ଓଡ଼ିଶା ରାଇଜର ଖୋର୍ଦ୍ଧା ଜିଲ୍ଲା । ସେହି ଜିଲ୍ଲାରେ ବାଲିପାଟଣା ବ୍ଲକରୁ ମୁଁ ନରିଶୋ ଗାଁ’ ଆପଣମାନଙ୍କୁ କିଛି କହିବାପାଇଁ ଚାହୁଁଛି । ମୁଁ ଆଜିକୁ ୬୦-୭୦ବର୍ଷ ହେବ ଏକ ଦୁରାରୋଗ୍ୟରେ ପିଡ଼ିତ ଅଛି । ସେହି ଦୂରାରୋଗ୍ୟଟିର ନାଁ ହେଉଛି ‘ସବୁଜିଆ ରୋଗ’ । ଗାଁ’ର ଚାଷୀପୁଅ ଏହି ରୋଗରେ ହାହତାଶ ହେଲେଣି । ସେହି ‘ସବୁଜିଆ ରୋଗ’ଟି ବିଷୟରେ ଆଉ ମୋ ଗାଁ’ର ନଟ ମାଷ୍ଟେ, ଯିଏ ଏହି ରୋଗରେ ହାହତାଶ ହୋଇ ତାର ଜଡ଼ିବୁଟି ଔଷଧ ଖୋଜିପାଇଛନ୍ତି ତାଙ୍କରି କଥା ମୁଁ ସମସ୍ତଙ୍କୁ କହିବାକୁ ଚାହେଁ… ।
ଅନେକ ଦିନ ତଳର କଥା, ପାଖା ପାଖି ୬୦-୭୦ବର୍ଷ ହେବ । ଦେଶ ଦୁନିଆର ସବୁ ଗାଁ’ପରି ମୋ ପାଖକୁ ସେହି ଅଜଣା ରୋଗ ‘ସବୁଜିଆ ରୋଗ’ ମାଡ଼ିଆସିଥିଲା । ଏ ରୋଗ ଧିରେ ଧିରେ ସବୁଆଡ଼େ ମାଡ଼ିଚାଲିଲା । ଲୋକେ ରୋଗ ନୁହଁ ୟାକୁ ଔଷଧି ଭାବି ସରକାର ବାପୁଡ଼ା ଠାରୁ କିଣି ଚାଲିଲେ। ସରକାର ବାପୁଡ଼ା କାହାକଥାରେ କେଜାଣି ଲୋକଙ୍କୁ ବୁଝେଇଦେଲେ ଯେ ବାଡ଼ି, ବଗିଚା, ଗଛଲତା ସବୁଠି ଏହି ଔଷଧ ପକାଇଦେଲେ ଗଛରେ ବହୁତ ଫଳ ଫଳିବ । ସେସବୁ ଫଳ ବିକି ଚାଷୀପୁଅ ଧନୀ ହେବାଇଯିବ । ଲୋକେ କାହିଁକି ନହେଲେ ଏତେ କଥା ଜାଣନ୍ତେ!! ସରକାର ବାପୁଡ଼ା ଫିକର କରି ଲୋକଙ୍କ ପାଖକୁ ଆସି ‘ସବୁଜ ରୋଗକୁ’ ଔଷଧ ବୋଲି କହି ଦୁଆରେ ଦୁଆରେ ବାଣ୍ଟିଚାଲିଲା । ଲୋକେ ରୋଗକୁ ଔଷଧ ଭାବି ଅତି ଆଦର ଯତ୍ନରେ କିଣିଲେ ।
ତେବେ କେହି ଆଉ ଜାଣିପାରିଲେନି ରୋଗକୁ ଔଷଧ କହି ସରକାର ବାପୁଡ଼ା ଆମକୁ କାହିଁକି ବାଣ୍ଟିଲା । ରୋଗଟି ଯେ ସରକାରଙ୍କ କୃପାରୁ ଆମ ଗାଁ’ର ଚାଷୀପୁଅର ଅଶେଷ କ୍ଷତି ଆଜିଯାଏଁ କରିଚାଲିଛି ଏକଥା ଆମ ଚାଷୀପୁଅକୁ ଜଣାନାହିଁ । ତେବେ ଏହିସବୁ କଥା ଆଜି କାହାଣୀ ପାଲଟି ଯାଇଛି । ଏବେ ମୁଁ ସେ କାହାଣୀ କହିବା ଆରମ୍ଭ କଲେ ସରିବନି । ଧିରେ ଧିରେ ସବୁ କହିବି । ଏବେ ଖାଲି ଏହି ରୋଗର ଦୁଃଖ ବିଷୟରେ କିଛି କହୁଛି ।
୬୦ବର୍ଷ ଭିତରେ ସାରା ଦୁନିଆରେ ‘ସବୁଜିଆ ରୋଗ’ ଏମିତି ବ୍ୟାପିଲା ଯେ ଚାଷୀପୁଅ ରୋଗରେ ଆକ୍ରାନ୍ତ ହୋଇ ନୟାନ୍ତ ହେଲା । ଦୁନିଆଯାକର ଧାର କରଜ କରି କରି ସେ କରଜିଆ ହୋଇଗଲା ହେଲେ ରୋଗରୁ ମୁକ୍ତି ମିଳିଲାନି ।
ଆମ ଗାଁବି ଏଥିରୁ ବାଦ ଗଲାନି । ଯାଆନ୍ତା ବା କେମିତି । ଦୁଇପଇସା ପାଇବାକଥା ତ ସରକାର ବାପୁଡ଼ା କହିଛି, ଚାଷୀ ପକେଟକୁ କେବେ ବେଶୀ ନଗଦ ଆସିବାକଥା ସେ ଭାବି ନଥିଲା । ତା’ଛଡ଼ା ଦେଶ ଦୁନିଆରେ ସବୁ ଲୋକ ଯେତେବେଳେ ଅଣ୍ଟାଭିଡ଼ି ଆଗଉଥିଲେ ସେତେବେଳେ ଚାଷୀପୁଅ ସେହି ତିମିର ଭିତରେ ଘାଣ୍ଟି ହେଉଥିଲା । ବିଲାତି ସରକାର ଯାଇ ଦେଶୀ ସରକାର ସିନା ଆସିଲା ହେଲେ ଭାତଗଣ୍ଡେ ଦେଶବାସୀଙ୍କ ପେଟକୁ ଯୋଗାଉଥିବା ଚାଷୀପୁଅର ଦୁଃଖ ସେମିତିକୁ ସେମିତି ରହିଥିଲା । ତା ଅଣ୍ଟା ସଳଖି ଚାଲିବା କଥା କେହିକେବେ ଭାବିଲେନି । ଏମିତିକା ସମୟରେ ସରକାର ବାପୁଡ଼ାର ଦୁଇପଇସା ପାଇବା କଥାଟା ଚାଷୀପୁଅ ମନକୁ ବେଶ୍ ପାଇଲା । ସରକାରୀ ଫନ୍ଦି ଫିକର ସିଏବା ଜାଣନ୍ତା କେମିତି ।
ସରକାରଟା ନାଁକୁ ଖାଲି ଦେଶୀ ବୋଲି କହିଲା ସିନା ହେଲେ ଦେଶ ଲୋକଙ୍କ କଥା ବୁଝିଲାନି । ଘରେ ଘରେ ରୋଗ କିଣିବାପାଇଁ ବୁଝେଇ ଚାଲିଲା । ରେଡ଼ିଓରେ ସେହି ସମୟରେ କୃଷି ସଂସାର କର୍ଯ୍ୟକ୍ରମଟିଏ ସରକାର ଚଳାଇଲା । ମନେପଡ଼ୁଛି ତ ଆମ ଗାଁ’ର ଲୋକେ ମାଳ ମାଳ ହୋଇ କୃଷି ସଂସାର କାର୍ଯ୍ୟକ୍ରମଟିକୁ ସଂନ୍ଧ୍ୟାବେଳେ କେମିତି ଏକାଠି ଶୁଣୁଥିଲେ । ଲୋକଙ୍କୁ ଏମିତି ବୁଝେଇଲା ଯେ କେହି କିଛି ନପଚାରି ସବୁକଥାକୁ ସତ ମଣି ଆପଣେଇ ନେଲେ । ସମସ୍ତଙ୍କ ମୁଣ୍ଡରେ ଗୋଟିଏ କଥା ଲାଭ ମିଳିବ । ଚାଷୀପୁଅକୁ ‘ଲାଭ’ କଥା ଏମିତି ପାଗଳ କଲାଯେ ମୋ ଗାଁ ଖାଲି ନୁହଁ ଦେଶ ଦୁନିଆର ଚାଷୀ ଆଖି ଉଠିବା ଦିନରୁ କେବେ ସେ ବିଷୟଟି ଭାବିନଥିଲା । ସେଥିପାଇଁ ତ ସମସ୍ତଙ୍କ ବାଡ଼ିରେ ପନି ପରିବା, ଭଲ ମନ୍ଦ ଗଛ ବୃକ୍ଷ ଭରି ହୋଇଥିଲା । ଲୋକେ ସବୁବେଳେ କଥାରେ କହୁଥିଲେ ଧାନ ଅମାରରେ ଧାନ ବାଡ଼ିରେ ଶାଗ ଥିଲେ ଦୁନିଆରେ ସେ ସବୁଠୁ ସୁଖି । ବ୍ୟାଙ୍କରେ ଟଙ୍କା ରଖିବା କଥାଟି ଚାଷୀ କେବେ ଭାବିନଥିଲା । ଏବେତ ଚାଷୀର ବ୍ୟାଙ୍କ ଖାତା ସେଇ ସରକାର ଜବରଦସ୍ତ ଖୋଲାଉଛି । ସବୁ ଫିକର ତାରି । ଯଦିବା ସେଇ େଔଷଧ ନାଁର ରୋଗକୁ ଆପଣେଇ ଚାଷୀପୁଅ କିଛିଦିନ ଧାନ ଓ ଆଉସବୁ ଫସଲ ଅଧିକ ଫଳେଇଲା । କିଛିଦିନ ପାଇଁ ପଇସା ତା ପକେଟକୁ ବି ଆସିଲା । ହେଲେ କଥାରେ କୁହନ୍ତିନି ଖଡ଼ିକୁ ହିସାବ ସିନା ପେଢ଼ିକୁ ନାହିଁ । ଠିକ୍ ସେମିତି ଚାଷୀପୁଅର ଅବସ୍ଥା ଧିରେ ଧିରେ ଏତେ ଖରାପଆଡ଼କୁ ଗଲା ଯେ ଯାହା ରୋଜଗାର ଆସିଲା ତା ଚାଷକାମକୁ ନିଅଣ୍ଟିଆ ହେଲା ପୁଣି ଘର ଦୁଆର ତ ଅଛି!! ଲାଭ କଥା ଦୂରରେ ଥାଉ ଯେଉଁସବୁ ରୋଗ ସରକାର ତା ଘରେ ଦେଇଗଲେ ସେଥିରୁ ଆଉ ମୁକୁଳିବାପାଇଁ ଏବେ ବାଟ ମିଳୁନି । ସାରା ଦୁନିଆରେ ଏହି ରୋଗର ବିଷରେ ଆକ୍ରନ୍ତ ହେଲେଣି ଖାଲି ମଣିଷ ନୁହଁ ଜୀବ, ଜନ୍ତୁ ଗଛ, ଲତା, ପାଣି, ପବନ ଛୋଟ ଛୋଟ ଜିଆ, ଅଣୁଜୀବ ବି । ଯେଉଁସବୁ ରୋଗ ବ୍ୟାଧି କଥା ଚାଷୀପୁଅ କାନ ଶୁଣିନଥିଲା ସେହି ବ୍ୟାଧିରେ (‘ସବୁଜ ରୋଗ’ରେ) ଆକ୍ରାନ୍ତ ହେଇଛି ଖାଲି ମୋ ଗାଁ କି ପାଖ ଗାଁ ରାଇଜ ନୁହଁ ସାରା ଦୁନିଆ । ଏଥିରୁ ମୁକ୍ତି ମିିଳିବ କେମିତି? କିଏ ସେ ବାଟଟି କାଢ଼ିବ?
ଏମିତି ଏକ ଦୁଃସମୟରେ ‘ସବୁଜିଆ ରୋଗ’ ଦାଉରେ ଘାଣ୍ଟି ହେଉଥିଲେ ଆମ ଗାଁର ଜଣେ ନଟ ମାଷ୍ଟେ । ମାଷ୍ଟେ ଚାଷୀ ଘରର ଛୁଆ ସେଥିପାଇଁ ଚାଷୀପୁଅର ଭଲମନ୍ଦ ତାଙ୍କ ମୁଣ୍ଡକୁ ବେଶ ଘାରେ । ତାଙ୍କ ବାପା ତ ଚାଷୀଥିଲେ ସେତେବେଳେ ସେ ଏହି ସରକାର ବାପୁଡ଼ା କଥାରେ ପଡ଼ି ଔଷଧ କିିଣିଥିଲେ । ହେଲେ ଦିନେ ବିଲରେ ଥିଲାବେଳେ ଗୋଟେ ଚାଷୀପୁଅର କଷ୍ଟ ତାଙ୍କ ଆଖି ଖୋଲି ଦେଲା । ସେ ବିଲରେ ଚାଷବେଳେ ସରକାରଙ୍କ ଔଷଧ ପକାଇବା ପାଇଁ ଯାଇଥିଲେ ତାଙ୍କ ପାଖ ବିଲରେ ଜଣେ ଔଷଧ ଢ଼ାଳିବାବେଳେ ବେହୋସ ହୋଇଗଲା । ମାଷ୍ଟେ ତ ଖାଲି ଜଣେ ସାଧାରଣ ଚାଷୀପୁଅ ନୁହଁନ୍ତି ସେ ପାଠୁଆ ଲୋକ ପୁଣି ବିଜ୍ଞାନ ପାଠ ପଢ଼ାନ୍ତି । ଏବେ ସିନା ଅବସର ନେଲାରୁ ଚାଷବାସ କରୁଛନ୍ତି । ଲୋକଟିକୁ ବେହୋସ ଦେଖି ସେ ତାର କାରଣ ଖୋଜି ଚାଲିଲେ । ବହୁତ ପଢ଼ିଲେ । ସେଥିରୁ ଯାହାସବୁ ଜାଣିଲେ ତାଙ୍କ ଅକଲ ଗୁଡ଼ୁମ ହୋଇଗଲା । ମାଷ୍ଟେ ସରକାର ବାପୁଡ଼ାର ଅସଲି କଥା ଜାଣିଗଲେ । ସାରା ଦୁନିଆକୁ କେତେଦିନ ଯାଏ ଏମାନେ ଅନ୍ଧାରରେ ବା ରଖନ୍ତେ । ସତ କହିବାପାଇଁ ପଣକରି ଅଣ୍ଟା ଭିଡ଼ିଲେ ‘ନଟ ମାଷ୍ଟେ’ । ଏବେ ବୟସ ୮୬-୮୭ ହେବ । ପାଖାପାଖି ୧୫-୨୦ ବର୍ଷ ହେଲା ସେ ସବୁ ସତକଥା ଲୋକଙ୍କୁ କହି ବୁଲୁଛନ୍ତି । ଖାଲି ସତ କହୁନାହାଁନ୍ତି ଏହି ଭିଷଣ ଦୁରାରୋଗ୍ୟରୁ ଭଲ ହେବାପାଇଁ ସବୁ ପ୍ରକାରର ପରୀକ୍ଷା ନିରୀକ୍ଷା କରି ସେ ମୁକୁଳିବାର ବାଟ ପାଇଗଲେଣି । ଏହିସବୁ ବାଟ ଗୁଡ଼ିକ ବିଷୟରେ ଆମେତ ନିଶ୍ଚେ ସବୁକଥା ଶୁଣିବା ହେଲେ ଆଜି ମୁଁ ଅନ୍ୟକିଛି କଥା କହିବି ।
କଥାଟି ହେଲା; ମୋ ଗାଁ ପାଖ କେନାଲ ଆରପଟେ ଧଳା ରଙ୍ଗର ଗୋଟିଏ ଛୋଟିଆ କୋଠାଘରଟିଏ ଅଛି । ଘରର ବାହାରେ ଗୋଟିଏ ବୋର୍ଡ଼ରେ ଲେଖା ହୋଇଛି ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର । ଆଗରୁ ସେଠି ଖାଲି ଠାଠା ବିଲଥିଲା । ଏବେ ୫-୬ବର୍ଷ ହେବ ଘରଟି ଛାଡ଼ାହୋଇଛି । ଆମ ଗାଁ ନଟ ମାଷ୍ଟେ ସେହି ଘରଟିର ମୁଖ୍ୟ କାରର୍ପଟଦାର୍ । ତା ସାଙ୍ଗ ଅଭିମନ୍ୟୁ ସିଂ ଯିଏ ଗତ ବର୍ଷ ହୃଦଘାତରେ ଚାଲିଗଲେ, ସେ ମାଷ୍ଟେଙ୍କର କାମଦାମକୁ ବହୁତ ଭଲପାଉଥିଲେ । ସିଏବି ମୋ ଗାଁର ପାଖ ଗାଁ’ ନିଆଳିରେ ଦୁଇ ଦୁଇଥର ସରପଞ୍ଚ ଥିଲେ । ଭାରି ନା ଡ଼ାକ ଅଛି ଏ ଅଞ୍ଚଳରେ ତାଙ୍କର । ସିଏ ବୁଢ଼ାଙ୍କର କାମଦାମ ଦେଖି ସନ୍ତୁଷ୍ଟ ହେଇ ଜାଗାଟି ଲୋକଙ୍କ ସେବାକାମ ପାଇଁ ଦାନ କଲେ । ହେଲେ କଥାରେ ଅଛି ଗାଁ କନିଆ ସିଙ୍ଗାଣୀ ନାକି । ନଟ ମାଷ୍ଟେ ତେବେ ଏମିତି କ’ଣ କାମ କରୁଥିଲେ କି ତାଙ୍କୁ ତାଙ୍କ ସଙ୍ଗାତ ଯାଗାଟିଏ ଦାନ କଲେ? ବୁଢ଼ା ମାଷ୍ଟେ ତା ହେଲେ କ’ଣସବୁ କରୁଥିଲେ ସବୁକଥା ଆମେ ଆଗକୁ ଜାଣିବା । ଆଜି ଏତିକିରେ ସମସ୍ତଙ୍କ ଠାରୁ ବିଦାୟ ନେଉଛି …
Comments
0 comments