‘ସମଦୃଷ୍ଟି’ କିଛି ସମ୍ବେଦନଶୀଳ ଓ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଏକ ସାମୁହିକ ଉଦ୍ୟମ।

2005 ମସିହାରେ ସମଦୃଷ୍ଟି ଉଦ୍ୟମର ଆରମ୍ଭ କରାଯାଇଥିଲା I 2006 ମସିହା ଜାନୁଆରୀ 22 ଦିନ ପ୍ରଥମେ ଆତ୍ମପ୍ରକାଶ କରିଥିଲା ସମଦୃଷ୍ଟି I ଏହି ପନ୍ଦର ବର୍ଷର ଯାତ୍ରାପଥରେ ପତ୍ରିକାଟି ଅନେକ ସାଥି, ଲେଖକ, ସାହିତ୍ୟିକ, ସାମ୍ବାଦିକ, ଦାର୍ଶନିକ ଏବଂ ଭିର୍ଣ୍ଣ ସ୍ୱାଦର ପ୍ରତିଭାମାନଙ୍କୁ ଏକାଠି କରିପାରିଛି I ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଏହି ପତ୍ରିକାଟି ଓଡ଼ିଶାରେ ଏବଂ ଓଡିଶା ବାହାରେ ସତ୍ୟ ସମ୍ବାଦ ଅନ୍ୱେଷଣରେ ଥିବା ପାଠକମାନଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ବିକଳ୍ପ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି I ସମ୍ବଳଜନିତ ସଙ୍କଟ ଯୋଗୁଁ ପତ୍ରିକାର ପ୍ରସାରଣ ଏବଂ ଆନୁସଙ୍ଗିକ କାର୍ଯ୍ୟକ୍ରମର ଆୟୋଜନ ପ୍ରଭାବିତ ହେଉଥିଲେବି ସମଦୃଷ୍ଟି ଟିଭି, ମଧ୍ୟାନ୍ତର ଭିଡିଓ ପତ୍ରିକା ଏବଂ ସର୍ବୋପରେ ସମଦୃଷ୍ଟି ମୁକ୍ତବିଦ୍ୟାଳୟ ଇତ୍ୟାଦି ଉଦ୍ୟମ ଗୁଡିକ ଜାରିରହିଛି I

2003 ମସିହାରେ ଅବେଳରେ ଚାଲିଯାଇଥିବା ବନ୍ଧୁ ଅଶୋକ ବାବୁଙ୍କ ପ୍ରେରଣା ଏବଂ 2008ରେ ଅଚାନକ ମୃତ୍ୟୁ ବାରଣ କରିଥିବା ସାଥି ରାଜେନ୍ଦ୍ର ଷଡ଼ଙ୍ଗୀ ତଥା ଓଡ଼ିଶାର ଜଣେ ସାଲିସ ବିହୀନ ଯୋଦ୍ଧା ଏବଂ ଚିନ୍ତାନାୟକଙ୍କର ସକ୍ରିୟ ସମର୍ଥନରେ ସମଦୃଷ୍ଟି ପ୍ରଥମ କିଛି ବର୍ଷ ଆଗକୁ ଯାଇପାରିଥିଲା। ସବୁଠାରୁ ବେଶୀ ପ୍ରୋତ୍ସାହନ ମିଳିଥିଲା 2019ରେ ଆମ ଗହଣରୁ ଚାଲିଯାଇଥିବା ବିଶିଷ୍ଟ ଗାନ୍ଧିବାଦୀ ଓ ମାନବବାଦୀ ଚିନ୍ତକ ପ୍ରଫେସର ଭଗବତ ପ୍ରସାଦଙ୍କ ପାଖରୁ I କିଛି ପାଇବାର ଆଶା ନଥାଇ ଏହି କାମକୁ ଆଗକୁ ନେବାପାଇଁ ଅମସହ ରହିଆସିଛନ୍ତି ଆମ ରାଜ୍ୟର ଏବଂ ରାଜ୍ୟ ବାହାରର କିଛି ବିଶିଷ୍ଟ ଶିକ୍ଷାବିତ, ସମାଜ ବିଜ୍ଞାନୀ, ଲେଖକ, ସାମ୍ବାଦିକ, କଳାକାର ଏବଂ ସମ୍ବେଦନଶୀଳ ଶୁଭେଛୁମାନେ I ଆମେ ସମସ୍ତଙ୍କ ପାଖରେ ଚିର କୃତଜ୍ଞ I

ସୁଧୀର ପଟ୍ଟନାୟକ
ସମ୍ପାଦକ

‘ସମଦୃଷ୍ଟି ଟିଭି’:

‘ସମଦୃଷ୍ଟି ଟିଭି’ର ଭିଡ଼ିଓ ପତ୍ରିକା ‘ମଧ୍ୟାନ୍ତର’ ନାମରେ ଧାରାବାହିକ ଭାବରେ ଏବଂ କିଛି ସାମୟିକ ବୃତ୍ତଚିତ୍ର ମାଧ୍ୟମରେ ସମଦୃଷ୍ଟି ଜନାଗଣଙ୍କ ନିକଟରେ ମୌଳିକ ସମସ୍ୟା ଗୁଡ଼ିକୁ ଉତ୍ଥାପନ କରିବାପାଇଁ ପ୍ରୟାସ କରିଆସିଛି । ଇଲେଟ୍ରୋନିକ୍ ମାଧ୍ୟମରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ଏହି ଭିଡ଼ିଓ ପତ୍ରିକା ଏବେ ସିଡ଼ି ବଦଳରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ ପାଇବ ଏବଂ ସମଦୃଷ୍ଟି ନ୍ୟୁଜ ପୋର୍ଟାଲରେ ଏହା ଧାରାବାହିକ ଭାବରେ ସ୍ଥାନୀତ ହେବ।

‘ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ’:

ଏହା ସମଦୃଷ୍ଟିର ଏକ ଶିକ୍ଷା କାର୍ଯ୍ୟକ୍ରମ । ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଯାଉଥିବା ଶିକ୍ଷା ବ୍ୟବସ୍ଥା ଓ ବିଧ୍ୱଂସ୍ତ ହେବାକୁ ଯାଉଥିବା ମଣିଷ ସମାଜର ସ୍ଥାନରେ ଆମକୁ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଓ ସମାଜ ନିର୍ମାଣର ଦାୟିତ୍ୱ ହାତକୁ ନେବାକୁ ପଡ଼ିବ । ଏଭଳି ଏକ ଦାୟିତ୍ୱ ଆମେ ନେଇପାରିବା ଯଦି ସବୁ ପ୍ରକାର ଅବୁଝାମଣା ଓ ଅନ୍ଧ ବିଶ୍ୱାସରୁ ଆମେ ନିଜକୁ ମୁକ୍ତ କରିପାରିବା । ନିଜକୁ ମୁକ୍ତ କରିବାର ଚିନ୍ତା ନକରି ଅନ୍ୟମାନଙ୍କ ମୁକ୍ତିର ରାସ୍ତା ଖୋଜି ବାହାର କରିବା ଏକ ସହଜ କାମ ନୁହେଁ । ସମସ୍ତଙ୍କ ପାଇଁ ମୁକ୍ତିର ରାସ୍ତା ବାହାର କରିବାର ସାମୂହିକ ଉଦ୍ୟମର ନାମ ରଖାଯାଇଛି “ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ” ।