କଂଗ୍ରେସମୁକ୍ତ ଭାରତ’ ଓ ଗାନ୍ଧୀ

ସ୍ୱାଧୀନତା ହାସଲ ହୋଇଗଲା ପରେ ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସ ଦଳର ଭୂମିକା ଭାରତୀୟ ରାଜନୀତିରେ କଣ ହେବ, ସେ ସମ୍ପର୍କରେ ଚିନ୍ତା ଭାବନା ଆରମ୍ଭ ହୋଇଗଲା ।

‘କଂଗ୍ରେସ ମୁକ୍ତ ଭାରତ’

ଏହି ବାକ୍ୟଖଣ୍ଡର ପ୍ରୟୋଗ ଗତ ଦଶବର୍ଷ ହେଲା ବେଶ ଶୁଣାଯାଉଛି । ଏହାକୁ ନିରନ୍ତରତା ସହିତ ପ୍ରୟୋଗ କରୁଥିବା ବ୍ୟକ୍ତି ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ । ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଯେତେବେଳେ ୨୦୧୪ ଲୋକସଭା ନିର୍ବାଚନ ଅଭିଯାନ ସମିତିର ଅଧ୍ୟକ୍ଷ ହେଲେ, ସେ ଟୁଇଟରରେ ଜୁନ ୨୦୧୩ରେ ଲେଖିଲେ୧, “ବରିଷ୍ଠ ନେତାମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି ଯେ ଆମେ କଂଗ୍ରେସ ମୁକ୍ତ ଭାରତ ନିର୍ମାଣ କରିବା ଦିଗରେ କୌଣସି ଉଦ୍ୟମ ଛାଡ଼ିବୁ ନାହିଁ, ଆପଣମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ଧନ୍ୟବାଦ । ମୁଁ ଆଡୱାଣୀଙ୍କ ସହିତ ଫୋନରେ କଥାବାର୍ତ୍ତା କରିଛି । ସେ ମୋତେ ତାଙ୍କର ଆଶୀର୍ବାଦ ଦେଇଛନ୍ତି । ତାଙ୍କର ଆଶୀର୍ବାଦ ପାଇ ମୁଁ ସମ୍ମାନିତ ଅନୁଭବ କରୁଛି । ” ନଭେମ୍ବର, ୨୦୧୩ରେ ବିହାରପ୍ରଦେଶର ପାଟନା ସହରରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ଶ୍ରୀଯୁକ୍ତ ମୋଦୀ କହୁଥିଲେ୨, “ଚମ୍ପାରଣରୁ ‘ଇଂରେଜମୁକ୍ତ ଭାରତ’ର ଆହ୍ୱାନ ଗାନ୍ଧୀ ଦେଇଥିଲେ, ଗାନ୍ଧୀ ମୈଦାନରୁ ବିଗୁଲ ବାଜିବା ଦରକାର ଯେ ‘କଂଗ୍ରେସ ମୁକ୍ତ ଭାରତ’ର ସ୍ୱପ୍ନ ହିନ୍ଦୁସ୍ତାନ ସାକାର କରିବ ।” ୧୨ଜାନୁଆରୀ ୨୦୧୪ ଦିନ ଗୋଆରେ ବିଜୟ ସଙ୍କଳ୍ପ ରାଲିରେ ନିଜର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହୁଥିଲେ୩, “ଭାରତର ଲୋକେ ନିଷ୍ପତ୍ତି କରିଛନ୍ତି କଂଗ୍ରେସକୁ ମୂଳରୁ ଓପାଡ଼ି (uproot) ଦେବା ପାଇଁ । କଂଗ୍ରେସ ମୁକ୍ତ ଭାରତ ବିଜେପିର ଡାକରା ନୁହେଁ, ଲୋକ ଲୋକଙ୍କର ସଙ୍କଳ୍ପ ଅଟେ । ମୁଁ ଯେତେବେଳେ କଂଗ୍ରେସମୁକ୍ତ ଭାରତ କହୁଛି, ମୁଁ କେବଳ କଂଗ୍ରେସ ପାର୍ଟିର ନେତାଙ୍କ କଥା କହୁ ନାହିଁ ବରଂ ସେ ସଂସ୍କୃତି କଥା କହୁଛି ଯାହାକୁ କଂଗ୍ରେସ ଆଜି ପ୍ରତିନିଧିତ୍ୱ କରୁଛି ।” ଓ ଏହାକୁ ସେହିଦିନ ରାତି ୯ଟା ୨୩ମିନିଟରେ ଟୁଇଟ କରି ଲେଖିଥିଲେ୪, “କଂଗ୍ରେସମୁକ୍ତ ଭାରତ! ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଭାରତବାସୀଙ୍କର ଦୃଢ଼ସଙ୍କଳ୍ପ ।” ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୮ ମସିହା ଫେବୃଆରୀ ମାସରେ ସଂସଦରେ ଶ୍ରୀଯୁକ୍ତ ମୋଦୀ କହୁଛନ୍ତି୫ ଯେ ସେ ମହାତ୍ମା ଗାନ୍ଧୀଙ୍କର କଂଗ୍ରେସମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ହିଁ ଲାଗିଛନ୍ତି । ପ୍ରାୟ ଏହି ଉକ୍ତିକୁ ଦୋହରାଉଛନ୍ତି ସଂସଦରେ ଫେବୃଆରୀ ୨୦୧୯ରେ, କହୁଛନ୍ତି, ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ବର୍ଷରେ ଶ୍ରୀଯୁକ୍ତ ମୋଦୀ ସଂସଦରେ କହୁଛନ୍ତି୬, “‘କଂଗ୍ରେସ ମୁକ୍ତ ଭାରତ’ ମୋ ସ୍ଲୋଗାନ ନୁହେଁ ମୁଁ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ପୂରଣ କରୁଛି । ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ବର୍ଷରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଭାବରେ ଏହି କାର୍ଯ୍ୟ କରିବାକୁ ହିଁ ହେବ ।” ଫେବୃଆରୀ, ୨୦୨୨ରେ ଗୋଆ ଠାରେ କହୁଛନ୍ତି , “‘କଂଗ୍ରେସ ମୁକ୍ତ ଭାରତ’ ଦେଶର କୋଟି କୋଟି ଲୋକଙ୍କର ସଙ୍କଳ୍ପ ହୋଇଛି” । କିନ୍ତୁ ଶ୍ରୀଯୁକ୍ତ ମୋଦୀଙ୍କ ଦ୍ୱାରା ବାରମ୍ବାର ଉଚ୍ଚାରିତ ‘କଂଗ୍ରେସ ମୁକ୍ତ ଭାରତ’ ବାକ୍ୟଖଣ୍ଡର ପ୍ରତିକ୍ରିୟାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଶ୍ରୀ ମୋହନ ଭାଗୱତ କୁହନ୍ତି୭ ଏହା ଏକ ରାଜନୈତିକ ସ୍ଲୋଗାନ, ଏହା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଭାହା ନୁହେଁ । ତେବେ ଏହି ବାକ୍ୟଖଣ୍ଡ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟରେ ବାରମ୍ବାର ଶୁଣାଯିବା ପରେ ଏହି ବାକ୍ୟଖଣ୍ଡର ମୌଳିକତାକୁ ନେଇ ଅନୁଶୀଳନ ଆରମ୍ଭ ହେବାର ଦେଖାଯାଏ । କେହି ଏହି ବାକ୍ୟଖଣ୍ଡ ପଛରେ ଅବଧାରଣାର ଶ୍ରେୟ ଶ୍ରୀଯୁକ୍ତ ମୋଦୀଙ୍କର ଗୁରୁ ଶ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଦେଉଥିବା ବେଳେ୮ ଆଉ କେହି ଏହାର ଶ୍ରେୟ ଏକଦା ଅନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍ ଟି ରାମାରାଓଙ୍କୁ ଦିଅନ୍ତି୯ । କେହି କେହି ଏହି ବାକ୍ୟଖଣ୍ଡର ସୃଷ୍ଟି ଉପରେ ମୂଳ କପିରାଇଟ ଶ୍ରୀ ରାମମନୋହର ଲୋହିଆଙ୍କର ବୋଲି କୁହନ୍ତି୧୦।

କିନ୍ତୁ ଶ୍ରୀଯୁକ୍ତ ମୋଦୀ ଯେପରି ଏହି ବାକ୍ୟଖଣ୍ଡକୁ ମହାତ୍ମା ଗାନ୍ଧୀଙ୍କ ସହ ଯୋଡ଼ିଛନ୍ତି ତାହା କେହି ଏଯାବତ୍ କରି ନଥିଲେ । ତାଙ୍କର ଉଚ୍ଚାରଣକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଗାନ୍ଧୀ ଏହା ଚାହୁଁଥିଲେ ବୋଲି ପ୍ରକାଶ୍ୟରେ କହିଛନ୍ତି, ସଂସଦରେ ବାରମ୍ବାର କହିଛନ୍ତି । ତେଣୁ ଏହା ଆବଶ୍ୟକ ଜାଣିବା ଯେ ଗାନ୍ଧୀ ପ୍ରକୃତରେ କ’ଣ ଏପରି କହିଥିଲେ? କାହିଁକି ନା ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନ ପୂର୍ବରୁ ୮ ଅଗଷ୍ଟ ୧୯୪୨ ଦିନ କହିଥିଲେ୧୧, “ହିନ୍ଦୁମାନେ, ଯେଉଁମାନେ ଡକ୍ଟର ମୁଂଜେ ଏବଂ ଶ୍ରୀ ସାବରକରଙ୍କ ପରି ତରବାରୀ ନୀତିରେ ବିଶ୍ୱାସ କରନ୍ତି ଓ ଚାହିଁ ପାରନ୍ତି ମୁସଲମାନଙ୍କୁ ହିନ୍ଦୁଙ୍କ ଆଧିପତ୍ୟ ତଳେ ରଖିବା ପାଇଁ , ମୁଁ ସେହି ଗୋଷ୍ଠୀକୁ ପ୍ରତିନିଧିତ୍ୱ କରେ ନାହିଁ । ମୁଁ କଂଗ୍ରେସକୁ ପ୍ରତିନିଧିତ୍ୱ କରେ । ତୁମେ ଚାହୁଁଛ ସେ କଂଗ୍ରେସକୁ ମାରି ଦେବ ଯିଏ ସୁନା ଅଣ୍ଡା ଦେଉଥିବା ହଂସ । ଯଦି ତୁମେ କଂଗ୍ରେସକୁ ଅବିଶ୍ୱାସ କର, ତାହାହେଲେ ଜାଣିଥାଅ ଯେ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଏକ ନିରନ୍ତର ଯୁଦ୍ଧ ଚାଲିବା ନିଶ୍ଚିତ । ଦେଶର ଭାଗ୍ୟରେ ଯୁଦ୍ଧ ଓ ରକ୍ତପାତ ଅବଶ୍ୟମ୍ଭାବୀ ।” ଯେଉଁ ଗାନ୍ଧୀ କଂଗ୍ରେସ ସମ୍ପର୍କରେ ସ୍ୱାଧୀନତା ପୂର୍ବରୁ ଏପରି ମନ୍ତବ୍ୟ କରିପାରନ୍ତି ସେ କଂଗ୍ରେସମୁକ୍ତ ଭାରତ ଚାହିଁପାରନ୍ତି କି?

ସ୍ୱାଧୀନତା ପରେ କଂଗ୍ରେସ ଦଳର ଭୂମିକା

ସ୍ୱାଧୀନତା ହାସଲ ହୋଇଗଲା ପରେ ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସ ଦଳର ଭୂମିକା ଭାରତୀୟ ରାଜନୀତିରେ କଣ ହେବ, ସେ ସମ୍ପର୍କରେ ଚିନ୍ତା ଭାବନା ଆରମ୍ଭ ହୋଇଗଲା । ସ୍ୱାଧୀନତା ପ୍ରାପ୍ତିର ମାତ୍ର ୩ମାସ ପୁରୁ ପୁରୁ, ସାରା ଭାରତ କଂଗ୍ରେସ କମିଟି (AICC)ର ପ୍ରଥମ ଅଧିବେଶନ ୧୫ ନଭେମ୍ବର ୧୯୪୭ରୁ ଆରମ୍ଭ ହୋଇ ୧୭ନଭେମ୍ବର ୧୯୪୭ ଯାଏ ଚାଲିଥିଲା୧୨ । କଂଗ୍ରେସ ସମ୍ବିଧାନରେ ପରିବର୍ତ୍ତନ ହେବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ୧୬ ନଭେମ୍ବର ୧୯୪୭ ଦିନ ସାରା ଭାରତ କଂଗ୍ରେସ କମିଟି (AICC) ଏକ ପ୍ରସ୍ତାବ ଗ୍ରହଣ କରିଥିଲା ଯେ୧୩, “ଯେହେତୁ ବିଦେଶୀ ପ୍ରଭୁତ୍ୱରୁ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତା ହାସଲ କରିବାର ଲକ୍ଷ୍ୟ ଭାରତର ପୂରଣ ହୋଇଛି, ଏହି ପରିବର୍ତ୍ତିତ ଅବସ୍ଥାରେ କଂଗ୍ରେସ ସଂଗଠନ ଦ୍ୱାରା ନିର୍ବାହ କରିବାକୁ ଆବଶ୍ୟକ ନୂତନ ଭୂମିକା ଦୃଷ୍ଟିରୁ କଂଗ୍ରେସର ସମ୍ବିଧାନକୁ ସଂଶୋଧନ କରିବା ପାଇଁ ସାରା ଭାରତ କଂଗ୍ରେସ କମିଟି (AICC) ନିମ୍ନୋକ୍ତ କମିଟି ନିଯୁକ୍ତ କରୁଛି, ସେମାନେ ସଂଶୋଧିତ ଚିଠା ସମ୍ବିଧାନକୁ ସାରା ଭାରତ କଂଗ୍ରେସ କମିଟି (AICC)ର ଏକ ବିଶେଷ ଅଧିବେଶନରେ, ଯାହା ଏହି ଉଦ୍ଦେଶ୍ୟରେ ଆହୂତ ହେବ, ସେଠାରେ ଉପସ୍ଥାପିତ କରିବେ ।”

ଏହି କମିଟିର ଦୁଇଜଣ ସଦସ୍ୟ ଆର୍‌. ଆର୍‌. ଦିବାକର ଓ ଆଚାର୍ଯ୍ୟ ଯୁଗଳ କିଶୋର, ୨୭ ଜାନୁଆରୀ ୧୯୪୮ ଦିନ କଂଗ୍ରେସ ସମ୍ବିଧାନର ସଂଶୋଧନ ସମ୍ପର୍କରେ ଗାନ୍ଧୀଙ୍କ ଆଲୋଚନା କରିଥିଲେ । ସେ ଆଲୋଚନା ସାରାଂଶ ଏହିପରି୧୪(ପୃ ୩୧୩-୧୪)-

“ସାଧାରଣ ସଭ୍ୟଙ୍କ ଯୋଗ୍ୟତା କ’ଣ ହେବ, ଅର୍ଥାତ୍ କେଉଁମାନେ ସଭ୍ୟ ହୋଇପାରିବେ, ସେ ସମସ୍ତେ ଯେଉଁମାନେ କଂଗ୍ରେସର ନୀତିରେ ବିଶ୍ୱାସ କରନ୍ତି, ବା ସେମାନଙ୍କ ମଧ୍ୟରେ ସୀମିତ କରାଯିବ ଯେଉଁମାନେ ଏହାର ସାମାଜିକ-ଅର୍ଥନୈତିକ କାର୍ଯ୍ୟକ୍ରମର ମୂଳରେ ବିଶ୍ୱାସୀ?

ମହାତ୍ମାଜୀଙ୍କ ମତରେ ସଭ୍ୟ ତାଲିକା ପ୍ରସ୍ତୁତିର କୌଣସି ଆବଶ୍ୟକତା ନାହିଁ , ଏପରିକି ଯେଉଁ ଭିତ୍ତିରେ ଆଜି ଚାଲିଛି । ବରଂ, ତାଙ୍କର ପରାମର୍ଶ ହେଲା- ନିର୍ବାଚନ କ୍ଷେତ୍ର ଗୁଡିକୁ ଏତେ ଛୋଟ କରି ଦିଆଯିବା ଆବଶ୍ୟକ ଯେ ଏହି କ୍ଷେତ୍ରରେ ବାସ କରୁଥିବା ସବୁ ପ୍ରାପ୍ତବୟସ୍କ ବ୍ୟକ୍ତି, ସେ ଔପଚାରିକ ଭାବେ କଂଗ୍ରେସର ନୀତି ଏବଂ କାର୍ଯ୍ୟକ୍ରମରେ ବିଶ୍ୱାସ କରୁ ବା ନ କରୁ, ପ୍ରାଥମିକ କମିଟିଗୁଡ଼ିକର ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ ।

ଏପରି ପରାମର୍ଶ ସପକ୍ଷରେ ତାଙ୍କର ଯୁକ୍ତି ଥିଲା, ପ୍ରଥମତଃ, ନିର୍ବାଚନ କ୍ଷେତ୍ର ଛୋଟ ହୋଇଥିବାରୁ ପ୍ରତ୍ୟେକ ପ୍ରାପ୍ତବୟସ୍କ ବ୍ୟକ୍ତି ତାର ବିଚାରର ପ୍ରୟୋଗ ସେହି ପ୍ରାର୍ଥୀ ସପକ୍ଷରେ କରିବ ଯାହାର ଚରିତ୍ର ଓ କାର୍ଯ୍ୟକୁ ସେ ସଠିକ ଭାବରେ ଆକଳନ କରିପାରୁଥିବ । ଏବେ ଠାରୁ କଂଗ୍ରେସ ସେବକଙ୍କର ସଂଗଠନ ହେବ ଯେଉଁମାନେ ଏକ ବ୍ରତ ଭାବ (missionary zeal) ନେଇ ସମାଜରେ ଏକ ମୌଳିକ ପରିବର୍ତ୍ତନ ପାଇଁ ଚେଷ୍ଟିତ ହେବେ, ନ୍ୟାୟ, ସହିଷ୍ଣୁତା ଏବଂ ଅର୍ଥନୈତିକ ସମାନତାକୁ ନିଶ୍ଚିତ କରାଇବେ । କେବଳ ସାମାଜିକ ଦୃଷ୍ଟିରେ ଏହି ଭଳି ପରିବର୍ତ୍ତନ ଫଳରେ ହିଁ ରାଜ୍ୟରେ ସୁଧାର ଓ ସଂଯମ ସମ୍ଭବ । ଦ୍ୱିତୀୟତଃ, ଏବଂ ପରିଣତିରେ, ସେ ଚାହୁଁ ଥିଲେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଏଥିରେ ହେଉଥିବା ଦୁର୍ନୀତିଠାରୁ ଦୂରରେ ରହିବା ପାଇଁ ।

ଯେଉଁମାନେ ବିଭିନ୍ନ କଂଗ୍ରେସ କମିଟିକୁ ନିର୍ବାଚିତ ହେବାପାଇଁ ପ୍ରାର୍ଥୀ ହେବେ ସେମାନଙ୍କର ଯୋଗ୍ୟତା କଣ ହେବ?

ସେ ସମ୍ପର୍କରେ ତାଙ୍କର ମତ ଥିଲା ଯେ ସେମାନେ କେବଳ କଂଗ୍ରେସ ନୀତିରେ ବିଶ୍ୱାସୀ ହୋଇ ନ ଥିବେ , ସେମାନେ ମଧ୍ୟ ସାମାଜିକ , ଅର୍ଥନୈତିକ କାର୍ଯ୍ୟକ୍ରମରେ ବିଶ୍ୱାସୀ ହୋଇଥିବେ ଏବଂ କିଛି ରଚନାତ୍ମକ କାର୍ଯ୍ୟ କରୁଥିବେ ଯେପରି ଏକ ନିର୍ଦ୍ଧାରିତ ସମୟ ପାଇଁ ଚରଖା ଚଳାଇ ଥିବେ ବା ଅନ୍ୟ କୌଣସି ପ୍ରକାର ଦୈହିକ ପରିଶ୍ରମ ଲାଗୁଥିବା କାର୍ଯ୍ୟ କରିଥିବେ, କିଛି ଲୋକ ନିର୍ମାଣ କାର୍ଯ୍ୟ କରିବା ବ୍ୟତୀତ ।

ବର୍ତ୍ତମାନ ଯେତେବେଳେ ରାଜନୈତିକ କ୍ଷମତାର ହସ୍ତାନ୍ତରଣ ଭାରତୀୟ ପ୍ରତିନିଧିଙ୍କୁ ହୋଇଛି, ସେତେବେଳେ ସଂସଦୀୟ କାର୍ଯ୍ୟ ନିର୍ବାହ କରିବା ବ୍ୟତୀତ କଂଗ୍ରେସର ଭୂମିକା କ’ଣ ହେବ?

ମହାତ୍ମାଜୀ ଜୋର ଦେଇ କହିଥିଲେ ଯେ କଂଗ୍ରେସକୁ ସଂସଦୀୟ କାର୍ଯ୍ୟ ନିର୍ବାହ କରିବାକୁ ପଡ଼ିଲେ ମଧ୍ୟ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ଏବଂ ସେମାନଙ୍କୁ କଂଗ୍ରେସର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷିତ କରାଇବା ପାଇଁ କଂଗ୍ରେସକୁ ଦେଶରେ ରଚନାତ୍ମକ କାର୍ଯ୍ୟ କରିବାକୁ ହେବ । କିନ୍ତୁ ଏହିଭଳି କାର୍ଯ୍ୟକଳାପ ଛଡ଼ା କଂଗ୍ରେସକୁ ସତ୍ୟ ଓ ଅହିଂସା ଉପରେ ଏକ ଏପରି ନୂତନ ସମାଜର ପୁନଃନିର୍ମାଣ କରିବାକୁ ହେବ, ଯେଉଁ ସମାଜ ଏକ ଶକ୍ତିଶାଳୀ ଏବଂ କେନ୍ଦ୍ରୀଭୂତ (centralized)ସରକାରର ଅସ୍ତିତ୍ୱ ଉପରେ ନିର୍ଭର କରିବ ନାହିଁ, ବରଂ ନିର୍ଭର କରିବ ସ୍ୱେଚ୍ଛାକୃତ ଭାବେ ସଂଗଠିତ ହୋଇଥିବା ଓ ନ୍ୟାୟ, ସହିଷ୍ଣୁତା ତଥା ସତ୍ୟବାଦିତାର ଆଦର୍ଶ ଦ୍ୱାରା ଅନୁପ୍ରେରିତ ଜନସାଧାରଣଙ୍କର ବୁଦ୍ଧିମତା ପୂର୍ଣ୍ଣ ସହଯୋଗ ଉପରେ ।

ତାଙ୍କର ଏହା ମଧ୍ୟ ମତ ଥିଲା ଯେ କଂଗ୍ରେସ ଯଦି ଏହିପରି ଭୂମିକା ନିର୍ବାହ ନ କରେ, ତାହାଲେ କଂଗ୍ରେସ କ୍ରମଶଃ ତାର ନୈତିକ ପ୍ରଭାବ ହରାଇ ବସିବ ଓ କ୍ଷମତା ତଥା ପଦବୀ ପାଇଁ ହାଇଁ ପାଇଁ ହେଉଥିବା ଏକ ରାଜନୈତିକ ଦଳରେ ଅଧଃପତିତ ହେବ ।

ଏହି ସନ୍ଦର୍ଭରେ ଦେଖିଲେ, କଂଗ୍ରେସ ନିଜକୁ ତାଙ୍କ (ମହାତ୍ମାଜୀଙ୍କ) ପ୍ରସ୍ତାବ ଅନୁସାରେ ନିଜକୁ ପୁନଃସଂଗଠିତ କରିନେବା ଉଚିତ ଏବଂ ପରିଶେଷରେ ଜନସେବା ଏବଂ ଜନତାଙ୍କ ଇଚ୍ଛାର ଏକ ଶକ୍ତିଶାଳୀ ଓ କାର୍ଯ୍ୟଦକ୍ଷ ଉପକରଣରେ ପରିବର୍ତ୍ତିତ ହେବା ଉଚିତ ।

ଏହି କଥୋପକଥନର ଶେଷରେ ତାଙ୍କୁ ଭେଟୁଥିବା ସମ୍ବିଧାନ କମିଟିର ସଦସ୍ୟମାନେ ଗାନ୍ଧିଜୀଙ୍କୁ ଅନୁରୋଧ କରିଥିଲେ ଯେ ସେ ଦେଉଥିବା ପ୍ରସ୍ତାବଗୁଡ଼ିକୁ ନେଇ କଂଗ୍ରେସ ପାଇଁ ଏକ ସମ୍ବିଧାନର ଚିଠା ପ୍ରସ୍ତୁତ କରନ୍ତୁ । ଗାନ୍ଧୀ ଏଥିରେ ରାଜି ହୋଇଥିଲେ ଓ ୩୦ ଜାନୁଆରୀ ଦିନ ଚିଠାଟି ସେମାନଙ୍କ ହାତରେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।”

ସେହି ଦିନ, ୨୭ ଜାନୁଆରୀ ୧୯୪୮, ହରିଜନ ପତ୍ରିକାରେ “Congress Position” ଶିରୋନାମାରେ ଲେଖିଥିଲେ୧୪(ପୃ ୩୦୫-୬), “ଭାରତୀୟ ଜାତୀୟ କଂଗ୍ରେସ ଯିଏ ସର୍ବ ପୁରାତନ ଜାତୀୟ ରାଜନୈତିକ ସଂଗଠନ ଏବଂ ଯିଏ ସ୍ୱାଧୀନତା ପାଇବା ପଥରେ ବହୁ ଅହିଂସକ ଯୁଦ୍ଧ କରିଛି, ତାକୁ ମରିବାକୁ ଦିଆଯିବ ନାହିଁ । ସେ କେବଳ ଦେଶ ସହିତ ହିଁ ମରିବ । ଏକ ଜୀବନ୍ତ ପ୍ରାଣୀ (A living organism)ନିରନ୍ତର ବଢ଼ିଥାଏ ବା ମରି ଥାଏ । କଂଗ୍ରେସ ରାଜନୈତିକ ସ୍ୱାଧୀନତା ଜିଣିଛି, କିନ୍ତୁ ଏବେ ବି ବାକି ଅଛି ଅର୍ଥନୈତିକ, ସାମାଜିକ ଏବଂ ନୈତିକ ସ୍ୱାଧୀନତା ଜିଣିବା । ଏହି ସ୍ୱାଧୀନତାଗୁଡିକ ରାଜନୈତିକ ସ୍ୱାଧୀନତା ଅପେକ୍ଷା ଅଧିକ କଠିନ କେବଳ ଏଇଥିପାଇଁ ଯେ ଏହି ଗୁଡିକ ରଚନାତ୍ମକ, କମ୍ ରୋମାଂଚକ ଏବଂ ସେପରି ଆଖିଦୁରୁଶିଆ ନୁହେଁ । ସମସ୍ତଙ୍କୁ ସାଙ୍ଗରେ ନେଇ ରଚନାତ୍ମକ କାର୍ଯ୍ୟ କୋଟି କୋଟି ଲୋକଙ୍କ ଭିତରେ ଥିବା ଏକକ ଗୁଡିକରେ ଶକ୍ତି ସଂଚାର କରେ । କଂଗ୍ରେସ ତା ସ୍ୱାଧୀନତାର ପ୍ରାଥମିକ ଏବଂ ଆବଶ୍ୟକୀୟ ଅଂଶ ପାଇଯାଇଛି । କଠିନତମ ଆସିବା ଏବେ ବି ବାକି ଅଛି । ଗଣତନ୍ତ୍ରଆଡ଼କୁ ଏହାର ଦୁଷ୍କର ଆରୋହଣ ଅବସ୍ଥାରେ, ଏହା ଅପରିହାର୍ଯ୍ୟ ଭାବରେ ସୃଷ୍ଟି କରିଛି ଏପରି ଗଳିତ ନଗର ନିର୍ବାଚନମଣ୍ଡଳ ଯାହା ଦୁର୍ନୀତିର କେନ୍ଦ୍ର ହୋଇଛି ଓ ସୃଷ୍ଟ ଅନୁଷ୍ଠାନ ଗୁଡିକ କେବଳ ନାଁକୁ ଜନସାଧାରଣଙ୍କର ଏବଂ ଗଣତାନ୍ତ୍ରିକ ହୋଇଛି । କିପରି ଏହି ଭଳି ବାଜେ, ଅନାବଶ୍ୟକ ବୃଦ୍ଧିରୁ ନିସ୍ତାର ମିଳିବ? କଂଗ୍ରେସ ତାର ସଭ୍ୟ ଖାତାକୁ ଯେଉଁଥିରେ ସଭ୍ୟ ସଂଖ୍ୟା କୌଣସି ସମୟରେ ଏକ କୋଟିରୁ ଅଧିକ ହୋଇ ନାହିଁ, ପୁଣି ଯେଉଁମାନେ ସହଜରେ ଚିହ୍ନଟ ହୋଇପାରନ୍ତି ନାହିଁ, ସେପରି ବିଶେଷ ଖାତାକୁ କରିବା ତ୍ୟାଗକରିବା ନିହାତି ଆବଶ୍ୟକ । ଏହାର ଲକ୍ଷାଧିକ ଲୋକଙ୍କର ଏକ ଅଜଣା ଖାତା ରହିଛି ଯେଉଁମାନଙ୍କୁ ଆମେ ଚାହୁଁ ନାହୁଁ । ଏହାର ଖାତା ବର୍ତ୍ତମାନ ଦେଶ ପାଇଁ ପ୍ରସ୍ତୁତ ପୁରୁଷ ଓ ମହିଳାଙ୍କ ଭୋଟର ତାଲିକା ସହିତ ସହବିସ୍ତୃତ (co-extensive) ହେବା ଉଚିତ । କଂଗ୍ରେସର ଏହା କାର୍ଯ୍ୟ ହେବ ଦେଖିବା ଯେପରି ଏଥିରେ କୌଣସି ଜାଲି ନାଁର ପ୍ରବେଶ ନ ହୁଏ ଓ କୌଣସି ବୈଧ ନାଁ ବାଦ୍ ପଡ଼ି ନଯାଏ । ଏହାର ନିଜ ଖାତାରେ ଉଲ୍ଲେଖ ହେବ ରାଷ୍ଟ୍ର ସେବକଙ୍କର ଏକ ଗୋଷ୍ଠୀର ତାଲିକା ଯେଉଁମାନେ ସେମାନଙ୍କୁ ସମୟ ସମୟରେ ବରାଦ କରାଯାଉଥିବା କାର୍ଯ୍ୟର ସମ୍ପାଦନ କରୁଥିବେ । ଏହା ଦେଶର ଦୁର୍ଭାଗ୍ୟ ଯେ ଏହିମାନେ(ରାଷ୍ଟ୍ରର ସେବକ) ସହରାଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଅଣା ହେବେ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଭାରତର ଗାଁମାନଙ୍କରେ, ଗାଁମାନଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ତେବେ ଏହି ମାନଙ୍କ ମଧ୍ୟରେ ଗ୍ରାମବାସୀଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ଏହି ସେବକମାନେ ଆଇନ ଅନୁସାରେ ଭୋଟର ଭାବେ ପଂଜୀକୃତ ହୋଇଥିବା ଲୋକଙ୍କୁ ସେମାନଙ୍କର ନିଜ ଅଂଚଳରେ (ସେମାନଙ୍କ ଭିତରେ ରହି) ସେବା କରିବେ । ଅନେକ ବ୍ୟକ୍ତି ଓ ଦଳ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ । ଯିଏ ସବୁଠାରୁ ଭଲ ହେବ ତାର ହିଁ ବିଜୟ ହେବ । ତେଣୁ ଆଉ କୌଣସି ଉପାୟ ନାହିଁ ଯାହାଦ୍ୱାରା କଂଗ୍ରେସ ଦେଶରେ ତାର ଅନନ୍ୟ ସ୍ଥିତିରେ ହେଉଥିବା ତ୍ୱରିତ ଅବନତିକୁ ଅଟକାଇ ପାରିବ ଓ ସେହି ଅନନ୍ୟ ସ୍ଥିତିକୁ ଫେରି ପାଇବ । କିନ୍ତୁ ଏଇ ଗତକାଲି କଂଗ୍ରେସ କୌଣସି ନିର୍ଦ୍ଧାରିତ ଲକ୍ଷ୍ୟ ନଥାଇ ଭାରତର ସେବକ ହୋଇଥିଲା, ହୋଇଥିଲା ଖୁଦାଇ ଖିଦମତଗାର, ଭଗବାନଙ୍କର ସେବକ । ଏବେ ସେ ନିଜ ପାଖରେ ଓ ବିଶ୍ୱ ସାମ୍‌ନାରେ ଘୋଷଣା କରୁ ଯେ ସେ କେବଳ ଭଗବାନଙ୍କର ସେବକ, ଏହାଠାରୁ କିଛି ଅଧିକ ନୁହେଁ ବା କମ୍ ନୁହେଁ । ଯଦି ସେ ଅଯଥାରେ କ୍ଷମତା ପାଇଁ ନିଜକୁ ନିୟୋଜିତ କରେ, ତାହାହେଲେ ଦିନେ ସେ ଦେଖିବ ଯେ ସେ ଆଉ ନାହିଁ । ଭଗବାନଙ୍କୁ ଧନ୍ୟବାଦ୍‌, ବର୍ତ୍ତମାନ ଏହି କ୍ଷେତ୍ରର ସେ ଏକମାତ୍ର ଅଧିକାରୀ ନୁହଁ । ମୁଁ କେବଳ ଦୂରବର୍ତ୍ତୀ ଦୃଶ୍ୟ ଦେଖିବାକୁ ଆଗ୍ରହ କରିଛି । ଯଦି ମୋର ସମୟ ଓ ସ୍ୱାସ୍ଥ୍ୟ ଥାଏ, ମୁଁ ଏହି ସ୍ତମ୍ଭରେ ଆଲେଚନା କରିପାରେ ରାଷ୍ଟ୍ରର ସେବକମାନେ କ’ଣ କରିପାରିବେ ଯାହାଦ୍ୱାରା ମାଲିକମାନଙ୍କର ଅର୍ଥାତ୍ ସମସ୍ତ ପ୍ରାପ୍ତବୟସ୍କ, ନାରୀ ଓ ପୁରୁଷଙ୍କ ଆକଳନରେ ସେମାନଙ୍କର ସ୍ଥାନ ଉଚ୍ଚରେ ରହିବ ।”

ଉପରୋକ୍ତ ଆଲୋଚନା ଓ ହରିଜନ ପତ୍ରିକାରେ ତାଙ୍କର ଉପସ୍ଥାପନା ଦର୍ଶାଏ ଯେ ଗାନ୍ଧୀ ଚାହୁଁଥିଲେ କଂଗ୍ରେସକୁ ଅଧିକ ମଜବୁତ କରିବା ପାଇଁ, ଯେପରି କି ସ୍ୱାଧୀନ ଭାରତରେ, ଭାରତର ଅର୍ଥନୈତିକ, ସାମାଜିକ ଓ ନୈତିକ ସ୍ୱାଧୀନତା ହାସଲ ପାଇଁ କଂଗ୍ରେସର ସକ୍ରିୟତା ବୃଦ୍ଧିପାଇବ ଓ ସେ ଏକ ଏପରି ଅହିଂସକ, ସତ୍ୟବାଦିତା ଆଦର୍ଶରେ ବିଶ୍ୱାସୀ ସମାଜ ଗଠନ କରିବାରେ ଲାଗିପଡିବ ଯେଉଁଠି କ୍ଷମତା- କେନ୍ଦ୍ରୀକରଣର ସମ୍ଭାବନା ହିଁ ଉପୁଜିବ ନାହିଁ । ପ୍ରତ୍ୟେକ କଂଗ୍ରେସକର୍ମୀ ଲୋକଙ୍କ ସେବକ ହେବ ଓ ରଚନାତ୍ମକ କାର୍ଯ୍ୟକୁ ଅଂଗୀକାର କରିଥିବ । ଏପରିକି ସଂସଦୀୟ କାର୍ଯ୍ୟରେ ଲିପ୍ତ ହେଲେ ମଧ୍ୟ ରଚନାତ୍ମକ କାର୍ଯ୍ୟକୁ ସେ ଅଣଦେଖା କରିବ ନାହିଁ । ଗାନ୍ଧୀ ଯେତେବେଳେ ଲେଖୁଛନ୍ତି କଂଗ୍ରେସକୁ ମରିବାକୁ ଦିଆଯିବ ନାହିଁ, ଦେଶର ମୃତ୍ୟୁରେ ହିଁ କଂଗ୍ରେସର ମୃତ୍ୟୁ, ସେତେବେଳେ କଂଗ୍ରେସମୁକ୍ତ ଭାରତର ସ୍ଲୋଗାନର ଅର୍ଥ କଣ ହୋଇପାରେ? ଭାରତର ମୃତ୍ୟୁ!

ତେବେ ୨୭ ତାରିଖ ଆଲୋଚନାବେଳେ ଶ୍ରୀଯୁକ୍ତ ଦିବାକର ଓ ଆଚାର୍ଯ୍ୟ ଯୁଗଳ କିଶୋରଙ୍କୁ ଗାନ୍ଧୀ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ସେ ପାଳନ କରିଥିଲେ । ୩୦ ଜାନୁଆରୀ ୧୯୪୮ ଦିନ ସକାଳେ ସେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିଠାଟିକୁ ଆଚାର୍ଯ୍ୟ ଯୁଗଳ କିଶୋରଙ୍କୁ ଉପଲବ୍ଧ କରାଇ ଦେଇଥିଲେ । ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ଯେ ସେହିଦିନ ସନ୍ଧ୍ୟାବେଳେ ଗାନ୍ଧୀ ଏକ ଆତତାୟୀର ଗୁଳି ଚୋଟରେ ପ୍ରାଣ ହରାଇ ଥିଲେ । ଏହି ଚିଠାଟିକୁ ଆଚାର୍ଯ୍ୟ ଯୁଗଳ କିଶୋର ଫେବୃଆରୀ ୭, ୧୯୪୮ ଦିନ ଗଣମାଧ୍ୟମକୁ ଉପଲବ୍ଧ କରାଇଥିଲେ୧୪(ପୃ ୩୩୩-୪) । ଏହା ୧୫/୨/୧୯୪୮ ଦିନ ହରିଜନ ପତ୍ରିକାରେ “ His Last Will and Testament”. ଶିରୋନାମାରେ ପ୍ରକାଶିତ ହୋଇଥିଲା୧୫ ।

କିନ୍ତୁ ଯେତେବେଳେ ଏହି ଚିଠା ମହାତ୍ମା ଗାନ୍ଧୀ ପ୍ରସ୍ତୁତ କରୁଥିଲେ ସେତେବେଳେ ତାଙ୍କର ଶାରୀରିକ କ୍ଳାନ୍ତି ଓ ମାନସିକ ଚାପର ଏକ ନିଛକ ଚିତ୍ର ଏହିପରି ପେଶ୍ କରନ୍ତି ତାଙ୍କର ସଚିବ ପ୍ୟାରେଲାଲ୧୬, “୨୯ ତାରିଖ ଦିନ ସାରା ଦିନ ଏତେ କାର୍ଯ୍ୟ ଥିଲା ଯେ ଦିନ ସରିଲାବେଳକୁ ଗାନ୍ଧୀ ସମ୍ପୂର୍ଣ୍ଣ ଭାବରେ କ୍ଳାନ୍ତ ହୋଇପଡ଼ିଥିଲେ । କଂଗ୍ରେସ ପାଇଁ ସେ ଲେଖୁଥିବା ଚିଠା ସମ୍ବିଧାନ ଆଡ଼କୁ ଦେଖାଇ ଆଭାଙ୍କୁ କହୁଥିଲେ, ‘ମୋ ମୁଣ୍ଡ ବୁଲାଉଛି, କିନ୍ତୁ ମୋତେ ଏହାକୁ ସାରିବାକୁ ହେବ । ତେଣୁ ମୋତେ ଲାଗୁଛି, ରାତିରେ ଅଧିକ ସମୟ ପାଇଁ ମୋତେ ଚେଇଁବାକୁ ହେବ ।’” ତା’ ପରଦିନ ସକାଳେ ଗାନ୍ଧିଜୀ ଚିଠା ସମ୍ବିଧାନକୁ ପୁନର୍ବାର ପଢ଼ିଲେ ଓ ସଚିବ ପ୍ୟାରେଲାଲଙ୍କ ହାତକୁ ବଢ଼ାଇ ଦେଇ କହିଲେ୧୪(ପୃ ୩୩୩-୪), “ଏହାକୁ ଭଲ ଭାବରେ ପଢ଼ । ମୋ ଚିନ୍ତାରେ କିଛି ଫାଙ୍କ ରହିଥାଇପାରେ, ତାହାକୁ ପୂରଣ କରିଦିଅ, କାରଣ ମୁଁ ବେଶ୍ ମାନସିକ ଚାପ ଭିତରେ ଏହାକୁ ଲେଖିଛି ।”

ଗାନ୍ଧୀ ପ୍ରସ୍ତୁତ ଚିଠା ସମ୍ବିଧାନର ବିଷୟ ବସ୍ତୁ୧୪(ପୃ ୩୩୩୩୩୫)

“ଯଦିଓ ଭାରତ ଦୁଇଭାଗରେ ବିଭକ୍ତ ହୋଇଛି ଓ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ପରିକଳ୍ପିତ ସାଧନ ଦ୍ୱାରା ଭାରତ ରାଜନୈତିକ ସ୍ୱାଧୀନତା ହାସଲ କରିଛି, କଂଗ୍ରେସର ଏକ ପ୍ରୋପାଗଣ୍ଡା ମେସିନ ଏବଂ ସଂସଦୀୟ ମେସିନ ଭାବେ, ଯାହା ତାହାର ବର୍ତ୍ତମାନର ସ୍ୱରୂପ ଓ ଆକାର, ତାହାର ଆବଶ୍ୟକତା ଶେଷ ହୋଇଯାଇଛି । ଭାରତକୁ ହାସଲ କରିବାକୁ ଅଛି ସାମାଜିକ, ନୈତିକ ଏବଂ ଅର୍ଥନୈତିକ ସ୍ୱାଧୀନତା, ନଗର ଏବଂ ସହରକୁ ନୁହେଁ ବରଂ ସାତଲକ୍ଷ ଗାଁଙ୍କୁ ଦୃଷ୍ଟିରେ ରଖି । ଭାରତର ବିକାଶ କାଳରେ, ଗଣତାନ୍ତ୍ରିକ ଲକ୍ଷ୍ୟ ହାସଲ ଦିଗରେ, ସାମରିକ ଶକ୍ତି ଉପରେ ନାଗରିକ ଶକ୍ତିର ପ୍ରଭୁତ୍ୱ ପାଇଁ ସଂଘର୍ଷ ଅବଶ୍ୟମ୍ଭାବୀ । ଏହାକୁ ଅନ୍ୟ ରାଜନୈତିକ ଦଳ ଓ ସାମ୍ପ୍ରଦାୟିକ ଗୋଷ୍ଠୀ ସହ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବାକୁ ହେବ । ଏହି କାରଣରୁ ଓ ଅନ୍ୟ ସଦୃଶ କାରଣରୁ, ସାରା ଭାରତ କଂଗ୍ରେସ କମିଟି (A. I. C. C) ଚଳନ୍ତି କଂଗ୍ରେସ ସଂଗଠନକୁ ଭାଙ୍ଗି ଦେବା ପାଇଁ ଓ ଏହାକୁ ଏକ ଲୋକସେବକ ସଂଘରେ, ନିମ୍ନୋକ୍ତ ନିୟମ ଅନୁସାରେ, ଯାହାକୁ ଆବଶ୍ୟକ ହେଲେ ବଦଳା ଯାଇପାରିବ, ପରିଣତ କରିବା ପାଇଁ ସଙ୍କଳ୍ପ କରୁଛି ।

ପ୍ରତ୍ୟେକ ପଂଚାୟତର ପାଂଚ ସାବାଳକ ପୁରୁଷ ବା ମହିଳା, ଯେଉଁମାନେ ଗାଁର ଲୋକ ହୋଇଥିବେ ବା ଗାଁ ପ୍ରତି ଆଗ୍ରହୀ ଥିବେ, ତାହା ଏକ ଏକକ(unit) ଭାବେ ବିବେଚିତ ହେବେ ।

ଏହିଭଳି ଦୁଇଟି ସଂଲଗ୍ନ ପଂଚାୟତ ସେମାନଙ୍କ ମଧ୍ୟରୁ ନିର୍ବାଚିତ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ଏକ କାର୍ଯ୍ୟକାରୀ ପାର୍ଟି ଗଠନ କରିବେ ।

ଏହିଭଳି ଶହେଟି ପଂଚାୟତର ନିର୍ବାଚିତ ପଚାଶ ଜଣ ପ୍ରଥମ ଶ୍ରେଣୀର ନେତା, ସେମାନଙ୍କ ମଧ୍ୟରୁ ଜଣେ ଦ୍ୱିତୀୟଶ୍ରେଣୀର ନେତାଙ୍କୁ ନିର୍ବାଚିତ କରିବେ ଏବଂ ଏହି ନେତାଙ୍କ ଅଧୀନରେ ପଚାଶ ଜଣ କାର୍ଯ୍ୟ କରିବେ ।

ଏହି ପ୍ରକ୍ରିୟାକୁ ଅବ୍ୟାହତ ରଖାଯିବ ଯେତେବେଳ ଯାଏ ସାରାଭାରତକୁ ଏହା ବିସ୍ତାରିତ ନ ହୋଇଯାଇଛି । ଏହି ଦ୍ୱିତୀୟ ଶ୍ରେଣୀର ନେତାମାନେ, ସେମାନଙ୍କର ନିଜ ନିଜ ଅଂଚଳକୁ ସେବା ଯୋଗାଇବା ସହିତ, ଏକତ୍ର ସାରା ଭାରତର ସେବା କରିବେ । ଏହି ଦ୍ୱିତୀୟ ଶ୍ରେଣୀର ନେତାମାନେ ଯେତେବେଳେ ଆବଶ୍ୟକ ବୋଲି ଭାବିବେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟଭାବେ ନିର୍ବାଚିତ କରିପାରିବେ, ଯିଏ ସବୁ ଗୋଷ୍ଠୀକୁ ନିୟନ୍ତ୍ରିତ କରିବ ଓ ନିର୍ଦ୍ଦେଶ ଦେବ ।

(ଯେହେତୁ ପ୍ରଦେଶ ଓ ଜିଲ୍ଲାର ଗଠନ ବର୍ତ୍ତମାନ ମଧ୍ୟ ଚାଲିଛି, ତେଣୁ କୌଣସି ଉଦ୍ୟମ କରାଯାଇ ନାହିଁ ଏହି ସେବକମାନଙ୍କୁ ପ୍ରଦେଶ ବା ଜିଲ୍ଲାସ୍ତରରେ ବିଭାଜିତ କରିବା ପାଇଁ । ….ଏହା ଉଲ୍ଲେଖ କରାଯିବା ଉଚିତ ଯେ ଏହି ସେବକମାନେ ସେମାନଙ୍କର କ୍ଷମତା ବା ଶକ୍ତି ସେମାନଙ୍କର ମୁନିବ, ସମଗ୍ର ଭାରତକୁ, କିପରି ଦ୍ୱିଧାହୀନ ଓ ବିଜ୍ଞତାର ସହ ସେବା କରୁଛନ୍ତି, ସେଥିରୁ ହାସଲ କରିବେ ।)

“୧. ପ୍ରତ୍ୟେକ କର୍ମୀ ଅଭ୍ୟାସ କରି ଖଦୀ ପନ୍ଧିବେ ଯାହା ସେମାନେ ନିଜେ ବୁଣି ଥିବେ ବା ସାରା ଭାରତ ବୁଣାକାର ସମିତି (All India Spinners’ Association(A. I. S. A) ର ସାର୍ଟିଫିକେଟ ପାଇଥିବା ଖଦୀ ପିନ୍ଧିବେ । ଏବଂ ନିଶ୍ଚିତ ଭାବରେ ମଦ୍ୟପାନ କରୁ ନଥିବେ । ସେ ଯଦି ହିନ୍ଦୁ ହୋଇଥିବେ, ତାହାହେଲେ ସେ ନିଜେ ଓ ତାଙ୍କର ପରିବାର ଅସ୍ପୃଶ୍ୟତାକୁ ବିରୋଧ କରିବେ, ସାମ୍ପ୍ରଦାୟିକ ଐକ୍ୟର ଆଦର୍ଶରେ ବିଶ୍ୱାସ କରିବେ, ସବୁ ଧର୍ମକୁ ସମାନ ଭାବରେ ସମ୍ମାନ କରିବେ ଏବଂ ବର୍ଣ୍ଣ, ବିଶ୍ୱାସ ବା ଲିଙ୍ଗ ବ୍ୟତିରକେ ସମସ୍ତଙ୍କ ପାଇଁ ସୁଯୋଗ ଏବଂ ପ୍ରତିଷ୍ଠାର ସମାନତାରେ ବିଶ୍ୱାସ କରିବେ ।

୨. ସେ ତାଙ୍କ କ୍ଷେତ୍ରରେ ଗାଁର ପ୍ରତ୍ୟେକ ବ୍ୟକ୍ତି ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବେ ।

୩. ସେ ଗାଁର ଲୋକଙ୍କୁ ସଦସ୍ୟଭୁକ୍ତ କରିବେ, ସେମାନଙ୍କୁ ତାଲିମ ଦେବେ ଏବଂ ଏ ସବୁର ଏକ ରେଜିଷ୍ଟର ରଖିବେ ।

୪. ସେ ନିଜର ଦୈନନ୍ଦିନ କାର୍ଯ୍ୟକଳାପର ଏକ ରେକର୍ଡ ରଖିବେ ।

୫. ସେ ଗାଁଗୁଡିକୁ ସଂଗଠିତ କରିବେ ଯେପରି ଏହି ଗୁଡିକ ସ୍ୱଂୟସମ୍ପୂର୍ଣ୍ଣ ହେବେ, କୃଷି ଓ ହସ୍ତଶିଳ୍ପ ଜରିଆରେ ଆତ୍ମ-ନିର୍ଭରଶୀଳ ହେବେ ।

୬. ସେ ଗ୍ରାମବାସୀଙ୍କୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ଶିକ୍ଷିତ କରାଇବେ ଓ ସେମାନଙ୍କ ମଧ୍ୟରେ ରୋଗ ଓ ଅସୁସ୍ଥତାର ନିବାରଣ ପାଇଁ ସମସ୍ତ ପଦକ୍ଷେପ ନେବେ ।

୭. ସେ ଗ୍ରାମବାସୀଙ୍କୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହିନ୍ଦୁସ୍ଥାନୀ ତାଲିମ ସଂଘ ଦ୍ୱାରା ନୀତି ନିର୍ଦ୍ଧାରିତ ନୟୀ ତାଲିମ ଅନୁସାରେ ଶିକ୍ଷା ଦେବେ ।

୮. ସେ ଦେଖିବେ ଯେଉଁମାନଙ୍କ ନାଁ ବିଧିବଦ୍ଧ ନିୟମ ଅନୁସାରେ ପ୍ରସ୍ତୁତ ଭୋଟର ତାଲିକାରେ ନାହିଁ ସେ ନାଁଗୁଡିକୁ ସେ ତାଲିକାରେ ଅନ୍ତର୍ଭୁକ୍ତ କରିବେ ।

୯. ଯେଉଁମାନେ ଆଇନରେ ଶିକ୍ଷାଗତ ଯୋଗ୍ୟତା ଏ ଯାବତ୍ ପାଇ ନାହାନ୍ତି, ସେମାନଙ୍କୁ ଏହା ପାଇବା ପାଇଁ ଉତ୍ସାହିତ କରିବେ ଭୋଟର ଅଧିକାର ହାସଲ କରିବା ପାଇଁ ।

୧୦. ଉପରୋକ୍ତ ଲକ୍ଷ୍ୟ ଓ ଅନ୍ୟ ଯାହା ସମୟ ସମୟରେ ଅନ୍ତର୍ଭୁକ୍ତ କରାଯାଉଥିବ, ତାହା ପାଇଁ ସେ ନିଜକୁ ଯୋଗ୍ୟ କରିବେ ଓ ସଂଘର ନିୟମାନୁସାରେ ଉପଯୁକ୍ତ କର୍ତ୍ତବ୍ୟ ନିର୍ବାହ କରିବେ ।

ନିମ୍ନୋକ୍ତ ସ୍ୱୟଂଶାସିତ ସଂଗଠନଗୁଡିକୁ ସଂଘ ଅନୁବନ୍ଧିତ କରିବ ।

୧. ସାରା ଭାରତ ବୁଣାକାର ସମିତି (All India Spinners’ Association) A.I.S.A.

୨. ସାରା ଭାରତ ଗ୍ରାମୋଦ୍ୟୋଗ ସମିତି (All India Village Industries’ Association)A.I.V.I.A.

୩. ହିନ୍ଦୁସ୍ଥାନୀ ତାଲିମି ସଂଘ Hindustani Talimi Sangh

୪. ହରିଜନ ସେବକ ସଂଘ Harijan Sevak Sangh

୫. ଗୋସେବା ସଂଘ Goseva Sangh

ଅର୍ଥ ପରିଚାଳନା

ସଂଘ ତାର ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ଗ୍ରାମୀଣ ଓ ଅନ୍ୟ ଲୋକଙ୍କଠାରୁ ସଂଗ୍ରହ କରିବ, ବିଶେଷ ଜୋର ଦେବ ଗରିବ ଲୋକଙ୍କଠାରୁ ପଇସା ସଂଗ୍ରହ ଉପରେ ।

ଏମ୍ କେ ଜି

(ମୋହନଦାସ କରମଚାନ୍ଦ ଗାନ୍ଧୀ)

ନୂଆ ଦିଲ୍ଲୀ ୨୯ ଜାନୁଆରୀ ୧୯୪୮”

ଉପସଂହାର

ଉପରୋକ୍ତ ବିବରଣୀରୁ ଜଣାଯାଏ ଯେ କଂଗ୍ରେସ ସମ୍ବିଧାନରେ ସଂଶୋଧନ ସନ୍ଦର୍ଭରେ ଗାନ୍ଧୀଙ୍କ ସହ ଆଲୋଚନା ଓ କଂଗ୍ରେସର ସ୍ଥାନ ଶୀର୍ଷକରେ ଗାନ୍ଧୀଙ୍କ ଦ୍ୱାରା ନିବନ୍ଧ ଲିଖନ ୨୭ ଜାନୁଆରୀ ୧୯୪୮ ଦିନ ହୋଇଥିବାବେଳେ ଓ ଗାନ୍ଧୀଙ୍କ ଦ୍ୱାରା ସଂଶୋଧିତ ପ୍ରସ୍ତାବର ପ୍ରସ୍ତୁତି ୨୯ ଜାନୁଆରୀ ୧୯୪୮ରେ ହୋଇଥିଲା । ୩୦ଜାନୁଆରୀ ୧୯୪୮ ଦିନ ଏକ ଆତତାୟୀର ଗୁଳି ଚୋଟରେ ଗାନ୍ଧୀଙ୍କର ମୃତ୍ୟୁ ହେଲା । କହିବା ବାହୁଲ୍ୟ ଯେ କଂଗ୍ରେସ ସମ୍ବିଧାନ ସଂଶୋଧନ ସନ୍ଦର୍ଭରେ ୨୭ ଓ ୨୯ ଜାନୁଆରୀରେ ୧୯୪୮, ଏହି ଦୁଇ ଦିନ ଗାନ୍ଧୀଙ୍କ ଦ୍ୱାରା ବ୍ୟକ୍ତ ମତ, ଲିଖିତ ବା ମୌଖିକ, ହିଁ ବିଚାରଣୀୟ ଯାହା ଦର୍ଶାଇବ ଗାନ୍ଧୀ କେତେଦୂର ‘କଂଗ୍ରେସମୁକ୍ତ ଭାରତ’ ଚାହୁଁ ଥିଲେ ।

ଏହା ଠିକ ଯେ ୨୯ ତାରିଖ ଦିନ ଗାନ୍ଧୀ କଂଗ୍ରେସ ସମ୍ବିଧାନର ସଂଶୋଧନ ଚିଠା ପ୍ରସ୍ତୁତ କରିଥିଲେ, ସେଥିରେ ଅବଶ୍ୟ ପ୍ରସ୍ତାବ ଦେଇଥିଲେ ଯେ କଂଗ୍ରେସକୁ ଭାଙ୍ଗି ଦିଆଯାଇ ଲୋକସେବକ ସଂଘରେ ପରିଣତ କରାଯାଉ । ଏହାର ଏକ କାରଣ ସେ ଦେଇଛନ୍ତି ଯେ “ଏହାକୁ (କଂଗ୍ରେସକୁ)ଅନ୍ୟ ରାଜନୈତିକ ଦଳ ଓ ସାମ୍ପ୍ରଦାୟିକ ଗୋଷ୍ଠୀ ସହ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବାକୁ ହେବ”। ଖରାପ ପିଲାଙ୍କଠାରୁ ନିଜ ପିଲାକୁ ଦୂରେଇ ରଖିବାର ଅଭିଭାବକୀୟ ମାନସିକତା! ୨୭ତାରିଖ ଆଲୋଚନା ସମୟରେ “ସେ ଚାହୁଁଥିଲେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଏଥିରେ ହେଉଥିବା ଦୁର୍ନୀତି ଠାରୁ (କଂଗ୍ରେସ)ଦୂରରେ ରହିବାପାଇଁ ।” ସେହି ଆଲୋଚନା ସମୟରେ ହିଁ ସେ ଜଣାଇଥିଲେ ଯେ “ଏବେଠାରୁ କଂଗ୍ରେସ ସେବକଙ୍କର ସଙ୍ଗଠନ ହେବ ଯେଉଁମାନେ ଏକ ବ୍ରତ ଭାବ (missionary zeal) ନେଇ ସମାଜରେ ଏକ ମୌଳିକ ପରିବର୍ତ୍ତନ ପାଇଁ ଚେଷ୍ଟିତ ହେବେ, ନ୍ୟାୟ, ସହିଷ୍ଣୁତା ଏବଂ ଅର୍ଥନୈତିକ ସମାନତାକୁ ନିଶ୍ଚିତ କରାଇବେ ।” ତେଣୁ ସ୍ୱାଧୀନ ଭାରତରେ କଂଗ୍ରେସ ଏକ ରାଜନୈତିକ ଦଳ ହେଉ, ‘ଅନ୍ୟ ରାଜନୈତିକ ଦଳ ଓ ସାମ୍ପ୍ରଦାୟିକ ଗୋଷ୍ଠୀ ସହ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦ୍ୱିତା’ରେ ସମୟ ଅପଚୟ କରୁ, ମନେ ହୁଏ ତାହା ସେ ଚାହୁଁ ନଥିଲେ । କାରଣ ତାଙ୍କର ଆଶଙ୍କା ଥିଲା ଏହାଦ୍ୱାରା “ଭାରତକୁ ହାସଲ କରିବାକୁ ଅଛି ସାମାଜିକ, ନୈତିକ ଏବଂ ଅର୍ଥନୈତିକ ସ୍ୱାଧୀନତା, ନଗର ଏବଂ ସହରକୁ ନୁହେଁ ବରଂ ସାତଲକ୍ଷ ଗାଁଙ୍କୁ ଦୃଷ୍ଟିରେ ରଖି ।”, କଂଗ୍ରେସର ଏହି ବୃହତ୍ ଲକ୍ଷ୍ୟ ବିଡ଼ମ୍ବିତ ହେବ ଓ “କଂଗ୍ରେସ କ୍ରମଶଃ ତାର ନୈତିକ ପ୍ରଭାବ ହରାଇ ବସିବ ଓ କ୍ଷମତା ତଥା ପଦବୀପାଇଁ ହାଇଁ ପାଇଁ ହେଉଥିବା ଏକ ରାଜନୈତିକ ଦଳରେ ଅଧଃପତିତ ହେବ ।” ସ୍ୱାଧୀନ ଭାରତରେ କଂଗ୍ରେସ ଏକ ନିର୍ବାଚନସର୍ବସ୍ୱ ରାଜନୈତିକ ଦଳ ହେଉ ତାହା ଗାନ୍ଧୀ ଚାହୁଁ ନଥିଲେ, ବରଂ ଗାନ୍ଧୀ ଚାହୁଁଥିଲେ କଂଗ୍ରେସ ଏପରି ଏକ ସଂଗଠନ ହେଉ ଯାହାକୁ “ସତ୍ୟ ଓ ଅହିଂସା ଉପରେ ଏକ ଏପରି ନୂତନ ସମାଜର ପୁନଃନିର୍ମାଣ କରିବାକୁ ହେବ, ଯେଉଁ ସମାଜ ଏକ ଶକ୍ତିଶାଳୀ ଏବଂ କେନ୍ଦ୍ରୀଭୂତ (centralized) ସରକାରର ଅସ୍ତିତ୍ୱ ଉପରେ ନିର୍ଭର କରିବ ନାହିଁ, ବରଂ ନିର୍ଭର କରିବ ସ୍ୱେଚ୍ଛାକୃତ ଭାବେ ସଂଗଠିତ ହୋଇଥିବା ଓ ନ୍ୟାୟ, ସହିଷ୍ଣୁତା ତଥା ସତ୍ୟବାଦିତାର ଆଦର୍ଶ ଦ୍ୱାରା ଅନୁପ୍ରେରିତ ଜନସାଧାରଣଙ୍କର ବୁଦ୍ଧିମତା ପୂର୍ଣ୍ଣ ସହଯୋଗ ଉପରେ ।”ଯାହାକୁ “ଦେଶରେ ରଚନାତ୍ମକ କାର୍ଯ୍ୟ କରିବାକୁ ହେବ”, “ଲୋକଙ୍କ ସହିତ ସମ୍ପର୍କ ସ୍ଥାପନପାଇଁ ଏବଂ ସେମାନଙ୍କୁ କଂଗ୍ରେସର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷିତ କରାଇବା ପାଇଁ” । ଅର୍ଥାତ୍ କଂଗ୍ରେସ ତୃଣମୂଳ ସ୍ତରକୁ ଯାଉ, ବ୍ୟାପକ ହେଉ ଓ ଏହାର ନୀତି ଓ କାର୍ଯ୍ୟକ୍ରମ ଦେଶର ଲୋକେ ଅନୁସରଣ କରନ୍ତୁ ଏହା ଗାନ୍ଧୀ ଚାହୁଁଥିଲେ । ତେଣୁ ସ୍ୱାଭାବିକ ସେ ୨୭ତାରିଖ ଦିନ ହରିଜନ ପତ୍ରିକାରେ ଲେଖୁଥିଲେ, “ଭାରତୀୟ ଜାତୀୟ କଂଗ୍ରେସ ଯିଏ ସର୍ବ ପୁରାତନ ଜାତୀୟ ରାଜନୈତିକ ସଂଗଠନ ଏବଂ ଯିଏ ସ୍ୱାଧୀନତା ପାଇବା ପଥରେ ବହୁ ଅହିଂସକ ଯୁଦ୍ଧ କରିଛି, ତାକୁ ମରିବାକୁ ଦିଆଯିବ ନାହିଁ । ସେ କେବଳ ଦେଶ ସହିତ ହିଁ ମରିବ ।….. କଂଗ୍ରେସ ରାଜନୈତିକ ସ୍ୱାଧୀନତା ଜିଣିଛି, କିନ୍ତୁ ଏବେ ବି ବାକି ଅଛି ଅର୍ଥନୈତିକ, ସାମାଜିକ ଏବଂ ନୈତିକ ସ୍ୱାଧୀନତା ଜିଣିବା । ଏହି ସ୍ୱାଧୀନତା ଗୁଡ଼ିକ ରାଜନୈତିକ ସ୍ୱାଧୀନତା ଅପେକ୍ଷା ଅଧିକ କଠିନ କେବଳ ଏଇଥିପାଇଁ ଯେ ଏହିଗୁଡ଼ିକ ରଚନାତ୍ମକ, କମ୍ ରୋମାଂଚକ ଏବଂ ସେପରି ଆଖିଦୁରୁଶିଆ ନୁହେଁ ।” ଗାନ୍ଧୀ ନିଶ୍ଚିତ ଥିଲେ ଯେ କଂଗ୍ରେସ ମରିବ ନାହିଁ, ତାକୁ ମାରିବାକୁ ଦିଆଯିବ ନାହିଁ । ଅର୍ଥାତ୍ ଗାନ୍ଧୀଙ୍କ ସ୍ପଷ୍ଟ ମତ ଥିଲା ଭାରତ କେବେ ହେଁ କଂଗ୍ରେସମୁକ୍ତ ହେବ ନାହିଁ ଓ ଯେଉଁମାନେ ଭାରତକୁ କଂଗ୍ରେସମୁକ୍ତ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ । ସେ ମଧ୍ୟ ଚେତାଇ ଦେଇଥିଲେ ଯେ କଂଗ୍ରେସ ଯଦି ମରିବ ସେ “କେବଳ ଦେଶ ସହିତ ହିଁ ମରିବ” । ଦେଶ ମରିବା କେହି ଚାହିଁବେ ନାହିଁ, ତେଣୁ କଂଗ୍ରେସ, ଗାନ୍ଧୀଙ୍କ ଦୃଷ୍ଟିରେ ମରିବ ନାହିଁ । ତେଣୁ କଂଗ୍ରେସ ମୁକ୍ତ ଭାରତ ସମ୍ଭବ ନୁହେଁ – ଏହା ହିଁ ଗାନ୍ଧୀଙ୍କର ବାର୍ତ୍ତା । ତେଣୁ ଯେଉଁମାନେ କଂଗ୍ରେସମୁକ୍ତ ଭାରତ ଗାନ୍ଧୀଙ୍କର ସ୍ୱପ୍ନ ଥିଲା ବୋଲି କହୁଛନ୍ତି ଓ ଏହା ହାସଲ କରି ସେମାନେ ଗାନ୍ଧୀଙ୍କର ସ୍ୱପ୍ନକୁ ସାକାର କରିବେ ବୋଲି ଦାବି କରୁଛନ୍ତି, ସେମାନେ ପ୍ରକୃତରେ ଭ୍ରାନ୍ତିରେ ଅଛନ୍ତି ଓ ଦୁର୍ଭାଗ୍ୟ ଯେ ଏହି ଭ୍ରାନ୍ତିର ସେମାନେ ପ୍ରସାର କରୁଛନ୍ତି ।

ତେଣୁ କଂଗ୍ରେସକୁ ଭାଙ୍ଗିଦେଇ ତାକୁ ଲୋକସେବକ ସଂଘରେ ପରିଣତ କରିବାର ପରାମର୍ଶରେ ‘କଂଗ୍ରେସମୁକ୍ତ ଭାରତ’ର ଅବଧାରଣା ନାହିଁ । ବରଂ କଂଗ୍ରେସ ଦ୍ୱାରା ଏକ ଶକ୍ତ ଭାରତର ସମ୍ଭାବନା ପ୍ରତି ଇଙ୍ଗିତ ରହିଛି । କଂଗ୍ରେସର ଜନାଧାରକୁ ବିସ୍ତାରିତ କରିବାର ପରିକଳ୍ପନା ରହିଛି ଏହି ସମ୍ବିଧାନ ସଂଶୋଧନ ଚିଠାରେ, ତୃଣମୂଳ ସ୍ତରରେ କଂଗ୍ରେସର ଉପସ୍ଥିତିକୁ ନିଶ୍ଚିତ କରିବା ଯୋଜନା ରହିଛି । ତେବେ ଗାନ୍ଧୀ କଂଗ୍ରେସ ସମ୍ବିଧାନରେ ସଂଶୋଧନ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା, ୧୬ ନଭେମ୍ବର ୧୯୪୭ର ସାରା ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁସାରେ, ଏଥି ପାଇଁ ଆହୂତ କମିଟିର ଏକ ବିଶେଷ ବୈଠକରେ ଉପସ୍ଥାପିତ କରାଯିବା କଥା । କିନ୍ତୁ ଯେଉଁ ଦିନ ସଂଶୋଧନ ଚିଠାଟିକୁ ସଂଶୋଧନ କମିଟିର ସଦସ୍ୟଙ୍କୁ ଉପଲବ୍ଧ କରାଯାଉଛି ସେହି ଦିନ ସନ୍ଧ୍ୟାବେଳେ ଗାନ୍ଧୀଙ୍କର ହତ୍ୟା ହେବା ଫଳରେ ଏହା ଆଉ ହୋଇପାରିଲା ନାହିଁ । ଉପରନ୍ତୁ ଏହି ହତ୍ୟା ମଧ୍ୟ ସାବ୍ୟସ୍ତ କରିଦେଲା ସାମ୍ପ୍ରଦାୟିକ ଗୋଷ୍ଠୀ ଭାରତୀୟ ସମାଜରେ କେତେ ଘାତକ ହୋଇପାରେ, ଯେଉଁମାନଙ୍କଠାରୁ କଂଗ୍ରେସକୁ ଦୂରେଇ ରଖିବା ପାଇଁ ଗାନ୍ଧୀ ତାଙ୍କ ସଂଶୋଧନ ଚିଠାରେ ଉଲ୍ଲେଖ କରିଥିଲେ ।

ଯଦି ଗାନ୍ଧୀଙ୍କଦ୍ୱାରା ପ୍ରଣୀତ କଂଗ୍ରେସ ସମ୍ବିଧାନ ସଂଶୋଧନର ଚିଠା କଂଗ୍ରେସ କମିଟି ସମ୍ମୁଖରେ ଉପସ୍ଥାପିତ ହୋଇଥାନ୍ତା ତାହାହେଲେ ତାର ଫଳ କ’ଣ ହୋଇଥାନ୍ତା? ଐତିହାସିକ ରାମଚନ୍ଦ୍ର ଗୁହା ଲେଖନ୍ତି୧୭, “ଏହି ପ୍ରକାର ପ୍ରସ୍ତାବକୁ ନେହେରୁ ଏବଂ ପଟେଲ, ଯେତେଦୂର ସମ୍ଭବ, ଖାରିଜ କରି ଦେଇଥାନ୍ତେ, ଏହା କହି ଯେ ଏହା ଖୁବ ଆଦର୍ଶବାଦୀ ପ୍ରସ୍ତାବ । ଯଦି କଂଗ୍ରେସ ସହସା ସରକାରରୁ ବାହାରିଯାଏ ତାହାହେଲେ କିଏ ସରକାର ଚଳାଇବ? ରାଷ୍ଟ୍ରର ପରିଚାଳନା ଅପରୀକ୍ଷିତ ବା ଅମଂଗଳକାମୀ ଲୋକଙ୍କ ହାତରେ ଛାଡ଼ିବା ଅପେକ୍ଷା ଏହା ନୁହେଁ କି ନିଶ୍ଚିତ ଭାବରେ ବୁଦ୍ଧିମତ୍ତାର କାର୍ଯ୍ୟ ଯେ ଯେଉଁମାନେ ଗୁଣୀ ମଣିଷ ଏବଂ ବିଶ୍ୱସନୀୟ ସେମାନଙ୍କ ହାତରେ କ୍ଷମତାର ମଂଗ ଧରାଇଦେବା?” ଯେଉଁ ୨୯ଜାନୁଆରୀ ୧୯୪୮ଦିନ ଗାନ୍ଧୀ କଂଗ୍ରେସ ସମ୍ବିଧାନରେ ସଂଶୋଧନ ଚିଠା ପ୍ରସ୍ତୁତ କରୁଥିଲେ ଓ ସେଥିରେ କଂଗ୍ରେସକୁ ଭାଙ୍ଗିଦେଇ ଲୋକସେବକ ସଂଘରେ ପରିଣତ କରିବାର ପ୍ରସ୍ତାବକୁ ଉଲ୍ଲେଖ କରୁଥିଲେ, ସେହିଦିନ କଂଗ୍ରେସ ଦଳର ତୁଙ୍ଗ ନେତା ଓ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ରାଜାଶାସିତ ରାଜ୍ୟ ଗୁଡିକର (princely states) ଭାରତରେ ବିଲୟ ସମ୍ପର୍କରେ ସୂଚନା ଦେଉଥିଲେ ଓ ଭାରତରେ ହାଇଦ୍ରାବାଦର ବିଲୟ ନିଶ୍ଚୟ-ଏହା ଦାବୀ କରୁଥିଲେ । ସେହିଦିନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଅମୃତସରରେ କହୁଥିଲେ, “ଯିଏ ଜାତୀୟ ପତାକାକୁ ଅପମାନିତ କରିବ, ସେ ପାକିସ୍ଥାନୀ ହେଉ, ବ୍ରିଟିଶ ନାଗରିକ ହେଉ, ହିନ୍ଦୁ ମହାସଭାର ଲୋକ ହେଉ ବା ଆର୍‌.ଏସ୍‌.ଏସ୍‌ର ଲୋକ ହେଉ, ତାକୁ ଦେଶଦ୍ରୋହୀ ବୋଲି ବିଚାର କରାଯିବ ଓ ତାହା ପ୍ରତି ଅନୁରୂପ ବ୍ୟବହାର କରାଯିବ ।” ସର୍ଦ୍ଦାର ପଟେଲଙ୍କର ଏହି ସାମ୍ବାଦିକ ସମ୍ମିଳନୀ ଓ ପଣ୍ଡିତ ନେହେରୁଙ୍କର ଭାଷଣ, ୩୦ ଜାନୁଆରୀ ୧୯୪୮ଦିନର Hindustan Times ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଲା୧୭ ଯାହାର ଶିରୋନାମା ଯଥାକ୍ରମେ ଥିଲା ‘Bloodless Revolution in States’ (‘ରାଜ୍ୟମାନଙ୍କରେ ବିନା ରକ୍ତପାତରେ ବିପ୍ଳବ’) ‘Nehru Dares Communalists to Come Out in Open’ (‘ସାମ୍ପ୍ରଦାୟିକବାଦୀଙ୍କୁ ବାହାରକୁ ଆସିବା ପାଇଁ ନେହରୁଙ୍କ ଆହ୍ୱାନ’) ୩୦ ଜାନୁଆରୀ ୧୯୪୮ ଦିନ ସନ୍ଧ୍ୟାବେଳେ ସାମ୍ପ୍ରଦାୟିକବାଦୀଙ୍କ ଦ୍ୱାରା ଗାନ୍ଧୀ ନିହତ ହେଲେ! ସେମାନଙ୍କ ଗୁଳିର ଶିକାର ମହାତ୍ମା ହେଲେ ଯେଉଁ ଶକ୍ତିମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାଠାରୁ କଂଗ୍ରେସ ଦୂରରେ ରହିବା ପାଇଁ ମାତ୍ର ଦିନକୁ ପୂର୍ବରୁ କଂଗ୍ରେସକୁ ଏକ ଲୋକସେବକ ସଂଘରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଡ଼ମ୍ବନା ଯେ ଆଜି ସେହି ଶକ୍ତିମାନେ ରାଜନୈତିକ କ୍ଷମତାରେ ଥାଇ, ଗାନ୍ଧୀଙ୍କର ପ୍ରସ୍ତାବର ମର୍ମକୁ ପୂର୍ବାପର ସଂଗତି ସହ ନ ବୁଝି, ଏହାକୁ ଗାନ୍ଧୀଙ୍କର ‘କଂଗ୍ରେସ ମୁକ୍ତ ଭାରତ’ର ସ୍ୱପ୍ନ ବୋଲି ଭାରତର ଜନଗଣଙ୍କୁ ସ୍ମରଣ କରାଇବାରେ ଲାଗିଛନ୍ତି ଓ ସେମାନେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ନିରର୍ଥକ ଦାବୀ କରୁଛନ୍ତି ।

Photo credit – Wikimedia Commons

ବ୍ୟବହୃତ ଉପାଦାନ ସୂଚୀ

  1. https://www.bbc.com/hindi/india/2013/06/130609_narendra_modi_va , 9 June 2013
  2. https://www.youtube.com/watch?v=V7LKz0zhATM, Nov.12,2013 , Shri Narendra Modi calls for “CONGRESS MUKT BHARAT”
  3. https://www.narendramodi.in › “congress-mukt-bharat-i…
  4. https://twitter.com/narendramodi/status/422395896379105280?lang=ro
  5. https:// ww.ndtv.com/india-news/rss-chief-mohan-bhagwat-says-congress-mukt-bharat-just-a-political-slogan-1831423
  6. https://www.youtube.com/watch?v=2nTKPd9iqVc, Feb 7, 2019 Mahatma Gandhi proposed the idea of ‘Congress mukt Bharat’, says PM Modi ,Hindustan Times.
  7. “Congress-Mukt Bharat” Just A Political Slogan, Says RSS Chief, All IndiaPress Trust of India, Updated: April 01, 2018 , https:// ww.ndtv.com/india-news/rss-chief-mohan-bhagwat-says-congress-mukt-bharat-just-a-political-slogan-1831423
  8. https://organiser.org/2022/11/08/98174/bharat/pm-modis-congress-mukt-bharat-was-originally-an-l-k-advani-vision/ , PM Modi’s Congress Mukt Bharat was originally an ‘L K Advani vision’, Nirendra Dev Nov 8, 2022)

9.https://www. deccanherald.com/national/ntr-original-proponent-of-congress-mukt-bharat-theory-book-940477.html, NTR original proponent of ‘Congress-mukt Bharat’ theory: Book , PTI, New Delhi, Jan 18 2021

  1. https://theprint.in/opinion/70s-show-anti-bjp-unity-brings-sense-deja-vu/33475/, That 70s show again: Anti-BJP unity brings with it a sense of deja vu ,Kumar Ketkar ,5 February, 2018 .“The original copyright of creating a “Congress-mukt” Bharat belonged to Ram Manohar Lohia.”
  2. Mahatma, vol.6, D G Tendulkar, Publications Division, Government Of India, p.158
  3. Mahatma, vol.8, D G Tendulkar, Publications Division, Government Of India, p. 191
  4. The so called last wish of Mahatma Gandhi is often misquoted and actually based on a draft he had written , Viplav ,Updated: 02 Oct 2021,,https://www.thequint.com/news/india/did-gandhi-really-want-congress-mukt-bharat

14.The Collected Works of Mahatma Gandhi (Electronic Book),Vol 98, Publications Division, Government of India, 1999

  1. 157. His last will and testament ,https://www.mkgandhi.org/mynonviolence/chap157.htm
  2. Mahatma Gandhi-The Last Phase,Vol.II, Pyarelal ,Navjivan Publishing House, Ahmedabad, 1958, p.765
  3. Gandhi, Ramchandra Guha, p.880

Comments

0 comments

Share This Article