କୋରାପୁଟ ଜିଲ୍ଲା ଚୈତ୍ର ପର୍ବ ପାଇଁ ପ୍ରସିଦ୍ଧ । ଏଠାକାର ଅଧିବାସୀମାନେ ଏହି ପର୍ବକୁ ଧୁମଧାମରେ ପାଳନ କରନ୍ତି ବୋଲି ମୁଁ ଆଗରୁ ଶୁଣିଥିଲି । ଏହି ପର୍ବକୁ ନିକଟରୁ ଦେଖିବା ପାଇଁ ଅନେକ ଦିନରୁ ଇଚ୍ଛାଥିଲା । ତେଣୁ ମୁଁ କୋରାପୁଟ ଯିବାକୁ ନିଶ୍ଚିତ କଲି ।
୨୦୨୨ ମସିହାର ଚୈତ୍ରମାସ । ମୁଁ ଯାଇ ପହଞ୍ଚେ ଦଲେଇଗୁଡ଼ା ପଞ୍ଚାୟତର କାକରିଗୁଡ଼ା ଗାଁରେ । ଠିକ୍ ମାଳିପର୍ବତ ତଳେ ଅବସ୍ଥିତ ଏହି ଗାଁରେ ଦେଶିଆ ପରଜା ଲୋକ ବସବାସ କରନ୍ତି । ଷାଠିଏ ଗୋଟି ପରିବାର । ଚାଷବାସ ହେଉଛି ମୁଖ୍ୟ ଜୀବିକା । ଧାନ ସହ ଅଦା, ହଳଦୀ, ମାଣ୍ଡିଆ, ସୁଆଁ ଚାଷ ହୁଏ । ଧାନଚାଷ ଦୁଇ ଥର ହୁଏ, ରବି ଓ ଖରିଫ । କାରଣ ମାଳି ପର୍ବତରୁ ବର୍ଷସାରା ଝରଣା ପାଣି ବୋହୁଥାଏ । ଏହି ଅଞ୍ଚଳରେ ଅଦା ଏକ ମୁଖ୍ୟ ଅର୍ଥକାରୀ ଫସଲ । ମୁଁ ଯେଉଁ ଘରେ ଥିଲି ସେ ଘରେ ୪/୫ କୁଇଣ୍ଟାଲ ଅଦା ରଖାଯାଇଥିଲା । ପରେ ଦେଖିଲି ଯେ,ପ୍ରାୟ ସମସ୍ତଙ୍କ ଘରେ କିଛି କିଛି ଅଦା ଗଦା ହୋଇଛି । ଆମ୍ବ,ପଣସ ଗଛ ତ ଭରପୂର । ମୁଁ ଯାଇଥିବା ସମୟରେ ପ୍ରବଳ ପଣସ ଫଳିଥିଲା । ଏମିତି କୌଣସି ଗୋଟିଏ ଫଳଶୂନ୍ୟ ଗଛ ଦେଖିବାକୁ ମିଳିବ ନାହିଁ । ପନିପରିବା ଭିତରେ ବାଇଗଣ, ବିନ୍, ବନ୍ଧାକୋବି, ଫୁଲକୋବି, ଆଳୁ ଏବଂ କିଛି କିଛି ଚିନାବାଦାମ ବି ହୁଏ ।
ଏହି ଚାଷବାସ ବିଷୟରେ କିଛିଜଣଙ୍କୁ ପଚାରିବାରୁ ସେ କୁହନ୍ତି ଏହି ପାହାଡ଼ରୁ ନିର୍ଗତ ଝରଣା ପାଣିକୁ ବ୍ୟବହାର କରି ବିଭିନ୍ନ ବିଭିନ୍ନ ପ୍ରକାର ଫସଲ କରି ଜୀବିକା ନିର୍ବାହ କରୁଛୁ । ଧାନ, ମାଣ୍ଡିଆ, ଗହମ ତ କରୁଛୁ । ଅଦା ଚାଷରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ପାଉଛୁ । ତା’ସଙ୍ଗେ ବିନ୍ସ, ମକା, ବନ୍ଧାକୋବି ଓ ଅନ୍ୟାନ୍ୟ ପନିପରିବା ହେଉଛି । ଏଠିକାର ସବୁଠାରୁ ବଡ଼ ହାଟ ହେଉଛି କୁନ୍ଦୁଲି ହାଟପଦା । ପନିପରିବା ଏଠାରୁ ରପ୍ତାନୀ ହୋଇ ଆନ୍ଧ୍ର, ଛତିଶଗଡ଼ ଭଳି ରାଜ୍ୟକୁ ଯାଉଛି । ଏଇ ମାଳିପର୍ବତ ଯଦି ଚାଲିଯିବ, ଝରଣା ଯଦି ଶୁଖିଯିବ; ତାହା ହେଲେ ଏ ଅଞ୍ଚଳ ଏକ ମରୁଭୂମି ପାଲଟିଯିବ । ଆମ ଜୀବନଜୀବିକା ଉପରେ ବହୁତ ପ୍ରଭାବ ପଡ଼ିବ । ପରବର୍ତ୍ତୀ ସମୟରେ ଦାଦନ ଯିବା ହିଁ ଏକମାତ୍ର ରାସ୍ତା ହୋଇ ରହିଯିବ ।
୨୭୦ ଏକର ମାଳିପର୍ବତ ତଳେ ୪୪ ଗୋଟି ଗାଁ ଅଛି ଏବଂ ପର୍ବତରୁ ୩୩ଟି ଝରଣା ବାହାରିଛି । ପରଜା, ଦୁଲିଆ, ମାଲି, ଗଦବା, କୁମ୍ଭାର, କମାର, ଘାସି, ରେଲି, ପାଇକ ଭଳି ଜନଜାତି ମଧ୍ୟ ଅଛନ୍ତି । ଦଲେଇଗୁଡ଼ା ପଞ୍ଚାୟତରେ କିଛି ବ୍ରାହ୍ମଣ ପରିବାର ଅଛନ୍ତି ଓ ଡଲିଆମ୍ବ ଗାଁରେ କିଛି କରଣ ପରିବାର ମଧ୍ୟ ବସବାସ କରନ୍ତି । ଅନେକ ଭାଷା ମଧ୍ୟ ଅଛି । ଯେମିତି କି ପରଜା, କୁଇ, ଦେଶିଆ, ଶବଦା, ମାଲି, ଡମ ରେଲି ଇତ୍ୟାଦି ।
ମୁଁ ଲୋକଙ୍କ ସଂସ୍ପର୍ଶରେ ଯେତେ ଆସୁଛି, ଏହି ମାଳିପର୍ବତ ବିଷୟରେ ଜାଣିବାର ଆଗ୍ରହ ସେତେ ବଢ଼ିବଢ଼ି ଚାଲିଥାଏ । ଜାଣିବାକୁ ପାଇଲି ଯେ, ମାଳିପର୍ବତରେ ପ୍ରଚୁର ପରିମାଣରେ ବକ୍ସାଇଟ ଗଚ୍ଛିତ ଅଛି । ଏହା ଜଣାପଡ଼ିବା ପରେ ସରକାର ହିଣ୍ଡାଲ୍କୋ କମ୍ପାନୀକୁ ଏହି ପାହାଡ଼ ଦେବା ପାଇଁ ଚାହୁଁଛି । ଏ ବିଷୟରେ ମାଳିପର୍ବତ ସୁରକ୍ଷା ସମିତିର ସଭାପତି ବିଜୟ ଖିଲଙ୍କୁ ପଚାରିବାରୁ ସେ କହନ୍ତି-ଚୈତ୍ର ମାସରେ ଆଦିବାସୀଙ୍କର ପରମ୍ପରାକୁ ବଜାୟ ରଖିବାପାଇଁ ଏଇ ପର୍ବ ପାଳନ କରାଯାଉଛି । ଏଠି ମା ପାକୁଳି ଦେବୀଙ୍କର ଗୁମ୍ଫା ଅଛି । ସେଇ ଗୁମ୍ଫାରେ ପ୍ରତିବର୍ଷ ଆମ ବାପା, ଜେଜେଙ୍କ ଅମଳରୁ ଦେବୀ ପୂଜା ପାଇ ଆସୁଛନ୍ତି । ଜେଜେଙ୍କ ପରେ ବାପାମାନେ ପୂଜା କରୁଥିଲେ ଏବଂ ବର୍ତ୍ତମାନ ଆମେମାନେ ମଧ୍ୟ ଏ ପରମ୍ପରାକୁ ବଜାୟ ରଖିଛୁ । ମା’ଙ୍କ ଉପରେ ଆମର ଆସ୍ଥା ଅଛି । ଆମ ଅଞ୍ଚଳର ୪୪ ଖଣ୍ଡ ଗାଁର ଲୋକ ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ଆସି ପୂଜାର୍ଚ୍ଚନା କରୁଛନ୍ତି । ଲୋକମାନେ ନିଜର ମାନସିକ ପୂରଣ ଆଉ ଦୁଃଖ ଜଣାଇବା ପାଇଁ ଆସିଛନ୍ତି । ହଜାର ହଜାର ଲୋକ ମାଆଙ୍କୁ ଦର୍ଶନ କରି ଯାଉଛନ୍ତି । ଏ ପାହାଡ଼ ହେଉଛି ଆଦିବାସୀମାନଙ୍କର ପରିଚୟ । ଏଇ ମାଳିପର୍ବତ ହେଉଛି ଆଦିବାସୀଙ୍କର ଆତ୍ମା ବା ବଂଚିବାର ରାସ୍ତା । ପାହାଡ଼ ଥିଲେ ଜଙ୍ଗଲ ଅଛି, ପାହାଡ଼ ଥିଲେ ଝରଣା ଅଛି ଏବଂ ଝରଣା ଥିଲେ ଚାଷ ହେବ । ଚାଷବାସ କରି ଏହି ପାହାଡ଼ର ଚତୁଃପାଶ୍ୱର୍ରେ ଥିବା ୪୪ଖଣ୍ଡ ଗାଁର ଲୋକ ନିଜର ଜୀବନଜୀବିକା ନିର୍ବାହ କରୁଛନ୍ତି । ଏଠି ଅନେକ ପ୍ରକାର ଜୀବଜନ୍ତୁ ଅଛନ୍ତି ଏବଂ ଔଷଧୀୟ ବୃକ୍ଷ ସାଙ୍ଗକୁ ମୂଲ୍ୟବାନ ଗଛ (ଚନ୍ଦନ) ମଧ୍ୟ ଅଛି । ସବୁଠାରୁ ବଡ଼ କଥା ହେଲା ମା ପାକୁଳିଦେବୀ ଗୁମ୍ଫାରେ ଅଛନ୍ତି । ଏହି ଅଞ୍ଚଳରେ ପ୍ରଦୂଷଣ ବୋଲି କିଛି ନାହିଁ । ଜଳବାୟୁର କିଛି ଖରାପ ପ୍ରଭାବ ନାହିଁ । ଏତେ ବଡ଼ କରୋନା ମହାମାରୀରେ ଆମ ଅଞ୍ଚଳର କେହିବି ମରିନାହାଁନ୍ତି କି କେହି ଆକ୍ରାନ୍ତ ହୋଇନାହାନ୍ତି । ଏହି ପାହାଡ଼ ପରିବେଶ ଯୋଗୁଁ କେହି ହେଲେ ଭୋକରେ ମରିନୁ । ପ୍ରାୟ ୨୦ ବର୍ଷହେବ ଆମେ କମ୍ପାନୀକୁ ବିରୋଧ କରିଆସୁଛୁ । ଆଗକୁ ବିରୋଧ କରୁଥିବୁ । ଜୀବନ ଯିବ ପଛେ ପାହାଡ଼କୁ ଛାଡ଼ିବୁ ନାହିଁ ।
ଆହୁରି ସେ କୁହନ୍ତି ଯେ, ପ୍ରଥମେ ତ ଏଇ ଅଞ୍ଚଳ ପ୍ରଦୂଷିତ ହେବ, ରାସ୍ତାଘାଟ ହେବ । ଆମ ଗାଈଗୋରୁ ପ୍ରଭାବିତ ହେବେ । ଆମ ଅଞ୍ଚଳର ଗରିବ ଲୋକମାନେ ଜଙ୍ଗଲରୁ ଶିଆଳି ପତ୍ର ସଂଗ୍ରହ କରି ବିକ୍ରିବଟା କରୁଛନ୍ତି । ଶୁଖିଲା କାଠ ବିକ୍ରିକରି ଗୁଜୁରାଣ ମେଣ୍ଟେଇ ପାରୁଛନ୍ତି । ଏଠାକାର ଔଷଧୀୟ ବୃକ୍ଷ, ଚାଷ ତା’ ସହିତ ବିଭିନ୍ନ ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହେବେ । ପ୍ରଦୂଷଣ ହେବ । ଚାଷ କମିଯିବ । ଜମି ନଷ୍ଟ ହେବ । ଲୋକମାନେ ମଦୁଆ ହୋଇଯିବେ । ବିଶୃଙ୍ଖଳା ହେବ । ଗୁଣ୍ଡାଲୋକ ଆସି ନାନା ବିଶୃଙ୍ଖଳା ସୃଷ୍ଟି କରିବେ । ବିକାଶ ନାଁରେ ବିନାଶ କରିବାର ଷଡ଼ଯନ୍ତ୍ର ଚାଲିଛି । ଆମେ ଖଣି ଖନନକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ । ନା ପାହାଡ଼ ଦେବୁ, ନା କାରଖାନା କରିବାକୁ ଦେବୁ । କିଛି ବି କରିବାକୁ ଦେବୁନାହିଁ । କାହିଁକିନା ଏଠି ଆମେ ଦେଖୁଛୁ ଯେ, ନାଲ୍କୋ ଏବଂ ହାଲ୍ଯୋଗୁଁ ବିସ୍ଥାପିତ ଲୋକ ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି । ସର୍ବହରା ହୋଇ ବୁଲୁଛନ୍ତି । ତେବେ କାହିଁକି ଆମେ ତାଙ୍କୁ ପାହାଡ଼ ଦେବୁ? ଆଦିବାସୀଙ୍କ ପରିଚୟ ନଷ୍ଟ ହୋଇଯିବ ଏବଂ ଆଦିବାସୀଙ୍କ ପରମ୍ପରା, ପ୍ରକୃତି ସବୁ ନଷ୍ଟ ହୋଇଯିବ । ଏଥିପାଇଁ ଆମେ ବିରୋଧ କରୁଛୁ । କେହି ପାହାଡ଼ ଦେବାକୁ ଚାହୁଁନାହାନ୍ତି । ୨୦ବର୍ଷ ହେଲା କୌଣସି ଲୋକକୁ ଆପଏଣ୍ଟମେଣ୍ଟ ମିଳିବାର ଆମେ ଦେଖିନାହୁଁ । ହିଣ୍ଡାଲ୍କୋ କହିଥିଲା ୧୦୫ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ଦେବ । ୪୪ଖଣ୍ଡ ଗାଁ, ୪ଗୋଟି ଗ୍ରାମପଞ୍ଚାୟତ ଯାଉଛି । ସେଥିରୁ ୧୦୫ ଜଣଙ୍କୁ ଚାକିରି ଦେଲେ ଲାଭ କଣ? କିଛି ଲାଭ ନାହିଁ । ସରକାର ଆମ ଭାଇଭାଇ ଭିତରେ ଫାଟ ସୃଷ୍ଟି କରାଉଛି । ଗାଁ ଗାଁ ମଧ୍ୟରେ ଝଗଡ଼ା ଲଗାଉଛି । ଆଜି ମଧ୍ୟ ଏହି ପୂଜାସ୍ଥଳୀକୁ ଆମର ଭାଇଭଉଣୀ ମାନେ ଆସିବା ସମୟରେ ପୁଲିସ ପ୍ରଶାସନ ଆସିବାକୁ ଦେଉନଥିଲା । ଏହା ଆମକୁ ବହୁତ ଆଘାତ ଦେଉଛି । ଆମ ସଂସ୍କୃତି ପରମ୍ପରାକୁ ସରକାର ଅଣଦେଖା କରି ନଷ୍ଟ କରିବାକୁ ବସିଛି ।
ମାଳି ପର୍ବତରୁ ଯେଉଁ ୩୩ଗୋଟି ଝରଣା ବାହାରିଛି, ମନରେ ଦେଖିବାର ଆଗ୍ରହ ଜାତ ହେଲା । ଗାଁର ଦୁଇଜଣଙ୍କୁ ସାଥିରେ ଧରି ବାହାରିଲି ଝରଣା ଦେଖିବା ପାଇଁ । ପ୍ରଥମେ ଯେଉଁ ଝରଣାକୁ ଗଲୁ ତାର ନାଁ ହେଉଛି ପାକଝୋଲା । ଉପରମୁଣ୍ଡରେ ଗୋଟିଏ ଚେକଡ୍ୟାମ ମଧ୍ୟ ତିଆରି ହୋଇଛି । ପାନଝୋଲାର ପାଣି କେବେ ସୁଖେ ନାହିଁ । ପାହାଡ଼ ତଳେ ଝରଣା ପାଣିରେ ବର୍ଷସାରା ଚାଷ ହୁଏ । କାକରିଗୁଡା ଗାଁର ଅର୍ଜୁନ କ୍ରିସାନି ଏ ବାଦରେ କୁହନ୍ତି ଯେ, ମାଳିପର୍ବତ ସହିତ ଆମର ସମ୍ପର୍କ ମା’-ପୁଅ ପରି । ମାଆ କୋଳରେ ଯେମିତି ଆମେ ଡେଇଁକୁଦି ବଞ୍ଚୁ, ମାଳିପର୍ବତରେ ଆମେ ସେମିତି ବଞ୍ଚୁଛୁ । ମାଳି ପର୍ବତରୁ ଝରି ଆସୁଥିବା ଝରଣା ପାଣିରେ ହିଁ ଆମର ଚାଷ ହେଉଛି । ମାଳିପର୍ବତରୁ ଆମେ ଫଳମୂଳ ସଂଗ୍ରହ କରୁ । ଆମ ଦେବାଦେବୀ ମାଳିପର୍ବତରେ ହିଁ ଅଛନ୍ତି । ମାଳିପର୍ବତରେ ଜୀବଜନ୍ତୁ, ଜାତୀୟପକ୍ଷୀ ମୟୂର ମଧ୍ୟ ଅଛନ୍ତି । ତେଣୁ ଆମର ମାଆ ମାଳିପର୍ବତକୁ ବଞ୍ଚାଇବାକୁ ଚାହୁଁଛୁ ।
ଏଠାରେ ଖଣିଖନନ ହେଲେ ଝରଣା ତ ନଷ୍ଟ ହେବ, ତା’ ସହିତ ବର୍ଷା ପାଣିରେ ମାଟି ଧୋଇ ହୋଇ ଆମ ବିଲରେ ପଶିବ । ଧାନ ଫସଲ ନଷ୍ଟ ହେବ । ଗାଁ ବି ନଷ୍ଟ ହୋଇଯିବ । କାହିଁକି ନା ଗାଁଗୁଡ଼ିକ ମାଳିପର୍ବତର ୩ କି.ମି. ବ୍ୟାସାର୍ଦ୍ଧ ଭିତରେ ଅଛି । ସମ୍ପୂର୍ଣ୍ଣ ଭାବେ ଗାଁ ନଷ୍ଟ ହେବାର ସମ୍ଭାବନା ଅଛି । ସେଥିପାଇଁ ଆମେ କମ୍ପାନୀକୁ ଘୋର ବିରୋଧ କରୁଛୁ । ବିରୋଧ କରୁଥିବୁ ଆଉ ମାଳିପର୍ବତକୁ ବଞ୍ଚାଇବୁ ।
ତା’ ପରଦିନ ମା ପାକୁଳି ଦେବୀଙ୍କ ପୂଜା । ମୈତ୍ରୀ ପଖାନସ୍ଥିତ ପାତ୍ରିପଖାନଠାରେ ଥିବା ଗୁମ୍ଫାରେ । ସେଦିନ ସଅଳ ଉଠି ନିତ୍ୟକର୍ମ ସାରିଲାପରେ ଅଳ୍ପ କଣ ଦିଇଟା ଖାଦ୍ୟଖାଇ ଦୁଇ ତିନିଜଣଙ୍କ ସହିତ ବାହାରିପଡ଼ିଲି । ବାହାରୁ ବାହାରୁ ଖବର ଆସି ପହଂଚିଲା ଯେ, ଗୁମ୍ଫାକୁ ଯିବାର ମୁଖ୍ୟ ରାସ୍ତାରେ ପୋଲିସ ଚେକିଂ ଚାଲିଛି । ବୁଝୁବୁଝୁ ଜଣାପଡ଼ିଲା ଯେ, ପୁଲିସ ବାହାରିଆ ଲୋକଙ୍କୁ ଛାଡ଼ୁନାହିଁ । କ’ଣ କରାଯିବ । ଆମେ ବିକଳ୍ପ ରାସ୍ତା ବାଛିଲୁ । ଏକ ତୀକ୍ଷ୍ଣ ପାହାଡ଼ ଚଢ଼ି ଯିବାକୁ ପଡ଼ିବ । ସମସ୍ତେ ବାହରି ପଡ଼ିଲୁ । ସେ ପାହାଡ଼କୁ ଚଢ଼ିବା ଏତେ ସହଜ ନ ଥିଲା । କିଛି ବାଟ ଚଢ଼ୁଥାଉ ଏବଂ ମଝିରେ ମଝିରେ ବିଶ୍ରାମ କରୁଥାଉ । ଯାହା ହେଉ ପ୍ରାୟ ୪୫ମିନିଟ ପରେ ପାହାଡ଼ ଶିଖରକୁ ପହଂଚିଗଲୁ । ସେଠି ପହଂଚି ଚାରିଆଡ଼କୁ ଆଖି ବୁଲାଇ ଦେଖିଲି । ମାଳମାଳ ପାହାଡ଼ । ଓଃ କି ସୁନ୍ଦର ଏ ପରିବେଶ । ମାଳିପର୍ବତ ଉପରୁ ଓଡ଼ିଶାର ସବୁଠାରୁ ଉଚ୍ଚ ପର୍ବତମାଳା ଦେଓମାଳିର ଦୃଶ୍ୟ ଅତି ଚମତ୍କାର ଥିଲା । ଏତେ ସବୁ ପର୍ବତ ଦେଖି ମନରେ ବେଳେବେଳେ ଅବଶୋଷ ଆସୁଥାଏ ଯେ, କେତେବେଳେ କେଉଁ ପାହାଡ଼ ରାକ୍ଷସରୂପୀ କମ୍ପାନୀ ପେଟକୁ ଚାଲିଯିବ କହିହେବ ନାହିଁ ।
ଏମିତି ଭାବୁଭାବୁ ମା’ ପାକୁଳି ଦେବୀଙ୍କ ଗୁମ୍ଫାରେ ପହଂଚିଲୁ । ଏକ ବିରାଟ ଗୁମ୍ଫା । ଏକକାଳୀନ ୪୦୦୦ ଲୋକ ରହିପାରିବେ । ଚାରିଆଡ଼ୁ ଭକ୍ତମାନଙ୍କର ସୁଅ ଛୁଟିଥାଏ । ମୁଁ ବି ପାହାଡ଼ ଧାରେ ଧାରେ ଯାଇ ଗୁମ୍ଫାରେ ପ୍ରବେଶ କଲି । ଗୁମ୍ଫାଟିର ମୁହଁ ଚଉଡ଼ା ଏବଂ ଭିତରକୁ ଭିତର ସୁଡ଼ଙ୍ଗ ଭଳି ହୋଇଥାଏ । ଭୟଙ୍କର ବି ଲାଗୁଥାଏ । ଧୂପଦୀପରେ ମହକୁଥାଏ ଗୁମ୍ଫା । ଆଲୋକ ବ୍ୟବସ୍ଥା ବି ଥାଏ । ଭକ୍ତମାନେ ବାଜା ବଜାଇ ନାଚୁଥାନ୍ତି । ଛୋଟ ଛୋଟ ପିଲାଙ୍କୁ ବାପାମାନେ କାନ୍ଧରେ ବସାଇ ଦେଖାଉଥାନ୍ତି । କିଛି ସମୟ ପରେ ଗୁମ୍ଫାରୁ ବାହାରିଲି । ବାହାରେ କିଛି ଦୂରରେ ଖାଦ୍ୟ ରନ୍ଧାରନ୍ଧି ହେଉଥାଏ । କେତେକ ଜାଗାରୁ ଢେମସା ନୃତ୍ୟ କରିବା ପାଇଁ ମହିଳା ଗ୍ରୁପମାନେ ବି ଆସିଥାନ୍ତି । ଗୋଟିଏ ଜାଗାରେ କିଛି ବୟସ୍କା ମହିଳା ଏକାଠି ବସିଥାନ୍ତି । ସେମାନଙ୍କୁ ଏହି ପାହାଡ଼ରେ କେବେଠାରୁ ପୂଜା କରୁଛନ୍ତି ବୋଲି ପଚାରିବାରେ କାହିଁ ଅନନ୍ତକାଳରୁ ପୂଜା ହୋଇ ଆସୁଥିବା କହିଥିଲେ । ମା (ଗୁମ୍ଫା ଭିତର ଦେବୀ) ନଥିଲେ ଆମେ ବି ନଥାନ୍ତୁ । ଯେତେ ଯାହା ହେଲେ ବି ଆମେ ଆମର ମାକୁ ଛାଡ଼ିବୁ ନାହିଁ । ଏଇଠି ସବୁ ଗାଁର ଲୋକ ଆସି ପୂଜା ଦେଉଛନ୍ତି । ଏଇ ପାହାଡ଼ରୁ ଆମେ ଶିଆଳି ପତ୍ର ପାଉଛୁ, କାଠ ପାଉଛୁ, ଡଙ୍ଗର ଶାଗ ଖାଉଛୁ, ପାଣି ବି ପିଉଛୁ ।
ମୁଁ ପଚାରିଲି ଯେ, ଏଇ ଡଙ୍ଗର ତ କମ୍ପାନୀ ନେଇଯିବ ବୋଲି କହୁଛି ।
ସେମାନେ କହିଲେ- ଆମେ ବାହାରକୁ କାମକୁ ଗଲେ ୪୦୦/୫୦୦ କମାଉଛୁ । କମ୍ପାନୀ ଆମକୁ ୫୦ ହଜାର କି ଲକ୍ଷେ ଦେଲେ ଆମେ କେତେ ଦିନ ଖାଇବୁ? ଆମର ପଇସା ଦରକାର ନାହିଁ । ପୁଲିସ ଆସିଲେ ବି ଆମେ ଡରିବାର ନାହିଁ । ଏଇ ପାକଝୋଲାରେ ଜନ୍ମ ହୋଇଛୁ । ଏଇ ଡଙ୍ଗର ସହ ଚଳିଆସିଛୁ । ଆମର ଜୀବନ ଯାଉପଛେ, ଡଙ୍ଗର ଛାଡ଼ିବୁ ନାହିଁ ।
ମୁଁ ପୁଣି ପଚାରିଲି ଏ ପାହାଡ଼ ତ ଲଣ୍ଡା ଦେଖାଯାଉଛି, କମ୍ପାନୀକୁ ଦେଇଦେଲେ ଅସୁବିଧା କ’ଣ?
ଏଥର ମହିଳମାନେ ଉତ୍ତ୍ୟକ୍ତ ହୋଇ କହିଲେ -ଲଣ୍ଡା ହେଲେ କଣ ହେଲା । ମୁଣ୍ଡ ଲଣ୍ଡା ହୋଇଗଲେ ଆମେ କାଟି ଦେଉଛୁ କି? କିଛି ସମୟ ପରେ ପୁଣି କହିଲେ ଯେ, ଏ ପାହାଡ଼ ସିନା ଲଣ୍ଡା ଦେଖାଯାଉଛି ଏଇ ଜଙ୍ଗଲରୁ କେତେ ଜିନିଷ ସଂଗ୍ରହ କରି ତାକୁ ବିକି ଦୁଇ ପଇସା ପାଉଛୁ । କମ୍ପାନୀ ନେଇଗଲେ ଆମେ କୁଆଡ଼େ ଯିବୁ, କେମିତି ବଂଚିବୁ।
ଯଦି ଜବରଦସ୍ତ କମ୍ପାନୀ ନିଏ? ଉତ୍ତରରେ ସେମାନେ ଏଥର ସମସ୍ତେ ଏକା ସାଙ୍ଗରେ କହିବାକୁ ଆରମ୍ଭ କଲେ-ସରକାର କ’ଣ ଏଇ ପାହାଡ଼ ତିଆରି କରିଛି କି? ଏ ଗୁମ୍ଫା ତିଆରି କରିଛି କି? କେମିତି ସିଏ ନେଇଯିବ? ଆମକୁ କୋଟିଏ ଟଙ୍କା ଦେଲେ ବି ଆମେ ଛାଡ଼ିବୁ ନାହିଁ ।
ସେଇ ଗୁମ୍ଫା ନିକଟରେ ଜଣେ ସ୍ଥାନୀୟ ସାମାଜିକ କର୍ମୀ ନନ୍ଦିବାଲି ଚୈତନ୍ୟଙ୍କ ସହିତ ପୂଜାସ୍ଥଳୀରେ ଭେଟ ହୁଏ । ସେ କୁହନ୍ତି – ଏଇ ପାହାଡ଼ମାନଙ୍କରେ ବକ୍ସାଇଟର ମାତ୍ରା ଅଧିକ ଅଛି । ବକ୍ସାଇଟର ହିଁ ଜଳଧାରଣ କ୍ଷମତା ଅଛି ଏବଂ ପାଣିକୁ ଧିରେ ଧିରେ ଛାଡ଼ିବ । ସରକାର ପାହାଡ଼କୁ ଲିଜ ଦେବାମାନେ ପରିବେଶ, ପ୍ରକୃତିକୁ ଧ୍ୱଂସ କରିବା । ସରକାର ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ ପରିବେଶ ଓ ପ୍ରକୃତି ବଂଚିବା ସହିତ ସରକାରଙ୍କ ରାଜସ୍ୱ ବୃଦ୍ଧି ଘଟନ୍ତା । ଏହି ମାଟି ହେଉଛି ସୁନାମାଟି । କେତେ ପ୍ରକାରର ପନିପରିବା ଚାଷ ହେଉଛି । ଅଦା ଚାଷପାଇଁ ଏ ଅଞ୍ଚଳ ପ୍ରସିଦ୍ଧ । ତେଣୁ ସରକାର ବକ୍ସାଇଟ୍ ଖନନରୁ କ୍ଷାନ୍ତ ରୁହନ୍ତୁ ।
ମାଳିପର୍ବତ ସୁରକ୍ଷା ସମିତିର ଉପଦେଷ୍ଟା ଦଶି ନନ୍ଦିବାଲି କୁହନ୍ତି ଯେ ସେ ଅଞ୍ଚଳଟି ହେଉଛି ପଞ୍ଚମ ଅନୁସୂଚିତ ଅଞ୍ଚଳ । ୧୯୫୬ ଅଧିନିୟମ ଅନୁସାରେ ବିନା ଆଦିବାସୀଙ୍କ ସହମତିରେ କୌଣସି ଖଣି ବା କଳକାରଖାନା କରାଯାଇ ପାରିବ ନାହିଁ । କିନ୍ତୁ ମାଳିପର୍ବତ ଖଣି ଖନନକୁ ହଜାର ହଜାରଲୋକ ବିରୋଧ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ।
ମୁଁ କହିଲି ଖଣି ବା କମ୍ପାନୀହେଲେ ଲୋକଙ୍କୁ ଚାକିରୀ ମିଳିବ? ଉତ୍ତର – କୋରାପୁଟ ଜିଲ୍ଲା ଏକ ଖଣିଜ ସମ୍ପଦରେ ଭରପୁର ଜିଲ୍ଲା । ଏଠି ଅନେକ ମେଗା ପ୍ରକଳ୍ପ ଗଢ଼ି ଉଠିଛି । କିନ୍ତୁ ଏଠିକାର ଶିକ୍ଷିତ ଯୁବକ ଯୁବତୀମାନେ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି କ’ଣ ପାଇଁ? ତେଣୁ ମୁଁ କହିବାକୁ ଚାହେଁ ଯେ, ଏଠି ଦିବାଲୋକରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଆମକୁ ନ୍ୟାୟଦେବାରେ ବିଫଳ ହେଉଛି । ଆଗାମୀ ଦିନରେ ଆମର ବିଧାୟକ, ସାଂସଦମାନେ ବିଧାନସଭା କି ସଂସଦରେ ଯଦି ଆମର କଥା ନ ଉଠାନ୍ତି ତାହା ହେଲେ ଗଣତାନ୍ତ୍ରିକ ଉପାୟରେ ଗଣସଂଗଠନମାନଙ୍କୁ ଧରି ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛୁ ।”
Comments
0 comments