଲିସି ହିସାବରେ ୫ଲକ୍ଷ ଟଙ୍କା ଦେଲେ । ଗୋଟିଏ ପରିବାରରେ ଦୁଇ ଜଣଙ୍କୁ ଭିନ୍ନଭିନ୍ନ ପଲିସି ହିସାବରେ ଟଙ୍କା ଦିଆଗଲା । ଯେଉଁଥିଲାଗି ବାପା ଓ ପୁଅ ଭିତରେ ଝଗଡ଼ା ଆରମ୍ଭ ହେଇଗଲା । ସେମାନେ ଅଲଗା ହୋଇଗଲେ । ସେମାନଙ୍କୁ ଏକାଠି ରଖିବାରେ ଏକ ମାତ୍ର ମାଧ୍ୟମ ଥିଲା ଜମି । ଆରମ୍ଭରେ ବିସ୍ଥାପିତଙ୍କ ସଂଖ୍ୟା ୧୪୬୦ ବୋଲି ଆକଳନ କରାଯାଇଥିଲା । ୨୦୦୨ରେ ଯେତେବେଳେ ଏହି ପ୍ରକଳ୍ପ ବିସ୍ଥାପିତ ଲୋକଙ୍କୁ ପୁନଃ ଥଇଥାନ ସହାୟତା ପ୍ରଦାନ ଆରମ୍ଭ କଲା, ସେତେବେଳେ ଏହାର ସଂଖ୍ୟା ୨୯୩୭କୁ ବୃଦ୍ଧି ପାଇଲା । ଏହି ବିସ୍ଥାପିତ ଲୋକଙ୍କୁ୧୯୯୪ R&R( Rehabilitation and Resettlement)) ପଲିସି ଅନୁଯାୟୀ ବିସ୍ଥାପିତ କରାଯାଇଥିଲା ।ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ହେତୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଲା ଏବଂ ପରବର୍ତ୍ତୀ ସମୟରେ ପ୍ରାୟ୨୦୦୦ ବିସ୍ଥାପିତଙ୍କ ଯୋଗଦାନ ହୋଇଥିଲା । ଏହି ସମୟରେ R&R ନୀତି ବଦଳିଗଲା ଏବଂ ୨୦୦୬ R&R ପଲିସି ଅନୁଯାୟୀ, ନୂତନ ବିସ୍ଥାପିତ ଲୋକମାନେ ସେମାନଙ୍କ ପୂର୍ବ ଅପେକ୍ଷା ପାଞ୍ଚ ଗୁଣ ଅଧିକ ଅର୍ଥ ପାଇଲେ । ଯେଉଁମାନେ ୨୦୦୬ ପୂର୍ବରୁ ଟଙ୍କାନେବାକୁ ରାଜି ହୋଇଥିଲେ, ସେମାନଙ୍କ ପାଇଁ ଏହା ଏକ ଅନ୍ୟାୟ ବୋଲି ୧୯୯୪ ନୀତି ଅନୁଯାୟୀ ପ୍ରାୟ ୮୧୦୦୦ ସହାୟତା ପାଇଥିବା ଲୋକ ମାନେ କୁହନ୍ତି । ଝାଲକୁସୁମ ଗାଁ’ର ଛବିଲା ଚିନ୍ଦାତ କହିବା ଅନୁସାରେ ‘ଡେମ ନହେଇଥିଲା ବେଳେ ଆମେ କରେଲ, କନ୍ଦା, କୁଲିଆ, ଧାନ ଏମିତି କେତେକଣ ଚାଷ କରି ଆନନ୍ଦରେ ଖାଉଥିଲୁ । ଶରୀର ମଜଭୁତ ଥିଲା । ସକାଳୁ ଯିବୁ ଜଙ୍ଗଲକେ । ଦୁଇ ପହରକେ ଆସମୁଁ । ଘରେ ବାସିଥିର(ପେଜ) ଥିବା, ଟିକେ ପିଦେଲେ ଆମର ଶାନ୍ତି । ଏବେ ସବୁ ଗଲା । ସରକାର ମୋର ଜମିକେ, ଏକର ପିଛା ୨୫୦୦୦ ଟଙ୍କା ଦେଲା । ଏବେ ରେଜିଷ୍ଟ୍ରେଶନ ଖର୍ଚ୍ଚ ଲକ୍ଷେ ଟଙ୍କା ।

ଆମେ ବାହାର ଜାଗାରେ ଜମି ଖଣ୍ଡେ ଘିନି ପାରମୁ? ମୋର ତିନିଟା ପିଲା, ଗୋଟେ ଝିଅ, ବିହା ବଋ କନୁ, ଲାଗବଡି ଥିଲା(ଧାର ଉଧାର) ସେଥିରୁ ମୁକୁଳିଲୁ, ପଇସା ଜିନିଷ ଥିସି କି?”ପରିବାର ଗଲା, ଜୀବନ ଜୀବିକା ସବୁ ଉଜୁଡି ଗଲା । ଆଜି ଯଦି ସେମାନଙ୍କ ସାମନାକୁ ଆଉ କିଛି ପ୍ରକଳ୍ପ ଆସେ, ତାହେଲେ ସେମାନେ ନିଶ୍ଚୟ ବିରୋଧ କରିବେ । ରାଜ୍ୟ ତଥା ଦେଶରେ କିଛିବି ବିକାଶ ପ୍ରକଳ୍ପ ହେଲେ ଜନ ଅସନ୍ତୋଷ ହେବାର ମୂଳକାରଣ ସରକାରଙ୍କର ଏହି ମନମୁଖୀ ନୀତି, ଦାୟିତ୍ୱହୀନତା ଓ ଜନମାରଣ କାର୍ଯ୍ୟ । ଲୋୟରଇନ୍ଦ୍ର ପ୍ରକଳ୍ପରେ ୩୩ଟି ଗାଁ ବିସ୍ଥାପିତ ହେଲା । ହଜାର ହଜାର ଲୋକଙ୍କର ପରିବାର ଛାରଖାର ହୋଇଗଲା । ସରକାରୀ ରିପୋର୍ଟ୍ ଅନୁଯାୟୀ ୩୦ଟି ଗାଁ’ର ୬୧୮୧ଜଣ ଲୋକ ବିସ୍ଥାପିତ ହେଲେ । ସେଥିରୁ ଆଦିବାସୀଙ୍କ ସଂଖ୍ୟା ହେଲା ୨୨୨୪ । ୧୦୪୨ ହେକ୍ଟର ଜଙ୍ଗଲ ନଷ୍ଟ ହେଲା । ଜଙ୍ଗଲ ଓ ଜଙ୍ଗଲ ଜମିରେ ଚାଷ କରି ବଞ୍ଚୁଥିବା ଲୋକ, ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ମୁଣ୍ଡ ପିଛା ୪ହେକ୍ଟର ପର୍ଯ୍ୟନ୍ତ ଜମି ପଟ୍ଟା ପାଇବା ପାଇଁ ହକଦାର ଥିଲେ ଏବଂ ତାଙ୍କ ଆଗାମୀ ୭ ପୁରୁଷ, ସେଥିରେ ପ୍ରତିପୋଷଣ ହୋଇଥାନ୍ତେ । ୮୮୮ ହେକ୍ଟର ଚାଷଜମି ପାଣିରେ ବୁଡ଼ିଲା । ବିକାଶର ନାରେ ସମସ୍ତେ ବଳିପଡିଲେ । ୨୧ଟି ଗାଁ ଆଂଶିକ ଓ ୧୦ଟି ଗାଁ ସମ୍ପୂର୍ଣ ବୁଡ଼ି । ସମୁଦାୟ ୩୧ଖଣ୍ଡ ଗାଁ ବିସ୍ଥାପିତ ହେଲେ । କାଲିମାଟି ଗାଁ’ରେ ୨୩୦୦ ଏକର ଚାଷ ଜମି ଥିଲା ।୧୧୬୪ ଏକର ବ୍ୟକ୍ତିଗତ ଓ ବାକି ସରକାରୀ ଜମି । ଯାହା ଲୋକଙ୍କ ଦଖଲରେ ବାପ ପୁରୁଷା ଅରଜି କରି ଲୋକ ଚାଷକରି ଆସୁଥିଲେ । ୨୨୦୦ ମହୁଲ ଗଛ, ତା’ ସହ ଆମ୍ବ ଗଛ ମଧ୍ୟ ଥିଲା । ଜଣେ ଲୋକ ବର୍ଷରେ ଏକ କୁଇଣ୍ଟାଲ ମହୁଲ ବିକିଲେ ତାକୁ ୨୦୦୦ ଟଙ୍କା ପାଏ । ହଜାର ହଜାର ଟଙ୍କାରେ ଆମ୍ବ ବିକ୍ରିହୁଏ । ଆଠବର୍ଷ ହିସାବରେ ମାତ୍ର ୧୦ରୁ୧୫ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ମିଳିଲା । OFDC ସବୁ ଗଛ କାଟିନେଲା । ଜମିର ଭେଲୁଏସନ ୨୦୦୦ ମସିହାରେ ଏକ ଏକରକୁ ୧ଲକ୍ଷ ୮୫,୦୦୦ ବିକ୍ରି ସେଲଡିଡ ଥିଲା ।

ସେଇ ସମୟରେ ଲୋକଙ୍କୁ ୧୦,୦୦୦ରୁ ୧୫,୦୦୦ ଏକର ପ୍ରତି ଦିଆଗଲା । ବିରୁଦ୍ଧରେ ଲୋକ କୋର୍ଟରେ କେସ ଫାଇଲ କଲେ । ନୂଆପଡ଼ା ଲୋୟର କୋର୍ଟ ମଧ୍ୟ ଲୋକଙ୍କ ସପକ୍ଷରେ ରାୟ ଦେଲେ । କାଲିମାଟିର ଗାଁ’ରେ(ସମ୍ପୂର୍ଣ ବୁଡ଼ି ଗାଁ)୭୦୦ ବିସ୍ଥାପିତ ପରିବାର ଅଛନ୍ତି । ଜଣକା ୧୫ରୁ ୨୦ଏକର ଜମି ହରେଇଛନ୍ତି । ସରକାର ଯେଉଁ ଟଙ୍କା ଦେଲେ ସେଥିରେ ମାତ୍ର ୫୩୫ ଏକର ଚାଷ ଜମି ବିଭିନ୍ନ ଗାଁ’ରେ ସେମାନେ କିଣି ପାରିଛନ୍ତି । ଗୋଟେ ପରିବାର ପ୍ରତି କେତେ ଜମି ଭାଗ ପଡିଲା? ଏହି ପ୍ରକଳ୍ପରେ ବିସ୍ଥାପିତ ଲୋକଙ୍କୁ କୌଣସି ଘର କିମ୍ବା କୃଷି ପାଇଁ ଜମି ଯୋଗାଇ ଦିଆଯାଇ ନାହିଁ । ସେମାନଙ୍କୁ କିଛି ଟଙ୍କା ଦେଇ ଜମି ଖୋଜିବାକୁ ଛାଡ଼ି ଦିଆଗଲା । ନିତ୍ୟାନନ୍ଦ ପ୍ରଧାନ, ସଭାପତି LIBSS (ଲୋୟର ଇନ୍ଦ୍ର ବିସ୍ଥାପିତ ସୁରକ୍ଷା ସମିତି) ଙ୍କ କହିବା ଅନୁସାରେ “କିଛି ବିସ୍ଥାପିତ ଲୋକ ସେମାନଙ୍କର ସମସ୍ତ ଟଙ୍କା ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାତାୟାତ କରିବା ଏବଂ ଜମି ମାଲିକମାନଙ୍କୁ ଜମି କିଣିବା ପାଇଁ ରାଜି କରିବାରେ ଖର୍ଚ୍ଚ କରିଛନ୍ତି । ଝାଲକୁସୁମ ଓ କାଲିମାଟି ସମ୍ପୂର୍ଣ ଜଳମଗ୍ନ ହେବ । ଏହି ଗ୍ରାମଗୁଡ଼ିକ ହେଉଛି ଡାଲି,ବିଭିନ୍ନ ପ୍ରକାର ଶସ୍ୟ, ମିଠା ଆଳୁ,କଦଳୀ,ବାଦାମ ଏବଂ ପନିପରିବା ଭଳି ବିଭିନ୍ନ ଫସଲ ଚାଷ ପାଇଁ ପ୍ରସିଦ୍ଧ । କାଲିମାଟି ପୋଟଳ ପାଇଁ ଜିଲ୍ଲାରେ ପ୍ରସିଦ୍ଧ । ପୋଟଳକୁ ରାୟପୁର, ଖରିଆର ଏବଂ ଭବାନୀପାଟନାକୁ ରପ୍ତାନି କରାଯାଉଥିଲା । କିନ୍ତୁ ଡ୍ୟାମ୍ ସବୁକିଛି ନଷ୍ଟ କରିଦେଲା । ଲମ୍ବିପାଣି ଗାଁ (ସମ୍ପୂର୍ଣ ବୁଡି ଗାଁ) ଲୋକେ ସମ୍ପୂର୍ଣ୍ଣ ଜଙ୍ଗଲ ଓ ଚାଷ ଉପରେ ନିର୍ଭର କରନ୍ତି । କେନ୍ଦୁପତ୍ର ତାଙ୍କର ରୋଜଗାରର ଏକ ବଡ଼ ମାଧ୍ୟମ ଥିଲା । ଯୁବକଠୁ ବୁଢ଼ାବୁଢ଼ୀ ସମସ୍ତେ ରୋଜଗାରକ୍ଷମ ଥିଲେ ।

Capture

ବିସ୍ଥାପିତଙ୍କ ଦୁରାବସ୍ଥା

ବିସ୍ଥାପନର କ୍ଷୟକ୍ଷତି କେବେ ବି ପୂରଣ ହୋଇପାରେନା । ୧୨ ବର୍ଷରେ ୧୨୦୦ କୋଟି ଟଙ୍କା ଚାଲିଗଲା । ଗୋଟେ ଚାଷୀ ଲାଗି ଆଉ ଗୋଟେ ଚାଷୀ ଯେଉଁ ତ୍ୟାଗ କଲା, ପ୍ରତିବଦଳରେ ସେ’କଣ ପାଇଲା? ବିକାଶ ପ୍ରସଙ୍ଗରେ ଗଣମାଧ୍ୟମ ଗୁଡିକରେ ବିତର୍କ ହୁଏ ଯେ, ଆଦିବାସୀ ଓ ପାହାଡ଼ ପର୍ବତ ଅଞ୍ଚଳରେ ଲୋକେ ଇଣ୍ଡଷ୍ଟ୍ରୀକୁ ବିରୋଧ କରୁଛନ୍ତି । ଦେଶୀ ବିଦେଶୀ କମ୍ପାନୀଙ୍କ ପୁଞ୍ଜି ବିନିଯୋଗରେ ରାଜ୍ୟର ଆର୍ଥିକ ଓ ବେକାରୀ ସମସ୍ୟା ଦୂର ହୋଇଥାନ୍ତା । କିଛି ପାଠପଢୁଆ ପଣ୍ଡିତମାନେ ମଧ୍ୟ ସେଇ ସମାନ ଯୁକ୍ତି କରନ୍ତି ଯେ ଏମାନଙ୍କ ଯୋଗୁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହେଉଛି । କିନ୍ତୁ ଏଠିତ ଲୋକ ପ୍ରକଳ୍ପକୁ ସହଯୋଗ କରିଥିଲେ! ତାପରେ ବି ତାଙ୍କ ପ୍ରାପ୍ୟ ପାଇଲେ ନାହିଁ କାହିଁକି? କାହିଁକି ନିଜ ପୂର୍ବପୁରୁଷ ଅର୍ଜିଲା ଜମି, ଜୀବିକା, ଜୀବନ,ସଂସ୍କୃତି ଓ ସମ୍ମାନସହ ବଞ୍ଚିବାର ଅଧିକାରରୁ ବଞ୍ଚିତ ହେଲେ? ସରକାର ବନ୍ଧକାର୍ଯ୍ୟ ଆରମ୍ଭ କରିଦେଲେ । ଦେଇଥିବା ପ୍ରତିଶୃତି କେବଳ କଥାରେ ରହିଗଲା । ଅସନ୍ତୁଷ୍ଟ ଲୋକ ୨୦୧୩ପର୍ଯ୍ୟନ୍ତ ନିଜ ଗାଁ ଛାଡିନଥିଲେ ।

Lowerindra Project Last Tape 52

ବିସ୍ଥାପିତ ପରିବାରର ଜଣେ ଛାତ୍ରୀ ନିଜ ଗାଁକୁ ମନେପକେଇ ଚିତ୍ର ଅଙ୍କିବାର ଏକ ଦୃଶ୍ୟ

ଜିଲ୍ଲା ପ୍ରଶାସନ ସେମାନଙ୍କ ଗାଁ’ରୁ ବିଜୁଳି, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଏ. ଏନ.ଏମ ସେଂଟର୍ ସବୁ ବନ୍ଦ କରିଦେଲେ । ଦୀର୍ଘ ୧୩ ବର୍ଷ କାଳ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଲେ । ୪ଟା ସ୍କୁଲ, ୪ଟା ଅଙ୍ଗନବାଡି କେନ୍ଦ୍ର, ସବୁ ଭାଙ୍ଗି ଦିଆଗଲା । ଖାଦ୍ୟ ଅଭାବରୁ ପିଲାମାନେ ଅପପୁଷ୍ଟିର ଶିକାର ହେଲେ । ପାଠପଢ଼ାରୁ ବଞ୍ଚିତ ହେଲେ । ଶହଶହ ପିଲାଙ୍କର ଭବିଷ୍ୟତ ଅନ୍ଧାର ହୋଇଗଲା । ଯେଉଁ ଗଣମାଧ୍ୟମ ଦିନରାତି ସ୍କୁଲର ଅଣ୍ଡା ଚାଉଳକୁ ନେଇ ଖବର ପ୍ରସାରଣ କରୁଛନ୍ତି, ସେମାନଙ୍କ ପାଇଁ ଏହା ପ୍ରସଙ୍ଗ ହୋଇପାରିଲା ନାହିଁ । ଯଦି ସରକାର ଏଭଳି ବିକାଶର ସ୍ୱପ୍ନ ଦେଖୁଥାନ୍ତି ତାହେଲେ ବିକାଶ ତ ଦୂରର କଥା, ଭବିଷ୍ୟତରେ ସ୍ୱପ୍ନ ଦେଖିବାବୁ ଲୋକ ଆଉ ନଥିବେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିକାଶର ରଣନୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଏହାର ସୂଚକ ଭାବରେ ଦର୍ଶାଇ ଉଭୟ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ରଗୁଡିକ ସେମାଙ୍କର ଅର୍ଥନୀତିକୁ ଅଭିବୃଦ୍ଧିରେ ଲାଗିପଡ଼ିଲେ । ବିଶେଷ କରି କେତୋଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ବିଶ୍ୱର ସରକାରମାନେ ଅଧିକ ପ୍ରାଧାନ୍ୟ ଦେଲେ ଯେପରିକି, ରେଳ, ସଡ଼କ, ଶକ୍ତି, ଟେଲିକମ୍, ବନ୍ଦର, ଶିଳ୍ପ ଇତ୍ୟାଦି । ନଦୀବନ୍ଧ ଯୋଜନାଗୁଡ଼ିକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କାରଗଲା ।

ବିକାଶର ପ୍ରତୀକ ଭାବେ ଗଢି ଉଠୁଥିବା ଇଣ୍ଡଷ୍ଟ୍ରି ଏବଂ ସେମାନଙ୍କର ବହୁଳ ଉପଯୋଗିତା ପଡୁଥିବା ଜଳ ଆଜି ବିଶ୍ୱର ଏକ ଚତୁର୍ଥାଂଶ ବିଦ୍ୟୁତର ଉତ୍ସ । ଆଣବିକ ଶକ୍ତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ପରିବେଶ ସମସ୍ୟାକୁ ଦୃଷ୍ଟିରେ ରଖି ଜଳ ବିଦ୍ୟୁତ୍ ଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନ୍ୟାନ୍ୟ ବିଦ୍ୟୁତ୍ ଉତ୍ସ (ତୈଳ, କୋଇଲା ଏବଂ ଆଣବିକ ଶକ୍ତି) ତୁଳନାରେ ଜଳ ବିଦ୍ୟୁତ୍ ଶକ୍ତିରେ ପରିବେଶ ମଞ୍ଜୁରୀ କ୍ଷେତ୍ରରେ ବିଶେଷ ଅସୁବିଧା ଦେଖା ଯାଇନଥାଏ କାରଣ, ଚାଷ ଜମିକୁ ଜଳସେଚନ ଆଳରେ ଲୋକଙ୍କୁ ଠକିବାକୁ ସୁବିଧା ହୁଏ । ଊନବିଂଶ ଶତାବ୍ଦୀରେ ଜଳ ବିଦ୍ୟୁତ୍ ଶକ୍ତି ଯାନ୍ତ୍ରିକ ଶକ୍ତିର ଏକ ପ୍ରମୁଖ ଉତ୍ସ ହୋଇଗଲା ।

୧୮୨୦ ମସିହାରେ, ଫ୍ରାନ୍ସର ଇଞ୍ଜିନିୟର ବେନୋଇଟ୍ ଫୋର୍ନିଅରନ୍ ଟର୍ବାଇନ ଉଦ୍ଭାବନ କଲେ । ୧୮୮୨ ମସିହାରେ,ଏହା ପ୍ରଥମେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥିଲା ଏବଂ ଏହା କ୍ରମାଗତ ଭାବରେ ବିଶ୍ୱର ବିଦ୍ୟୁତ୍ ଯୋଗାଣକୁ ବୃଦ୍ଧି କରିଥିଲା । ପ୍ରଥମେ, ଏହି ଟେକ୍ନୋଲୋଜି ବିକଶିତ ଦେଶମାନଙ୍କରେ ବିଶେଷ ଭାବରେ ଆମେରିକା ଏବଂ୧୯୩୦ ଦଶକରେ ସୋଭିଏତ୍ ୟୁନିଅନ୍ ଏବଂ ପରେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକରେ ଆରମ୍ଭ ହେଲା । ବିକଶିତ ଦେଶଗୁଡିକରେ ବୃହତ ଡ୍ୟାମର ସଫଳତା ପ୍ରଗତିର ପ୍ରତୀକ ଭାବରେ ଦୃଶ୍ୟମାନ ହେଲା । ଯାହା ଶିଳ୍ପର ଅଭିବୃଦ୍ଧିକୁ ଆକର୍ଷିତ କଲା । ୧୯୦୦ବେଳକୁ କେବଳ ୬୦୦ ବଡ ଡ୍ୟାମ୍ ଥିଲା ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏସିଆ ଏବଂ ଆଫ୍ରିକାରେ ନିର୍ମିତ ହୋଇଥିଲା । ୧୯୪୯ ସୁଦ୍ଧା ଏହା ପ୍ରାୟ ୫୦୦୦ ବଡ଼ ଡ୍ୟାମକୁ ବୃଦ୍ଧି ପାଇଲା ଏବଂ ବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଏହା ୧୪୦ଟି ଦେଶରେ ୪୫୦୦୦ ରୁ ଅଧିକ ନଦୀ ବନ୍ଧ ନିର୍ମାଣ କରାଯାଇଥିଲା । ଏହିପରି, ଗତ କିଛିବର୍ଷ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ବଡ଼ ବନ୍ଧ ନିର୍ମାଣ କରାଯାଇଛି । ବାସ୍ତବରେ, ଶ୍ରେଷ୍ଠ ପାଞ୍ଚଟି ବନ୍ଧ ନିର୍ମାଣକାରୀ ଦେଶ ଆଜି ବିଶ୍ୱରେ ସମସ୍ତ ବୃହତ ବନ୍ଧର ପ୍ରାୟ ୮୦%କେବଳ ସେମାନଙ୍କ ଦେଶରେ ନିର୍ମାଣ କରିଛନ୍ତି ।

୧୯୪୯ ପୂର୍ବରୁ କେବଳ ୨୨ଟି ବନ୍ଧ ଥିବା ଚୀନ୍ ପ୍ରାୟ ୨୨,୦୦୦ ବୃହତ ବନ୍ଧ ନିର୍ମାଣ କରିଛି, ଯାହା ବିଶ୍ୱର ମୋଟ ସଂଖ୍ୟାର ଅଧା ଅଟେ । ଶ୍ରେଷ୍ଠ ପାଞ୍ଚଟି ବନ୍ଧ ନିର୍ମାଣକାରୀ ଦେଶମଧ୍ୟରେ ୬୩୯୦ରୁ ଅଧିକ ବୃହତ ବନ୍ଧ ଆମେରିକାରେ । ବର୍ତ୍ତମାନ ସୁଦ୍ଧା ଭାରତରେ ୫,୩୩୪ ଡ୍ୟାମ ନିର୍ମିତ ହୋଇଛି ଏବଂ ପ୍ରାୟ ୪୪୭ ଟି ବଡ ବନ୍ଧ ନିର୍ମାଣକାର୍ଯ୍ୟ ଚାଲିଛି । ଆକଳନ ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେଯେତେ ବୃହତ ବନ୍ଧ ନିର୍ମାଣ ଚାଲିଛି, ଏଥିମଧ୍ୟରୁ ମୋଟ ୪୦ ପ୍ରତିଶତ ଭାରତରେ ନିର୍ମାଣ କରାଯାଉଛି । ଆଗକୁ ଆଗକୁ ଆହୁରି କେତେଯେ ବିସ୍ଥାପନ, କେତେଯେ ଗାଁ ଓ ଜନଜୀବନ ନଷ୍ଟ ହେବ; ତାହା ଆକଳନ କରିବା କଷ୍ଟକର ହୋଇପଡିବ । ବିସ୍ଥାପନରେ ଲୋକମାନେ କେବଳ ରୋଜଗାର କିମ୍ବା ଜୀବିକା ହରାନ୍ତି ନାହିଁ ବରଂ ସମାଜରେ ସ୍ୱାଧୀନତା, ସୁଯୋଗ ଏବଂ ସେମାନଙ୍କର ଆତ୍ମସମ୍ମାନର ସହ ବଞ୍ଚିବା,ସମାନତା ଏବଂ ନ୍ୟାୟରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କର ମନମୁଖି ଯୋଜନା ଏବଂ ଦୂରଦୃଷ୍ଟି ଅଭାବ କାରଣରୁ ଓଡ଼ିଶାରେ ସେମାନଙ୍କୁ ପୁନଃ ଥଇଥାନ କରିବା ପଦକ୍ଷେପ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

୧୨୦୦ କୋଟି ଟଙ୍କାର ପ୍ରୋଜେକ୍ଟ,୧୨ବର୍ଷ ଭିତରେ ଲୋକଙ୍କୁ ଅନେକ ଦୁଃଖଯନ୍ତ୍ରଣା ଦେଲା । LIIP ଅଧିକାରୀଙ୍କ କହିବା ଅନୁସାରେ ‘ଲୋକଙ୍କ ଦାବି ଉଚିତ ଦାବିନୁହଁ, ଏହି ପ୍ରକଳ୍ପରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯଥେଷ୍ଟ କାର୍ଯ୍ୟ କରାଯାଇଛି’ । ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାଶୀଳତାକୁ ବିରୋଧ କରି ବିସ୍ଥାପିତମାନେ ୩୩ ଦଫା ଦାବି ପତ୍ର ନେଇ, ୨୦୧୩ ମସିହା ପ୍ରାରମ୍ଭରେ ତିନିମାସରୁ ଅଧିକ ସମୟ ଧରି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ । ଖରିଆରରେ ଥିବା ପ୍ରକଳ୍ପ କାର୍ଯ୍ୟାଳୟକୁ ୧୦ଦିନ ପର୍ଯ୍ୟନ୍ତ ବନ୍ଦକରି ଦିଆଯାଇଥିଲା । ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ବିସ୍ଥାପିତ ଲୋକଙ୍କ ନେତାଙ୍କ ବିରୋଧରେ ଅପରାଧୀକ ମାମଲା ଦାୟର କଲେ । ଆନ୍ଦୋଳନ ପ୍ରତ୍ୟାହାର କରିନିଆଗଲା ।

ଲୋକଙ୍କର ଦାବିକୁ ଅଣଦେଖା କରି, ଯେଉଁମାନେ ୨୦୦୬ ପୂର୍ବରୁ ଟଙ୍କା ନେଇଥିଲେ, ସେମାନଙ୍କୁ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା ଲେଖା ଦିଆଗଲା । କଳେବଳେ କୌଶଳେ ଡ୍ୟାମକାର୍ଯ୍ୟ ଶେଷ ହେଲା । ଗାଁସବୁ ପାଣିରେ ବୁଡ଼ିଗଲା । ଜୀବନ ଆତୁରେ ଯିଏ ଯୁଆଡେ ପାରିଲେ ସିଆଡ଼େ ଚାଲିଗଲେ । କାଲିମାଟିର ଗୁରୁବାରୀ କଅଁର କହିବା ଅନୁସାରେ-“ବୁଢ଼ାବୁଢ଼ୀ ଛୁଆ ପିଲା ଏତେ କନ୍ଦା ବୋବା ହେଇକି ଯାଇଛନ୍ତି ଯେ ନାଇଁ କହ । ବଞ୍ଚିଥିଲା ତକ ଆମେ ସେ ଯନ୍ତ୍ରଣା ଭୁଲିନାଇଁ ପାରୁ । ୮୧୦୦୦ ଟଙ୍କା ଦେଲା । ବାହାରେ ସେତିକି ଜମିର ମୂଲ୍ୟ ତାର ଚାରିଗୁଣା । ଜମି ଘିନି ନାଇଁ ପାରିଲୁକି ଘରଟେ ବନେଇ ନାଇଁ ପାରିଲୁ । ବ୍ୟାଙ୍କବାଲା କହିଲେ ଆମର ବ୍ୟାଙ୍କରେ ଟଙ୍କା ବାନ୍ଧ, ତୁମକୁ ତାର ଡବଲ ମିଳିବ, ଆଉ ଗୋଟେ ବ୍ୟାଙ୍କ ବାଲା ଆସିଲା, ଆମର ବ୍ୟାଙ୍କରେ ଟଙ୍କା ବାନ୍ଧ ଏତିକି ମିଳିବ । ଆମେ ହଁ ଭଲ ହେବା ଭାବିଲୁ, ଆଉ ବାନ୍ଧି ଦେଲୁ । ସେ ଆମ ପଇସାନେଇ ପାର । ଏଲ.ଆଇ.ସିବାଲା ଆସିଲା, ସେ ବି ଠକିଲା । ଯିଏ ପାଠପଢିଛି ସବୁ ଏ ମୁରୁଖକେ ଠକିଲେ ।

ସରକାର ମାଛକୁ ଜାଲ ପକେଇଲା ଭଳିଆ ଆମକୁ ଜାଲରେ ଖାପିଦେଲା ଆଉ ଆମେ ଛଟଛଟ ହେଇକରି ମଲୁ” । ଯେଉଁ ମାନେ ଅନ୍ୟ ଗାଁ’କୁ ଆସରା ନେବାକୁ ଗଲେ । ସେମାନେ ନାହିଁ ନଥିବା ନିର୍ଯାତନା ପାଇଲେ । ଧାରଉଧାର, ଚୋରୀ,ସେମାନଙ୍କ ଝିଅ ବୋହୂଙ୍କୁ ଅସଦାଚରଣ ଭଳି ଅସାମାଜିକ ବ୍ୟବହାର କଲେ । ଛୋଟଛୋଟ କଥାକୁ ନେଇ ଝଗଡ଼ା କରନ୍ତି । କୂଅ ପୋଖରୀ, ମଶାଣି, ଜଙ୍ଗଲ, ସବୁଥିରେ ସେମାନଙ୍କୁ ବାରଣକଲେ । ସ୍ଥାନୀୟ ଲୋକଙ୍କ କହିବା ହିସାବରେ; ଜଣେ ସ୍ତ୍ରୀ ଲୋକ ତାଙ୍କ ସ୍ୱାମୀ ମରିଗଲା ପରେ ତା ଶବକୁ ସେ’ଗାଁ ମଶାଣିରେ ସତ୍କାର କରିବାକୁ ଗାଁଲୋକ ବିରୋଧ କଲେ । ସେ ତାକୁ ଟ୍ରଲିରେ ବୋହି, ସେଠୁ ୫ କିଲିମିଟର ଦୂରରେ ଏକ ନଦୀପଠାରେ ଶବ ସତ୍କାର କଲେ । ଏମିତି ଘୃଣ୍ୟ ଓ ଅମାନବିକ ଶୋଷଣର ଶିକାର ହୋଇ ଲୋକେ ଏବେ ବି ଏ ଗାଁ’ରୁ ସେଗାଁ ଘୁରି ବୁଲୁଛନ୍ତି ।

ଧନୁ ହଁସଙ୍କ ଭାଷାରେ ‘ଆମେ ତ ଉଡ଼ିଗଲା ପତର

ଧନୁ ହଁସଙ୍କ ଭାଷାରେ ‘ଆମେ ତ ଉଡ଼ିଗଲା ପତର । ଆଜି ଏଠିଥିବୁ ତ କାଲି ଆଉକୋଉଠି’ । ଝାଲକୁସୁମ ଗ୍ରାମର ଟିକାରାମ ମାଝିଙ୍କ କହିବା ଅନୁସାରେ:- ଆମ ଗାଁଉଁଲି କଥାରେ ଅଛି – ‘ଆଁଟ ବେର୍ଣା ବାହାଲ ଭୁଇଁ, ବାରହଜାରରେ ମିଲବା କାହିଁ, ଧାନ ଗୁରଜି କୋଦ ମଣ୍ଡିଆ, ଖାଇକରି ଥିଲୁ ଆମେ ବଢିଆ, ଆମର ଜମିନକେ ନେଇଗଲ, ଜୀବନକେ ଆମର ମାରିଦେଲ’, ସରକାରକେ ଏଇପ୍ରକାର ଆମର ଗୋଟେ କଥା ଅଛି । ଆମେ ହେଉଛୁ ଚାଷୀ ।

କଥାରେ ଅଛି; “ଚଷା ଲକ୍ଷେ ଜୀବ ପୋଷା”, ଆମର ଅକ୍ଳାନ୍ତ ପରିଶ୍ରମରେ ସରକାର ଏକ ଟଙ୍କାରେ କେଜିଏ ଚାଉଳ ଦେବାଲାଗି ସକ୍ଷମ ହେଇପାରୁଛି । ସରକାରର କଲମର ଧାର,ଚାଷୀ ଭାଇର ନଙ୍ଗଳର ଗାର । ଆମେ ଉଭୟ ପରିପୂରକ । ସରକାର ବୁଝି ନାଇଁ ପାରବାର । ଚାଷୀ ହେଉଛି ଏଦେଶର ମେରୁଦଣ୍ଡ । ସରକାର ହେଲା ଶାସନକର୍ତ୍ତା ଆମେ ହେଲୁ ପାଳନକର୍ତ୍ତା । ହେଲେ ଆମେ ଆଜି ଭିକାରି । ଜମିଥିଲେ ମୁଁ, ମୋପିଲା, ତା ପିଲା ଖାଇଥିଲେ ବି ଜମି ସରିନଥାନ୍ତା । ଏବେ, ନା ଜମି ଖଣ୍ଡେ ଘିନି ପାରିଲୁ, କି ଘରଡିହିଟେ କରିପାରିଲୁ । ଆମର ୩୦ଏକର ଜମି ଥିଲା । ଆମେ ତାକୁ ଦାନସ୍ୱରୂପ କିଛି ଭୂମିହୀନଙ୍କୁ ଚାଷ କରିବାରକୁ ଦେଇଦେଇଥିଲୁ ହେଲେ ଏବେ ମୁଣ୍ଡ ଗୁଞ୍ଜିବା ଲାଗି ଜାଗା ଟିକେ ନାହିଁ । ବଡ କଷ୍ଟ ପାଇଲୁ, ବିସ୍ଥାପିତ ହେଇକରି । ଆଗକୁ ଆମ ଛୁଆ ପିଲାବି ପାଇବେ । ଆମ ଜମିନ ଗଲା ଅର୍ଥ ଆମ ଜୀବନ ଗଲା’’

9

ଧନୁ ହଂସଙ୍କ ଲୁହ ଓ ସଙ୍ଗୀତ

କାଲି ଚୁରୀ ନିଲି ଚୁରୀ..

କେତେ ମାଖୁଛ ଅତର ମୋର ମକର .. ମୋର ବୋଉଳ…

ଆସିଗଲା ବୁଡ଼ିଯିବାର ବେଳ..

ମୋର ମକର, ଆସିଗଲା ଯିବାର ବେଳ..

ଦରଗାଁ ତୀଖାଲି ବନ୍ଧା .. ବୁଡ଼ି ଅଞ୍ଚଳ…

ଜମିଭୂମି ସବୁ ଗଲା ଜୀବନ ଆତୁର..

ଚୋଉଦ ପୁରୁଷ ମାଟି .. ପଲାମୁଁ ହୋ ଛାଡି କେନକେ ..

ଛୁଆପିଲା ଧାଙ୍ଗଡା ଧାଙ୍ଗଡୀ ଅଜା ବୁଢାବୁଢି..

ସଙ୍ଗେ ଯିବେ ଗ୍ରାମ ଦେବୀ..

ଇଷ୍ଟ ଦେବୀ ଆମର..ଜମିଭୂମି ସବୁ ଗଲା ଜୀବନ ଆତୁର ..

ଜମିଭୂମି ସବୁ ଗଲା ପରାଣ ଆତୁର

Comments

0 comments

Share This Article