ଆମ ସଂସ୍କୃତିରେ ‘କୁଲା’

ଓଡ଼ିଆ ଭାଷାର ପ୍ରଥମ ଚଉତିଶା ‘କଳସା’ ଚଉତିଶାଠାରୁ ଆରମ୍ଭ କରି ଫକୀରମୋହନଙ୍କ ଗଳ୍ପ ସମୂହକୁ ଦେଖିଲେ କେଉଁଠି ନା କେଉଁଠି ‘କୁଲା’ ଶବ୍ଦର ବ୍ୟବହାର ହୋଇଛି

ଡ. ବାବୁଲି ବେହେରା
ଡ. ବାବୁଲି ବେହେରା345 Views
1 Min Read

ଓଡ଼ିଆ ଭାଷାରେ ପ୍ରାଚୀନ କାଳରୁ ପ୍ରଚଳିତ ଅନେକ ଶବ୍ଦ ପାଠକ ପଢ଼ିଛନ୍ତି । କୌଣସି ଗୋଷ୍ଠୀ ଓ ସମାଜର ଭାଷା ସମୃଦ୍ଧି ହେବାର କାରଣ ହେଉଛି ଶବ୍ଦ । ଯେଉଁ ଭାଷାରେ ଶବ୍ଦ ଅଧିକ, ସେହି ଭାଷା ସେତିକି ଉନ୍ନତ ବୋଲି କୁହାଯାଏ । ଆମ ଓଡ଼ିଆ ଭାଷାରେ ସେହିପରି ଅନେକ ଭାଷାର ଶବ୍ଦ ମିଶି ଶବ୍ଦଭଣ୍ଡାର ସୃଷ୍ଟି ହୋଇଛି । ତେଣୁ ଆମଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଓଡ଼ିଆ ଭାଷାରେ ଅନେକ ପ୍ରାନ୍ତୀୟ ଭାଷାର ପ୍ରଚଳନ ଥିବା ମଧ୍ୟ ଦେଖାଯାଏ ।

‘କୁଲା’ ଶବ୍ଦର ଆଲୋଚନା

ଓଡ଼ିଶାକୁ ଘେରି ରହିଥିବା ପ୍ରାନ୍ତୀୟ ରାଜ୍ୟଗୁଡ଼ିକର ଶବ୍ଦ ସେହି ଅଞ୍ଚଳର ମୁଖ୍ୟ ଭାଷା ରୂପରେ ପ୍ରଚଳନ ହୁଏ । ବାଲେଶ୍ୱରରେ ବଙ୍ଗାଳୀ ଭାଷାର ଶବ୍ଦ, ସମ୍ବଲପୁରରେ ହିନ୍ଦୀ ଭାଷାର ଶବ୍ଦ, ଗଂଜାମରେ ତେଲୁଗୁ ଭାଷାର ଶବ୍ଦ ବ୍ୟବହାର କରାଯାଏ । ଓଡ଼ିଆ ଶବ୍ଦ ଭଣ୍ଡାରରେ ତତ୍‌ସମ, ତତ୍‌ଭବ, ଦେଶଜ, ବୈଦେଶିକ ଶବ୍ଦର ବ୍ୟବହାର ଦେଖାଯାଏ । ଅନେକ ଭାଷାବିତ୍ ବିଭିନ୍ନ ଶବ୍ଦର ବ୍ୟବହାର କରି ଓଡ଼ିଆ ଭାଷା ଭଣ୍ଡାରକୁ ଅଧିକ ସମୃଦ୍ଧ କରିଛନ୍ତି । ଓଡ଼ିଶାର ଗଞ୍ଜାମରେ ପ୍ରଚଳିତ ‘କୁଲା’ ଶବ୍ଦକୁ ଆଲୋଚନା କରିବା । ‘କୁଲା’ ଶବ୍ଦର ବ୍ୟବହାର, କାର୍ଯ୍ୟକାରିତାକୁ ନିମ୍ନରେ ଆଲୋଚନା କରାଗଲା ।

କୁଲାସୃଷ୍ଟି

ଇତିହାସର ପୃଷ୍ଠାକୁ ଓଲଟାଇ ଦେଖିଲେ ଆଦିମାନବ ଠାରୁ ସାମ୍ପ୍ରତିକ ମାନବ ପର୍ଯ୍ୟନ୍ତ ଯେଉଁ ପ୍ରାଚୀନ ଶବ୍ଦଗୁଡ଼ିକ ବ୍ୟବହାର ହେଉଥିଲା, ସେଥିମଧ୍ୟରୁ ‘କୁଲା’ ଶବ୍ଦର ବ୍ୟବହାର ଏବେ ମଧ୍ୟ ଦେଖିବାକୁ ମିଳେ । ମାନବ ଯେତେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ନିକଟତର ହେଲେ ମଧ୍ୟ ‘କୁଲା’ ଠାରୁ ଦୂରରେ ରହିପାରି ନାହିଁ । ‘କୁଲା’ ଶବ୍ଦ ଓଡ଼ିଆ ଶବ୍ଦଭଣ୍ଡାରରେ ଦେଶଜ ଶବ୍ଦ ବୋଲି କୁହାଯାଏ । ଓଡ଼ିଶାରେ ହସ୍ତନିର୍ମିତ କ୍ଷୁଦ୍ରଶିଳ୍ପ ମଧ୍ୟରୁ ବାଉଁଶରେ ନିର୍ମିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକ ଯଥା- ଫୁଲତୁଳା (ତୋଳା), ଚାଙ୍ଗୁଡ଼ି, କୁଣ୍ଢି, କୁଲା, ଘରୋଇ ଉପକରଣ ଇତ୍ୟାଦି। ବାଉଁଶରେ ନିର୍ମିତ ସାମଗ୍ରୀର ସ୍ରଷ୍ଟାଙ୍କୁ ‘ମେଦିରୀ’ ବୋଲି କୁହାଯାଏ । ମେଦିରୀ ଜାତି ଓଡ଼ିଶାର ସମସ୍ତ ଜିଲ୍ଲାରେ ଦେଖିବାକୁ ମିଳେ । ଏମାନେ ସାଧାରଣତଃ ତେଲୁଗୁ ସମ୍ପ୍ରଦାୟର ବୋଲି କୁହାଯାଏ । ମେଦିରୀମାନେ କଞ୍ଚା ବାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରିଥାନ୍ତି । ପ୍ରଥମେ ବାଉଁଶରୁ ପାତି ବାହାର କରି ଏକଫୁଟରୁ ଦେଢ଼ଫୁଟ ଓସାର ଓ ଦୁଇଫୁଟ ଅଧେ ଲମ୍ବା ଦୁଇ ପାଖରେ ମୋଟା ବାଉଁଶର ଚଉଟା ଦେଇ ବାଉଁଶ ପାତିକୁ ତଳ ଉପର କରି ବୁଣି କୁଲା ତିଆରି କରନ୍ତି । କୁଲାକୁ ରଙ୍ଗ ଦେଇ ଅତି ମନୋରମ କରି ବଜାରକୁ ନେଇ ବର୍ତ୍ତମାନ ଦର ଅନୁସାରେ ବିକ୍ରି କରନ୍ତି । ‘କୁଲା’କୁ ଓଡ଼ିଶାର ପୁରପଲ୍ଲୀରେ ଘରୋଇ ଉପକରଣ, ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରନ୍ତି ।

ମାଙ୍ଗଳିକକାର୍ଯ୍ୟରେକୁଲାବ୍ୟବହାର:

ଓଡ଼ିଶା ଏକ ଗ୍ରାମବହୁଳ ରାଜ୍ୟ । ଗ୍ରାମଠାରୁ ହିଁ ସହରର ସୃଷ୍ଟି ବୋଲି ଅନେକ ଗବେଷକଙ୍କ ମତ ରହିଛି । ଓଡ଼ିଆ ଭାଷାର ପ୍ରଥମ ଚଉତିଶା ‘କଳସା’ ଚଉତିଶାଠାରୁ ଆରମ୍ଭ କରି ଫକୀରମୋହନଙ୍କ ଗଳ୍ପ ସମୂହକୁ ଦେଖିଲେ କେଉଁଠି ନା କେଉଁଠି ‘କୁଲା’ ଶବ୍ଦର ବ୍ୟବହାର ହୋଇଛି । ‘କୁଲା’ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କିପରି ହୁଏ, ତାହା ଆଲୋଚନାର ବିଷୟ । ଓଡ଼ିଶାର ଗ୍ରାମମାନଙ୍କରେ ବିବାହ ନୀତି ଓ ନିୟମ ଅଲଗା ଅଲଗା ଦେଖିବାକୁ ମିଳେ । ଅନାଦି କାଳରୁ ପ୍ରଚଳିତ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିବାହ ନୀତି ଅତି ପ୍ରାଚୀନ । ବିଭିନ୍ନ ଜାତିର ଲୋକ ବିଭିନ୍ନ ନୀତିରେ ବିବାହ କଲେ ମଧ୍ୟ ‘କୁଲା’କୁ ମାଙ୍ଗଳିକ କାର୍ଯ୍ୟର ମୁଖ୍ୟ ଉପକରଣ ଭାବରେ ବ୍ୟବହାର କରାଯାଏ । ବିବାହ ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ମଙ୍ଗଳବାର ଦିନ ଗ୍ରାମର ପ୍ରତ୍ୟେକ ଦେବଦେବୀଙ୍କୁ ମଙ୍ଗଳ କଳସ ଅର୍ପଣ କରାଯାଏ । ବୁଧବାର ଦିନ ବିବାହ ବେଦୀରେ ବରର ବଡ଼ଭାଉଜ ନୂଆ କୁଲାରେ ଦୀପ, ଅରୁଆ ଚାଉଳ, ବରକୋଳି ପତ୍ର, ହଳଦୀ ନେଇ ପ୍ରଥମେ ନିଜ ଘରର ଇଷ୍ଟଙ୍କୁ ପୂଜା କରନ୍ତି । ବରଙ୍କ ମୁକୁଟ ପୂଜା, ଗ୍ରାମର ମନ୍ଦିର ପୂଜକଙ୍କ ଘରକୁ ଯାଇ ପୂଜା କରାଯାଏ । ବାଢ଼ୁଅପାଣି ଓ ମାଟି ଗ୍ରାମର ମନ୍ଦିର ପୁଷ୍କରିଣୀରୁ ପୂଜା କରି ଅଣାଯାଏ । ଏହିସବୁ କାର୍ଯ୍ୟ ବରଙ୍କ ଭାଉଜ ଦ୍ୱାରା ‘କୁଲା’ ସାହାଯ୍ୟରେ ସମାପନ କରାଯାଏ । ବିବାହର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବରଙ୍କ ଭାଉଜ ବରଙ୍କୁ ନେଇ ‘କୁଲା’ ଦ୍ୱାରା ବରଯାତ୍ରୀ କନ୍ୟାଙ୍କ ଘରକୁ ରୋଷଣି କରି ଯାଏ । ସେଠାରେ ବର ଓ କନ୍ୟାଙ୍କ ଦୁଇ ଭାଉଜ ବେଦୀର ଚତୁଃପାଶ୍ୱର୍ରେ ସାତଥର ବର ଓ କନ୍ୟାଙ୍କୁ ବୁଲାଇଥାନ୍ତି । ବର ଓ କନ୍ୟାର ଭାଉଜଙ୍କ କାଖରେ ମାଙ୍ଗଳିକ ‘କୁଲା’ ଶୋଭାପାଏ । ଗୁରୁବାର ଦିନ ଦୁଇଟା ପରେ ବର ଓ କନ୍ୟାଙ୍କୁ କଉଡ଼ି ଖେଳରେ ଦୁଇ ଭାଉଜଙ୍କ ପାଖରେ ‘କୁଲା’ଦ୍ୱାରା କଉଡ଼ିଖେଳ ସମାପ୍ତ କରାଯାଏ । ଶୁକ୍ରବାର ଦିନ ବର ଓ କନ୍ୟାକୁ ନେଇ ବରଘରକୁ ବାହୁଡୁଣୀ କରିବା ସମୟରେ ବରର ଭାଉଜ ଓ କନ୍ୟାର ଭାଉଜ କାଖରେ କୁଲାଧରି ବର ଘରକୁ ଫେରନ୍ତି । ବିଧି ଅନୁସାରେ ବିବାହ କାର୍ଯ୍ୟ ସମାପନ କରାଯାଏ ।

କୁଲାଉଠାପରମ୍ପରା

କୁଲା ଉଠା ପରମ୍ପରା ବହୁ ପ୍ରାଚୀନ । ଆଶ୍ୱିନ ମାସରେ ପିତୃପୁରୁଷଙ୍କୁ ସ୍ୱର୍ଗଲୋକରୁ ଆମନ୍ତ୍ରଣ କରି ଶ୍ରାଦ୍ଧ ଦିଆଯାଏ । କାର୍ତ୍ତିକ ଅମାବାସ୍ୟ ବା ଦୀପାବଳି ଦିନ ପିତୃପୁରୁଷଙ୍କୁ ସ୍ୱର୍ଗଲୋକକୁ ପଠାଇବା ନୀତିରେ ‘କୁଲା’ର ବ୍ୟବହାର କରାଯାଏ । ଦୀପାବଳି ଦିନ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠା, ମିଠା ତିଆରି କରି ‘କୁଲା’ରେ ପିଠା, ମିଠା, ଦୀପ, ଧୂପ ଥୋଇ ପୂଜା କରାଯାଏ । ସନ୍ଧ୍ୟା ସମୟରେ ଘର ପିଣ୍ଡାକୁ ଗୋବରରେ ଲିପି ରଙ୍ଗମାଟି ପୋଛି ତାହା ଉପରେ ପିତୃଲୋକଙ୍କ ଚିତ୍ର ମୁରୁଜରେ କରାଯାଏ । ଘରର ମୁଖ୍ୟଲୋକ ସଜ୍ଜିତ କୁଲାକୁ ଦାଣ୍ଡରେ ଚିତ୍ର ହୋଇଥିବା ସ୍ଥାନରେ ରଖି ପିତୃପୁରୁଷଙ୍କୁ ପ୍ରାର୍ଥନା କରି ସାତଥର ତଳ ଉପର କରିଥାଏ । ଏହି ପରମ୍ପରା ଓଡ଼ିଶାର ପ୍ରତ୍ୟେକ ଗାଁ, ସହରରେ ଏବେ ମଧ୍ୟ ଚଳି ଆସୁଛି ।

ମୃତ୍ୟୁପରେକୁଲାବ୍ୟବହାର

କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ପରେ ‘କୁଲା’ର ବ୍ୟବହାର କରାଯାଏ । ମୃତ ବ୍ୟକ୍ତିଙ୍କ ଦାହ କରିବାପାଇଁ ମଶାଣିକୁ ନେବା ପାଇଁ ବିଭିନ୍ନ ନୀତି ନିୟମ କରିଥାନ୍ତି । ସେହି ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କୁ ଡକାଇ ଅଣାଯାଇ ଛଅ ଖଣ୍ଡ କାଠରେ କୋକେଇ ତିଆରି କରାଯାଏ । ଜଣେ ବୃଦ୍ଧ ଲୋକ କୁଲାରେ ଖଇ, ପଇସା, ଚନ୍ଦନକାଠ, ଧୂପକାଠି, ଘିଅ, କାତି ଇତ୍ୟାଦି ଯୋଗାଡ଼ କରନ୍ତି । ମୃତବ୍ୟକ୍ତିଙ୍କ ଘରଦାଣ୍ଡରେ ହଳଦୀ, ତେଲ ଲଗାଇ ଗାଧୋଇ ଘର ଭିତରକୁ ନେଇ ନୂଆଧୋତି ପରିଧାନ କରି ପାଟିରେ ନିର୍ମାଲ୍ୟ ଦେଇ କୋକେଇ ଉପରେ ଥୋଇଦିଅନ୍ତି । କୋକେଇ ଆତ୍ମୀୟସ୍ୱଜନ କାନ୍ଧରେ ବୋହି ମଶାଣି ଅଭିମୁଖେ ଯାତ୍ରା କରନ୍ତି । ସେହି ସମୟରେ କୁଲାର ବ୍ୟବହାର କରାଯାଏ । ବୃଦ୍ଧଜଣକ କୁଲାକୁ ହାତରେ ଧରି ଖଇ, କଉଡ଼ିକୁ ଦାଣ୍ଡରେ ବିଞ୍ଚି ଗାଇଯାଆନ୍ତି ରାମ ନାମ ସତ୍ୟ ହେ… ହରି ନାମ ସତ୍ୟ ହେ… । ଏହାର କାରଣ ମୃତବ୍ୟକ୍ତିଙ୍କ ପୁଣ୍ୟ ଆତ୍ମାକୁ ସ୍ୱର୍ଗଲୋକରେ ସ୍ଥାନ ମିଳୁଥିବାର ଲୋକଙ୍କର ବିଶ୍ୱାସ ରହିଛି । ‘କୁଲା’ ମୃତବ୍ୟକ୍ତି ସହିତ ମଶାଣି ପର୍ଯ୍ୟନ୍ତ ଯାଇଥାଏ । ସେଠାରେ ମୃତବ୍ୟକ୍ତିଙ୍କ ଶରୀରକୁ କାଠ ଉପରେ ଥୋଇ ତାଙ୍କ ଶରୀରରେ ଚନ୍ଦନ କାଠ, ଘିଅ, ନିଜ ଲୋକମାନେ ଲେପନ କରି ମୁଖାଗ୍ନି ଦେଇ ମୃତବ୍ୟକ୍ତିଙ୍କୁ ଦାହ କରାଯାଏ । ମଶାଣିରେ ‘କୁଲା’କୁ ଫିଙ୍ଗି ଦିଆଯାଏ । ‘କୁଲା’କୁ ଏହିପରି ଓଡ଼ିଶାର ପୁରପଲ୍ଲୀରେ ବ୍ୟବହାର କରାଯିବାର ପରମ୍ପରା ଦେଖିବାକୁ ମିଳେ ।

କୁଲାଘରୋଇଉପକରଣ

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ବର୍ତ୍ତମାନ ସମୟରେ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ‘କୁଲା’ର ବ୍ୟବହାର ଦେଖାଯାଏ ନାହିଁ । ଗାଁ ମାନଙ୍କରେ ଧାନଫସଲ କରି ଖଳାକୁ ଆଣିଲା ପରେ ‘କୁଲା’ ସାହାଯ୍ୟରେ ଧାନକୁ ଉଡ଼ାଇ ସଫା କରାଯିବା ଏବେ ମଧ୍ୟ ଦେଖିବାକୁ ମିଳେ । ଗାଁ ହେଉ କି ସହର; ପ୍ରତ୍ୟେକ ଘରେ ‘କୁଲା’କୁ ବ୍ୟବହାର କରାଯାଏ । ଘରେ ମା’ମାନେ ଧାନ, ଚାଉଳ, ମାଣ୍ଡିଆ ଇତ୍ୟାଦିକୁ ସଫା କାର୍ଯ୍ୟରେ ବ୍ୟବହାର କରନ୍ତି । ରୋଷେଇ ଘରେ ‘କୁଲା’ ସାହାଯ୍ୟରେ ପରିବା କାଟି କାଟି ଛାଣିବା, ଶାଗ ଛାଣିବା, ଚୁନା କୁଟା ହୋଇ ଚଲାଇ ରଖିବା ଆଦି କାର୍ଯ୍ୟରେ ବ୍ୟବହାର କରାଯାଏ । ଆଧୁନିକ ସମୟରେ ‘କୁଲା’କୁ ପସନ୍ଦ କରିବା ବହୁତ କମିଗଲାଣି । ବର୍ତ୍ତମାନ ପ୍ଲାଷ୍ଟିକ୍ର ବ୍ୟବହାର ଅଧିକ ଲୋକ ପସନ୍ଦ କରୁଛନ୍ତି । ତେଣୁ ବାଉଁଶ ତିଆରି ‘କୁଲା’ର ବ୍ୟବହାର ଧିରେ ଧିରେ ଲୋପ ପାଇଗଲାଣି ।

‘କୁଲା’ ଏକ ପ୍ରାଚୀନ ଘରୋଇ ଉପକରଣ । ‘କୁଲା’ ସାହାଯ୍ୟରେ ମହିଳାମାନେ ଅନେକ କାର୍ଯ୍ୟ ସାଧନ କରିଥାନ୍ତି । ମାଙ୍ଗଳିକ କାର୍ଯ୍ୟରେ ‘କୁଲା’ର ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଶାର ଆଦିବାସୀଙ୍କଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ‘କୁଲା’ର ଚାହିଦା ଦେଖାଯାଏ ।

Comments

0 comments

Share This Article