ସମ୍ପ୍ରତି ସ୍ୱରାଜ୍ୟ ପତିକ୍ରାରେ ଲେଖାଟିଏ ଛପିଥିଲା । ତା’ରି ପରିପ୍ରେକ୍ଷୀରେ ଏଇ ଲେଖା । ଏଥିରେ ଯେଉଁ ବିଷୟବସ୍ତୁଟିକୁ ଉଠାଯାଇଛି ତାହା ବିଭିନ୍ନ ଆଇନ ଆଧାରିତ ଆଲୋଚନାଚକ୍ର ବା ମଂଚରେ ବହୁବାର ଆଲୋଚିତ ହୋଇ ଜନମାନସକୁ ଆନ୍ଦୋଳିତ କରିସାରିଛି । ଉଦାହରଣସ୍ୱରୂପ, ସୁପ୍ରିମକୋର୍ଟ ଶବରୀମାଳା ମନ୍ଦିରରେ ମହିଳାମାନଙ୍କର ପ୍ରବେଶ ଉପରେ ତାଙ୍କର ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ସେହିପରି ଜଲ୍ଲିକାଟୁ ଏବଂ ଜଗନ୍ନାଥଙ୍କ ଅମୃତ ମଣୋହୀ ସମ୍ପତ୍ତି ଉପରେ ମଧ୍ୟ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏଥିରେ ସନ୍ଦେହର ଅବକାଶ ନାହିଁ ଯେ ୧୯୯୦ ଏବଂ ତା ପରବର୍ତ୍ତୀ ବର୍ଷମାନଙ୍କରେ କାଶ୍ମିରୀ ପଣ୍ଡିତମାନଙ୍କ ଉପରେ ଯେଉଁ ଆକ୍ରମଣ ହେଲା ତାହା ଦୁର୍ଭାଗ୍ୟଜନକ ।
ମୁଁ ଏଥିରେ ଏକମତ ନୁହେଁ
ମୁଁ ଏଥିରେ ଏକମତ ନୁହେଁ ଯେ କାଶ୍ମୀରରେ କେବଳ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଉଥିଲା କାରଣ ଏପରି ଘଟଣା ଅନ୍ୟ କୌଣସି ରାଜ୍ୟରେ ଘଟିବାର ପ୍ରମାଣ ନାହିଁ । କିନ୍ତୁ ଏହାକୁ ନେଇ ଯେଉଁ ସାମ୍ବିଧାନିକ ବିଷୟଗୁଡିକ ଉଠାଯାଇଛି ତା’ଉପରେ ମୋର କିଛି କହିବାର ଅଛି । ପ୍ରଥମତଃ-ଏଠାରେ ଏମିତି କୌଣସି ପ୍ରମାଣ ନାହିଁ ଯାହାକୁ ଦେଖି ବା ଦେଖାଇ କୁହାଯାଇ ପାରିବ ଯେ ହିନ୍ଦୁଧର୍ମ ସଂକଟରେ ଅଛି, କାରଣ ସରକାରୀ ପଦପଦବୀରେ ଯେତେ ଲୋକ ଅଛନ୍ତି ସେମାନଙ୍କ ଭିତରୁ ଅନେକ ତ ହିନ୍ଦୁ ।
ସେ ସଂସଦ ହେଉ ବା ବିଧାନସଭାକୁ ନିର୍ବାଚିତ ଲୋକପ୍ରତିନିଧି ହୁଅନ୍ତୁ ବା ସର୍ବଭାରତୀୟ ପ୍ରଶାସନିକ ଓ ପୁଲିସ ସେବାରେ ଥିବା ବଡ଼ ଅଧିକାରୀ ହୁଅନ୍ତୁ କାହାରି ସ୍ଥିତି ଏକଦମ ସୀମାନ୍ତ ସ୍ତରରେ ଥିବା ପରି ଲାଗୁନାହିଁ । ଏଠାରେ ଏକଥା ମଧ୍ୟ ଲକ୍ଷ କରାଯାଇପାରେ ଯେ ବିଚାର ବ୍ୟବସ୍ଥାରେ ଅଧିକାଂଶ ଉଚ୍ଚପଦବୀଧାରୀ ହିନ୍ଦୁ, ସେହିକଥା ଚତୁର୍ଥ ସ୍ତମ୍ଭ ବା ଗଣମାଧ୍ୟମକୁ ନେଇ ମଧ୍ୟ କୁହାଯାଇପାରେ ।
ତେଣୁ ଯଦି ଶିକ୍ଷାନୁଷ୍ଠାନ ଗୁଡ଼ିକ ସିଏ କେନ୍ଦ୍ରର ସିବିଏସ୍ଇ, ଆଇସିଏସ୍ଇ ପାଠ୍ୟକ୍ରମ ଆଧାରିତ ହୁଅନ୍ତୁ ବା ରାଜ୍ୟ-ବୋର୍ଡମାନଙ୍କ ପାଠ୍ୟକ୍ରମ ଆଧାରିତ ହୁଅନ୍ତୁ ଅଥବା ଶିକ୍ଷା-ଅଧିକାର ବା ‘ରାଇଟ ଟୁ ଏଜୁକେଶନ’ ଆଇନ ଅନୁସାରେ ବଡ଼ ବଡ଼ ସ୍କୁଲଗୁଡ଼ିକ ଗରିବ ପିଲାମାନଙ୍କର ଯତ୍ନ ନେବା ପାଇଁ କୁହାଯିବ । କାରଣ ଯଦି ସେମାନେ କିଛି ପିଲାଙ୍କ ଶିକ୍ଷା ଦାୟିତ୍ୱ ନେଇଛନ୍ତି ତେବେ ସେଥିରେ ହିନ୍ଦୁମାନେ ସଂକଟରେ ଅଛନ୍ତି ବୋଲି କେମିତି କଳ୍ପନା କରିହେବ?
ଦେଖିବାର କଥା ଯେ ଜଗନ୍ନାଥଙ୍କ ରଥଯାତ୍ରାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଶାସନର ବହୁ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଯେପରିକି ଯାତ୍ରୀଭିଡ଼ ନିୟନ୍ତ୍ରଣ, ବିଭିନ୍ନ ସ୍ଥାନରୁ ଆସୁଥିବା ବହୁ ସଂଖ୍ୟାରେ ଯାତ୍ରୀମାନଙ୍କ ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ-ସେବା ତଦାରଖ ବ୍ୟବସ୍ଥା, ପର୍ଯ୍ୟାପ୍ତ ପରିମାଣରେ ଆମ୍ବୁଲାନ୍ସ ନିଯୁକ୍ତି କରିବା ଆଦି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ମିଳେ । ସେହିପରି ମନ୍ଦିର ଜମିକୁ ନେଇ ଉପୁଜୁଥିବା ବିବାଦର ବିଚାର କରି ନିଷ୍ପତ୍ତି ନେବା ଓ ଦେବା ପାଇଁ ବିଭିନ୍ନ ରାଜ୍ୟରେ ଆଇନ ଅନୁଯାୟୀ ରାଜସ୍ୱ ବିଭାଗର ମନୋନୀତ ନ୍ୟାୟାଳୟମାନ ରହିଛନ୍ତି ।
ଏ କ୍ଷେତ୍ରରେ କେହି କହନ୍ତି ନାହିଁ ଯେ ରାଷ୍ଟ୍ର ହିନ୍ଦୁ-ସ୍ୱାର୍ଥବିରୋଧୀ କାର୍ଯ୍ୟ କରୁଛି । ଦ୍ୱିତୀୟରେ, ହିନ୍ଦୁମାନଙ୍କ ଭିତରେ କେତେକ ସଂସ୍କାରମୂଳକ କାର୍ଯ୍ୟ କରାଯାଏ । ଏହା କେବଳ ରାଜା ରାମମୋହନ ରାୟଙ୍କ ଦ୍ୱାରା କରାଯାଇ ଥିଲା ବୋଲି ନୁହେଁ, ଆହୁରି ଅନେକ କ୍ଷେତ୍ରରେ ଏହା ଦେଖିବାକୁ ମିଳେ । ଉଦାହରଣସ୍ୱରୂପ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିରରେ ସତୁରୀ ଓ ଅଶୀ ଦଶକରେ ଶଶୀଭୂଷଣ ରଥ ଓ ଅନ୍ୟମାନଙ୍କ ଦ୍ୱାରା ପଶୁବଳି ପ୍ରଥା ବିରୁଦ୍ଧରେ କାର୍ଯ୍ୟ କରାଯାଇଥିଲା । ଯାହାଫଳରେ ୧୯୮୧ ମସିହା ଜାନୁଆରୀ ମାସରେ ଜିଲ୍ଲା ପ୍ରଶାସନ ଏହି ପୀଠରେ ପଶୁ-ବଳି ଦିଆଯିବାକୁ ନିଷିଦ୍ଧ ଘୋଷଣା କଲା ।
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଇଲାକାରେ ମନ୍ଦିର କମିଟି ଗତବର୍ଷ ପଶୁବଳିକୁ ନିଷିଦ୍ଧ କରିଛନ୍ତି । ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳିତମାନଙ୍କର ମନ୍ଦିରପ୍ରବେଶ ନେଇ ଚାଲିଥିବା ବହୁବର୍ଷର ସଂଘର୍ଷ ଫଳରେ ସରକାରୀ ଅଧିକାରୀମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆଧାରରେ, ଉଚ୍ଚଜାତିର ଲୋକମାନଙ୍କୁ ଦଳିତଙ୍କ ମନ୍ଦିର ପ୍ରବେଶ ସପକ୍ଷରେ ବୁଝାଇ ମନାଇବାରେ ସଫଳ ହେଲେ ।
‘ହରିଜନଙ୍କ ମନ୍ଦିର ପ୍ରବେଶ’
ଏହା ପୂର୍ବରୁ ଉଚ୍ଚଜାତିର ଲୋକମାନେ ମନ୍ଦିର ଭିତରକୁ ନିର୍ବିରୋଧ ଭାବେ ପ୍ରବେଶ କରୁଥିବା ବେଳେ ଦଳିତମାନେ ମନ୍ଦିର କାନ୍ଥରେ କରାଯାଇଥିବା କଣାଦେଇ ଦେବତାଙ୍କ ଦଶର୍ନ କରି ପାରୁଥିଲେ । ଏଭଳି ଏକ ପ୍ରଥାରୁ ଉଚ୍ଚଜାତିର ଲୋକମାନଙ୍କୁ ବିରତ କରାଇବାପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି/ଜନଜାତି କଲ୍ୟାଣ ବିଭାଗର ସଚିବ ମନ୍ଦିରକୁ ଯାଇ ସବୁ ପକ୍ଷ ବିଶେଷକରି ‘ହରିଜନଙ୍କ ମନ୍ଦିର ପ୍ରବେଶ’ କଥାଟିକୁ ବିରୋଧ କରି ଆସୁଥିବା ଉଚ୍ଚଜାତିର ପ୍ରତିନିଧିଙ୍କ ସହିତ ଆଲୋଚନା କରି ଉଭୟ ଦେଶର ଆଇନ ଏବଂ ହିନ୍ଦୁ ଶାସ୍ତ୍ର ଆଧାରରେ ସେମାନଙ୍କୁ ବୁଝାଇଥିଲେ ।
ଚଳିତବର୍ଷ ଏପ୍ରିଲ ମାସରେ ତାମିଲନାଡୁର ଥିରୁପ୍ପରୁ ଜିଲ୍ଲାର ଭେଲାକୋଇଲ ବ୍ଲକରେ ଦଳିତଙ୍କ ମନ୍ଦିର ପ୍ରବେଶ ଆନ୍ଦୋଳନ ଜୋରଦାର ହେଲା । ସମ୍ପ୍ରତି ବିଭିନ୍ନ ରାଜ୍ୟର ସରକାରମାନେ ସଂସ୍କାର କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରି ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି ଏବଂ ଯେଉଁଠି ଆବଶ୍ୟକ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ କରୁଛନ୍ତି । ସରକାର ଯଦି ମନ୍ଦିରଗୁଡିକୁ ଅତିରିକ୍ତ ସମର୍ଥନ ଦେବା ବନ୍ଦ ମଧ୍ୟ କରିଦିଅନ୍ତି, ତାହାଦ୍ୱାରା ଜନସାଧାରଣଙ୍କର ସମସ୍ତ ତଥା ବ୍ୟାପକ ସମସ୍ୟାଗୁଡିକର ସମାଧାନ ହୋଇଯିବ ବୋଲି କୁହାଯାଇ ପାରିବ ନାହିଁ । କିନ୍ତୁ କେତେକ କ୍ଷେତ୍ରରେ ତୀର୍ଥଯାତ୍ରୀ ଓ ଭକ୍ତସମାଜକୁ ସହାୟତା ଯୋଗାଇଦେବା କ୍ଷେତ୍ରରେ ମନ୍ଦିରଗୁଡିକ ମଧ୍ୟ ଅତି ଭଲ କାର୍ଯ୍ୟ କରୁଛନ୍ତି । ହାଇଦ୍ରାବାଦ ଉପକଣ୍ଠରେ ଥିବା ଚିଲୁକର ବାଲାଜୀ ମନ୍ଦିରଟି ଏହିଭଳି ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ।
ଏହିସବୁ ମନ୍ଦିରଗୁଡିକରେ ଯେଉଁ ବିଜ୍ଞ ମୁଖିଆମାନେ ରହିଛନ୍ତି, ସେହିପରି ମୁଖିଆମାନେ ସବୁ ମନ୍ଦିରରେ ରହୁ ନ ଥିବାରୁ ମନ୍ଦିରଗୁଡ଼ିକରେ ଅନେକ ଚିନ୍ତା କରାଯାଇ ନଥିବା ସମସ୍ୟା ଉପୁଜୁଛି । ସେହିପରି ସରକାରମାନେ ମନ୍ଦିର ପରିଚାଳନା କାର୍ଯ୍ୟ ହାତକୁ ନନେବା କଥାଟି ମଧ୍ୟ ବିଚାର୍ଯ୍ୟ । ତୃତୀୟରେ ବିଭିନ୍ନ ମନ୍ଦିରର ପରିଚାଳନା ବିଷୟରେ ହୋଇଥିବା ମୋକଦ୍ଦମାଗୁଡିକର ଶୁଣାଣି ବିଭିନ୍ନ କୋର୍ଟରେ ଚାଲିଛି । ତାହା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କୋର୍ଟପକ୍ଷରୁ ବିଭିନ୍ନ ସମୟରେ ଏହା ଉପରେ ବିଭିନ୍ନ ନିଷ୍ପତ୍ତି ଶୁଣାଯାଉଛି ।
ଉଦାହରଣସ୍ୱରୂପ ଚଳିତବର୍ଷ ମେ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ଫୈସଲା ଶୁଣାଇଲେ ଯେ ଯେଉଁ ମନ୍ଦିରମାନଙ୍କର ରୋଜଗାର ବାର୍ଷିକ ୫ଲକ୍ଷ ଟଙ୍କାରୁ ମଧ୍ୟ କମ୍ ସେମାନଙ୍କୁ ଦେବୋତ୍ତର ବିଭାଗକୁ ଅର୍ଥ ଦେବା ବୋଝରୁ ମାଫି ଦିଆଯାଉ । ସେହିଭଳି ଚଳିତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଏକ ଜନହିତ ଯାଚିକାର ଶୁଣାଣି କଲେ ଯେଉଁଥିରେ ମନ୍ଦିରଗୁଡିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ଆବେଦନ କରାଯାଇଥିଲା ।
ସେହିପରି ଜଲ୍ଲିକଟୁ ଉପରେ ତାମିଲନାଡୁ ବିଧାନସଭା ଏକ ବିଧେୟକ ପାସ୍ କଲେ । ଯଦିଓ ଏହା ଏବେ ସୁପ୍ରିମକୋର୍ଟଙ୍କ ପାଖକୁ ଯାଇଛି । ଦେଖିବାକଥା ଯେ ସୁପ୍ରିମକୋର୍ଟରେ ବର୍ତ୍ତମାନ ଏଭଳି ଏକ ମୋକଦ୍ଦମାର ମଧ୍ୟ ଶୁଣାଣୀ ଚାଲିଛି ଯେଉଁଥିରେ ମୂଳ ବିଷୟବସ୍ତୁଟି ହୋଇଛି ଯେ ଧର୍ମାନ୍ତରୀକରଣ କେବଳ ଲାଳସା ଆଧାରିତ ହୋଇ ଚାଲିଛି କି, ଲୋକେ କ’ଣ କେବଳ ଲୋଭର ବଶବର୍ତ୍ତୀ ହୋଇ ଧର୍ମ ପରିବର୍ତ୍ତନ କରୁଛନ୍ତି କି?
ହିନ୍ଦୁଧର୍ମ ବିପଦରେ ପଡ଼ିଯାଇଛି ବୋଲି ଚିତ୍କାର କରି ଆମେ ବାସ୍ତବରେ କ’ଣ କହିବାକୁ ଚାହୁଁଛୁ?
ଉପରଲିଖିତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଯେଉଁଠାରେ କୌଣସି ଏକ ବିଷୟକୁ ନେଇ ପ୍ରଶ୍ନ ଉଠୁଛି, ଉପସ୍ଥିତ ଆଇନରେ ତାର ବିଚାରପାଇଁ ମାର୍ଗ ମଧ୍ୟ ବାହାରୁଛି । ତେଣୁ ଏଥିପାଇଁ ସମ୍ବିଧାନ ସଂଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି କୌଣସି ବିଷୟରେ ସମ୍ବିଧାନ ସଂଶୋଧନ କରାଯିବାର ଆବଶ୍ୟକତା ପଡ଼େ, ତେବେ ତାହାକୁ ବିଧିବଦ୍ଧ ଭାବରେ କରାଯାଇ ପାରିବ । ପୂର୍ବରୁ ୧୦୦ଥର ଏପରି କରାଯାଇଛି । ଏଠି ସବୁଠୁ ବଡ଼ ପ୍ରଶ୍ନଟି କ’ଣ? ପ୍ରଶ୍ନଟି ହେଉଛି ଯେ ହିନ୍ଦୁଧର୍ମ ବିପଦରେ ପଡ଼ିଯାଇଛି ବୋଲି ଚିତ୍କାର କରି ଆମେ ବାସ୍ତବରେ କ’ଣ କହିବାକୁ ଚାହୁଁଛୁ?
ଏପରି କିଛି କଲାବେଳେ ଗୋଟିଏ କଥା ମନେ ରଖିବାକୁ ହେବ । ଶହ ଶହ ବର୍ଷ ଧରି ହିନ୍ଦୁଧର୍ମରେ ଯେଉଁ ସଂସ୍କାର ଅଣାଯାଇଛି ସେଥିରୁ ଆମେ ଯେପରି ଧୀରେ ଧୀରେ ବାହାରକୁ ଚାଲି ନଯାଉ । ଯଦି ଅନାବଶ୍ୟକ କଥାଗୁଡ଼ିକ ଉପରେ ଅଧିକରୁ ଅଧିକ ଚିକ୍ରାର କରି ତର୍କ କରାଯାଏ, ତେବେ ବାସ୍ତବ ସମସ୍ୟା ଓ ବିଷୟବସ୍ତୁ ଗୁଡ଼ିକ ପଛକୁ ଚାଲିଯିବେ ଓ ଭୁଲି ହୋଇଯିବେ ।
ଯେତେବେଳେ ପ୍ରକୃତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆନଯାଏ ବା ତର୍କ କରାନଯାଏ ସେତେବେଳେ ଅଜ୍ଞାନ ହିଁ ଧସେଇ ପଶେ ଓ ବ୍ୟାପିଯାଏ । ଏଥିରେ କେବଳ କାଳ୍ପନିକ ସମସ୍ୟାଗୁଡିକୁ ନେଇ ସମୟର ଅପଚୟ କରାଯାଏ । ଗୋଟିଏ ସଡ଼କର ନାମକୁ ଆଉରଙ୍ଗଜେବରୁ ଅବଦୁଲ କଲାମ କରିବା ଏକ ସହଜ କଥା । କିନ୍ତୁ ଏହା ଏକ ଗଭୀର ଆତ୍ମବିଶ୍ଳେଷଣର ବିଷୟ ଯେ କିପରି ଏକ ସ୍ୱେଚ୍ଛାଚାରୀ, ପକ୍ଷପାତୀ ଓ ଉତ୍ତରଦାୟିତ୍ୱବିହୀନ ଶାସନ ବ୍ୟବସ୍ଥାକୁ ଏକ ଉତ୍ତରଦାୟୀ, ବିଚକ୍ଷଣ, ପାରଦର୍ଶୀ ଶାସନବ୍ୟବସ୍ଥାକୁ ପରିବର୍ତ୍ତନ କରି ହେବ ଯାହାକି ଧର୍ମ, ଜାତି, ଭାଷା, ଜନ୍ମସ୍ଥାନ ତଥା ଲିଙ୍ଗ ଆଧାରିତ ଭେଦଭାବ ଉପରେ ଗୁରୁତ୍ୱ ନ ଦେଇ ସକଳ ଜନତାର ଅଧିକାରର ସୁରକ୍ଷା କରିପାରୁଥିବ ।
ଅତୀତରେ ସନାତନ ଧର୍ମକୁ ଯାହା ଶକ୍ତିଶାଳୀ କରି ଆସିଛି ତାହା କୌଣସି ଏକ ସମୟରେ କ୍ଷମତାରେ ଥିବା କୌଣସି ଏକ ନିର୍ଦ୍ଦିର୍ଷ୍ଟ ସମ୍ପ୍ରଦାୟର ଶାସନଯୋଗୁ ନୁହେଁ, ବରଂ ଏହା ଏକ ସର୍ବଗ୍ରାହୀ ସଂସ୍କୃତିଯୋଗୁଁ ହୋଇପାରିଛି ଯାହାକି ମଣିଷ ମନରେ ଉଠୁଥିବା ପ୍ରଶ୍ନ ସବୁକୁ ବେରୋକଟୋକ ଭାବେ ଉଠାଇବାର ସୁଯୋଗ ଦେବା ସହିତ ତାର ସମାଧାନ ମଧ୍ୟ ବତାଇ ଥାଏ ।
(ଅନୁବାଦ-ସୁରେନ୍ଦ୍ର ପାତ୍ର)
Comments
0 comments